Unknown

 

 

 

 

 

 

 

 

 

ସୁନାର ଓଡ଼ିଶା

(ଏକ ନୂତନ ଧରଣର ବୈଜ୍ଞାନିକ ଉପନ୍ୟାସ)

 

ଡକ୍ଟର ଗୋକୁଳାନନ୍ଦ ମହାପାତ୍ର

ଅଧ୍ୟାପକ, ରେଭେନ୍‍ସା କଲେଜ

 

ଉତ୍ସର୍ଗ

 

ଓଡ଼ିଶାକୁ ଦିନେ ଶିଳ୍ପସମୃଦ୍ଧ କରିବାର ସ୍ୱପ୍ନ ଦେଖି

ସର୍ବପ୍ରଥମ କାର୍ଯ୍ୟକାରୀ ଉଦ୍ୟମ ଯେ କରିଥିଲେ,

ସେହି ଉତ୍କଳଗୌରବ ମଧୁସୂଦନଙ୍କ

ପାଦପଦ୍ମରେ ମୋର ଏହି

''ସୁନାର ଓଡ଼ିଶା'' କୁ

ଉତ୍ସର୍ଗ କଲି ।

 

ଇତି

ବିନୀତ

ଲେଖକ

Image

 

ପଦେଅଧେ

 

ବହୁ ଦିନ ଧରି ଓଡ଼ିଶା ଏକ ଅବହେଳିତ ଓ ଅନୁନ୍ନତ ଦେଶ ଭାବରେ ପଡ଼ିଆସିଅଛି । ଏପରି କି ଓଡ଼ିଶା ବାହାରେ କେହି କେହି ଓଡ଼ିଶାକୁ ଏକ ‘କୁଲି-ମଜୁରିଆ’ର ଦେଶ ବୋଲି କହିବାକୁ ପଛେଇ ନାହାନ୍ତି । ଶିକ୍ଷା, ଶିଳ୍ପ, କୃଷି ଇତ୍ୟାଦିରେ ଭାରତର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ବହୁ ପଛରେ ପଡ଼ିରହିଛି । ଏହି ଦେଶକୁ କିପରି ସବୁ ଦିଗରେ ଉନ୍ନତ କରାଇହେବ ଏହା ବହୁଦିନ ଧରି ବହୁ ଚିନ୍ତାଶୀଳ ଓଡ଼ିଶାବାସୀଙ୍କର ମନକୁ ଆନ୍ଦୋଳିତ କରିଆସୁଅଛି ଓ ଆସିବା ମଧ୍ୟ ସ୍ୱାଭାବିକ । ଓଡ଼ିଶାର ବିରାଟ ପ୍ରାକୃତିକ ସଂପଦକୁ ପ୍ରକୃତରୂପେ ହୃଦୟଙ୍ଗମ ନ କରି ବହୁ ଶିକ୍ଷିତ ଯୁବକ ଏବେ ବି ଓଡ଼ିଶାରେ କିଛି ହୋଇପାରିବନି ବୋଲି କହି ବେଳେ ବେଳେ ହତାଶ ଭାବ ଦେଖାଇଥାନ୍ତି । ଏଭଳି ମନୋଭାବ ଓଡ଼ିଶାର ପ୍ରକୃତ ଉନ୍ନତି ପଥରେ ଯେ ପ୍ରଧାନ ପ୍ରତିବନ୍ଧକ, ଏହା କେହି ଅସ୍ୱୀକାର କରିବେନି ।

 

ଓଡ଼ିଶାର ଅସୁମାରି ପ୍ରାକୃତିକ ସମ୍ପଦକୁ ବ୍ୟବହାର କରି ତାହାକୁ କିପରି ଏକ ଧନଶାଳୀ ରାଷ୍ଟ୍ରରେ ପରିଣତ କରିହେବ, ତହିଁର ଏକ ବାସ୍ତବ କଳ୍ପନାକୁ ରୂପରେଖ ଦେବା ‘‘ସୁନାର ଓଡ଼ିଶା’’ ଉପନ୍ୟାସର ପ୍ରଧାନ ଉଦ୍ଦେଶ୍ୟ । ଚେଷ୍ଟା କରିପାରିଲେ, ଏହି ଗରିବ ଦେଶ ଯେ ଦିନେ ଟଙ୍କା-ସୁନାଭରା ଓଡ଼ିଶାରେ ପରିଣତ ହୋଇପାରିବ, ତହିଁରେ ଆଭାସ ଏହି ଉପନ୍ୟାସରେ ଦିଆଯାଇଛି।

 

ବଡ଼ ଦୁଃଖର ବିଷୟ, ଓଡ଼ିଶାର ପ୍ରାକୃତିକ ସଂପଦ ପ୍ରତି ଓଡ଼ିଶାର ଲୋକମାନେ ଯେତେ ସଚେତନ ହେବା କଥା ସେତେ ସଚେତନ ହୋଇ ନାହାନ୍ତି । ଓଡ଼ିଶାର ଖଣିଜ ସଂପଦ, ବନ୍ୟ ସଂପଦ, କୃଷି ସଂପଦ, ସାଗର ସଂପଦ ଅତୁଳନୀୟ । ପ୍ରାକୃତିକ ସଂପଦରେ ଭରପୂର କୌଣସି ରାଷ୍ଟ୍ର ଓଡ଼ିଶା ଭଳି ଏତେ ଦିନହୀନ ଅବସ୍ଥାରେ ଯେ ପଡ଼ିରହିପାରେ ଧାରଣା କରିବା ଅସମ୍ଭବ । ପୁଣି ଏଭଳି ଏକ ରାଷ୍ଟ୍ରକୁ ଉନ୍ନତି ପଥରେ ଆଗେଇନେବା ପାଇଁ କେନ୍ଦ୍ର ସରକାରଙ୍କର ଉଦାସୀନତା ଆହୁରି ଅଧିକ କ୍ଷୋଭର ବିଷୟ । ‘ମାରି ନେଲେ ମହାପାତ୍ରେ, ଚାହିଁଛି ରେ ଜଳକା’ ନୀତିରେ ପ୍ରାକୃତିକ ସମ୍ପଦରେ କମ୍ ବିଭବଶାଳୀ ରାଷ୍ଟ୍ରମାନେ କେନ୍ଦ୍ର ସରକାରଙ୍କଠାରୁ କେତେ କ'ଣ ମାରି ନେଇ ନିଜର ଶିଳ୍ପସମୃଦ୍ଧିରେ ଲାଗିପଡ଼ିଛନ୍ତି, ଆମର କେବଳ ଜଳକା ହୋଇ ଚାହିଁରହିବା ଛଡ଼ା ଅନ୍ୟ ଉପାୟ ନାହିଁ । ଏହି ଅନ୍ୟାୟକୁ କ’ଣ ଆମେ ସବୁଦିନପାଇଁ ସହିଯାଉଥିବା ? ଆମର ଦୁର୍ବଳ ଶିଳ୍ପ ନେତୃତ୍ୱ କ’ଣ ଆମକୁ ସବୁଦିନପାଇଁ ଦୁର୍ବଳ ଓ ପରମୁଖାପେକ୍ଷୀ କରିରଖିଥିବ ? ଏହାର କ’ଣ କିଛି ପ୍ରତିକାର ଆମେ କରିପାରିବା ନାହିଁ ? ଏହି ପ୍ରଶ୍ନର ଉତ୍ତର ରହିଛି ଓଡ଼ିଶାର ଆଧୁନିକ ଜନସମାଜ ହାତରେ । ଓଡ଼ିଶାର ଲୋକମାନଙ୍କୁ ଏକତ୍ର କରି ଏହି ସମସ୍ୟାର କିଭଳି ସମ୍ମୁଖୀନ ହେବାକୁ ପଡ଼ିବ, ତହିଁର ଏକ ସୁଚିନ୍ତିତ ଯୋଜନା କାର୍ଯ୍ୟକାରୀ ହେବା ଏକାନ୍ତ ବାଞ୍ଛନୀୟ । ଓଡ଼ିଶାର ପ୍ରତ୍ୟେକ ଅଧିବାସୀ ଯଦି ଆଜିଠାରୁ ଏଥିପ୍ରତି ସଜାଗ ନ ହୁଅନ୍ତି, ତେବେ ଭବିଷ୍ୟତରେ ସେମାନଙ୍କୁ ମଧ୍ୟ ବର୍ତ୍ତମାନର ଦଶା ଯେ ଭୋଗ କରିବାକୁ ପଡ଼ିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।

 

ଓଡ଼ିଶାର ପ୍ରାକୃତିକ ସଂପଦ, ଶିଳ୍ପ-ସମସ୍ୟା ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଲୋକସମ୍ମୁଖକୁ ଆଣିବା ପାଇଁ ଏକ ଉପନ୍ୟାସର ମାଧ୍ୟମ ନେବା ଅସ୍ୱାଭାବିକ ମନେ ହେଉଥିଲେ ହେଁ ଆମ ଜନସାଧାରଣଙ୍କ ଉପରେ ଏହାର ସୁଦୂରପ୍ରସାରୀ ପ୍ରଭାବ ପଡ଼ିବ ବୋଲି ଆଶା । ତେବେ ଉପନ୍ୟାସଗୁଡ଼ିକ ଯେଉଁ ସବୁ ରସ; ଯଥା-ପ୍ରେମ, ବିରହ, ହାସ୍ୟରସ ଆଦି ପରିବେଷଣ କରିବା କଥା, ସେଗୁଡ଼ିକରୁ କେତେକ ଏଭଳି ତଥ୍ୟବହୁଳ ଉପନ୍ୟାସ ପରିବେଷଣରେ ବ୍ୟାହତ ହେବା ଆଶା କରିବା ଅସ୍ୱାଭାବିକ ନୁହେଁ । ତେବେ ସେହିସବୁ ରସଭଙ୍ଗ ଯେତେ କମ୍ ହେବ, ସେଥିପାଇଁ ନାନା ଚେଷ୍ଟା କରାଯାଇଛି ଏହି ଉପନ୍ୟାସରେ । ତେବେ ଉପନ୍ୟାସଟି ଏକ ସାର୍ଥକ ସୃଷ୍ଟି କି କଅଣ ତହିଁର ବିଚାର ସୁଧୀବୃନ୍ଦଙ୍କ ଉପରେ ଛାଡ଼ିଦିଆଗଲା । ଦିଅଁ ଗଢ଼ିବାକୁ ଯାଇ ଯଦି ବାନ୍ଦର ଗଢ଼ାହୋଇ ନ ଥାଏ, ତେବେ ରକ୍ଷା ।

 

‘ସୁନାର ଓଡ଼ିଶା’ ପୁସ୍ତକଟି ଆଜକୁ ବାର ତେର ବର୍ଷ ତଳେ ମୋ ଦ୍ୱାରା ରଚିତ ହୋଇଥିବା ସେହି ନାମଧ୍ୟେୟ ପୁସ୍ତକଠାରୁ ଯଥେଷ୍ଟ ଅଲଗା । ବର୍ତ୍ତମାନ ପୁସ୍ତକଟିରେ ପୂର୍ବ ଉପନ୍ୟାସର ବିଷୟବସ୍ତୁ କେତେକ ପରିମାଣରେ ଥିଲେ ହେଁ ଗଳ୍ପଟି ପୁରାପୁରି ଆମୂଳଚୂଳ ପରିବର୍ତ୍ତିତ ହୋଇଛି । ଉପନ୍ୟାସର ନାୟକ ନାୟିକା ସମାନ ଥିଲେ ହେଁ ଉପନ୍ୟାସର ବିଷୟବସ୍ତୁ ଯଥେଷ୍ଟ ପରିବର୍ତ୍ତିତ ଓ ପରିବର୍ଦ୍ଧିତ ହୋଇଥିବାରୁ ଏ ପୁସ୍ତକ ଓ ସେହି ପୁସ୍ତକ ଭିତରେ ଆକାଶ ପାତାଳ ପ୍ରଭେଦ ଦେଖିବାକୁ ମିଳେ । ପୂର୍ବ ଉପନ୍ୟାସର ରସଭଗ୍ନତା ଏଥିରେ ଯଥେଷ୍ଟ କମାଇବାକୁ ଚେଷ୍ଟା କରାଯାଇଛି, ଫଳରେ ଉପନ୍ୟାସଟି ଅଧିକ ସୁଖପାଠ୍ୟ ଓ ଶିକ୍ଷଣୀୟ ହେବ ବୋଲି ଆଶା । ଇତି ।

 

ଦୋଳମୁଣ୍ଡାଇ, ଶ୍ରୀ ଗୁଣ୍ଡିଚା

ବିନୀତ

ତା ୨ । ୭ । ୭୩

ଲେଖକ

Image

 

ସୁନାର ଓଡ଼ିଶା

(ଏକ)

 

ଜାନୁୟାରୀ ମାସର ଏକ ଶିଶିରସିକ୍ତ ସକାଳ । ବାଳ ସୂର୍ଯ୍ୟଙ୍କର ସୁନେଲି କିରଣରେ ଛାଇ ହୋଇଯାଇଥାଏ ସୁଧା ଧବଳିତ ସାରା କଲିକତା ନଗରୀ । ବିବେକାନନ୍ଦ ରୋଡ଼ ଓ ଏସ୍‍ପ୍ଲେନେଡ଼ ଛକ ଉପରେ କଲିକତାର ମୁକ୍ତ ମଇଦାନ ଆଡ଼କୁ ମୁହଁକରି ଠିଆ ହୋଇଥିବା ଓଡ଼ିଶାର ଯୁବକ ଶିଳ୍ପପତି ଅରୁଣକୁମାର ପଟ୍ଟନାୟକଙ୍କର ବିରାଟ କ୍ରିତଳ ପ୍ରାସାଦର ଫାଟକ ସମ୍ମୁଖରେ ଏକ କାର ଆସି ଠିଆହେଲା । କାରରୁ ଓହ୍ଲାଇଲେ ଜନୈକା ସୁନ୍ଦରୀ ଇଂରେଜ ତରୁଣୀ । ବୟସ ବେଶୀ ନୁହେଁ, ତେଇଶ ଚବିଶ ଭିତରେ ଉନ୍ମିସିତ ଯୌବନର ରୂପରେ ସତେ ଯେମିତି ଭାରାକ୍ରାନ୍ତ । ହାତରେ ଏକ ହାଣ୍ଡବେଗ୍ । ଲୋହିତ ପିଙ୍ଗଳ ଆଲୁଳାୟିତ ବେଶୀମୁକ୍ତ କୁନ୍ତଳ, ଇଂରେଜୀ ରୀତିରେ ପିନ୍ଧିଛନ୍ତି ଅତ୍ୟାଧୁନିକ ଚିପା ପୋଷାକ-ସ୍କଟ୍ ଓ ବ୍ଲାଉଜ । ପୋଷାକପତ୍ରରୁ ଜଣାପଡ଼ୁଥାଏ ଏକ ଧନୀ, ସମ୍ଭ୍ରାନ୍ତ ବଂଶୀୟ ଲଳନା ବୋଲି । ଧୀରେ ଧୀରେ ଆଗେଇ ଆସି ଈଷତ୍ ଶଙ୍କିତ ମନରେ ସେ ଫାଟକ ଖୋଲିଲେ ।

 

ସେତେବେଳେ ନିଜ ଡ୍ରଇଂ ରୁମରେ ବସି ସକାଳର ଖବରକାଗଜ ଉପରେ ଆଖି ବୁଲାଉଥିଲେ ଶିଳ୍ପପତି ଅରୁଣକୁମାର । ଝରକା ଦେଇ ଆଖି ପଡ଼ିଗଲା ନିଜ ଫାଟକ ସାମନାର ସେହି କାର ଉପରେ । କାରରୁ ଜନୈକା ପାଶ୍ଚାତ୍ୟ ତରୁଣୀ ଓହ୍ଲାଇବାର ଦେଖି ସେ ହଠାତ୍ ତଟସ୍ଥ ହୋଇପଡ଼ିଲେ । ନିଃସଙ୍ଗ ଜୀବନଯାପନ କରୁଥିବା ଅରୁଣ କୁମାରଙ୍କ ଫାଟକ ସାମନାରେ ହଠାତ ଏକ ବିଦେଶୀ ତରୁଣୀଙ୍କ ଆବିର୍ଭାବରେ ବିସ୍ମିତ ନ ହେବେ ବା କେମିତି ? ଏହି ବିଦେଶ ତରୁଣୀଟି କିଏ, ଓ ତାଙ୍କ ଘର ଆଗରେ କାହିଁକି, ଜାଣିବା ପାଇଁ ଘରୁ ବାହାରି ପଡ଼ିଛନ୍ତି କି ନାହିଁ ଫାଟକ ପାଖରେ ଆଭାକୁ ଆଗେଇ ଆସିବା ଦେଖି ହଠାତ୍ ଚମକି ପଡିଲେ ଅରୁଣ । କିଛି ଭାବିପାରିଲେନି-। କ୍ଷଣକ ପାଇଁ ଭୁଲିଗଲେ ସେ ବାସ୍ତବତା ଭିତରେ ଅଛନ୍ତି କି ସ୍ୱପ୍ନ ଦେଖୁଛନ୍ତି । ତାଙ୍କର ପ୍ରାଣର ପ୍ରିୟା ଆଭା ନିଜ ସମ୍ମୁଖରେ, କ’ଣ ପଚାରିବେ, କେମିତି ସଙ୍ଖୋଳିବେ ସବୁ ଯେମିତି ଭୁଲିଗଲେ । ଆଭା ଗେଟ୍ ଖୋଲିବା ପର୍ବରୁ ଅରୁଣ କୁମାର ଫାଟକ ପାଖକୁ ଦୌଡ଼ି ଯାଇ ଫାଟକ ଖୋଲି ଦେଉଁ ଦେଉଁ କହିପକାଇଲେ, ‘‘ଆଭା ତୁମେ ? କିନ୍ତୁ କାହିଁ ତୁମ ଆସିବା ଖବର ତ ଆଗରୁ ମୋତେ ଟିକିଏ ବି ଜଣାଇ ନାହିଁ ? ଖବର ଦେଇଥିଲେ ମୁଁ ଅନ୍ତତଃ ଦମ୍‍ଦମ୍ ବିମାନଘାଟି ପର୍ଯ୍ୟନ୍ତ ତ ଯାଇ ପାରିଥାନ୍ତି, ତୁମକୁ ସ୍ୱାଗତ କରିବା ପାଇଁ । ତୁମେ ଏଡ଼େ ନିର୍ଦ୍ଦୟ ଆଭା । ମୋତେ ବିଦାୟ ଦେବାପାଇଁ ମୁଁ ତୁମକୁ ବିଲାତର ଉଡ଼ାଜାହାଜ ଘାଟି ପର୍ଯ୍ୟନ୍ତ ଆସିବାକୁ ସୁବିଧା ଦେଇଥିଲି; ଅଥଚ ତୁମକୁ ଭାରତରେ ସ୍ୱାଗତ କରିବା ପାଇଁ ମୋତେ ଟିକିଏ ବି ସୁବିଧା ଦେଇ ପାରିଲନି ?’’

 

ଅରୁଣଙ୍କ ମୁହଁରୁ ଏହିଭଳି ଖେଦୋକ୍ତି ଶୁଣି ଆଭା ହସିଲା, ‘‘ମୋର କ'ଣ ଏଠାକୁ ଆସିବା କଥା ଠିକ୍ ଥିଲା ଯେ, ମୁଁ ତୁମକୁ ଜଣାଇଥାନ୍ତି । ହଠାତ୍ ବାପାଙ୍କ ନିର୍ଦ୍ଦେଶରେ ମୋତେ ଭାରତକୁ ଆସିବାକୁ ପଡ଼ିଲା । ତୁମର ଏହି ଯୋଜନା ପାଇଁ ଜାଣ ମୁଁ ଏତେ ତରତରରେ ଚାଲି ଆସିଲି । ଏଇ ନିଅ ତୁମ ଯୋଜନା । ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବାପାଇଁ ବ୍ରିଟିଶ ଶିଳ୍ପପତିଙ୍କର ଏହି ଅବଦାନ ସାଦରେ ଗ୍ରହଣ କର ।’’

 

ଏତକ କହି ଆଭା ଅରୁଣଙ୍କ ହାତକୁ ପିତାଙ୍କଠାରୁ ଆଣିଥିବା ଯୋଜନାଟି ବଢ଼ାଇ ଦେଲା । ସେଥି ସଙ୍ଗେ ସଙ୍ଗେ ଶିଳ୍ପପତି ଦେଇଥିବା ଜଉମୁଦ ଦିଆ ଲଫାଫାଟିକୁ ମଧ୍ୟ ।

 

ଅରୁଣ ଲଫାଫାଟି ଖୋଲି ସେଥିରେ ଶିଳ୍ପପତିଙ୍କ ଏକ ଚିଠି ଓ କେତେକ କାଗଜପତ୍ର ଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଯୋଜନା ସମ୍ବନ୍ଧରେ ଶିଳ୍ପପତି କ’ଣ ଲେଖିଛନ୍ତି, ଜାଣିବା ପାଇଁ ସେ ତର ତର ହୋଇ ଚିଠିଟି ଖୋଲି ପଢ଼ିବାକୁ ଲାଗିଲେ । ଚିଠିରେ ଲେଖା ଥିଲା-

 

ଲଣ୍ଡନ

ତା ୧୭ । ୯ । ୫୬

 

କଲ୍ୟାଣୀୟ ଶ୍ରୀମାନ୍ ଅରୁଣ,

 

ମୋ ପାଖରୁ ତୁମେ ଏହି ପତ୍ର ପାଇ ଆଶ୍ଚର୍ଯ୍ୟ ହୋଇପାର । ମୁଁ ତୁମକୁ ଯେଉଁ ବିଷୟରେ କେବେ ଆଭାସ ଦେଇନି, ଆଜି ସେହି କାମର ଦାୟିତ୍ୱ ତୁମ ଉପରେ ଲଦି ଦେବାକୁ ଯାଉଛି । ଆଶା ଓ ଅନୁରୋଧ, ତୁମେ ସେଗୁଡ଼ିକୁ ସାଦରେ ଗ୍ରହଣ କରିବ ।

 

ପ୍ରଥମଟି ହେଉଛି ମୋର ଏକମାତ୍ର ସନ୍ତାନ ଆଭା । ତୁମର ସହପାଠିନୀ ହିସାବରେ ଆଭା ନିଜକୁ ବଡ଼ ଗୌରବାନ୍ୱିତ ମନେକରେ । ସେ ତୁମକୁ କେତେ ଭଲ ପାଏ ଓ ତୁମେ ତାକୁ କେତେ ଭଲ ପାଅ, ମୁଁ ଅନ୍ତରାଳରେ ଥାଇ ବହୁବାର ଲକ୍ଷ୍ୟ କରିଛି । ଆଭାର ଇଚ୍ଛାନୁସାରେ ମୁଁ ତା’କୁ ତୁମ ହାତରେ ସମର୍ପି ଦେଉଛି । ଆଶା ତୁମେ ତା’କୁ ନିରାଶ କରିବନି ।

 

ତୁମ ଉପରେ ଦେଉଥିବା ଦ୍ୱିତୀୟ ଦାୟିତ୍ୱଟି ହେଉଛି ତୁମର ଚିର ଈପ୍‍ସିତ ଯୋଜନା ଓ ସେ ଯୋଜନାକୁ ଠିକ୍ ଭାବରେ କାର୍ଯ୍ୟକାରୀ କରିବାପାଇଁ ମୋର ମତ ସାମାନ୍ୟ ଏକହଜାର କୋଟି ଷ୍ଟାରଲିଙ୍ଗ୍‍ର ଏକ ଦାନପତ୍ର । ତୁମେ ଜାଣ ଅରୁଣ, ଆଭା ହେଉଛି ମୋର ସମସ୍ତ ସମ୍ପତ୍ତିର ଏକମାତ୍ର ଉତ୍ତରାଧିକାରିଣୀ । ତେଣୁ ମୁଁ ବିଭାଘରର ଯୌତୁକ ହିସାବରେ ତା’କୁ କିଛି ନ ଦେଇ ମୋ ସମ୍ପତ୍ତିର କିୟଦଂଶ ମାତ୍ର ଏକ ହଜାର କୋଟି ଷ୍ଟାରଲିଙ୍ଗ୍ ତୁମ ଦୁହିଁଙ୍କୁ ଦାନ କରୁଛି । ଏହି ଦାନର ପରିମାଣ ମୁଁ ସ୍ଥିର କରିଛି ମୋ ପରାମର୍ଶଦାତାମାନଙ୍କ ଦ୍ୱାରା ତିଆରି ହୋଇଥିବା ଯୋଜନାର ଅଟକଳରୁ । ସେମାନଙ୍କ ମତରେ ଏକହଜାର କୋଟି ଷ୍ଟାରଲିଙ୍ଗ୍ ହେଲେ ସେମାନେ ଦେଇଥିବା ଯୋଜନାଟିକୁ ପୁରାପୁରି କାର୍ଯ୍ୟକାରୀ କରାଇହେବ । ଆଭା ହାତରେ ପୂରା ଯୋଜନାଟି ପଠାଇଛି ଓ ସେଥିରେ ଓଡ଼ିଶା କିଭଳି ଶିଳ୍ପ ସମୃଦ୍ଧ ହୋଇପାରିବ ଓ ସେଥିପାଇଁ କି କି ଖର୍ଚ୍ଚ କେତେ ପରିମାଣରେ ହେବ, ସେ ସବୁର ଅଟକଳ ଦିଆଯାଇଛି । ତୁମର ଯେଉଁ ସ୍ୱପ୍ନ ଶିଳ୍ପଗ୍ରୀଡ଼୍, ତାହା କିପରି ସାରା ଓଡ଼ିଶାକୁ ଘେନି ଗଢ଼ି ଉଠିବ, ତହିଁର ସୂଚନା ଦିଆଯାଇଛି ସେଇ ଯୋଜନା ଭିତରେ ।

 

ପଠାଇଥିବା ଯୋଜନାକୁ କାର୍ଯ୍ୟକାରୀ କରିବାପାଇଁ ମୁଁ ମୋର ପରାମର୍ଶଦାତା, ଶିଳ୍ପ ବିଶେଷଜ୍ଞ ଓ ଇଞ୍ଜିନିଅରମାନଙ୍କ ଭିତରୁ କେତେଜଣଙ୍କୁ ଓଡ଼ିଶା ପଠାଉଛି । ଶିଳ୍ପ କାରଖାନା ବସାଇବା ପାଇଁ ଯେଉଁସବୁ ଯନ୍ତ୍ରପାତି ଓ ସାଜସରଞ୍ଜାମ ଦରକାର, ସେଗୁଡ଼ିକୁ ଓଡ଼ିଶା ଅଭିମୁଖେ ପଠାଇବାପାଇଁ ମୁଁ ଭାରତ ତଥା ବ୍ରିଟିଶ୍ ସରକାରଙ୍କ ଅନୁମତି ଲୋଡ଼ିଛି ।

 

ତୁମେ ବୋଧହୁଏ ଜାଣିନ ଅରୁଣ, ମୁଁ ନିଜେ ଏକୁଟିଆ ହୋଇ ପଡ଼ିଥିବାରୁ ମୋ ଶିଳ୍ପସାମ୍ରାଜ୍ୟକୁ ଯଥୋଚିତ ଭାବରେ ସଂକୁଚିତ କରି ଆଣିବାକୁ ବାଧ୍ୟ ହେଉଛି । ବିଦେଶରେ ଥିବା ବହୁ କଳକାରଖାନାକୁ ମୁଁ ହସ୍ତାନ୍ତର କରି ସାରିଲିଣି । ମୋର ଆଫ୍ରିକାର ଜୋହାନ୍‍ସବର୍ଗଠାରେ ଥିବା ଲୁହା ଓ ଇସ୍ପାତ କାରଖାନା, କୁଇନ୍‍ସଟାଉନରେ ଥିବା କାଗଜ ଓ ଚିନି କାରଖାନା, ଡରବାନ୍‍ଠାରେ ଥିବା ଲୁଗା କାରଖାନା, କାଞ୍ଜିବାରଠାରେ ଥିବା ତମ୍ବା ଓ ସୀସା କାରଖାନା, ଡାରେ ଏ-ସଲାମଠାରେ ଥିବା ଝୋଟ କାରଖାନା, ମୋମ୍ବାସା ଠାରେ ଥିବା କାଚ ଓ ସିମେଣ୍ଟ କାରଖାନା, ଆଡିସଆବାବାଠାରେ ଥିବା ଗ୍ରାଫାଇଟ, ଅଗ୍ନିଜିତ୍ ଇଟା ଓ ପ୍ଲାଷ୍ଟିକ୍‍ସ କାରଖାନା, କାଏରୋଠାରେ ଥିବା ଆଲୁମିନିୟମ, କେଲସିୟମ କାରବାଇଡ଼୍ କାରଖାନା, ଆଲେକ୍‍ଜାଣ୍ଡ୍ରିଆଠାରେ ଥିବା ରାସାୟନିକ କାରଖାନା, ସାର କାରଖାନା, କ୍ଷାର ଓ ସାବୁନ୍ କାରଖାନା ଗୁଡିକୁ ମୁଁ ଇତିମଧ୍ୟରେ ହସ୍ତାନ୍ତର କରି ଦେଇ ସାରିଲିଣି । କେବଳ ବ୍ରିଟିଶ ଦ୍ୱୀପପୁଞ୍ଜରେ ଥିବା ଶିଳ୍ପକାରଖାନାଗୁଡ଼ିକୁ ମୁଁ ଯାହା ହାତରେ ରଖିଛି । ଦିନକୁଦିନ ଆଫ୍ରିକାବାସୀଙ୍କର ଆମ ଇଂରେଜମାନଙ୍କ ପ୍ରତି ଯେଉଁ ମନୋଭାବ ବଦଳୁଛି, ସେଥିରେ ସେ ଦେଶରେ ବ୍ୟବସାୟ ଚଳାଇବାକୁ ଆଉ ମନ ହେଉନି । ତେଣୁ ସେଗୁଡ଼ିକୁ ହସ୍ତାନ୍ତର କରିଦେବାକୁ ବାଧ୍ୟ ହେଲି । ତୁମର ଏହି ଯୋଜନାକୁ କାର୍ଯ୍ୟକାରୀ କରାଇବା ଦିଗରେ ସାହାଯ୍ୟ କରିବା ପାଇଁ ସେଠାକାର କେତେକ ଶିଳ୍ପ କାରିଗର ଓ ବିଶେଷଜ୍ଞଙ୍କୁ ମୁଁ କିଛିଦିନ ପାଇଁ ଓଡ଼ିଶା ପଠାଇବାକୁ ମନସ୍ଥ କରିଛି ।

 

ମୋର ଆଉ ଗୋଟିଏ ଅନୁରୋଧ ଅରୁଣ, ଆଭାକୁ ତୁମେ ଭାରତରେ ହିନ୍ଦୁ ଧର୍ମରେ ଦୀକ୍ଷିତ କରାଇ ହିନ୍ଦୁ ରୀତିରେ ବିବାହ କରିବ । ବିବାହ ଯେହେତୁ ଭାରତବର୍ଷରେ ହେବ, ସେଥିପାଇଁ ବିବାହ ଖର୍ଚ୍ଚ ପାଇଁ ମୁଁ ଆଭା ହାତରେ କୋଟିଏ ପାଉଣ୍ଡ ଖଣ୍ଡିଏ ଚେକ୍ ପଠାଇଛି । ମୁଁ ଆଶୀର୍ବାଦ୍ କରୁଛି ଅରୁଣ, ତୁମେ ଦୁହେଁ ସୁଖରେ ସଂସାର କର । ମୁଁ ବର୍ତ୍ତମାନ ପାଇଁ ଯାଇ ନ ପାରିଲେ ମଧ୍ୟ ମୋର ଆଶୀର୍ବାଦ୍ ତୁମ ଦୁହିଁଙ୍କପାଇଁ ସର୍ବଦା ରହିଲା । ନିକଟ ଭବିଷ୍ୟତରେ ମୁଁ ଯାଇ ଥରେ ଓଡ଼ିଶା ବୁଲିଆସିବି, ଏହି ବାସନା ରଖିଛି । ଇତି ।

 

ତୁମର ଚିର ଶୁଭାକାଂକ୍ଷୀ

ଜେମସ୍ ମାଇକେଲସନ୍

 

ଚିଠିଟି ପଢ଼ିସାରିଲା ବେଳକୁ ଚିଠି ସଙ୍ଗେ ଗୁନ୍ଥା ହୋଇଥିବା ଏକ ହଜାରକୋଟି ଷ୍ଟାରଲିଙ୍ଗ୍‍ର ଏକ ଦାନପତ୍ର ଓ ବିବାହ ଖର୍ଚ୍ଚ ପାଇଁ କୋଟିଏ ପାଉଣ୍ଡ ଖଣ୍ଡିଏ ଚେକ୍ ଦେଖି ଅରୁଣ ଆଶ୍ଚର୍ଯ୍ୟ ନ ହୋଇ ରହି ପାରିଲେନି । ଦାନପତ୍ରଟି ଲେଖା ହୋଇଥିଲା ଅରୁଣ ଓ ଆଭା, ଉଭୟଙ୍କ ନାମରେ ଓ ରେଜିଷ୍ଟାର୍ଡ଼ ହୋଇଥିଲା ଲଣ୍ଡନରେ ।

 

ଦାନପତ୍ର, ଚେକ୍ ଓ ଯୋଜନା ସଙ୍ଗେ ଆଭାକୁ ଦେଖି ଅରୁଣ ଆନନ୍ଦରେ ପାଗଳ ହୋଇଉଠିଲା । ସେ ଆଭାକୁ କୋଳକୁ ଟାଣିଆଣି ତା’ର ଲଜ୍ଜାରୁଣ କପୋଳ ଉପରେ ଆଙ୍କି ଦେଲା ଅଜସ୍ର ଚୁମ୍ବନର ରକ୍ତିମ ରେଖା । ମନ ହେଉଥାଏ ଆଭାକୁ ଚିରଦିନ ପାଇଁ ତାର ବାହୁପାଶରେ ଆବଦ୍ଧ କରି ପ୍ରେମ ପିପାସାକ୍ଳିଷ୍ଟ କାମୀଜନ ପରି ତା’ର ସଜ ଅମଉଳା ପଦ୍ମଫୁଲପରି ମୁଖ-ମଣ୍ଡଳଟିକୁ ସୁନ୍ଦର କମନୀୟ କ୍ଷତବିକ୍ଷତ କରିପକାନ୍ତା କି ?

 

ଅରୁଣଙ୍କୁ ଆନନ୍ଦରେ ପାଗଳଭଳି ହେବାର ଦେଖି ଆଭା ହସି ହସି କହିଲା ‘‘ତୁମେ ଏପରି ପାଗଳଙ୍କଭଳି ନ ହୋଇ ଯୋଜନାଟିକୁ ପରୀକ୍ଷା କର ଅରୁଣ । ତୁମେ ସିନା ମୋ ଦାୟିତ୍ୱଟିକୁ ସହଜରେ ତୁଲାଇପାରିବ, କିନ୍ତୁ ଯୋଜନାଟିର ଦାୟିତ୍ୱ କିପରି ଭାବରେ ତୁଲାଇବ, ସେଥିରେ ମୋର କାହିଁକି ଯଥେଷ୍ଟ ସନ୍ଦେହ ହେଉଛି ।’’ ତା’ର ହରିଣୀ ବିଲୋଳ ନୟନ ଦୁଇଟିକୁ ନଚାଇ କହିଲା ଆଭା । ବାହାରକୁ ହେଉ, ତୁମେ ଯୋଜନାଟିକୁ ଦେଖୁଥାଅ, ମୁଁ ଘର ଭିତର ବୁଲି ଦେଖି ଆସେ ।

 

‘‘ହଁ ଆଉଗୋଟିଏ କଥା, ଅରୁଣ ! ତୁମ ଘରଟି ତ ବେଶ ସୁନ୍ଦର ହୋଇଛି ଘରଟି ଆକାରରେ ଛୋଟ ହେଲେ କ'ଣ ହେବ, ଏହାର ଶାନ୍ତ ବାତାବରଣ ମୋତେ ବେଶ୍ ମୁଗ୍‍ଧ କରୁଛି-। କଲିକତା ସହରଟିର ଏହି ଅଂଶ ମୋତେ କାହିଁକି ପୂର୍ବ ଲଣ୍ଡନ ଭଳି ବୋଧ ହେଉଛି । ସେହି ପୁରୁଣା କାଳିଆ କୋଠା, ପୁରୁଣା କାଳିଆ ରାସ୍ତାଘାଟ, ଯାନବାହାନ, ସତେ ଯେମିତି ଏସବୁ ଚୋରି ହୋଇ ଆସିଛି ପୂର୍ବ ଲଣ୍ଡନରୁ ଏଇ କଲିକତା ନଗରୀକୁ ।

 

ବିଲାତରେ ଥିଲାବେଳେ ତୁମେ ଓଡ଼ିଶାର କଳା ପ୍ରତି ଯେଭଳି ଆଦର ଦେଖାଉଥିଲ, ମୁଁ ଆସିଲାବେଳେ ଭାବୁଥିଲି କଲିକତାରେ ତୁମେ ତୁମ ବାସଭବନଟିକୁ କଳାପୂର୍ଣ୍ଣ କରି ଏକ ମିଉଜିୟମରେ ପରିଣତ କରି ଦେଇଥିବ । ଘରଟିକୁ ସେ ସବୁରୁ ମୁକ୍ତ ଦେଖି ମୁଁ ଆଶ୍ଚର୍ଯ୍ୟ ହେଉଛି ଅରୁଣ ?’’

 

ଆଭାର ଏଇ କଥା କେଇପଦ ଶୁଣି ଅରୁଣ ହସିଲେ, ‘‘ପାଶ୍ଚାତ୍ୟ ଦେଶରେ ପ୍ରାଚ୍ୟ କଳାର ପୂଜାରୀ କଳାକୁ ଖୋଜିପାରେ, କାରଣ ସେ ପାଶ୍ଚାତ୍ୟ କଳାକୃଷ୍ଟି ଦେଖି ଦେଖି ଅଣନିଶ୍ୱାସୀ ହୋଇପଡ଼ିଥାଏ ବୋଲି । ପାଶ୍ଚାତ୍ୟ ଦେଶରେ ପ୍ରାଚ୍ୟ କଳା ତାକୁ ଆଶ୍ୱାସନା ଦିଏ, ତାର ପ୍ରାଣରେ ନବପୁଲକ ଅଙ୍କୁରିତ କରେ । କିନ୍ତୁ ପ୍ରାଚ୍ୟ ଦେଶରେ ପ୍ରାଚ୍ୟକଳା ତ ସବୁଆଡ଼େ ବିଛେଇ ହୋଇରହିଛି । ଏହି ସହରଠାରୁ ମାତ୍ର କେଇ ମାଇଲ ବ୍ୟବଧାନରେ ଏତେ ସ୍ଥାପତ୍ୟ, ଭାସ୍କର୍ଯ୍ୟ, କଳାର ସୃଷ୍ଟି ସବୁ ପୁରିରହିଛି ଯେ ସେ ଗୁଡ଼ିକୁ ଆଣି ଏହି ଘରେ ବନ୍ଦୀକରି ରଖିବାର କୌଣସି ଆବଶ୍ୟକତା ନାହିଁ । ଶ୍ରେଷ୍ଠ କଳା ସ୍ଥାପତ୍ୟ, ଭାସ୍କର୍ଯ୍ୟର ଲୀଳାଭୂମି ଉତ୍କଳ ଏଠାରୁ ବେଶୀ ଦୂର ନୁହେଁ ଆଭା, ଉଡ଼ାଜାହାଜରେ ଗଲେ ମାତ୍ର ଘଣ୍ଟାକର ବାଟ । ତୁମେ ଯେତେବେଳେ ଇଚ୍ଛା ସେତେବେଳେ ଓଡ଼ିଶା ଯାଇ ଉତ୍କଳର ସେହି ଶ୍ରେଷ୍ଠ ଚାରୁକଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ ତୀର୍ଥରେ ମୁଣ୍ଡିଆ ମାରି ଫେରି ଆସିପାରିବ ।’’

 

ତୁମେ ଜାଣ ଅରୁଣ, ଆଭା କହିଲା, ‘‘ମୁଁ ଆଶା କରିଥିଲି ତୁମ ଅଫିସ ଓଡ଼ିଶାରେ ହୋଇଥିବ ବୋଲି । ମୁଁ ଆସିଲା ବେଳେ ବାପା ତୁମର ଯେଉଁ ଠିକଣା ଦେଲେ, ମୁଁ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି । ମୁଁ ପ୍ରଥମରୁ ଖୁବ୍ ଖୁସି ହୋଇଥିଲି ଓଡ଼ିଶା ଆସିବି ବୋଲି । କିନ୍ତୁ ଯେତେବେଳେ ଜାଣିଲି ଯେ, ମୋତେ କଲିକତାରେ ଅଟକିବାକୁ ପଡ଼ିବ, ମୋ ମନ ଟିକିଏ ଖରାପ ହୋଇଗଲା । ପର ମୁହୂର୍ତ୍ତରେ ଅନୁଭବ କଲି, ଓଡ଼ିଶାରେ ଶିଳ୍ପ କାରଖାନା ଖୋଲିଲେହେଁ ବ୍ୟବସାୟ କାରବାର ଦୃଷ୍ଟିରୁ କଲିକତାରେ ହେଡ଼୍ ଅଫିସ ରଖିବା ଆବଶ୍ୟକ ହୋଇପାରେ । ଯେହେତୁ ଓଡ଼ିଶାରେ ଶିଳ୍ପ କାରଖାନା ଆରମ୍ଭ ହୋଇନି, ବର୍ତ୍ତମାନ ପାଇଁ ହେଡ଼୍ ଅଫିସ କଲିକତାରେ ରଖି ଭଲ କରିଛ । ପରେ ଓଡ଼ିଶାକୁ ହେଡ଼୍ ଅଫିସ ଉଠାଇ ନେଇ ଏଠାରେ କାରବାର ପାଇଁ ବିଜିନେସ ଅଫିସ ରଖିବା ଉଚିତ ହେବ ବୋଲି ମୋର ବିଶ୍ୱାସ ।’’

ଏତକ କହି ଆଭା ଚାଲିଗଲା ଘର ଭିତରକୁ । ଅରୁଣ ତରତର ହୋଇ ଯୋଜନାଟିକୁ ଖୋଲି ତା’ର ମୁଖବନ୍ଧ ପଢ଼ିବାକୁ ଲାଗିଲେ । ଯୋଜନାଟିକୁ ଦେଖି ମନେ ମନେ ଭାବିବାକୁ ଲାଗିଲେ, ‘‘ଓଃ କି ବିରାଟ ଶିଳ୍ପ ଯୋଜନା ! ପୁରା ଭାବରେ ପଢ଼ିବାକୁ ତାଙ୍କୁ ଦୁଇଦିନରୁ କମ୍ ସମୟ ଲାଗିବନି । ସେ ସବୁଗୁଡ଼ାକ ପଢ଼ିବେ କଅଣ, ମୁଖବନ୍ଧକୁ ଠାଏ ଠାଏ ଓଲଟାଇ ପଢ଼ିବାକୁ ଲାଗିଲେ। ମୁଖବନ୍ଧଟିକୁ ଲେଖିଥିଲେ ନିଜେ ଶିଳ୍ପପତି ମାଇକେଲସନ୍ ।

ମୁଖବନ୍ଧର ଦ୍ୱିତୀୟ ପାରାରେ ଲେଖାଥିଲା, ମୁଁ ବିଭିନ୍ନ ପ୍ରକାର କଳକାରଖାନା ବସାଇବା ଆଶାରେ ପ୍ରାକୃତିକ ସମ୍ପଦ ଭରା ଆଫ୍ରିକା, ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ, ମଧ୍ୟ ପ୍ରାଚ୍ୟ, ସୁଦୂର ପ୍ରାଚ୍ୟ ଆଦି ବହୁ ଅଞ୍ଚଳ ବୁଲିଛି । ଓଡ଼ିଶାକୁ ଯିବାର ସୌଭାଗ୍ୟ ଅର୍ଜ୍ଜନ କରିଥିଲେହେଁ ଓଡ଼ିଶାର ପ୍ରାକୃତିକ ସଂସଦକୁ ଅନୁଧ୍ୟାନ କରିବାର ସୁଯୋଗ ପାଇ ନ ଥିଲି । ତେବେ କାଗଜ ପତ୍ର ଓ ଆଲୋଚନାରୁ ଯେଉଁ ତଥ୍ୟ ମୋ ଆଗରେ ରହିଛି, ସେଥିରୁ ମୁଁ ମୁକ୍ତକଣ୍ଠରେ ସ୍ୱୀକାର କରିପାରେ, ଶିଳ୍ପ କାରଖାନା ପାଇଁ ସବୁ ପ୍ରକାର ପ୍ରାକୃତିକ ସମ୍ପଦ,ଯଥା - ଖଣିଜ ସମ୍ପଦ,ବନ୍ୟ ସମ୍ପଦ, କୃଷି ସମ୍ପଦ ଓ ସାଗର ସମ୍ପଦ ଭରପୂର ଥିବା ଓଡ଼ିଶା ଭଳି ଅଞ୍ଚଳ ସାରା ପୃଥିବୀରେ ଗୋଟିଏ ସୁଦ୍ଧା ନାହିଁ । ଶିଳ୍ପ ଉନ୍ନୟନ ପାଇଁ ଆବଶ୍ୟକୀୟ ବିଦ୍ୟୁତ୍ ଶକ୍ତି ଓ ଇନ୍ଧନରେ ରାଜ୍ୟଟି ମଧ୍ୟ ଭରପୁର । ମୋର ଶିଳ୍ପ ପରାମର୍ଶଦାତା ବୋର୍ଡ଼ ଓଡ଼ିଶା ପାଇଁ ଯେଉଁ ଯୋଜନା ପ୍ରଣୟନ କରିଛନ୍ତି, ତାକୁ ସର୍ବାନ୍ତଃକରଣରେ ଅନୁମୋଦନ କରିବା ସଙ୍ଗେ ସଙ୍ଗେ ବଡ଼ ଦୁଃଖର ସହିତ ଅନୁଭବ କରୁଛି, ଓଡ଼ିଶାରେ ଶହ ଶହ କଳକାରଖାନା ପାଇଁ ଯାବତୀୟ ସୁବିଧା ଥିବା ସତ୍ତ୍ୱେ ଏ ରାଜ୍ୟଟି ପୃଥିବୀର ଏକ ଦରିଦ୍ରତମ ଅଞ୍ଚଳ ହୋଇ ରହିଛି । ଯେଉଁ ଦେଶରେ ଅକଳନ୍ତି ପ୍ରାକୃତିକ ସମ୍ପଦର ଯଥାର୍ଥ ବିନିଯୋଗ ହୋଇ ପାରିଲେ ଘିଅ ମହୁର ଅବାରିତ ସ୍ରୋତ ଛୁଟି ପାରନ୍ତା, ଆଜି ସେଠି ଲୋକେ ପେଟକୁ ଦୁଇ ବେଳା ଖାଇବାକୁ ପାଉନାହାନ୍ତି ଏହାଠାରୁ ଅଧିକ ଦୁଃଖର କଥା ଆଉ କ’ଣ ହୋଇପାରେ ?

ଓଡ଼ିଶାରେ ଅକ୍ଳେଶରେ ତିନି ଚାରିଗୋଟି ଲୁହା ଓ ଇସ୍ପାତ କାରଖାନା, ଫେରୋସିଲିକନ୍, ଫେରୋଭେନେଡ଼ିୟମ, ଫେରୋମାଙ୍ଗାନିଜ, ଫେରୋକ୍ରୋମ, ଫେରୋନିକେଲ କାରଖାନା, ଏକାଧିକ ସିମେଣ୍ଟ କାରଖାନା, କାଚ, ଚିନାମାଟି ବାସନ ଓ ଅଗ୍ନିଜିତ ଇଟା କାରଖାନା, ଆଲୁମିନିୟମ କାରଖାନା, କେଲସିୟମ କାରବାଇଡ଼୍ କାରଖାନା, ସାର କାରଖାନା, ରାସାୟନିକ କାରଖାନା, ଫାର୍ମାସିଉଟିକାଲ ଓ ଭେଷଜ ଉତ୍ପାଦନ କାରଖାନା, କାଗଜକଳ, ଲୁଗା ଓ ସୁତା କଳ, ଝୋଟ କଳ, ଚିନି କଳ, ସୁରାସାର କାରଖାନା, କାଷ୍ଠସୁରା କାରଖାନା, ସାବୁନ କାରଖାନା, ଚମଡ଼ା କଷେଇ କାରଖାନା, ପ୍ଲାଇଉଡ଼୍ କାରଖାନା, କାଗଜପଟା କାରଖାନା, ମାଛ ତେଲ କାରଖାନା, ମାଛ ଖତ ଓ ପୁଷ୍ଟିସାର କାରଖାନା, ତେଲ ଘିଅ କାରଖାନା ଆଦି ଅସଂଖ୍ୟ ପ୍ରକାର କଳକାରଖାନା ବସାଯାଇ ପାରିବ । ଏହି ସବୁ କଳ କାରଖାନାରୁ ଦେଶର ଶ୍ରମିକ, ଟେକ୍‍ନିସିଆନ, ଇନ୍‍ଜିନିଅର, ଅଫିସର ମାନେ ଯାହା ଦରମା ପାଇବେ ଓ ଓଡ଼ିଶା ସରକାର ବିଭିନ୍ନ ବାବଦରେ ଯେଉଁ କର ପାଇବେ, ତାହା ଭାରତର ଯେ କୌଣସି ରାଜ୍ୟଠାରୁ ଯଥେଷ୍ଟ ଅଧିକ ହେବ । ଏହା ଯଦି କାର୍ଯ୍ୟକାରୀ ହୁଏ, ତେବେ ଓଡ଼ିଶା ଆଉ ପୂର୍ବଭଳି ଗରିବ ବା ଦୁଃଖିନୀ ଓଡ଼ିଶା ହୋଇ ରହିବନି । ଏହା ମଧ୍ୟ ଧନିକମାନଙ୍କ ଓଡ଼ିଶା, ଯାହାକୁ ଆମେ ଅନ୍ୟ ଭାଷାରେ କହିବା ସୁନାର ଓଡ଼ିଶା । ଯେଉଁ ଦେଶ ଘିଅ ମହୁର ଦେଶ ହୋଇ ପାରନ୍ତା, ତାହା ଯଦି ନ ହୋଇ ପାରିଲା, ତେବେ ତାହା ହେଉଛି ନେତୃତ୍ୱର ଦୋଷ । ଯେଉଁ ଦେଶରେ ଦୁର୍ବଳ ନେତୃତ୍ୱ ଥାଏ, ସେ ଦେଶରେ ସବୁ ଥାଇ ମଧ୍ୟ କିଛି ହୋଇପାରେନି । ମୁଁ ମୁକ୍ତକଣ୍ଠରେ କହିବି, ଓଡ଼ିଶାର ଅବସ୍ଥା ପାଇଁ ଆଜି ତାହାହିଁ ଦାୟୀ । ଦୁର୍ବଳ ଶିଳ୍ପ ନେତୃତ୍ୱ ଯୋଗୁଁ ଓ ଲୋକମାନଙ୍କର ଅଜ୍ଞାତ ଓ ବୀତସ୍ପୂହତା ପାଇଁ ଓଡ଼ିଶାରେ ଆଜି କିଛି ହୋଇନି କି ହୋଇପାରୁନି । ଭାରତ ସରକାର ଏଭଳି ଏକ ପ୍ରାକୃତିକ ସମ୍ପଦରେ ଭରା ରାଜ୍ୟପ୍ରତି ଅବହେଳା ପ୍ରଦର୍ଶନ କରି ତାକୁ ତାର ନ୍ୟାଯ୍ୟ ପ୍ରାପ୍ୟ ନ ଦେବା ଏକ ଅକ୍ଷମଣୀୟ ଅପରାଧ ।

ସେ ଯୋଜନାଟିକୁ ଓଲଟାଇ........ଠାଏ ଠାଏ ପଢ଼ିଚାଲିଲେ ।

ରାଉଲକେଲାକୁ ଛାଡ଼ି ଓଡ଼ିଶାରେ ଆହୁରି ଏକାଧିକ ବଡ଼ ବଡ଼ ଲୁହା ଓ ଇସ୍ପାତ କାରଖାନା ବସିପାରିବ । ସେଥିମଧ୍ୟରୁ ଗୋଟିଏ ବଣାଇ ଅଞ୍ଚଳରେ ଓ ଅନ୍ୟଟି କେନ୍ଦୁଝର ଜିଲ୍ଲାରେ ନୟାଗଡ଼ ପାଖାପାଖି ସ୍ଥାନରେ ସ୍ୱଚ୍ଛନ୍ଦରେ ବସାଯିବା ଉଚିତ ।

 

ଏତଦ୍‍ବ୍ୟତୀତ ବଡ଼ବିଲଠାରେ ମଧ୍ୟ ଏକ ମିନି ଇସ୍ପାତ କାରଖାନା ଓ ତାଳଚେରଠାରେ ଆଉ ଏକ ଛୋଟ ଇସ୍ପାତ କାରଖାନା ବସାଯାଇପାରେ । ବଡ଼ବିଲଠାରେ ଗୋଟିଏ ଢଳେଇ ଲୁହା କାରଖାନା ଏଥିସହିତ ବସାଯାଇ ବିଶେଷ ଧରଣର ଢଳେଇ ଲୁହା ଉତ୍ପାଦନ କରାଯାଇପାରେ ।

 

ଉତ୍ପାଦିତ ଇସ୍ପାତ ଉପରେ ନିର୍ଭର କରି ନାନାଜାତିର ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ, କୃଷି ସରଞ୍ଜାମ, ଏପରିକି ଟ୍ରାକ୍ଟର ଓ ମଟରଗାଡି, ଶିଳ୍ପ ସମ୍ଭାବନାକୁ ମଧ୍ୟ ଏଡ଼ି ଦିଆଯାଇ ନ ପାରେ । ଯେଉଁଠି ବଡ଼ ବଡ଼ ଇସ୍ପାତ କାରଖାନା ଗଢ଼ି ଉଠେ, ତା’ ଆଖ ପାଖ ଅଞ୍ଚଳରେ ଏହିଭଳି ବହୁ ଶିଳ୍ପ ସାଧାରଣତଃ ପ୍ରତିଷ୍ଠିତ ହୋଇଥାଏ । ଏହିଭଳି ବହୁ କଳକାରଖାନା ଓଡ଼ିଶାର ଇସ୍ପାତ ଉତ୍ପାଦନ କେନ୍ଦ୍ରର ଆଖପାଖ ଅଞ୍ଚଳରେ ପ୍ରତିଷ୍ଠିତ ହେବା ସମ୍ଭବ ।

 

ଲୁହା କାରଖାନାରେ ଆଜିକାଲି ବେଶିଭାଗ ତିଆରି ହୁଏ ନାନାଜାତିର ଇସ୍ପାତ । ଏଥିପାଇଁ ବିଦ୍ୟୁତ୍ ଚୁଲ୍ଲୀ ଏକ ପ୍ରଧାନ ଅଙ୍ଗ । ଆଜିକାଲି ପୃଥିବୀର ବଡ଼ ବଡ଼ ଦେଶରେ ବିଦ୍ୟୁତ୍ ଚୁଲ୍ଲୀ ସାହାଯ୍ୟରେ ବହୁପ୍ରକାର ଇସ୍ପାତ ତିଆରି କରାଯାଉଛି । ଓଡ଼ିଶାରେ ବିଦ୍ୟୁତ୍ ଶକ୍ତି ସହଜ ଲଭ୍ୟ ହୋଇଥିବାରୁ ବିଭିନ୍ନ ଜାତିର ଇସ୍ପାତ ପ୍ରସ୍ତୁତି ଦିଗରେ ଏହାକୁ ବିନିଯୋଗ କରାଯାଇପାରେ-। ବିଭିନ୍ନ ଫୋରୋ-ଧାତୁ କାରଖାନା ଉନ୍ନତଃର ଧରଣର ଇସ୍ପାତ ତିଆରିରେ ବିଶେଷ ସାହାଯ୍ୟକାରୀ ହେବା ଆଶା । ଏତଦ୍‍ବ୍ୟତୀତ ଫେରୋକ୍ରୋମ କାରଖାନା ନିକଟବର୍ତ୍ତୀ ସ୍ଥାନରେ ଡାଇକ୍ରୋମେଟ ଆଦି ତିଆରି କରିବା ପାଇଁ ରାସାୟନିକ ଶିଳ୍ପ ପ୍ରତିଷ୍ଠା କରାଯାଇପାରେ । ସେହିଭଳି ଫୋରୋମାଙ୍ଗାନିଜ କାରଖାନାଠାରେ ପଟାସିୟମ ପାର୍‍ମାଙ୍ଗାନେଟ୍, ମାଙ୍ଗାନିଜ ଡାଇଅକ୍‍ସାଇଡ଼ କାରଖାନା ବସାଯାଇପାରେ । ଫେରୋଭେନେଡ଼ିୟମ କାରଖାନାଠାରେ ଭେନେଡ଼ିୟମ ପେଣ୍ଟକ ସାଇଡ଼୍‍ ଉତ୍ପାଦନ ଏକ ଅତି ଲାଭଜନକ ବ୍ୟବସାୟ । ଫେରୋଭେନେଡ଼ିୟମ କାରଖାନାଠାରେ ଟିଟାନିୟମ ଧାତୁ, ଟିଟାନିୟମ ଅକ୍‍ସାଇଡ଼୍ ଆଦି ମଧ୍ୟ ପ୍ରସ୍ତୁତ କରିବା ସମ୍ଭବପର । ଆଧୁନିକ ଯୁଗରେ ସ୍ପୋଞ୍ଜ ଲୁହାର ଚାହିଦା ଖୁବ୍ ବେଶି । ଏକ ସ୍ପୋଞ୍ଜ-ଲୁହା କାରଖାନା କଟକ ଜିଲ୍ଲାର ସୁକିନ୍ଦାଠାରେ ଅକ୍ଳେଶରେ ବସି ପାରିବ ।

 

ଏକାଧିକ ଚିନାମାଟି ବାସନ ତିଆରି ପାଇଁ ଓଡ଼ିଶାରେ ଯଥେଷ୍ଟ ସୁବିଧା ଅଛି । ସମ୍ବଲପୁର ଓ ଗଞ୍ଜାମ ଜିଲ୍ଲାରେ ଗୋଟିଏ ଗୋଟିଏ ଚିନାମାଟି ବାସନ କାରଖାନା ପ୍ରତିଷ୍ଠା କରାଯାଇପାରେ । ସେହିଭଳି ସମ୍ବଲପୁର ଓ କୋରାପୁଟ ଜିଲ୍ଲାରେ ଏକାଧିକ ସିମେଣ୍ଟ କାରଖାନା ବସାଯାଇପାରେ ।

 

ଆଧୁନିକ ବହୁ କାରଖାନାରେ ଅଗ୍ନିଜିତ୍ ଇଟାର ପ୍ରୟୋଜନୀୟତା ଅତି ବେଶୀ । ଲୁହା, ଇସ୍ପାତ, ତମ୍ବା, କାଚ, ଆଲୁମିନିୟମ, ସିମେଣ୍ଟ ପ୍ରଭୃତି କାରଖାନାରେ ଏହି ଇଟା ନ ହେଲେ ନ ଚଳେ । ଏହା ସାଧାରଣତଃ ଅଗ୍ନିଜିତ୍ ମୃତ୍ତିକାରୁ ତିଆରି ହୁଏ ଓ ଏହି ଇଟାର ବିଶେଷତ୍ୱ ହେଉଛି ଏହା ଖୁବ୍ ଉଚ୍ଚ ଉତ୍ତାପରେ ମଧ୍ୟ ତରଳି ଯାଏନି । ଲୁହା, ତମ୍ବା, ଆଦି ଧାତୁ ଯେଉଁ ଚୁଲ୍ଲୀରେ ତରଳାଯାଏ, ଏହା ସାଧାରଣତଃ ସେହି ଚୂଲ୍ଲୀରେ ଦିଆଯାଏ । ଓଡ଼ିଶା ବାହାରେ ଓ ଭିତରେ ଏଭଳି ଇଟାର ଯଥେଷ୍ଟ ଚାହିଦା ଥିବାରୁ ସମ୍ବଲପୁର,କୋରାପୁଟ, କଟକ ଓ ପୁରୀ ଜିଲ୍ଲାମାନଙ୍କରେ ଏହିଭଳି ଇଟା କାରଖାନା ବସାଇ ବାହାରକୁ ରପ୍ତାନି କଲେ ମଧ୍ୟ ଚାହିଦା ଅନୁସାରେ ଯୋଗାଇ ହେବନି ।

 

X X X

 

ଆଧୁନିକ ଯୁଗରେ ଗ୍ରେଫାଇଟ୍ କାରଖାନାର ପ୍ରୟୋଜନୀୟତା ଅତି ବେଶୀ । ଓଡ଼ିଶାରେ ଗ୍ରେଫାଇଟ୍ ଖଣି ବହୁ ପରିମାଣରେ ଥିବାରୁ ସେଠାରେ ଏକାଧିକ ଗ୍ରେଫାଇଟ୍ କାରଖାନା ବସାଯାଇପାରେ । ବଲାଙ୍ଗିର ପାଟଣା ଓ କୋରାପୁଟ ଜିଲ୍ଲାରେ ଏକାଧିକ ଗ୍ରେଫାଇଟ୍ ଶୋଧନ କାରଖାନା ଓ ଗ୍ରେଫାଇଟ୍ ଜିନିଷପାତି ତିଆରି କାରଖାନା ବସାଇଲେ ଖୁବ୍ ଲାଭ ଜନକ ହେବ

 

X X X

 

ମୁଖବନ୍ଧର ଶେଷରେ ଶିଳ୍ପପତି ମାଇକେଲସନ୍ ନିଜେ ଲେଖିଛନ୍ତି-ବିଶେଷଜ୍ଞମାନଙ୍କ ହିସାବରୁ ଯାହା ଅଟକଳ କରାଯାଇଛି, ଓଡ଼ିଶାରେ ପ୍ରଥମ କିସ୍ତିରେ ଅନ୍ତତଃ ପକ୍ଷେ ୨୫୦ ଗୋଟି ବଡ଼ ଧରଣର କାରଖାନା ବସି ପାରିବ । ଏକ ପାଞ୍ଚ ବର୍ଷିଆ ଯୋଜନା ରୀତିରେ ଏହି ଅଢ଼େଇଶହ ଶିଳ୍ପ କାରଖାନା କିଭଳି ହେବ ସେ ସବୁର ଟିକି ନିଖି ହିସାବ, ଲାଭ କ୍ଷତିର ପରିମାଣ ଯୋଜନାର ବିଭିନ୍ନ ସ୍ଥାନରେ ଦିଆ ଯାଇଛି । ଏହି ସବୁ କାରଖାନା ବଡ଼ ଧରଣର ହେଉଥିବାରୁ ବିଶେଷଜ୍ଞମାନଙ୍କ ଅଟକଳ ଅନୁଯାୟୀ ଶ୍ରମିକ ଦରକାର ହେବେ ଛଅ ଲକ୍ଷରୁ କିଛି ଅଧିକ, ଇନ୍‍ଜିନିଅର ବିଶେଷଜ୍ଞ ଦରକାର ହେବେ ସାତ ହଜାରରୁ ବେଶି, ବିଜ୍ଞାନ ଗ୍ରାଜୁୟେଟ ଓ ଅନ୍ୟାନ୍ୟ ଶିକ୍ଷାପ୍ରାପ୍ତ ଟେକ୍‍ନିସିଆନ ଦରକାର ହେବେ ପଇଁତିରିଶି ହଜାର, କାରଖାନା ଆଦି ତିଆରି ଓ କାରଖାନାଗୁଡ଼ିକଠାକୁ ରାସ୍ତାଘାଟ ତିଆରି ପାଇଁ ଆହୁରି ଲକ୍ଷ ଲକ୍ଷ ଶ୍ରମିକ, ଇଞ୍ଜିନିଅର ଆଦି ଦରକାର ହେବେ । କାରଖାନାମାନଙ୍କରେ ଉତ୍ପାଦନ ଆରମ୍ଭଠାରୁ ସିନା ଉପରୋକ୍ତ ପରିମାଣରେ ଶ୍ରମିକ, ଇଞ୍ଜିନିଅର, ଟେକ୍‍ନିସିଆନ ଆଦି ଦରକାର ହେବେ, ତା’ଛଡା ବର୍ଷକୁ ବର୍ଷ ଉତ୍ପାଦନ ବୃଦ୍ଧି ନେଇ ଏହାର ଏକ ଦଶମାଂଶ ଲୋକ ପ୍ରତିବର୍ଷ ଦରକାର ହେଉଥିବେ । ଶିକ୍ଷିତ ଶ୍ରମିକ ତଥା ଆବଶ୍ୟକୀୟ ବିଶେଷଜ୍ଞ, ଇଞ୍ଜିନିଅର ଆଦି ଯୋଗାଇବା ପାଇଁ ଓଡ଼ିଶାରେ ଏତେ ଶିକ୍ଷିତ ଓ ଅଶିକ୍ଷିତ ବେକାର ଓ କର୍ମୋପଯୋଗୀ ଲୋକ ଅଛନ୍ତି କି ନାହିଁ ସନ୍ଦେହ । ତେଣୁ ସେଥିପ୍ରତି ମୂଳରୁ ଦୃଷ୍ଟି ଦେବା ଏକାନ୍ତ ବିଧେୟ ।

 

‘‘ହଁ, ଆଉ ଗୋଟିଏ କଥା, ଓଡ଼ିଶାର ଶିଳ୍ପ କାରଖାନାଗୁଡ଼ିକର ମାଲିକ ତୁମେ ଓ ମୋ ଝିଅ ହେଲେହେଁ ଶ୍ରମିକମାନଙ୍କର କର୍ତ୍ତୃତ୍ୱ କାରଖାନାମାନଙ୍କ ଉପରେ ଯଥେଷ୍ଟ ପରିମାଣରେ ରହିବ ମୁଁ ଆଶାକରେ ଯାହାକି ପୃଥିବୀର ଏପର୍ଯ୍ୟନ୍ତ କୌଣସି କୌଣସି ଧନତାନ୍ତ୍ରିକ ରାଷ୍ଟ୍ରରେ ସମ୍ଭବ ହୋଇନି । ମୁଁ ଜଣେ ପୁଞ୍ଜିପତି ହେଲେହଁ ମୋର ବିଶ୍ୱାସ ଯେଉଁମାନେ ଉତ୍ପାଦନ ସହିତ ସିଧାସଳଖ ସଂପୃକ୍ତ, ସେମାନଙ୍କ ଦାନ ପୁଞ୍ଜିଖଟାଇଥିବା ଲୋକଙ୍କର ଦାନ ଅପେକ୍ଷା କୌଣସି ଗୁଣରେ କମ୍ ନୁହେଁ । ତେଣୁ ତୁମ୍ଭମାନଙ୍କ ପରିଚାଳିତ ସମସ୍ତ କଳକାରଖାନାରେ ଶ୍ରମିକ ତଥା ଶିଳ୍ପ କାରିଗରମାନଙ୍କ ଯଥେଷ୍ଟ କର୍ତ୍ତୃତ୍ୱ ରହିବା ଉଚିତ୍ । ପ୍ରତ୍ୟେକ କାରଖାନାରେ ଯେଉଁ ଲାଭ ହେବ, ତହିଁର ମାତ୍ର ଏକ ଦଶମାଂଶ ତୁମ୍ଭେମାନେ ରଖି ବାକିତକକୁ କାରଖାନାର ସଂପ୍ରସାରଣ ଓ ଶ୍ରମିକ କଲ୍ୟାଣ ପାଇଁ ବ୍ୟବହାର କରିବ ବୋଲି ଆଶା ।

 

ହଁ ଆଉ ଗୋଟିଏ କଥା, ଓଡ଼ିଶାର ମୁଁ ଏହି ଯେଉଁ ଶହ ଶହ କଳକାରଖାନାର ଯୋଜନା ଦେଲି, ସେଠାରୁ ଅନେକେ ଭାବି ପାରନ୍ତି ଓଡ଼ିଶାର ଏହି କଳକାରଖାନାରୁ ଜାତ ପଦାର୍ଥ ପୃଥିବୀ ବଜାରରେ ଅନ୍ୟ ଦେଶରୁ ଉତ୍ପାଦିତ ପଦାର୍ଥ ସହିତ ପ୍ରତିଯୋଗୀତା କରି ପାରି କ'ଣ ? ଭାରତର ଶିଳ୍ପକାରଖାନାରେ ଯାହାସବୁ ଉତ୍ପାଦିତ ହୁଏ, ସେଗୁଡ଼ିକର ଉତ୍ପାଦନ ଖରଚ ଏତେ ଅଧିକ ହୁଏ ଓ ନିର୍ଦ୍ଧିଷ୍ଟ ପରିମାଣର କଞ୍ଚାମାଲରୁ ଅଳ୍ପପରିମାଣର ଶିଳ୍ପଜାତ ପଦାର୍ଥ ଉତ୍ପାଦିତ ହେଉଥିବାରୁ ଭାରତୀୟ ଶିଳ୍ପଜାତ ପଦାର୍ଥ ପୃଥିବୀ ବଜାରରେ ଆଶାନୁରୂପ ପ୍ରତିଯୋଗୀତା କରିପାରେନି । ପ୍ରଥମତଃ ନିଜର ଉପଯୁକ୍ତ ଶିଳ୍ପୀୟ ଗବେଷଣା ଅଭାବରୁ ଦ୍ଵିତୀୟରେ ବିଦେଶରୁ ପୁରୁଣାକାଳିଆ ଉତ୍ପାଦନ ପଦ୍ଧତି ଆମଦାନୀ କରିବା ସଙ୍ଗେ ସଙ୍ଗେ ଶିଳ୍ପ ଉତ୍ପାଦନରେ ଅଧିକ ଲୋକ ନିଯୁକ୍ତ କରି କମ୍ ଉତ୍ପାଦନ କରାଯାଉଥିବାରୁ ଭାରତଜାତ ଶିଳ୍ପ ପଦାର୍ଥ ଅଧିକ ମୂଲ୍ୟ ହେହିତୁ ଅନ୍ୟ ଦେଶର ପଦାର୍ଥ ସହିତ ପ୍ରତିଯୋଗୀତା କରିପାରେନି । ତେବେ ମୋର ଏହି ଯୋଜନାନୁସାରେ ଓଡ଼ିଶାରେ ଯଦି ଶିଳ୍ପ କାରଖାନା ବସେ ତେବେ ସେ ସମ୍ଭାବନାକୁ ବାଦ୍ ଦିଆଯାଇପାରେ । କାରଖାନାର କୃତକାର୍ଯ୍ୟତା ଓ ବାହାର ପ୍ରତିଯୋଗୀତା ସମ୍ପର୍କରେ ବ୍ୟସ୍ତ ହେବାରୁ କୌଣସି କାର ନାହିଁ । ମୋର ଆଫ୍ରିକା ମହାଦେଶସ୍ଥ କାରଖାନା ଜାତ ପଦାର୍ଥର ପୃଥିବୀ ବଜାରରେ ଯେଉଁ ଚାହିଦା ଓ ଲୋକପ୍ରିୟତା, ତା'ଠାରୁ ଓଡ଼ିଶା ଜାତ ପଦାର୍ଥ ଅଧିକ ଲୋକପ୍ରିୟ ହେବ ବୋଲି ଆଶା । ଓଡ଼ିଶାର ଉତ୍କୃଷ୍ଟ ଧରଣର କଞ୍ଚାମାଲ ଓ ଇଂରେଜ ବିଶେଷଜ୍ଞମାନଙ୍କର ବୁଦ୍ଧିମତ୍ତା ଏକତ୍ରିତ ହେଲେ, ତା’ ଆଗରେ ଜାପାନ କି ଆମେରିକାର କୌଣସି ଶିଳ୍ପଜାତ ପଦାର୍ଥ ପ୍ରତିଯୋଗୀତା କରି ପାରିବ ନାହିଁ ବୋଲି ମୋର ଦୃଢ଼ ବିଶ୍ୱାସ । ଓଡ଼ିଶାର ଏହି ବିରାଟ ପ୍ରାକୃତିକ ସମ୍ପଦ ଦେଖି ମୁଁ ନିଶ୍ଚିତ ଯେ ଆସନ୍ତା ପନ୍ଦର ବର୍ଷ ଭିତରେ ତୁମ୍ଭମାନଙ୍କର ଶିଳ୍ପ ସାମ୍ରାଜ୍ୟ ପୃଥିବୀର ଏକ ଶ୍ରେଷ୍ଠତମ ଶିଳ୍ପ ସାମ୍ରାଜ୍ୟରେ ପରିଣତ ହେବ । ପୃଥିବୀର ଦୁଇଶହ ବଡ଼ ବଡ଼ ଶିଳ୍ପପତିଙ୍କ ନାମ ଭିତରେ ଭାରତର କୌଣସି ଜଣେ ଶିଳ୍ପପତିଙ୍କ ନାଁ ବର୍ତ୍ତମାନ ନ ଥିଲାବେଳେ ପନ୍ଦର କୋଡ଼ିଏ ବର୍ଷ ଭିତରେ ସମସ୍ତଙ୍କ ଉପରେ ତୁମ୍ଭମାନଙ୍କ ନାମ ଦେଖିବା ମୋର ଜୀବନର ଏକାନ୍ତ ଇଚ୍ଛା ରହିଲା । ମୋର ବିଶ୍ୱାସ ମୁଁ ଆଖି ବୁଜିବା ପୂର୍ବରୁ ମୋର ଏହି ଇଚ୍ଛା ନିଶ୍ଚୟ ଫଳବତୀ ହେବାର ଦେଖିବି ।

 

ଶିଳ୍ପପତି ମାଇକେଲ୍‍ସନଙ୍କ ଏହି ଶେଷ ମନ୍ତବ୍ୟ ଅରୁଣକୁମାରଙ୍କ ଶରୀରରେ ଏକ ଅପୂର୍ବ ଶିହରଣ ଖେଳାଇ ଦେଲା । ନିଜେ ସେ ଦିନେ ନା ଦିନେ ପୃଥିବୀର ଶ୍ରେଷ୍ଠ ଶିଳ୍ପପତିର ଆସନ ଲାଭ କରିବେ ଏହାଠାରୁ ତାଙ୍କ ଜୀବନରେ ଅଧିକ ଗୌରବ ଆଉ କଣ ହୋଇପାରେ ? ମୁଖବନ୍ଧଟିକୁ ଏପଟ ସେପଟ ଓଲଟାଇ ପଢ଼ିଚାଲିଛନ୍ତି, ହଠାତ୍ ଆଖି ପଡ଼ିଗଲା ଗୋଟିଏ ସ୍ଥାନରେ......

 

‘‘ଯେତେବେଳେ ଓଡ଼ିଶାରେ ଶିଳ୍ପକାରଖାନା ଯଥେଷ୍ଟ ପରିମାଣରେ ବଢ଼ିଯିବ, ଉନ୍ନତ ରାସ୍ତାଘାଟ ଚାରିଆଡ଼େ ଖୋଲିଯିବ, ଲୋକଙ୍କର ଆର୍ଥିକ ସଂସ୍ଥା ଉନ୍ନତ ହେବା ସଙ୍ଗେ ସଙ୍ଗେ ବନ୍ୟା, ରୋଗ, ଦୁର୍ଭିକ୍ଷ ଆଦି ଦୂର ହୋଇ ଓଡ଼ିଶାର ଗାଁ ଗହଳ ହସିଉଠିବ, ସେତେବେଳେ ଓଡ଼ିଶାର ଲୋକମାନେ ଶ୍ରମ ସାରି ଖୋଜି ବସିବେ ଉପଯୁକ୍ତ ଖେଳ କୌତୁକ, ଆମୋଦ ପ୍ରମୋଦ-। ଶିଳ୍ପ ଓ ଶ୍ରମ ସଙ୍ଗେ ସଙ୍ଗେ ଆମୋଦ ପ୍ରମୋଦରି ବିକାଶ ଦିଗରେ ଯଥେଷ୍ଟ ଦୃଷ୍ଟି ଦେବା ପ୍ରତ୍ୟେକ ଶିଳ୍ପବିଶେଷଜ୍ଞର କର୍ତ୍ତବ୍ୟ ।

 

ଆଜିକାଲି ଯୁଗରେ ଆମୋଦ ପ୍ରମୋଦର ପ୍ରଧାନ ଓ ସହଜସାଧ୍ୟ ମାଧ୍ୟମ ହେଉଛି ଚଳଚ୍ଚିତ୍ର । ଓଡ଼ିଶାର ଲୋକଙ୍କର ଜୀବନଧାରଣ-ମାନ ଅତି କମ୍‍ଥିବାରୁ ଓଡ଼ିଶାରେ ଏହି ଚଳଚ୍ଚିତ୍ର ଶିଳ୍ପର ପ୍ରସାର ବେଶି ହୋଇ ପାରୁନି । ଭବିଷ୍ୟତରେ ଯେତେବେଳେ ଓଡ଼ିଶା ଏକ ଶିଳ୍ପସମୃଦ୍ଧି ଅଞ୍ଚଳ ହୋଇ ଠିଆହେବ ଓ ଓଡ଼ିଶାର ଗ୍ରାମ, ସହର, ବଣ, ଜଙ୍ଗଲ ନିର୍ବିଶେଷରେ ହଜାର ହଜାର ଶିଳ୍ପ କାରଖାନା ଚାରିଆଡ଼େ ହସି ଉଠିବ, ସେତେବେଳେ ଏହି ଆମୋଦ ପ୍ରମୋଦ ଶିଳ୍ପର ପ୍ରସାର ନ କଲେ ନ ଚଳେ । ତେଣୁ ଏହି ଦୃଷ୍ଟିରୁ ପ୍ରତ୍ୟେକ ଛୋଟ ଛୋଟ ସହର ଓ ଶିଳ୍ପାଞ୍ଚଳରେ ଅନ୍ତତଃ ଗୋଟାଏ ଦୁଇଟି ଲେଖାଏଁ ସ୍ଥାୟୀ ସିନେମା ଘର ଓ ଅନ୍ତତଃ ପ୍ରତି ୫୦ ଗୋଟି ଗ୍ରାମ ପାଇଁ ଗୋଟିଏ ଗୋଟିଏ ସିନେମା ଘର ବସାହେବା ଉଚିତ । ଓଡ଼ିଶାର କୃଷ୍ଟି, ସମାଜ ଓ ସଂସ୍କୃତିକୁ ରକ୍ଷା ତଥା ଉନ୍ନତ କରିବା ପାଇଁ ହେଲେ ଓଡ଼ିଶାରେହିଁ ଓଡ଼ିଆ ଚଳଚ୍ଚିତ୍ର ପ୍ରସ୍ତୁତ ହେବା ଏକାନ୍ତ ବାଞ୍ଛନୀୟ-

 

ଓଡ଼ିଆ ଚଳଚ୍ଚିତ୍ର ପାଇଁ ପ୍ରଥମତଃ ଦରକାର ଷ୍ଟୁଡିଓ ଯାହା ବର୍ତ୍ତମାନ ଓଡ଼ିଶାରେ ନାହିଁ ଓଡ଼ିଶାରେ ଗୋଟିଏ ଦୁଇଟି ଷ୍ଟୁଡ଼ିଓ ପ୍ରତିଷ୍ଠିତ ହୋଇ ଏ ଦିଗରେ କାର୍ଯ୍ୟ କରା ନଗଲେ ଓଡ଼ିଶାର ଚଳଚ୍ଚିତ୍ର ଆମାନୁରୁପ ଶିଳ୍ପ ଉଧେଇ ପାରିବନି । ଓଡ଼ିଶାରେ ଶିଳ୍ପ କାରଖାନା ଆଦି ଖୋଲିଗଲେ ଏହି ଶିଳ୍ପର ଆୟରେ କିଛି ବାଧା ଉପୁଜିବ ନାହିଁ ବୋଲି ମୋର ବିଶ୍ୱାସ । ତେଣୁ ଆଖିବୁଜି ଏ ଦିଗରେ ମୂଳଧନ ଖଟାଯାଇ ପାରେ ।

 

ଯୋଜନାଟିରେ ମୁଖବନ୍ଧ ପଢ଼ୁଁ ପଢ଼ୁଁ ହଠାତ୍ ଅରୁଣଙ୍କର ମନ ଲାଖିଗଲା ଏହି ଷ୍ଟୁଡ଼ିଓ ଓ ଚଳଚ୍ଚିତ୍ର ଶିଳ୍ପଠାରେ । ମନ ଭିତରେ ତାଙ୍କର ନାଚି ଉଠିଲା ସୁଦୂର ବୋମ୍ବେର ଏକ ଷ୍ଟୁଡ଼ିଓ ଅଭ୍ୟନ୍ତରରେ ଚିତ୍ର । ସେ କିପରି ଅତି ଶୀଘ୍ର ଏକ ଉନ୍ନତ ଓ ଆଧୁନିକ ଧରଣର ଷ୍ଟୁଡ଼ିଓ ପ୍ରତିଷ୍ଠା କରି ନିଜର ଏକ କୋମ୍ପାନୀ ସାହାଯ୍ୟରେ ଓଡ଼ିଆ ଚଳଚ୍ଚିତ୍ର ପ୍ରସ୍ତୁତ କରି ବୋମ୍ବେ ଷ୍ଟୁଡ଼ିଓ ସହିତ ଟକର ଦେବେ, ସେହି ଭାବନାରେ ତାଙ୍କ ମନ ଚଞ୍ଚଳ ହୋଇ ଉଠିଲା ।

 

ସେ ଏହିଭଳି ଆହୁରି କେତେ ମଧୁମୟ କଳ୍ପନାରେ ଭାସି ଯାଉଥାନ୍ତି, ହଠାତ୍ ଏକ ରୁଣୁଝୁଣୁ ଶବ୍ଦର ମଧୁର ମୂର୍ଚ୍ଛନାରେ ଚମକିପଡ଼ି ସେ ଦେଖିଲେ, ଭାରତୀୟ ସ୍ତ୍ରୀଙ୍କ ଭଳି ଏକ ଲାଲ ବନାରସୀ ଶାଢ଼ୀ ଓ ହୀରା ମୋତିଖଚିତ ବିଭିନ୍ନ ପ୍ରକାର ସୁନା ଅଳଙ୍କାର ପିନ୍ଧି ଘର ଭିତରୁ ବାହାରି ତାଙ୍କ ଆଡ଼କୁ ଚାଲିଆସୁଛି ଆଭା । ମୁହଁରେ ତା’ର ମିଳନ ମଧୁର ହାସର ଏକ ଅରୁଣାଭଚ୍ଛାୟା, ଲୋଳ ବିଲୋଳ ନୟନରେ ବିରହାବିଧୂରା ବଧୁର ଅବ୍ୟକ୍ତ ଭାଷାଭଳି ନୀରବ ଭାଷା, ଲୋହିତ ପିଙ୍ଗଳ କେଶରେ ସଯତ୍ନ ଅଙ୍କିତ ସୀମନ୍ତିନୀ ରେଖା, ଆଉ କୁସୁମ କୋମଳ ତନୁଲତାରେ ସରଳ ଯୌବନର ତରଳ ଚାପ ସଙ୍ଗେ ଲସିତ ଅଧରରେ ଶତ ସହସ୍ର ଅମିମାଂସିତ ପ୍ରଶ୍ନଗୁଚ୍ଛର ଆବରଣରେ ସେ ଦିଶୁଥିଲା ଅତି ସୁନ୍ଦର ଓ ମନମତାଣିଆ । ତା’ର ପଦ୍ମଫୁଲ ପରି ଢଳ ଢଳ ମୁଖରୁ ବାହାରୁଥିଲା ଅପରୂପ ଜ୍ୟୋତି, ଦେଖିଲେ ମନେ ହେଉଥିଲା ସତେ ଯେପରି ସ୍ୱର୍ଗରୁ ଓହ୍ଲାଇ ଆସିଛି ପୁରାଣବର୍ଣ୍ଣିତ ପରୀଟିଏ ।

 

ଆଭା ଯେ ଭାରତୀୟ ପୋଷାକରେ ଏଡ଼େ ସୁନ୍ଦର ଦିଶିପାରେ, ଅରୁଣ କେବେ କଳ୍ପନା କରିପାରିନଥିଲେ । ଚାଲିଆସୁଥିବା ଆଭାର ସେହି ସୁନ୍ଦର ଢଳଢଳ ରୂପ ଆଡକୁ ନିର୍ନିମେଷ ନୟନରେ ଅନାଇଁ ରହି ସେ କେତେ କଣ ଭାବି ଯାଉଥିଲେ । ଆଭାକୁ ଆଖି ପୁରାଇ ଯେତେ ଦେଖିଲେ ମଧ୍ୟ ଆହୁରି ଅନେଇବାକୁ ମନ ହେଉଥିଲା ।

 

ଆଭା ସଙ୍ଗେ ସଙ୍ଗେ ଆସି ଠିକ୍ ଭାରତୀୟ ରୀତିରେ ଅରୁଣଙ୍କ ପାଦ ପାଖରେ ମୁଣ୍ଡ ଲଗାଇ ପ୍ରମାଣ କଲା ।

 

‘‘ହାଁ, ହାଁ, ଏ କଣ କରୁଛ ଆଭା ?’’ ହଠାତ୍ ଚମକି ପଡ଼ିଲେ ଅରୁଣ । ଆଭାକୁ ପାଦତଳୁ ଉଠାଇ ଆଣି କୋଳରେ ଜାକି ଧରି ତା’ର ଚୁର୍ଣ୍ଣ କୁନ୍ତଳକୁ ସଜାଡ଼ୁ ସଜାଡ଼ୁ କହିଲେ, ‘‘ତୁମେ ଇତିମଧ୍ୟରେ ଆସି ଏପରି ଭାବରେ ପୋଷାକ ବଦଳାଇ ପାରିବ ବୋଲି ମୁଁ କେବେ ଆଶା କରି ନ ଥିଲି ଆଭା । ତୁମକୁ ଭାରତୀୟ ପୋଷାକ ବାସ୍ତବିକ୍ କେଡ଼େ ସୁନ୍ଦର ଦିଶୁଛି ମୁଁ ଦେଖି ଆଶ୍ଚର୍ଯ୍ୟ ହେଉଛି । ତୁମେ ମୋତେ ଅନାଇଲ, ଦେଖି ପାରିବ, ତୁମେ କେଡ଼େ ସୁନ୍ଦର ଦିଶୁଛ ଏଇ ପୋଷାକରେ ।’’

 

‘‘ହୁଁ, ତୁମେ ତ ଆଉ ଦର୍ପଣ ନୁହଁ ଯେ ମୁଁ ତୁମକୁ ଅନାଇ ମୋ ନିଜ ପ୍ରତିରୂପ ଦେଖିପାରିବି ସେଥିରେ ।’’ ହସି ହସି ଉତ୍ତର ଦେଲା ଆଭା ।

 

‘‘ତୁମର ସେଇଠି ବିରାଟ ଅଜ୍ଞାତ ଆଭା । ମୋର ରକ୍ତ ମାଂସର ଅନ୍ତରକୁ ଯଦି ଚିରି ଦେଖନ୍ତ,ତେବେ ଦେଖିବାକୁ ପାଆନ୍ତ ତୁମର ଏହି ସୁନ୍ଦର ରୂପ କିପରି ଦାଉ ଦାଉ ହୋଇ ସେଠାରେ ଜଳି ଉଠୁଛି ଶତ ସହସ୍ର ଦର୍ପଣର ଜ୍ୟୋତିକୁ ଉପହାସ କରି । ମୋ ହୃଦୟ ଦର୍ପଣରେ ପ୍ରତିଫଳିତ ପ୍ରତିଚ୍ଛବି ଆଗରେ ତୁମର ପ୍ରକୃତ ରୂପ ମିଳନ ପଡ଼ିଯିବ ଆଭା ।’’

 

‘‘ବାଃ, ବାଃ, ଇଞ୍ଜିନିଅରଙ୍କ ମୁଖରେ କବିତାରଝର, କି ସୁନ୍ଦର କଳ୍ପନା, ଛନ୍ଦହୀନ କବିତାକୁ ବି ବଳିଯାଉଛି ।’’

 

‘‘ହୃଦୟର ଭାଷାକୁ ତୁମେ କବିତ୍ଵ କହି ଉପହାସ କରିପାର ଆଭା ! କିନ୍ତୁ ହୃଦୟର ଭାଷା ବେଳେ ବେଳେ କବିତାଠାରୁ ଯେ ଅଧିକ ଜୀବନ୍ତ ଓ ମଧୁମୟ ହୋଇଉଠେ ଏହାକୁ ତୁମେ ଅସ୍ୱୀକାର କରିପାରିବନି କେଭେଁ !’’

 

‘‘ହେଉ, ବେଶ କବିତ୍ଵ ଦେଖାଇଲଣି ଇତିମଧ୍ୟରେ । ମୋତେ ଛାଡ଼ିବ ନା ଏହିଭଳି ଧରି ରଖିଥିବ ?’’

 

ଅରୁଣ ଆଭାକୁ କୋଳରେ ଆହୁରି ଟିକିଏ ଜୋରରେ ଭିଡ଼ି ଧରି ତା’ର ଆରକ୍ତ କପୋଳରେ ଆଙ୍କିବାକୁ ଯାଉଥିଲେ ଚୁମ୍ବନର ଏକ ରକ୍ତିମ ଦାଗ । ଆଭା ଇତସ୍ତତଃ ହୋଇ କହିଲା, ‘‘ହାଁ ହାଁ, ଏ କ’ଣ କରୁଛ, ଅରୁଣ ? କିଏ ଯଦି ଚାଲିଆସେ, ତେବେ ସେ ଆମକୁ ଏଭଳି ଅବସ୍ଥାରେ ଦେଖି କ’ଣ ଭାବିବ କହିଲ ? ଏ ତ ଆଉ ବିଲାତ ହୋଇନି ଯେ କେହି ଟିକିଏ ବି ନଜର ଦେବେ ନାହିଁ ଏଆଡ଼େ ।’’

 

‘‘ହୁଁ ! ତୁମେ ଏ ଭିତରେ କେବଳ ପୋଷାକରେ ଭାରତୀୟ ହୋଇନ ଆଭା,ମନ ଭିତରେ ବି ପୁରାପୁରି ଭାରତୀୟ ପାଲଟି ଗଲଣି । ବିଲାତର ଏକ ରକ୍ଷଣଶୀଳ ଆଭିଜାତ୍ୟଭରା ପରିବାରର ଦୁଲାଳୀ ମୁହଁରେ ଏହି କେଇ ପଦ କଥା ଶୁଣି ମୋତେ କେତେ ଯେ ହସମାଡ଼ୁଛି ତାହା ବର୍ଣ୍ଣନା କରି ପାରୁନି ଆଭା ।’’

 

X X X

 

ସନ୍ଧ୍ୟା ଆଗତ ପ୍ରାୟ । ପଶ୍ଚିମାକାଶର ଦୂର ଦିଗ୍‍ବଳୟରେ ସୂର୍ଯ୍ୟ ବୁଡ଼ିଯିବାକୁ ବସିଲେଣି । ଅସ୍ତଗାମୀ ସୂର୍ଯ୍ୟଙ୍କର ସୁନେଲି କିରଣରେ କଲିକତା ନଗରୀର ପ୍ରାସାଦରାଜି ସ୍ୱର୍ଣ୍ଣ ଆଭାରେ ରଞ୍ଜିତ, ଦର୍ଶକକୁ ମନେ କରାଇ ଦେଉଥାଏ କେଉଁ ପୁରାଣ ବର୍ଣ୍ଣିତ ସ୍ୱର୍ଣ୍ଣ ନଗରୀ କଥା । ଅରୁଣ କୁମାରଙ୍କର ବିରାଟ ଇମ୍‍ପାଲା ଗାଡ଼ି ଛୁଟି ଚାଲିଲା ସହରଠାରୁ ଦଶ-ପନ୍ଦର ମାଇଲ ଦୂର ହୁଗୁଳୀ ନଦୀ କୂଳସ୍ଥ କୋୟା ଉପବନ ଅଭିମୁଖେ । ବିରାଟ ଆମେରିକାନ୍ କାର୍‍ରେ ମାତ୍ର ଦୁଇଗୋଟି ପ୍ରାଣୀ-ଆଭା ଆଉ ଅରୁଣ । ଭାରତୀୟ ଶାଢ଼ୀ ଓ ଅଳଙ୍କାରରାଜିରେ ଆଭା ଦିଶୁଥିଲା ଅତୀବ ସୁନ୍ଦର, ମନମତାଣିଆ, ସତେ ଯେମିତି କୋଟି ବ୍ରହ୍ମାଣ୍ଡର ଅକଳନ୍ତି ସୌନ୍ଦର୍ଯ୍ୟ ଲୋଟିପଡ଼ୁଛି ଆଭାର ପାଦତଳେ । ଗାଡ଼ିର ଚାଳକ ସ୍ୱୟଂ ଅରୁଣ କୁମାର । କୋୟା ଉପବନ କଲିକତାବାସୀଙ୍କଠାରେ ଅପରିଚିତ ନୁହେଁ । ସେଠାକାର ମନୋରମ ସାନ୍ଧ୍ୟ ଉପଭୋଗ କଲିକତାବାସୀଙ୍କଠାରେ ଏକ ଆଭିଜାତ୍ୟିକ ଅଭ୍ୟାସ ଭାବରେ ପରିଗଣିତ ହୁଏ ।

 

ଗାଡ଼ିରେ ଯାଉଁ ଯାଉଁ ଅରୁଣ କୁମାର ଆଭାକୁ ଅନାଇ ଉଲ୍ଲାସ ମିଶ୍ରିତ କଣ୍ଠରେ କହିଲେ, ‘‘ତୁମେ ଏହି ଭାରତୀୟ ପୋଷାକରେ କମ୍ ଲୋଭନୀୟ ଦିଶୁନ ଆଭା ? ମୁଁ ଜୋର ଦେଇ କହିପାରେ, କୌଣସି ଭାରତୀୟ ଲଳନା ଏହି ପୋଷାକରେ ତୁମଠାରୁ ଅଧିକ କମନୀୟ ଦିଶି ନ ପାରେ । ତୁମର ଏହି ଅପ୍‍ସରାନିନ୍ଦୀ ରୂପ ଆଗରେ ମୁଁ ଏତେ ଦୁର୍ବଳ ଅନୁଭବ କରୁଛି ଆଭା, ମୋ ପକ୍ଷରେ ଗାଡ଼ି ଚଳାଇବା ହୁଏତ ଅସମ୍ଭବ ହୋଇପାରେ ।’’

 

‘‘ହୁଁ, ତୁମର ସବୁବେଳେ ସେହି ଚିଡ଼ାଳିଆ କଥା । ମୋତେ ଏଭଳି ଚିଡ଼ାଇଲେ ତୁମର କି ଲାଭ ହୁଏ ଅରୁଣ ? ତୁମ ଘରକୁ ଆସିବା ଦିନଠାରୁ ତୁମେ ମୋତେ ଏହି କଥା କେତେଥର କହିଲଣି ଶୁଣେ ?’’

 

‘‘ସୁନ୍ଦରକୁ ସୁନ୍ଦର ବୋଲି କହିଲେ ଯଦି ଚିଡ଼ାଇବା ବୁଝାଯାଏ, ତେବେ ମୁଁ ମୋ କଥା ଫେରାଇ ନେଉଛି ଆଭା । ତୁମର ଏହିଭଳି ଦୋଷାରୋପ ଏହି ପୃଥିବୀରୁ ସୌନ୍ଦର୍ଯ୍ୟ ପୂଜାରୀଙ୍କୁ ବିତାଡ଼ନ କରିବ ସିନା, କିନ୍ତୁ ସୌନ୍ଦର୍ଯ୍ୟ ପିପାସୁଙ୍କୁତ ନୁହେଁ ?’’

 

‘‘ତୁମର ବାକ୍-ଚାତୁରୀ ଆଗରେ ମୋତେ ମୁଣ୍ଡ ନୁଆଁଇବାକୁ ପଡ଼ିବ ଅରୁଣ ।’’ ମାଦକତା ଭରା ନୀଳାକ୍ଷି ଦୁଇଟିକୁ ନଚାଇ ଉତ୍ତର ଦେଲା ଆଭା । ‘‘ତୁମେ ବିଜ୍ଞାନର ପୂଜାରୀ ହୋଇ କଳା ଚର୍ଚ୍ଚାରେ ଯେଉଁ ବ୍ୟୁତ୍ପତ୍ତି ଅର୍ଜ୍ଜନ କରିଛ, ସେଥିପାଇଁ ତୁମକୁ ଧନ୍ୟବାଦ ଦେବା ଛଡ଼ା ଆଉ କ’ଣ ଦିଆଯାଇପାରେ ?’’

 

ସେତେବେଳକୁ ଅରୁଣଙ୍କର ବାମ ହାତ ଆଭାର ସୁକୋମଳ ଗ୍ରୀବାଦେଶକୁ ବେଷ୍ଟନ କରି ସାରିଥିଲା । ମୁଖରେ ଦୁଷ୍ଟାମୀର କୃତ୍ରିମ ହସ ଖେଳାଇ ଆଭା କହିଲା, ‘‘ଭାରତୀୟ ରାସ୍ତାରେ ଗୋଟିଏ ହାତରେ ଷ୍ଟିଅରିଂ ଧରି ଗାଡି ଚଳାଇବା କେତେ ବିପଦ୍‍ଜନକ ତୁମେ ଭୁଲିଯାଉଛ ଅରୁଣ ! ଏ ଯେଉଁ ରାସ୍ତା, ଏଥିରେ ଯେଉଁ ଆଲୋକ ସ୍ୱଳ୍ପତା, ସେଥିରେ ଏଭଳି ଅବଧାନତା ହେଲେ ବିପଦହିଁ ଅନିବାର୍ଯ୍ୟ ।’’

 

ଧୀରେ ଧୀରେ ଅରୁଣଙ୍କର ଦେହ ଲାଗି ଲାଗି ଆସୁଥିଲା ଆଭାର ସୁକୋମଳ ଅଙ୍ଗଲତା ସହିତ । ଅବସ୍ଥାକୁ ସୁଧାରି ନେବାପାଇଁ ସେ କଟାକ୍ଷପାତ କରି କହିଲା, ‘‘ଅରୁଣ ସାବଧାନ, କାରର ବାହାରେ, ଭିତରେ ଉଭୟ ଆଡ଼େ ବିପଦ । ଏଭଳି ଦୁଷ୍ଟାମୀ ଆରମ୍ଭ କଲେ ମୁଁ କହିବି ଗାଡ଼ି ନ ଚଳାଇ ବନ୍ଦ କରିଦେବା ବରଂ ଭଲ ।''

 

ଆଭାର ଦୃଷ୍ଟିକୁ ଅନ୍ୟ ଆଡ଼େ ଫେରେଇ ନେବା ପାଇଁ ଅରୁଣ ଆରମ୍ଭ କଲା, ‘‘ତୁମେ ଦେଖିପାରୁଛ ଆଭା, ପ୍ରଚଣ୍ଡ ଶୀତ ଉତ୍ତାରୁ ଋତୁରାଜଙ୍କର ଶୁଭାଗମନରେ ଜଡ଼ତାବିମୁକ୍ତ ପ୍ରକୃତିର କିଭଳି କବିଜନ ଲୋଭନୀୟ ହାସ୍ୟଚ୍ଛଟା ଓ ତୁହିନଭୀତା ପଙ୍କଜିନୀ ଋତୁନାୟକର ଲଳିତ କାନ୍ତି ଅବଲୋକନ ନିମିତ୍ତ ମଳୟାନୀଳର ମନ୍ଦ ମନ୍ଦ ହିଲ୍ଲୋଳରେ ସାରା ଧରଣୀ କେମିତି ଚିଦାନନ୍ଦମୟ-! ପୁଷ୍ପିତ, ନାଗେଶ୍ୱର, ଚମ୍ପକ, ପୁଷ୍ପରାଜ ମୁଚୁକୁନ୍ଦ ଆଦି ବୃକ୍ଷ ସମୂହ ବସନ୍ତ ସମୀରଣରେ ଆନ୍ଦୋଳିତ ହୋଇ ଦିଗନ୍ତବ୍ୟାପୀ ସୌରଭ ବିକୀରଣରେ କିଭଳି ବ୍ୟସ୍ତ ଓ ପାର୍ଶ୍ୱସ୍ଥିତ ନିର୍ଝରରାଜି ସ୍ୱଚ୍ଛରବିନୀର ଉଦ୍‍ଗୀରଣରେ କିଭଳି ମଦମତ୍ତା ନାନା ରଙ୍ଗର ପତ୍ରପୁଷ୍ପସୁଶୋଭିତ ଶ୍ୟାମାୟମାନ ଧରଣୀ ହରିଦ୍‍ବନାନ୍ତରାଳସାୟିତ ମଳୟାନୀଳ ସମ୍ଭୋଗ କରୁଁ କରୁଁ କିଭଳି ହସି ଉଠୁଛି, ସତେ ଯେମିତି ତୁମକୁ ଅଭିନନ୍ଦନ ଜଣାଇବା ପାଇଁ ପ୍ରକୃତିରାଣୀ ସହ ଏମାନେ ସମସ୍ତେ ପ୍ରତୀକ୍ଷମାଣା ।’’

 

‘‘ଚମତ୍କାର, ଚମତ୍କାର'' ହାତରେ ତାଳି ମାରି ପାଟି କରି ଉଠିଲା ଆଭା । ତୁମର ଏହି ପ୍ରକୃତ ବର୍ଣ୍ଣନା ଯାହା କହନ୍ତି ସୁପର୍ବ୍, ଯେକୌଣସି କବି ଏହା ଆଗରେ ହାର ମାନିବ ନିଶ୍ଚୟ । ତୁମର ହଠାତ୍ ଏହି ଅପୂର୍ବ କବିତ୍ଵ ସ୍ପୁରଣର କାରଣ ମୁଁ ତ ଜାଣି ପାରୁନି ଅରୁଣ ?’’

 

‘‘ଯାହା ହେଉ ମୋର କବିତ୍ଵକୁ ଆଦର କଲାଭଳି ଭକ୍ତ ଯେ ଏଠି ଅଛନ୍ତି, ସେହି ମୋର ବଡ଼ଭାଗ୍ୟ । ତୁମ ଭଳି ଭକ୍ତ ଥିଲେ ଅକବିର ମୁଖରୁ କବିତ୍ଵର ଅବାରିତ ଝର ଯେ ଛୁଟି ପାରେ, ଏହାକୁ କ’ଣ ତୁମେ ଅସ୍ୱୀକାର କରିପାର ଆଭା ?’’

 

କୋୟା ଉପବନରେ ପହଞ୍ଚିଲାବେଳକୁ ସନ୍ଧ୍ୟା ହୋଇଗଲାଣି । ଶୁଭ ଜ୍ୟୋତ୍ସ୍ନା ପୁଲକିତ ଯାମିନୀ, ପ୍ରକୃତି ରାଣୀ ହସି ଉଠୁଛି ଏକ ମାଦକତା ଭରା ଆବହାଓ୍ୱା ସୃଷ୍ଟିକରି । ଚାରିଆଡ଼େ ବାସନ୍ତୀ ପୂର୍ଣ୍ଣିମାର ଫେନିଳ ପ୍ଲାବିତ କୌମୁଦୀ ଅଯତ୍ନ ଭାବରେ ବିଞ୍ଚାଡ଼ି ହୋଇ ପଡ଼ିଛି ଶାନ୍ତ ପ୍ରଭାତର ମ୍ଳାନମୁଖି ରଜନୀଗନ୍ଧା ବା ହେମନ୍ତ ନିଶାନ୍ତର ବୃନ୍ତଚ୍ୟୁତ ଶିଶିର ମିଶ୍ରିତ ଦୁର୍ବାଦଳ ବିଲୁଣ୍ଠିତ ଶ୍ରୀଭ୍ରଷ୍ଟ ଶେଫାଳିକା ଭଳି ।

 

କାରକୁ ଯଥାସ୍ଥାନରେ ପାର୍କ କରି ଦେଇ ଅରୁଣ ଆଉ ଆଭା ହାତ ଧରା ଧରା ହୋଇ ଚାଲିଲେ ଉପବନ ଭିତରକୁ । ଉପବନର ସାନ୍ଧ୍ୟକାଳୀନ ସୌନ୍ଦର୍ଯ୍ୟ, ସେଥିରେ ପୁଣି ଜ୍ୟୋସ୍ନାର ସଂଖ୍ୟାତୀତ ଛୋଟ ଛୋଟ ଲହରୀ ଉପବନକୁ ଅଧିକ ମଧୁମୟ କରି ତୋଳିଥାଏ । ଉପବନ ଠାରୁ ଅଳ୍ପ ଦୂରରେ ପୁଣ୍ୟତୋୟା ଜାହ୍ନବୀ କୁଳୁକୁଳୁ ହୋଇ ବହି ଯାଉଛି । ଉପବନ ଭିତରେ କିଛି ଦୂର ଗଲାପରେ ସେମାନେ ଏକ ମୃଦୁବାତ ବିକ୍ଷୋଭିତ ପୁଷ୍କରିଣୀ ନିକଟରେ ଅଟକିଗଲେ । ପୁଷ୍କରିଣୀଟି ସ୍ଵଚ୍ଛ ନୀରରେ ପୂର୍ଣ୍ଣ । ଅସଂଖ୍ୟ ଜଳଜ ବିଚିତ୍ର ବର୍ଣ୍ଣର ପୁଷ୍ପସମ୍ଭାରରେ ଲୋଟି ପଡ଼ୁଛି । ଦିଶୁଛି ସତେ ଯେମିତି ଏକ ବିଚିତ୍ର ରଙ୍ଗର ଗାଲିଚା ବିଛା ହୋଇଛି ସେମାନଙ୍କୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ । ଉପବନର ଆର ପାରିରୁ ଜାହ୍ନବୀର ଉପର ଦେଇ ବହି ଆସୁଥିବା ମୃଦୁମନ୍ଦ ସ୍ନିଗ୍‍ଧ ସମୀରଣ ଆଭାର ଆଲୁଳାୟିତ ଚୂର୍ଣ୍ଣକୁନ୍ତଳ ସହିତ ଲୁଚାକାଳି ଖେଳ ଆରମ୍ଭକରି ଦେଇଥାଏ । ସମୀରଣର ହିଲ୍ଲୋଳରେ ଉଭୟଙ୍କ ମନ ଅପୂର୍ବ ଉନ୍ମାଦନାରେ ଉଲସି ଉଠୁଥାଏ । ପୁଷ୍କରିଣୀ ଠାରୁ ଅଦୂରରେ ଗଛପତ୍ରର ଆଢ଼ୁଆଳରେ ଏକ ସୁନ୍ଦର ଲତାକୁଞ୍ଜ । ବହୁ ବର୍ଣ୍ଣର ବିବିଧ ପୁଷ୍ପ ସମ୍ଭାରରେ ଲତାକୁଞ୍ଜଟି ଭାଙ୍ଗି ପଡ଼ୁଛି । ଯାଉଁ ଯାଉଁ ଆଭାର ଚମ୍ପକ କଳିକାଳିନ୍ଦୀ, ଅଙ୍ଗୁଳି ଉପରେ ସ୍ୱଳ୍ପ ଚାପ ପ୍ରଦାନ କରି ଆବେଗଭରା କଣ୍ଠରେ ଅରୁଣ କହିଲେ, ‘‘ଦେଖୁଛ ଆଭା, ଏହି ପୁଷ୍ପ କୁଞ୍ଜଟି ଏହି ଜ୍ୟୋତ୍ସ୍ନା ବିଧୌତ ରଜନୀରେ କେଡ଼େ ସୁନ୍ଦର ଦିଶୁଛି ? ଯେଉଁ ଆଡ଼ରୁ ଚାହିଁଲେ କୁଞ୍ଜଟି ଅସଂଖ୍ୟ ବର୍ଣ୍ଣର ପୁଷ୍ପ ସମ୍ଭାର ତୋଳି ଠିଆ ହୋଇଛି, ସତେ ଯେମିତି ଆମନ୍ତ୍ରଣ କରୁଛି ନବବିବାହିତ ଦମ୍ପତିଙ୍କୁ ତାରି କ୍ରୋଡ଼ରେ ବାସର ରାତିର ମଧୁଶଯ୍ୟା ବିତାଇବା ପାଇଁ । ଏମିତି ଦୁର୍ବଳ ମୁହୂର୍ତ୍ତରେ ମଣିଷର ମନ କ'ଣ ଲୋଡ଼େ ଜାଣ ଆଭା ?''

ଆଭା ଉପବନର ଅପୂର୍ବ ସୌନ୍ଦର୍ଯ୍ୟରେ ଏତେ ବିମୋହିତ ହୋଇ ପଡ଼ିଥାଏ ଯେ ସେତେବେଳକୁ ତା’ର ମନର ଦୁର୍ବଳ ମାତ୍ରା ମାପିବା କଷ୍ଟକର । ସେ ନିଜକୁ ଏତେ ଦୁର୍ବଳ ଅନୁଭବ କରୁଥିଲା ଯେ ଅରୁଣର ସେଇ କଥାଗୁଡ଼ିକ ତା’ କର୍ଣ୍ଣକୁହରରେ ପ୍ରବେଶ କରୁ ଥିଲା କି ନାହିଁ ସନ୍ଦେହ । କେବଳ ଉତ୍କଣ୍ଠା ବ୍ୟଞ୍ଜିତ ଦୃଷ୍ଟିରେ ସେ ଅରୁଣଙ୍କ ଆଡ଼କୁ ଅନାଇ ରହିଥିଲା ।

ଅରୁଣ ଲକ୍ଷ୍ୟକଲେ ଲୋହିତ ରାଗ ରଞ୍ଜିତ ସନ୍ଧ୍ୟାକାଶର ରଙ୍ଗ ଭଳି ଆଭାର ଲଜ୍ଜା ନିମିଳିତ ମୁଖ ଆରକ୍ତ ହୋଇ ଉଠିଛି ଅତି ଆକର୍ଷଣୀୟ ଭଙ୍ଗୀରେ । ଝୀନ ବସନ ପରିହିତା, ତପ୍ତକାଞ୍ଚନ ବର୍ଣ୍ଣା, ନିରୁପମା କୋମଳାଙ୍ଗୀ, ମୁଖରେ ସଲ୍ଲଜ ମଧୁର ଚାହାଣୀ, ଜ୍ୟୋତ୍ସ୍ନା ବିଧୌତ ବଦନରେ ଆକର୍ଷଣୀୟ ଯୌବନ ରକ୍ତିମ ଆଭା, ସାରା ତନୁଲତାରେ ତାର ସମସ୍ତ ଜୀବନ ଯୌବନ ବିଭବର ଢଳ ଢଳ ମନ ମତାମଣିଆ ଚାପ ଅରୁଣ ଆଗରେ ତାକୁ ଯେ କେଉଁ ଅଭିସାରିକା ବେଶରେ ଠିଆ କରାଇ ଥାଏ, ତାହା କବିର ବର୍ଣ୍ଣନାର ବାହାରେ । ଅରୁଣଙ୍କର ମନେ ହେଉଥାଏ ସତେ ଯେମିତି ବିଶ୍ୱବ୍ରହ୍ମାଣ୍ଡର ଅସୁମାରି ସୌନ୍ଦର୍ଯ୍ୟର ଅସରନ୍ତି ଭଣ୍ଡାର ଠୁଳ ହୋଇଛି ଏଠି ।

ନିଜକୁ ଆଉ ସମ୍ଭାଳି ପାରିଲେନି ଅରୁଣ । ଧୀରେ ଧୀରେ ତାଙ୍କର ବାହୁ ଯୁଗଳ ଅଲକ୍ଷ୍ୟରେ ଆଭାର କ୍ଷୀଣ କଟିକୁ ଆବୃତ କଲା । ଅରୁଣଙ୍କର ପ୍ରଶସ୍ତ ବାହୁ ବନ୍ଧନୀ ଭିତରେ ଧରା ଦେଇ ଆଭା ଅନୁଭବ କରୁଥିଲେ ଶତ ବୃଶ୍ଚିକର ସମ୍ମିଳିତ ଦଂଶନଂ। ଧୀରେ ଧୀରେ ବାହୁ ବେଷ୍ଟନୀ କଠିନ ହୋଇ ଆସିଲା । ଚାହୁଁ ଚାହୁଁ ଦୁଇଟି ସ୍ଫୁରିତ ଅଧର ପରସ୍ପର ସହିତ ମିଳିତ ହେବା ଆଶାରେ ପାଖେଇ ଆସିଲେ ।

କିଛି ସମୟ ପରେ ଥର ଥର ଗଳାରେ ଅରୁଣ ଡାକିଲେ, ‘‘ଆଭା’’ ?

‘‘ଉଁ’’ ଅରୁଣର ପ୍ରଶସ୍ତ ବକ୍ଷ ଉପରେ ନିଜକୁ ପୁରାପୁରି ହଜାଇ ଦେଇ ଆଭା ଦେଖୁଥିଲା ସ୍ୱପ୍ନ । କେବଳ ‘‘ଉଁ’’ କହିବା ବ୍ୟତୀତ ଅନ୍ୟ କିଛି କହିବା ଅବସ୍ଥାରେ ସେତେବେଳେ ସେ ନଥିଲା ।

 

ଅରୁଣ କହିଲେ, ଦୁର୍ବଳ ମନର ଏହି ମୁହୂର୍ତ୍ତ ଗୁଡ଼ିକ ସତେ କେଡ଼େ ସୁମଧୁର ଆଭା ? ମନ ହେଉଛି ଏହି ଦୁର୍ବଳ ମୁହୂର୍ତ୍ତଗୁଡ଼ିକ ଆଉ ଅପସରି ନ ଯାଆନ୍ତି କି । ଯାହାକୁହ ଆଭା, ଜୀବନରେ ଏଭଳି ଦୁର୍ଲଭ ମୁହୂର୍ତ୍ତ ଖୁବ୍ କମ ସମୟ ପାଇଁ ଆସେ । ଏଭଳି ମୁହୂର୍ତ୍ତରେ ଜୀବନ ଯେଭଳି ରସମୟ ହୋଇ ଉଠେ, ସେଭଳି ରସମୟ ମୁହୂର୍ତ୍ତସାରା ଜୀବନରେ ଆଉ ମିଳେ କି ନାହିଁ ସନ୍ଦେହ ।

 

ଧୀରେ ଧୀରେ ଆଭାର ମୁଦ୍ରିତ ନୟନ ମେଳିଲା ଠିକ୍ ଅଙ୍ଗସ୍ପର୍ଶରେ ମୁଦ୍ରିତ ଲାଜକୁଳି ଲତାର ପତ୍ର ସମୂହ କିଛି ସମୟ ପରେ ଧୀରେ ଧୀରେ ମେଲିଲାଭଳି । ଅରୁଣର ବାହୁବନ୍ଧନ ତଳେ ସେତେବେଳକୁ ପୁରାପୁରି ଆବଦ୍ଧ ଥିଲା ଆଭାର ଚାରୁ ସ୍ନିଗ୍‍ଧ କେଳବର । ରକ୍ତ ଗୋଲାପର ଛିନ୍ନ ପାଖୁଡ଼ା ପରି ତା’ର ଲଜ୍ଜାରୁଣ କପୋଳ ଉପରେ ଆଙ୍କି ହୋଇଯାଇଥାଏ ମଧୁର ଚୁମ୍ବନର କେତେଗୋଟି ସୁନେଲି ଗାର । ଆଭା ତାର ଅରୁଣ ରକ୍ତିମ ଅଧରରେ ଦରବିକଶିତ ହାସ୍ୟ ଖେଳାଇ, ବଙ୍କିମ ଭ୍ରୂଲତା ତଳେ ମଦଭରା ମୃଗାକ୍ଷି ଦୁଇଟିକୁ ନଚାଇ ଇସରା ଦେଇ ଅରୁଣଙ୍କର ଦୃଷ୍ଟି ଆକର୍ଷଣ କଲା ।

 

‘‘ଦେଖ ଅରୁଣ, ପୁଣ୍ୟତୋୟା ଜାହ୍ନବୀ କୂଳରେ ଏହି ସୁରମ୍ୟ ଉପବନଟି କେଡ଼େ ସୁନ୍ଦର ଦିଶୁଛି ସତେ । ସେଥିସହ ସମ୍ମୁଖସ୍ଥ ଲତାକୁଞ୍ଜଟି । ଇଉରୋପରେ ମୁଁ ଏତେ ଉପବନ ଦେଖିଛି, କିନ୍ତୁକୌଣସିଟି ଏଥି ସହିତ ତୁଳନୀୟ ନୁହେଁ । ଛାୟା ଓ ଜ୍ୟୋସ୍ନାର କି ଅପୂର୍ବ ମିଳନ ସତେ ? ନିର୍ମଳ ଆକାଶର ଶୁଭ୍ର କୌମୁଦୀ, ପୁଣ୍ୟତୋୟା ଜାହ୍ନବୀର କଳ କଳ ନିନାଦିନୀ ସ୍ୱର, ଶତ ପୁଷ୍ପଗନ୍ଧବାହୀ ନୈଶ ସମୀରଣ, ସମ୍ମୁଖସ୍ଥ ଅମରାବତୀର ନନ୍ଦନକାନନ ନିନ୍ଦୀ ଉପବନ ଲୋଡ଼େ କବିର କଳ୍ପନା, କବିତାର ଝଙ୍କାର-’’

 

‘‘ଆଉ ଆତ୍ମାର ମିଳନ ।’’ ଆଭା ମୁହଁରୁ କଥା ଛଡ଼ାଇ ନେଇ ଅରୁଣକୁମାର କହିଲେ । ଅତୃପ୍ତ ଆତ୍ମାର ମିଳନ ଭଳି କେବେ ମଧୁମୟ ହୋଇ ପାରେନା କବିର କଳ୍ପନା କି କବିତାର ଝଙ୍କାର ଆଭା ।

 

ପରମୁହୂର୍ତ୍ତରେ ଅରୁଣଙ୍କର ଆଲିଙ୍ଗନ ଆହୁରି ନିବିଡ଼ ହୋଇଆସିଲା । କମ୍ପିତ ଅଧର ଦୁଇଟି ମିଳନ ଆଶାରେ ପୁଣି ପରସ୍ପରର ପାଖେଇ ଆସିଲେ । ଉଭୟଙ୍କ ଚକ୍ଷୁ ପୁରାପୁରି ମୁଦ୍ରିତ । ସେହି ମୁଦ୍ରିତ ଚକ୍ଷୁର ଘନ ଅନ୍ଧକାର ଭିତରେ ଉଭୟେ ପରସ୍ପରକୁ ଦେଖୁଥିଲେ ଆହୁରି ପାଖରେ, ଆହୁରି ନିବିଡ଼ ଭାବରେ, ସତେ ଯେମିତି ଦୁଇଜଣଙ୍କର ଅନ୍ତରାତ୍ମା ଏକ ହୋଇ ଦିଗନ୍ତହୀନ ମହାଶୂନ୍ୟ ଭିତରେ ଲୀନ ହୋଇ ଯାଉଛି ।

 

ନିଜ ଛାତି ଉପରୁ ଆଭାର ଲଜ୍ଜା ରଞ୍ଜିତ ମୁହଁକୁ ଈଷତ୍ ଉଠାଇ ଅରୁଣ ପଚାରିଲେ, ‘‘ଆମେ ବର୍ତ୍ତମାନ ଫେରିଯିବା ଆଭା । ରାତ୍ରର ପ୍ରଥମ ପ୍ରହର ଶେଷହେବା ଉପରେ ।’’

 

ପୂର୍ବଭଳି ଚକ୍ଷୁଦ୍ୱୟକୁ ମୁଦ୍ରିତ କରି ଆଭା ଉତ୍ତର ଦେଲା, ‘‘ଉଁ, ହୁଁ’’ ଆଭାର ରକ୍ତିମ ଅଧର ପୁଣି ଅରୁଣଙ୍କର କଂପ୍ର ଅଧର ସହିତ ମିଳିତ ହେବା ଆଶାରେ ପାଖେଇ ଆସିଲା ।

 

X X X

 

ରଜନୀର ମଧ୍ୟମ ପ୍ରହର–

 

ଜାହ୍ନବୀ କୂଳରେ ଉପବନର ଶିକରସିକ୍ତ ଦୁର୍ବାବେଦୀ ଉପରେ ଅରୁଣ ଅର୍ଦ୍ଧଶାୟିତ, କୋଳରେ ମୁଣ୍ଡରଖି ସୁନ୍ଦରୀ ଆଭା ମୁଦ୍ରିତ ନୟନା । ତାର ନିମୀଳିତ ଚକ୍ଷୁ ପଲ୍ଲବ ଶାନ୍ତ ସୁଷପ୍ତିରେ ଅପୂର୍ବ ଆକର୍ଷଣ ସୃଷ୍ଟି କରୁଛି । ଆଭାର କଟୀର କ୍ଷୀଣ ମେଖଳା ସ୍ରସ୍ତ ବସନ ଯୋଗୁଁ ବେଶ୍ ପରିସ୍ଫୁଟ । କମ୍ର ବକ୍ଷରୁ ଝୀନ ବସନ ଅଯତ୍ନ ଭାବରେ ତଳକୁ ଖସି ଆସିଛି । ଆବୃତହୀନ ଉନ୍ନତ ବକ୍ଷ କୋରକରୁ ଝରି ପଡ଼ୁଛି ଶୁଭ୍ର ଜ୍ୟୋତ୍ସ୍ନାର ଅଗଣିତ ପୁଷ୍ପରାଜି । ଲକ୍ଷାବର୍ଣ୍ଣ ରଞ୍ଜିତ ଚରଣ ଯୁଗଳର ମୁକ୍ତା ଖଚିତ ରୌପ୍ୟ ମଞ୍ଜିରକୁ ଚୁମ୍ବନ କରୁଛି ପୀନୋନ୍ନତ ବକ୍ଷକୁ ଅନାବୃତ କରି ଖସି ଆସିଥିବା ଝୀନ ଉତ୍ତରୀୟ । କବରୀ ବନ୍ଧନ ବିଯୁକ୍ତ ତାମବର୍ଣ୍ଣ କେଶଗୁଚ୍ଛ ଆବୃତ କରୁଛି ବକ୍ଷ ବନ୍ଧନୀ ବିମୁକ୍ତ ଆନତ ବିମୁଖ ବକ୍ଷ ସୌନ୍ଦର୍ଯ୍ୟ ଯୁଗଳକୁ । ବିକ୍ରସ୍ତ ବସ୍ତ୍ରାଭରଣ ସମଗ୍ର ତନୁଟିକୁ ଆବୃତ କରି ପାରିନି । ଅରୁଣ କୁମାର ଆଭାର ମୃଣାଳନିନ୍ଦୀତ ବାହୁର ହୀରକ ଖଚିତ ସ୍ୱର୍ଣ୍ଣ କେୟୁରର ପଦ୍ମକଳିକାକୁ ଇତାସ୍ତତଃ କରୁଁ କରୁଁ କରପଚାରିଲେ ‘‘ରାତ୍ରର ମଧ୍ୟମ ପ୍ରହର ଶେଷ ହେବା ଉପରେ ଆଭା, ଆମେ ବର୍ତ୍ତମାନ ଫେରିଯିବା କଲିକତା ଅଭିମୁଖେ ?’’

 

ନା, ନା, ଅରୁଣ,ଏହି ମୁକ୍ତ ଆକାଶର ଜ୍ୟୋତ୍ସ୍ନା ତଳେ, ପୁଣ୍ୟତୋୟା ଜାହ୍ନବୀ କୂଳରେ ଏଇସ୍ୱର୍ଗ ସୁଖ ଛାଡ଼ି ତୁମେ କ’ଣ ଫେରିଯିବାକୁ ଚାହଁ ତୁମ ପ୍ରାସାଦର ସେହି ରୁଦ୍ଧ କୋଠରୀ ଭିତରକୁ । ଜୀବନ ସେଠି ଦୁର୍ବହ ହୋଇ ପଡ଼ିବ ଅରୁଣ । ଏଭଳି ମୁକ୍ତ ଆକାଶର ସ୍ୱାଦକୁ ଛାଡ଼ିଆଉ କହି ପାରିଲାନି ଆଭା ।

 

ସେ ଏକ ପ୍ରକାର ସ୍ୱର୍ଗୀୟ ସୁଖରେ ତନ୍ମୟ ହୋଇ ବିସ୍ତୃତ ହୋଇ ପଡ଼ୁଥିଲା ନିଜ ସ୍ଥିତିକୁ-

 

X X X

 

ତର ତର ହୋଇ ଅଫିସ ରୁମ ଭିତରକୁ ପଶି ଆସିଲା ଅରୁଣଙ୍କର ପ୍ରାଇଭେଟ୍ ସେକ୍ରେଟେରୀ ମିସ୍‍ ସୁନେଲି ବୋଷ । ସେ ପଶି ଆସି କହିଲା, କେନ୍ଦୁଝର ସୁନାଖଣିର ମେନେଜର ବାହାରେ ଅପେକ୍ଷା କରିଛନ୍ତି ଆପଣଙ୍କୁ ଭେଟିବା ପାଇଁ । ଆପଣଙ୍କ ସହିତ କ’ଣ ଅତି ଜରୁରୀ କଥାବାର୍ତ୍ତା ଅଛି ବୋଲି ସେ କହୁଛନ୍ତି ।

 

‘‘ଆଁ, ମୋ ସହିତ ? କେନ୍ଦୁଝର ସୁନାଖଣିର ମେନେଜର ? ହଠାତ୍ ଚମକି ପଡ଼ିଲେ ଅରୁଣ, କେନ୍ଦୁଝର ସୁନାଖଣିର ମେନେଜରଙ୍କର ମୋ ସହିତ କି କାମ ? ପରେ ଆସିବାକୁ କୁହ, ମିସ୍ ବୋଷ । ମୁଁ ବର୍ତ୍ତମାନ କାହାକୁ ସାକ୍ଷାତ କରି ପାରିବିନି ।’’

 

ଅଫିସ ଭିତରକୁ ଅନ୍ୟ ଦୁଆର ଦେଇ ପଶି ଆସୁ ଆସୁ ଆଭା କହିଲା ‘‘ଏ କ'ଣ କରୁଛ ଅରୁଣ ?’’ ତୁମ ସହିତ କଣ ଏକ ଜରୁରୀ କାମରେ ମେନେଜର ଆସିଛନ୍ତି ଦେଖା କରିବା ପାଇଁ । ଅଥଚ ତୁମେ ସେ ଜରୁରୀ କଥା ନ ଶୁଣି ଓଲଟି ତାଙ୍କୁ ଫେରାଇ ଦେଉଛ ?

 

ମିସ୍ ବୋଷଙ୍କ ଆଡ଼କୁ ଅନାଇ ଆଭା କହିଲା, ‘‘ନାଇଁ ମିସ୍ ବୋଷ, ମେନେଜରଙ୍କୁ ଭିତରକୁ ଡାକିଆଣ ।’’

 

କିଛି ସମୟ ପରେ ଜଣେ ଭଦ୍ରଲୋକ ସାହେବୀ ପୋଷାକରେ ଆସି ଅରୁଣଙ୍କୁ ନମସ୍କାର ଜଣାଇଲେ । ସେଠି ସଙ୍ଗେ ସଙ୍ଗେ ଆଭାଙ୍କୁ ନମସ୍କାର ଜଣାଇ କହିଲେ, ‘‘କାଲି ଆସି ଭାରତରେ ପହଞ୍ଚିଲେ ବୋଧହୁଏ ମିସ୍ ମାଇକେଲସନ୍ ? ଆମ ଖଣିର ଚିଫ୍ ଇନ୍‍ଜିନିଅର ଆପଣଙ୍କ ଆସିବା କଥା କହୁଥିଲେ । ସେ ପରା ବିଲାତରୁ ପହରି ଦିନ ଆସିଲେ ।’’

 

ଅରୁଣଙ୍କ ଆଡ଼କୁ ଅନାଇ କହିଲେ, ‘‘ଆଜ୍ଞା, ବଡ଼ ଅସୁବିଧା ହୋଇଛି, ଆପଣଙ୍କ ସୁନା ଖଣିରେ ।’’

‘‘ଆଁ, ସୁନାଖଣିରେ ? ପୁଣି ମୋର ? ସ୍ୱପ୍ନ ଦେଖୁଛ ନା କ'ଣ ? ତୁମେ କିଏ, କେଉଁଠାରୁ ଆସିଛ, ମୁଁ ଆଗେ ଶୁଣେ ।’’

 

‘‘ଆଜ୍ଞା, ଆପଣ ମୋତେ ଚିହ୍ନି ପାରୁନାହାନ୍ତି ? ମୁଁ ପରା ଆପଣଙ୍କ କେନ୍ଦୁଝର ସୁନାଖଣିର ମେନେଜର ଚତୁର୍ବେଦୀ !’’

 

‘‘ଆଁ ମୋ ମେନେଜର, ଚତୁର୍ବେଦୀ ! ତୁମେ ତ ପାଗଳ ନୁହଁ ମିଷ୍ଟର ଚତୁର୍ବେଦୀ ! ତୁମେ କ’ଣ ଯେ କହୁଛ ମୁଁ କିଛି ବୁଝି ପାରୁନି ।’’

 

‘‘ହଁ, ଆଜ୍ଞା, ମୁଁ ଯାହା କହୁଛି, ସତ କହୁଛି ।’’

 

ଅରୁଣଙ୍କର ଏଭଳି ବ୍ୟବହାରରେ ଆଭା ହସି ଉଠିଲା । ସେ ହସି ହସି କହିଲା, ‘‘ବାଃ ବାଃ ବେଶ୍ ଅରୁଣ, ବାପା ଦେଇଥିବା ଯୋଜନାକୁ ଭଲ କାର୍ଯ୍ୟକାରୀ କରାଇପାରିବ ଦେଖୁଛି । ବାପା ତୁମ ଭିତରେ ଯେଉଁ ଅପୂର୍ବ ପ୍ରତିଭା ଦେଖିଥିଲେ, ତାହା କ’ଣ ଏହି ? ତୁମେ ତୁମ ନିଜ ସୁନାଖଣି ମେନେଜରଙ୍କୁ ଚିହ୍ନି ପାରୁନ ? ଦୁଇ କୋଟି ଟଙ୍କା ସଲାମି ଦେଇ ଓଡ଼ିଶା ସରକାରଙ୍କଠାରୁ ନୂଆ ହୋଇ ଆବିଷ୍କୃତ ହୋଇଥିବା କେନ୍ଦୁଝରର ସୁନାଖଣି ପଟ୍ଟା ନେଇ ସୁନା କଢ଼ାଉଛ, ଅଥଚ ତୁମେ ତାକୁ ବି ଭୁଲି ଯାଉଛ । ବଡ ଅଦ୍ଭୁତ ଲୋକ ତ ତୁମେ ? ବିଲାତରେ ଥିବାବେଳେ ତୁମର ସୁନାଖଣି ପଟ୍ଟା ନେବା କଥାତ ମୁଁ ଶୁଣିଥିଲି । ବାପା ତୁମ ପାଖକୁ ଟଙ୍କା ପଠାଇଲା ବେଳେ ମୋତେ ସେଇ କଥା ପରେ କହିଥିଲେ ।

 

ଅରୁଣ ଆଭାର କଥା ଶୁଣି ଥରେ ଆଭା ମୁହଁକୁ, ଥରେ ମେନେଜରଙ୍କ ମୁହଁକୁ ବଲ ବଲ କରି ଅନାଇଲେ । ମୁହୂର୍ତ୍ତକ ପାଇଁ ଭାବି ପାରିଲେନି, ସେ ପ୍ରକୃତରେ ସ୍ୱପ୍ନ ଦେଖୁଛନ୍ତି କି ନାହିଁ ।

 

‘‘ଆପଣଙ୍କୁ ବର୍ତ୍ତମାନ କେନ୍ଦୁଝର ସୁନାଖଣି ଅଭିମୁଖେ ଯିବାକୁ ପଡ଼ିବ ଅରୁଣବାବୁ । ସେଠାକାର ଅବସ୍ଥା ଦେଖି ଆପଣ ନିର୍ଦ୍ଦେଶ ନ ଦେଲା ପର୍ଯ୍ୟନ୍ତ ଆମେ ଆଉ ପାଦେମାତ୍ର ଆଗେଇବାକୁ ସାହସ କରୁନୁ । ମିସ୍ ମାଇକେଲ୍‍ସନ ବି ଆପଣଙ୍କ ସଙ୍ଗରେ ଚାଲନ୍ତୁ । ସେ ବି ସୁନାଖଣି ଦେଖି ଆସିବେ । ବିଲାତରେ ସେ ବହୁତ ସୁନା ଦେଖିଥାଇ ପାରନ୍ତି, କିନ୍ତୁ ସୁନାଖଣି ତ କେବେ ଦେଖି ନ ଥିବେ ।’’

 

X X X

 

କେନ୍ଦୁଝର ସୁନାଖଣିଠାରେ ପ୍ରକାଣ୍ଡ ଅଫିସ କକ୍ଷରେ ସୁନାଖଣିର ଇନ୍‍ଜିନିଅର, ଭୂତତ୍ତ୍ୱବିତ୍ ଓ ବଡ଼ ବଡ଼ କର୍ମକର୍ତ୍ତାମାନଙ୍କର ଏକ ବିରାଟ ଆଲୋଚନା ଚାଲିଛି । ଆଲୋଚନା ମଣ୍ଡଳୀର ଗୋଟିଏ ପାର୍ଶ୍ୱରେ ବସିଥାନ୍ତି ଖଣିର ମାଲିକ ଯୁବକ ଅରୁଣ କୁମାର ଓ ଭାବୀ ଇଂରେଜପତ୍ନୀ ଆଭା । ଖଣିର ପ୍ରଧାନ ଭୂତତ୍ତ୍ୱବିତ୍ ହାତରେ ଖଣ୍ଡିଏ ସୁନାଇଟା ଧରି ଅରୁଣ ବାବୁଙ୍କୁ ଲକ୍ଷ୍ୟ କରି କହିଲେ, ‘‘ଖଣିର ଉପର ଅଂଶରୁ ସାଧାରଣ ପଦ୍ଧତିରେ ସୁନା ସଂଗ୍ରହ କରି ସାରିବା ପରେ ଆମେ ଯେତେବେଳେ ଖଣିର ଆହୁରି ତଳ ଅଂଶକୁ ଗଲୁଁ, ସେତେବେଳେ ଆମେ ଯାହା ଦେଖିଲୁ, ସେଥିରେ ଚକିତ ନ ହୋଇ ରହିପାରିଲୁନି । ଖଣିର ଉପର ଅଂଶରେ ଯେଉଁ ସୁନା ଥିଲା, ତାହା ଆହରଣ କରିବା କଷ୍ଟକର ହେଲେ ମଧ୍ୟ ମହୀଶୂରର କୋଲାର ସୁନାଖଣି ଅପେକ୍ଷା ଅଧିକ ସୁବିଧାରେ ଏଠାରେ ଆମେ ସୁନା ନିଷ୍କାସନ କରି ପାରିଥିଲୁଁ । ସେହିହେତୁରୁ କୋଲାର ସୁନାଖଣି ବଜାରରେ ଯେଉଁ ସୁନାଦର ରଖିଥିଲା, ଆମେ ସେହି ଦରଠାରୁ କିଛି କମ୍ ଦରରେ ଆମ ସୁନାକୁ ବଜାରରେ ରଖି ପାରିଥିଲୁ । ଫଳରେ ଆମ ସୁନାର କାଟତି ଥିଲା ବଜାରରେ ବେଶୀ । କିନ୍ତୁ ଏହି ଖଣିର ଆହୁରି ତଳକୁ ଯେତେବେଳେ ଖୋଳିଲୁଁ ସେତେବେଳେ ଖଣିଜ ସୁନା ପରିବର୍ତ୍ତରେ ମାଇଲ ମାଇଲ ଧରି କେବଳ ଖାଣ୍ଟିସୁନା ଧାତୁ ଜମି ରହିଥିବାର ଦେଖି ଆମେ ଆଶ୍ଚର୍ଯ୍ୟ ନ ହୋଇ ରହି ପାରିଲୁନି । ଏହି ଅଖଣ୍ଡ ସୁନାକୁ ଖଣି ଭିତରେ କୋଇଲାକୁ ଖଣ୍ଡ ଖଣ୍ଡ କରି କାଟିଲାଭଳି କାଟି ଉପରକୁ ଆଣିଲୁ । ସେହି ସୁନା ପୁରାପୁରି ବିଶୁଦ୍ଧ ଥିବାରୁ, ଏହାକୁ ଶୋଧନ ନ କରି କେବଳ ଏହି ଇଟା ଆକାରରେ କାଟି ବଜାରକୁ ପଠାଇବା ପାଇଁ ମନସ୍ଥ କରିଛୁ । ଏହି ଧାତବ ସୁନାର ସ୍ତର ଶହ ଶହ ଫୁଟ ମୋଟ ଓ ମାଇଲ ମାଇଲ ଧରି ଲମ୍ବି ରହିଛି । ମୋ ହାତରେ ଏ ଯେଉଁ ସୁନାଇଟାଟି ଦେଖୁଛନ୍ତି, ତାହା ଖଣିରୁ ସଦ୍ୟ କଟା ହୋଇ ଆସିଥିବା ଖଣ୍ଡିଏ ଇଟା ମାତ୍ର । ଏଭଳି ସୁନାଖଣି ପୃଥିବୀରେ ଏ ପର୍ଯ୍ୟନ୍ତ କେବେ କେଉଁଠି ଆବିଷ୍କୃତ ହୋଇନି । ଭୂତତ୍ତ୍ୱ ବିଜ୍ଞାନରେ ଯେ ଏହା କେବଳ ଏକ ନୂତନ ଆବିଷ୍କାର ହୋଇ ରହିବ, ତା ନୁହେଁ । ଏହି ସୁନାଖଣି ଆବିଷ୍କାର ପଛରେ ଓଡ଼ିଶାରେ ଅପୂର୍ବ ସୌଭାଗ୍ୟ ଯେ ଲୁଚି ରହିଛି, ଏହା ସ୍ୱୀକାର କରିବାକୁ ପଡ଼ିବ ।’’

 

ଭୂତତ୍ତ୍ୱବିତ୍‍ଙ୍କଠାରୁ ସୁନାର ସ୍ତରକଥା ଶୁଣି ଅରୁଣ ଓ ଆଭା ଉଭୟଙ୍କର ଦେହ ଶୀତେଇ ଉଠିଲା । ସୁନା ଯେ କେବେ ବିଶୁଦ୍ଧ ସ୍ତର ଭାବରେ ଖଣିରେ ରହିପାରେ, ଏହା ସେମାନଙ୍କ କଳ୍ପନାର ବାହାରେ ଥିଲା । ତେବେ ଏଭଳି ଏକ ଅଦ୍ଭୁତ ଆବିଷ୍କାରରେ କ’ଣ କରାଯିବ, ଅରୁଣ ହଠାତ୍ ଭାବି କିଛି ଠିକ୍ କରି ପାରିଲେନି ।

 

ଖଣି ମେନେଜର ପଚାରିଲେ, ‘‘ତା’ ହେଲେ ଏହି ଖବରଟାକୁ କ'ଣ ଓଡ଼ିଶା ତଥା ଭାରତ ସରକାରଙ୍କୁ ଜଣାଇ ଦିଆଯିବ?’’

 

କିଛି ସମୟ ଚିନ୍ତାକରି ଅରୁଣ କହିଲେ ‘‘ଭାରତ ସରକାରଙ୍କୁ ବା ଓଡ଼ିଶା ସରକାରଙ୍କୁ ଜଣାଇ ଲାଭ କଅଣ ? ଆମେ ଯେତେବେଳେ ସରକାରଙ୍କଠାରୁ ପଟ୍ଟା ଆଣିଛୁ, ଖଣିରୁ ସୁନା ବାହାରିଲା କି ପଥର ବାହାରିଲା ତାହା ଆମର ଭାଗ୍ୟ । ଭାରତ କିମ୍ବା ଓଡ଼ିଶା ସରକାରଙ୍କର ସେଥିରେ ଯାଏ କେତେ ଆସେ କେତେ ?’’

 

ସେ ଏହି ଉତ୍ତର ଦେଉଥିଲାବେଳେ ହଠାତ୍ ତାଙ୍କ ମନ ଭିତରେ ଉଙ୍କିମାରି ଉଠୁଥିଲା ପିଲାଦିନର ଏକ ସ୍ୱପ୍ନ । ଛାତ୍ରାବସ୍ଥାରେ ସେ ଥରେ ପଢ଼ିଥିଲେ ଯେ, ପୁଞ୍ଜିବାଦର ପ୍ରଧାନ ମେରୁଦଣ୍ଡ ହେଉଛି ଗୋଲ୍‍ଡ଼ଷ୍ଟାଣ୍ଡାର୍ଡ଼ ଓ ସୁନାଦର । ଗୋଲ୍‍ଡ଼ଷ୍ଟାଣ୍ଡାର୍ଡ଼କୁ ଯଦି କୌଣସି ଉପାୟରେ ଧ୍ୱଂସ କରି ଦିଆଯାଏ, ତେବେ ପୁଞ୍ଜିବାଦ ମଧ୍ୟ ମନକୁମନ ଧ୍ୱଂସ ଆଡ଼କୁ ଆଗେଇ ଯିବ । ସେ ଯଦି ଏତେ ବଡ଼ ସୁନା ଭଣ୍ଡାରର ଆଭାସ ପାଇଛନ୍ତି, ତେବେ ସେ ଏହାରି ସାହାଯ୍ୟରେ ପୃଥିବୀର ସୁନା ବଜାର ନିଜ ଅକ୍ତିଆରକୁ ପୁରାପୁରି ଘେନିଆସି ସୁନାଦରକୁ ମନଇଚ୍ଛା ତଳକୁ ଖସାଇଦେଇ ଗେଲ୍‍ଡ଼ଷ୍ଟାଣ୍ଡାର୍ଡ଼ର ଧ୍ୱଂସ ଘଟାଇ ପୁଞ୍ଜିବାଦ ମୂଳରେ କୁଠାରଘାତ ନ କରିବେ କାହିଁକି ? ସୁନାର ଦର କମିଗଲେ ମନକୁମନ ପ୍ରତ୍ୟେକ ଦେଶର ମୁଦ୍ରାର ମୂଲ୍ୟ କମିଯିବ ଓ ଜିନିଷପାତିର ମୂଲ୍ୟ ହଠାତ୍ ତଳକୁ ଖସିଆସିବ । ପୃଥିବୀର ବଜାରରେ ଏହିଭଳି ଦରଦାମରେ ଗୋଳମାଳ ଉପୁଜିଲେ, ପୁଞ୍ଜିବାଦ ଅର୍ଥନୀତିରେ ଏକ ବିରାଟ ସଙ୍କଟ ନିଶ୍ଚୟ ସୃଷ୍ଟି ହେବ ।

 

ଏହିଭଳି ଭାବୁ ଭାବୁ ସେ ହଠାତ୍ ଚମକିପଡ଼ି ମେନେଜରଙ୍କୁ ପଚାରିଲେ, ‘‘ଆମ ହାତରେ ବର୍ତ୍ତମାନ କେତେ ସୁନା ଗଚ୍ଛିତ ଅଛି ମିଷ୍ଟର ଚତୁର୍ବେଦୀ ?’’

 

‘‘ଆଜ୍ଞା, ସାତ ଆଠଶହ କୋଟି ମହଣରୁ କମ୍ ହେବନି ।’’

 

‘‘ଆଁ, ସାତ ଆଠ ଶହ କୋଟି ମହଣ ! ଅରୁଣ ଓ ଆଭାଙ୍କର ଆଖି ଖୋସି ହୋଇଗଲା-। କୌଣସି ଏକ ସୁନା ଖଣିରୁ ଏତେ ଅଳ୍ପ ସମୟ ଭିତରେ ଏତେ ପରିମାଣର ସୁନା ଉତ୍ପାଦିତ ହୋଇପାରିବ, ଅରୁଣ କି ଆଭା କେହି ଧାରଣା କରି ପାରିଲେନି । ପୃଥିବୀର ବୃହତ୍ତମ ଆଫ୍ରିକାର ସୁନାଖଣି ଗୁଡ଼ିକରୁ କେବେ ଯେ ଏତେ ପରିମାଣରେ ସୁନା ଉତ୍ପାଦିତ ହୋଇ ପାରିଥିବ,ସେ ଆଶା କରିବା ବିଡ଼ମ୍ବନା ମାତ୍ର । ଅରୁଣ କିଛି ସମୟ ଚିନ୍ତାକରି କହିଲେ ‘‘ଏହି ଗଚ୍ଛିତ ସୁନାକୁ ଜଗିବା ପାଇଁ ଆମର ପୋଲିସବାହିନୀକୁ ସବଳୀକୃତ କରାଯାଇଛି ତ ? ସେମାନଙ୍କୁ ସବୁ ପ୍ରକାର ଆଧୁନିକ ଧରଣର ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରି ରଖିବା ଦରକାର । ନୋହିଲେ ଏତେ ମୂଲ୍ୟବାନ ଧାତୁକୁ ଜଗିବା ଆମ ପକ୍ଷରେ କଷ୍ଟକର ହୋଇପଡ଼ିବ ।’’

 

ମୁଁ ସେସବୁ ଠିକ୍‍ ନ କରି କ'ଣ ଆଜ୍ଞା ବସିଛି ? ସେ ସମ୍ପର୍କରେ ଆପଣ ଚିନ୍ତା କରନ୍ତୁ ନାହିଁ ସାର୍ ।

 

ହେଉ, ତାହା ହେଲେ ଆପଣମାନେ ରହନ୍ତୁ । ମୁଁ କଲିକତା ଯାଇ ଆମ ଆଇନଜ୍ଞମାନଙ୍କ ସହିତ ପରାମର୍ଶ କରି ଏ ଦିଗରେ ବିହିତ ବ୍ୟବସ୍ଥା କରିବି । ଏହାର ଗୋପନୀୟତା ଯେମିତି କେଉଁଠି ପ୍ରକାଶିତ ନ ହୁଏ, ତୁମ୍ଭେମାନେ ସମସ୍ତେ ସେଥିପ୍ରତି ସଚେତନ ଥିବେ । ଏତକ କହି ସେ ଆଭାକୁ ସଙ୍ଗରେ ଧରି ସେହି ରାତିରେ କଲିକତା ଅଭିମୁଖେ ଫେରି ଆସିଲେ ।

 

ବାଟରେ ଆସୁ ଆସୁ ଆଭାକୁ କହିଲେ ‘‘ଦେଖ ଆଭା,ଆମର ଏହି ଯେଉଁ ବିରାଟ ସୁନାଭଣ୍ଡାର ଆବିଷ୍କୃତ ହୋଇଛି, ତାହା ସାହାଯ୍ୟରେ ମୁଁ କ'ଣ କରିବାକୁ ମନସ୍ଥ କରିଛି ଜାଣ ।’’

 

ସେତେବେଳକୁ ରାତି ଦୁଇଟା, ଆଭା ଆଖିରେ ନିଦ ପୁରାପୁରି ମାଡ଼ିଆସିଲାଣି । ଅରୁଣଙ୍କର ଏଭଳି କଥା ଶୁଣି ଆଭା କିଛି ନ ବୁଝିଲାଭଳି ଅରୁଣଙ୍କୁ କେବଳ ବଲବଲ କରି ଅନାଇ ରହିଲା । ଅରୁଣ ଯେ କ'ଣ କହିବାକୁ ଚାହିଁଛନ୍ତି, ସେ ମୁହୂର୍ତ୍ତକପାଇଁ ଭାବି ପାରିଲାନି ।

 

‘‘ବୁଝିଲ ଆଭା’’, ଅରୁଣ କହି ଚାଲିଲେ ‘‘ମୁଁ ପୃଥିବୀର ସୁନା ଦରକୁ ହଠାତ୍ କମାଇ ଦେଇ ପୃଥିବୀର ପୁଞ୍ଜିବାଦ ଅର୍ଥନୀତିରେ ବିଭ୍ରାଟ ସୃଷ୍ଟିକରି ପୁଞ୍ଜିବାଦକୁ ହରବର କରିବାକୁ ଚାହେଁ-। ବର୍ତ୍ତମାନ ବଜାରରେ ସୁନାଦର ଅଛି ଭରି ଏକଶତ ଟଙ୍କା ହିସାବରେ । ମୁଁ ଯଦି ସୁନାଦର ଭରି ଏକଟଙ୍କାକୁ କମାଇ ଦିଏ,ତେବେ ସାରା ପୃଥିବୀରେ କି ଅବସ୍ଥା ସୃଷ୍ଟି ହେବ ଅନୁମାନ କରି ପାରୁଛ ତ ? ମୋର ଏହି ସୁନାଦର ପାଖରେ ଯୁକ୍ତରାଷ୍ଟ୍ର ଓ ଇଂଲଣ୍ଡର କେଉଁ ପୁଞ୍ଜିପତି ମୁଣ୍ଡଟେକି ପାରିବ ମୁଁ ତାହା ଦେଖିବି ? ମୋର ଏହି ଅସ୍ତ୍ର ସମ୍ମୁଖରେ ପୁଞ୍ଜିବାଦ କିପରି ତରଳି ପାଣିଭଳି ବହି ମାଟିରେ ମିଶିଯିବ, ତାହା ଦେଖି ମୁଁ କମ୍ ଖୁସି ହେବିନି ? ପୁଞ୍ଜିବାଦ ଶବ୍ଦ କିପରି ସାରା ପୃଥିବୀରୁ ଲୋପ ପାଇଯିବ, ତାହା ଦେଖିଲେ କେଉଁ ସମାଜବାଦୀ ସନ୍ତୋଷ ଲାଭ ନ କରିବ, ଆଭା ?’’

 

X X X

 

ଯେଉଁଦିନ ପୃଥିବୀର ବଡ଼ ବଡ଼ ଖବର କାଗଜରେ ଓଡ଼ିଶାର ବିରାଟ ସୁନାଖଣି କଥା ବଡ଼ ବଡ଼ ଅକ୍ଷରରେ ବାହାରି ପଡ଼ିଲା,ସେ ଦିନ ସାରା ପୃଥିବୀରେ ଖେଳିଗଲା ଅପୂର୍ବ ଚାଞ୍ଚଲ୍ୟ । ସୁନା ଯେ କେବେ ବିଶୁଦ୍ଧ ପଥରଖଣ୍ଡ ଭାବରେ ଖଣିରୁ ମିଳିପାରେ, କେହି ଧାରଣା କରି ପାରିଲେନି । ଖଣିରେ ପଥର କୋଇଲା କାଟିଲା ଭଳି ସୁନାକୁ କାଟି ଆହରଣ କରିବା ପୃଥିବୀ ଇତିହାସରେ ସର୍ବପ୍ରଥମ ।

 

ଏହି ଖବର ନେଇ ନିଉୟର୍କ ଟାଇମସର ସଂପାଦକୀୟ ଏହି ଆବିଷ୍କାରକୁ ସ୍ୱାଗତ କରିବା ପରିବର୍ତ୍ତରେ ଏହା ଯେ ପୃଥିବୀ ଅର୍ଥନୀତିରେ ବିଭ୍ରାଟ ସୃଷ୍ଟି କରିବ, କଡ଼ା ମନ୍ତବ୍ୟର ସହିତ ଆଲୋଚନା କରିଥାଏ । ନିଉୟର୍କ ଟାଇମସର ମତ ପୃଥିବୀର ହିତ ଦୃଷ୍ଟିରୁ ଏହି ସୁନାଖଣିକୁ ପୋତି ପକାଇବା ଉଚିତ । ପୃଥିବୀ ପୃଷ୍ଠରେ ଶତ ସହସ୍ର ଉଦଜାନ ବୋମାର ବିସ୍ଫୋରଣ ଠାରୁ ଏହି ଆବିଷ୍କାର ପୃଥିବୀପକ୍ଷରେ ଆହୁରି ଅଧିକ ମାରାତ୍ମକ ହେବ । କାରଣ ଏହି ଖଣିର ସୁନା ଯଦି ବଜାରକୁ ଆସେ, ତେବେ ସୁନା ଭରି ଏକଟଙ୍କାରୁ ଅଧିକ ହେବା ସମ୍ଭବ ନୁହେଁ । ଫଳରେ ପୃଥିବୀର ଅର୍ଥନୀତି ଭାଙ୍ଗିପଡ଼ିବ । ସୁନା ଦର କମି ଆସିଲେ ସବୁ ଜିନିଷପାତିର ଦର ଏମିତି ଭାବରେ କମି ଯିବ ଯେ, କଳକାରଖାନାର ମାଲିକମାନେ ଏତେ କମ୍ ଦରରେ ବଜାରକୁ ଜିନିଷ ଛାଡ଼ିବେନି । କୋଡ଼ିଏ ହଜାର ଟଙ୍କାର ମଟରଗାଡ଼ିର ଦାମ ଯଦି ବଜାରରେ ଦୁଇଶହ ଟଙ୍କା ହୋଇଯିବ, ତେବେ କେଉଁ ମଟରଗାଡ଼ିର ନିର୍ମାତା ଏତେ କମ୍‍ ଦରରେ ବଜାରରେ ନିଜ ମଟରଗାଡ଼ି ବିକ୍ରୟ କରିବାକୁ ଆଗଭର ହୋଇ ବାହାର ଆସିବ କଳାକାରଖାନାରୁ ଉତ୍ପାଦିତ ଜିନିଷପତ୍ରର ଦାମ ଯଦି ସେହି ଅନୁପାତରେ କମିଯିବ, ତେବେ ମିଲ୍ ମାଲିକମାନେ ନିଜ ମାଲ ବଜାରକୁ ନ ପଠାଇ ନିଜ ନିଜ କାରଖାନାକୁ ବନ୍ଦ କରିଦେବାକୁ ବାଧ୍ୟ ହେବେ । ଏହା ଫଳରେ ସାରା ପୃଥିବୀରେ ଉତ୍କଟ ବେକାର ସମସ୍ୟା ଦେଖା ଦେବ । ଖାଦ୍ୟ ପଦାର୍ଥ ମୂଲ୍ୟ ସେହି ଅନୁସାରେ କମିଯିବାରୁ ଜମି ମାଲିକ ତଥା ଚାଷୀମାନେ ଖାଦ୍ୟ ପଦାର୍ଥ ଉତ୍ପାଦନ କରିବେନି, ଫଳରେ ଚାଷୀମାନଙ୍କ ଭିତରେ ବେକାର ସମସ୍ୟା ଦେଖାଦେବ ସାରା ପୃଥିବୀର ସବୁ ପ୍ରକାର ଲୋକଙ୍କ ଭିତରେ ବେକାରୀ ଦେଖାଦେବାରୁ ଲୋକମାନେ ଉପବାସରେ କାଳ କାଟିବେ । ଦେଶରେ ଖାଦ୍ୟ ପଦାର୍ଥ ନ ମିଳିବାରୁ ସାଧାରଣ ଲୋକେ ମଧ୍ୟ ଉପବାସ ରହିବାକୁ ବାଧ୍ୟ ହେବେ-। ଏହି ସବୁ ବେକାରୀ ଓ ଉପବାସର ଫଳ ସ୍ୱରୂପ ପୃଥିବୀରେ ଦେଶ, ଜାତି, ଧର୍ମ ନିର୍ବିଶେଷରେ ଦେଖାଦେବ ବିଦ୍ରୋହ । କୋଟି କୋଟି ସୁଖର ସଂସାର ଏହି ଖାଦ୍ୟାଭାବରୁ ଓ କର୍ମ ସଂସ୍ଥାନ ଅଭାବରୁ ଉଜୁଡ଼ିଯିବ । ଆଜିର ଶହ ଶହ ସୁଖୀର ସଂସାର ଉଜୁଡ଼ିଯାଇ ହାହତାଶପର୍ଣ୍ଣ ଦୁଃଖମୟ ସଂସାରରେ ପରିଣତ ହେବ । ଏହି ପ୍ରଭାବ ପୁଞ୍ଜିବାଦୀ, ସମାଜବାଦୀ ଏପରି କି ସାମ୍ୟବାଦୀ ରାଷ୍ଟ୍ରଗୁଡ଼ିକ ଉପରେ ସମାନ ଭାବରେ ପଡ଼ିବ । କୌଣସି ଆବିଷ୍କାର ଫଳରେ ପୃଥିବୀରେ ଯଦି ଦୁଃଖ, ଯାତନା, ହତାଶଭାବ ଆଦି ଦେଖାଯାଏ,ସେଭଳି ଆବିଷ୍କାରକୁ ତ୍ୟାଗ କରିବା ସର୍ବଥା ବାଞ୍ଚନୀୟ । ଓଡ଼ିଶାର ସେହି ସୁନା ଖଣିର ସୁନା ଯେମିତି ବଜାରକୁ ନ ଆସେ, ସେଥିପାଇଁ ସବୁ ଦେଶ ମିଳିତ ଚେଷ୍ଟା କରିବା ଉଚିତ ।

 

ପୃଥିବୀର ପ୍ରତ୍ୟେକ ରାଜାର ରାଜଧାନୀରେ ଓଡ଼ିଶାର ସୁନାଖଣି ନେଇ ହଇଚଇ ପଡ଼ିଗଲା । ପ୍ରତ୍ୟେକ ରାଜ୍ୟର ସରକାର ଏହି ଖବରରେ ବିଚଳିତ ହେଲା ଭଳି ଜଣାପଡ଼ୁଥାନ୍ତି । କୌଣସି ଦେଶର ସରକାର ଏହି ସୁନାଖଣି ଆବିଷ୍କାରକୁ ସ୍ୱାଗତ କରିବା ତ ଦୂରର କଥା, ଧୁମକେତୁର ସଂକେତ ଭଳି ଭାବି ଏହା ପଛଆଡ଼େ କିଛି ବିପଦ ଲୁଚି ରହିଛି କି କଅଣ,ଜାଣିବାକୁ ବ୍ୟଗ୍ର ହୋଇ ପଡ଼ୁଥାନ୍ତ । ବହୁ ସରକାରଙ୍କର ଭୟ ଯେ ସୁନାଦର ଯଦି ହଠାତ୍ କମି ଆସେ, ଦେଶରେ ଯେଉଁ ପରିସ୍ଥିତି ଦେଖା ଦେବ, ତା’କୁ ଯଦି ସେମାନେ ସମ୍ଭାଳି ନ ପାରନ୍ତି,ତେବେ ସେମାନଙ୍କ ସରକାର ଭାଙ୍ଗିଯିବା ହିଁ ନିଶ୍ଚିତ । ବିଭିନ୍ନ ଦେଶର ଶିଳ୍ପପତିମାନେ ନିଜ ନିଜ ଶିଳ୍ପ କାରଖାନାର ଭବିଷ୍ୟତ ଘେନି ଆତଙ୍କିତ ହୋଇ ପଡ଼ୁଥାନ୍ତି । ଜିନିଷପାତିର ଦର ଯଦି ହଠାତ୍ କମି ଆସେ, ତେବେ ସେମାନଙ୍କ ଜିନିଷପାତି ବଜାରରେ ବିକ୍ରୟ ହେବ କେମିତି ? ଫଳରେ ସେମାନଙ୍କ କଳକାରଖାନା ବନ୍ଦ ହୋଇଯିବାକୁ ବାଧ୍ୟ ହେବ । କଳକାରଖାନା ବନ୍ଦ ହୋଇଗଲେ ସେମାନଙ୍କ ଭବିଷ୍ୟତ କ’ଣ ହେବ ଭାବି ସେମାନେ ଅସ୍ଥିର ହୋଇ ପଡ଼ୁଥାନ୍ତି । ସେମାନେ ଏହି ଆସୁଥିବା ସମସ୍ୟାକୁ କିଭଳି ସମ୍ଭାଳିବେ, ନିଜ ନିଜ ମଧ୍ୟରେ ଥରକୁ ଥର ଆଲୋଚନା କରୁଥାନ୍ତି ।

 

ପୃଥିବୀର ବଡ଼ ବଡ଼ ଅର୍ଥନୀତି ବିଶାରଦମାନେ ଏହି ଖବରରେ ବଡ଼ ବିବ୍ରତ ହୋଇପଡ଼ିଥାନ୍ତି । ଓଡ଼ିଶାର ସୁନା ଯଦି ବଜାରକୁ ଆସେ, ତେବେ ପୃଥିବୀର ବର୍ତ୍ତମାନର ଗୋଲଡ଼୍‍ଷ୍ଟାଣ୍ଡାର୍ଡ଼ ଭାଙ୍ଗି ପଡ଼ିବ କି କଅଣ, ସେମାନେ ଥରକୁ ଥର ନିଜ ନିଜ ଭିତରେ ଆଲୋଚନା ଚଳାଇଥାନ୍ତି ।

 

X X X

 

ଭାରତର ଶିଳ୍ପପତି ଓ ବିଶିଷ୍ଟ ଖଣି ମାଲିକ ଅରୁଣକୁମାର ପଟ୍ଟନାୟକ ପୃଥିବୀର ସବୁ ବଜାରକୁ ସୁନା ଏକଟଙ୍କା ଭରିରେ ଯୋଗାଇବାକୁ ପ୍ରସ୍ତୁତ ବୋଲି ଯେଉଁଦିନ ଘୋଷଣା ପ୍ରକାଶ ପାଇଲା, ସେହିଦିନ କଲିକତା, ବୋମ୍ବେ, ଲଣ୍ଡନ, ପାରିସ୍, ନିଉୟର୍କର ବଜାରରେ ସୁନାଦର ହଠାତ୍ କମି ଆସିଲା ଭରି ଏକଶତ ଟଙ୍କାରୁ ମାତ୍ର ଏକ ଟଙ୍କାକୁ ।

 

ସୁନାଦର ହଠାତ୍ ଏତେ କମିଯିବା ଦେଖି ସାରା ପୃଥିବୀରେ ଚହଳ ପଡ଼ିଗଲା । ପୃଥିବୀର ସବୁ ସୁନାବଜାରକୁ କେହି ସୁନା ବିକିବାକୁ ସାହସକରି ଆସିଲେନି । ଚାହୁଁ ଚାହୁଁ ପୃଥିବୀର ଚାରିଆଡ଼ୁ କୋଟି କୋଟି ଟଙ୍କାର ସୁନା ଅର୍ଡ଼ର ଆସିଗଲା କଲିକତାକୁ । ସୁନାଦର ହଠାତ୍ କମିଯିବାରୁ ସବୁ କୋମ୍ପାନୀର ଅଂଶଗୁଡ଼ିକର ଦର ମଧ୍ୟ କମିଯିବାକୁ ଲାଗିଲା । ଅଂଶ ବିକାକିଣା ବଜାରରେ ଏଭଳି ବିଭ୍ରାଟ ଉପୁଜିବାରୁ ସେଆର ମାର୍କେଟ ବନ୍ଦହେବାକୁ ବାଧ୍ୟ ହେଲା । ସାରା ପୃଥିବୀର ଅର୍ଥନୈତିକ ବଜାରରେ ଏଭଳି ସଂକଟ ଦେଖି ବ୍ୟବସାୟୀମାନେ ଆତକିଂତ ହୋଇପଡ଼ିଲେ । ସୁନା ଦର କମିଯିବାରୁ ପ୍ରତ୍ୟେକ ଦେଶର ପ୍ରଚଳିତ ମୁଦ୍ରାର ମୂଲ୍ୟ ମନକୁ ମନ ତଳକୁ ଖସି ଆସିବାକୁ ବାଧ୍ୟ ହେଲା । ଶିଳ୍ପଜାତ ଓ କୃଷିଜାତ ଦ୍ରବ୍ୟଠାରୁ ଆରମ୍ଭ କରି ସବୁ ଜିନିଷପାତିର ଦର ସୁନା ଅନୁପାତରେ କମିଆସିଲା । ମଟରଗାଡ଼ି ଗୁଡ଼ାକର ଦାମ ଦେଢ଼ଶହ ଟଙ୍କାରୁ ଅଧିକ ହେଲାନି । ବଜାରରେ ଦୁଇତିନି ଟଙ୍କାରେ ରେଡ଼ିଓ ସେଟ୍ ମିଳିବାକୁ ଲାଗିଲା । ଜିନିଷପାତିର ଏଭଳି ମୂଲ୍ୟ ହ୍ରାସ ଦେଖି ପୃଥିବୀର ସବୁ ଷ୍ଟକ-ଏକ୍‍ସଚେଞ୍ଜ ସେଆର ମାର୍କେଟ, ଫଟକା ବଜାର ଆଦି ଧଡ଼ଧାଡ଼ ବନ୍ଦ ହେବାକୁ ବାଧ୍ୟ ହେଲେ । ସାରା ପୃଥିବୀର ଅର୍ଥନୈତିକ ବଜାରରେ ଏହି ଚାଞ୍ଚଲ୍ୟ ଦେଖି ପୁଞ୍ଜିପତିମାନେ ପ୍ରମାଦ ଗଣିବାକୁ ଲାଗିଲେ । ଆମେରିକା, ଇଂଲଣ୍ଡ, ଫ୍ରାନ୍‍ସ ପ୍ରଭୃତି ଦେଶଠାରୁ ଆରମ୍ଭ କରି ଭାରତ, ପାକିସ୍ଥାନ ପର୍ଯ୍ୟନ୍ତ ସବୁ ଦେଶର ପୁଞ୍ଜିପତିମାନେ ସେମାନଙ୍କ କଳକାରଖାନା ଅନିର୍ଦ୍ଧିଷ୍ଟ କାଳପାଇଁ ବନ୍ଦ କରିଦେବାକୁ ବାଧ୍ୟ ହେଲେ-। ଚାହୁଁ ଚାହୁଁ ଦିନ କେଇଟା ଭିତରେ ସାରା ପୃଥିବୀରେ ଅର୍ଥନୈତିକ ଅରାଜକତା ସୃଷ୍ଟି ହୋଇଗଲା ଫଳରେ କୋଟିପତିମାନେ ଦାଣ୍ଡର ଭିକାରୀ ଅବସ୍ଥାକୁ ଚାଲି ଆସିଲେ । ପୃଥିବୀର ଏହି ସଂକଟକୁ କିପରି ସୁଧାରି ହେବ, ସେହି ହେଲା ପ୍ରତ୍ୟେକ ପୁଞ୍ଜିବାଦୀ ଦେଶ ପକ୍ଷରେ ଆଶୁ ସମସ୍ୟା । ଅର୍ଥନୀତି ବିଶାରଦମାନେ ସତର୍କ ବାଣୀ ଶୁଣାଇଦେଲେ ଯେ ସୁନାର ଦର ଯଦି ପୂର୍ବାବସ୍ଥାକୁ ଫେରି ନ ଯାଏ, ତେବେ ଏହି ସଙ୍କଟ ସୁଧୁରିବାର ଆଶା ଖୁବ କମ୍ । ଭାରତ ସରକାର ଯଦି ଏଥିରେ ହସ୍ତକ୍ଷେପ ନ କରନ୍ତି, ତେବେ ପୃଥିବୀର ଏହି ସଙ୍କଟ ଦୂର ହେବା ସମ୍ଭବ ନୁହେଁ ।

 

ବ୍ୟବସାୟ, ଶିଳ୍ପ ଉତ୍ପାଦନ, ଆଦିରେ ଯେଭଳି ଅଚଳ ଅବସ୍ଥା ଉପୁଜିଲା, ତାକୁ କିଭଳି ଭାବରେ ସୁଧୁରା ଯାଇପାରିବ, ତାହା ନିଉୟର୍କସ୍ଥ ମିଳିତ ଜାତିସଂଘରେ ଆଲୋଚନାର ପ୍ରଧାନ ବିଷୟବସ୍ତୁ ହୋଇପଡ଼ିଲା । ନିରାପତ୍ତା କମିଟି ଠାରୁ ଆରମ୍ଭ କରି ଏଫ୍.ଏ.ଓ.,ଇଉନେସ୍କୋ ଆଦି ସବୁ ସଂସ୍ଥାରେ ଏହା ବାରମ୍ବାର ଆଲୋଚିତ ହେବାକୁ ଲାଗିଲା । ନିରାପତ୍ତାପରିଷଦ ଆଣି ଘନ ପୃଥିବୀର ବିଭିନ୍ନ ଦେଶରୁ ବଛା ବଛା ଅର୍ଥନୀତିବିଶାରଦମାନଙ୍କୁ ଡକାଇ ଘନ ଆଲୋଚନା କରିବାକୁ ଲାଗିଲେ । ଏହି ସ୍ଥିତାବସ୍ଥାକୁ ଯଦି କିଛିଦିନ ପାଇଁ ସେମିତି ଛାଡ଼ି ଦିଆଯିବ,ତେବେ ପୃଥିବୀର ବହୁ ରାଜ୍ୟ, ବ୍ୟବସାୟ ଅନୁଷ୍ଠାନ, କଳ କାରଖାନା ଉଜୁଡ଼ିଯିବ ସିନା, କାହାରି କିଛି ଲାଭ ହେବ ନାହିଁ ।

 

ଅର୍ଥନୀତି ବିଶାରଦମାନେ ନିରାପତ୍ତା କମିଟିକୁ ପରାମର୍ଶ ଦେଲେ ଯେ ସୁନାର ପ୍ରଚଳିତ ଦରକୁ କମାଇବାକୁ ଦିଆଗଲେ ଏ ଅବସ୍ଥା ସୁଧୁରିବ ନାହିଁ । ସୁନାର ଦର ବର୍ତ୍ତମାନ ଯାହା ଅଛି, ସେତିକି ରଖିବାକୁ ପଡ଼ିବ । ଓଡ଼ିଶାର ସୁନା ବିକ୍ରୟ ପାଇଁ ଯେମିତି ବଜାରକୁ ନ ଆସେ, ସେଥିପାଇଁ ନିରାପତ୍ତା ପରିଷଦ ଚେଷ୍ଟା କରିବା ଉଚିତ । ଯେହେତୁ ଓଡ଼ିଶାର ସୁନା ଆହରଣରେ ଉତ୍ପାଦନ ଖରଚ କିଛି ନାହିଁ । ଖଣି ମାଲିକମାନେ ଏହି ସୁନାକୁ ଭରି ଏକ ଟଙ୍କା ଦରରେ ବିକିଲେ ବି ସେମାନଙ୍କର ଅଶେଷ ଲାଭ ହେବ । ତେଣୁ କୌଣସି ପ୍ରକାରେ ଭାରତ ସରକାରଙ୍କ ଉପରେ ଯଦି ଚାପ ପକା ନ ଯାଏ ଓ ଓଡ଼ିଶା ସୁନା ବଜାରକୁ ଆସିବା ବାଟ ବନ୍ଦ କରା ନ ଯାଏ, ତେବେ ପୃଥିବୀର ସବୁ ଦେଶ ଉଜୁଡ଼ି ଯିବା ସୁନିଶ୍ଚିତ । ସେକ୍ରେଟେରୀ ଜେନେରେଲ ଅବିଳମ୍ବେ ଭାରତର ରାଜଧାନୀକୁ ଯାଇ ଭାରତ ସରକାରଙ୍କ ସଙ୍ଗେ ଏ ଦିଗରେ ପରାମର୍ଶ କରିବା ଉଚିତ ।

 

ଚାହୁଁ ଚାହୁଁ ପୃଥିବୀର ପ୍ରତ୍ୟେକ ଦେଶରୁ ପ୍ରତିନିଧିମାନେ ଆସି ଭାରତର ରାଜଧାନୀ ଦିଲ୍ଲୀରେ ରୁଣ୍ଡ ହେବାକୁ ଲାଗିଲେ । ନିଉୟର୍କର ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରେଲ ଭାରତ ରାଜଧାନୀ ନିଉଦିଲ୍ଲୀରେ ଆସି ହାଜର । ନ ଆସିବେ ବା କେମିତି? ଏହି ସୁନା ଦରରେ ସାରା ପୃଥିବୀ ଥରହର । ସାରା ପୃଥିବୀ ଭାରତ ତଥା ଓଡ଼ିଶାକୁ ଅନାଇ ବସିଛି । ପୃଥିବୀର ଅର୍ଥନୀତିକୁ ଯଦି ଏଭଳି ସଂକଟ ସମୟରେ ରକ୍ଷା କରା ନ ଯାଏ, ତେବେ ସାରା ପୃଥିବୀର ଅର୍ଥନୀତି-ମେରୁଦଣ୍ଡ ଭାଙ୍ଗିପଡ଼ିବ । ଫଳରେ ପୃଥିବୀର ତଥାକଥିତ ଧନଶାଳୀ ରାଷ୍ଟ୍ରମାନେ ଏକଦିନକେ ଭିକାରୀ ଦେଶରେ ପରିଣତ ହୋଇଯିବେ ।

 

ସୁନା ଦର ନେଇ ପୃଥିବୀରେ ଏହି ଯେଉଁ ବିଭ୍ରାଟ, ସେହି ବିଭ୍ରାଟର ପ୍ରଭାବ ଭାରତରେ ମଧ୍ୟ ପୁରାମାତ୍ରାରେ ପଡ଼ିଥାଏ । ଅନ୍ୟ ଦେଶର ପୁଞ୍ଜିପତିମାନଙ୍କ ଭଳି ଭାରତର ପୁଞ୍ଜିପତିମାନେ ମଧ୍ୟ ମୁଣ୍ଡରେ ହାତ ଦେଇ ବସି ଯାଇଥାନ୍ତି । ବଜାରରେ କୌଣସି ଜିନିଷ ମିଳୁ ନଥାଏ କିଣିବାକୁ । ସୁନା ଦର କମିବା ସଙ୍ଗେ ସଙ୍ଗେ ଟଙ୍କା ମୂଲ୍ୟ କମି ଯିବାର ଆଶଙ୍କା କରି କେହି ଜିନିଷପତ୍ର ବିକାକିଣା କରିବାକୁ ସାହସ କରୁନଥାନ୍ତି । ରିଜର୍ଭ ବ୍ୟାଙ୍କ ସମେତ ଭାରତର ସବୁ ବ୍ୟାଙ୍କ ଦିନ କେଇଟାରେ ଧଡ଼ଧାଡ଼ ବନ୍ଦ ହୋଇଗଲା । ତେଣେ ବାହାର ଦେଶଆଡ଼ୁ ଚାପ, ଏଣେ ଦେଶରେ ସବୁ ବ୍ୟବସାୟ, ବଜାର, ଦୋକାନ ବନ୍ଦ ଓ ଟଙ୍କାର ମୂଲ୍ୟ ହ୍ରାସ ଆଶଙ୍କା କରି ଭାରତ ସରକାର ଏଥିରେ ହସ୍ତକ୍ଷେପ କରିବାକୁ ବାଧ୍ୟ ହେଲେ; କିନ୍ତୁ ଠିକ୍ କେଉଁ ଭାବରେ ବ୍ୟବସ୍ଥା କଲେ ସାରା ପୃଥିବୀର ଏହି ଆର୍ଥିକ ସମସ୍ୟାକୁ ସମ୍ଭାଳି ହେବ ! ଉଚ୍ଚ ଶାସକ ମହଲରେ ଘନ ଘନ ଆଲୋଚନା ଚାଲିଛି ।

 

ସାରା ପୃଥିବୀରେ ସୁନା ଦରର ଗୋଳମାଳ ହେତୁ ଯେତେବେଳେ ଶହ ଶହ ବ୍ୟବସାୟ ଅନୁଷ୍ଠାନ, କଳକାରଖାନା, ଶିଳ୍ପ ସାମ୍ରାଜ୍ୟ, ରାଜ୍ୟ ସରକାରମାନ ଭାଙ୍ଗିଯିବା ଉପରେ ଓ ଦେଶର ଧନୀ, ମାନୀମାନେ ଦାଣ୍ଡର ଭିକାରୀ ହେବା ଅବସ୍ଥାରେ, ସେତେବେଳେ ଅରୁଣକୁମାର ଶିଳ୍ପପତିଙ୍କ ଓଡ଼ିଶା ପାଇଁ ଶିଳ୍ପ ଯୋଜନା ଗଢ଼ିଚାଲିଥାନ୍ତି । ନିଜ ଦେଶରେ ଯେଉଁ ଅପର୍ଯ୍ୟାପ୍ତ ପରିମାଣର ସୁନା ଅଛି, ତା ବିନିମୟରେ ସେ ହଜାର ହଜାର କଳକାରଖାନା ନିଜେ ବସାଇ ପାରିବେ । ନିଜର ଅପର୍ଯ୍ୟାପ୍ତ ଧନରତ୍ନ ଥିଲାବେଳେ ଶିଳ୍ପପତିଙ୍କ ଦାନପତ୍ର ଉପରେ ନିର୍ଭର କରି ଓଡ଼ିଶାକୁ ଶିଳ୍ପସମୃଦ୍ଧ କରିବା ଆଶା ସମ୍ମାନହାନିକର ଛଡ଼ା କ'ଣ ହୋଇପାରେ ? ଶିଳ୍ପପତିଙ୍କ ଯୋଜନାର ଶଏ ଗୁଣ କଳକାରଖାନା ସେ ନିଜ ସମ୍ବଳରେ ଓଡ଼ିଶାରେ ବସାଇ ପାରିଲାବେଳେ ସେ ଭିକାରୀଙ୍କ ଭଳି ଶିଳ୍ପପତିଙ୍କ ଦାନ ଗ୍ରହଣ କରିବେ କାହିଁକି ? ଏଭଳି ସମୟରେ ନିଜର ଅସରନ୍ତି ଧନରତ୍ନ କଥା ଜଣାଇ ଶିଳ୍ପପତିଙ୍କ ଦାନପତ୍ରକୁ ପ୍ରତ୍ୟାଖ୍ୟାନ କରିଦେବା ନିଜପକ୍ଷରେ ସମ୍ମାନଜନକ ହୋଇପାରେ-। ତେବେ ସେଥିପୂର୍ବରୁ ଶିଳ୍ପପତିଙ୍କ ଯୋଜନାର ପୂର୍ବାଭାସକୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରି ଦେଖିନେବା ଦରକାର ।

 

ସେ ପଢ଼ି ଚାଲିଲେ,

 

ଆଜିକାଲି ଯୁଗରେ ଆଲୁମିନିୟମର ଚାହିଦା ଲୁହ ଓ ଇସ୍ପାତର ଠିକ୍ ତଳକୁ । ଏହା ଉଡ଼ାଜାହାଜ ତିଆରିଠାରୁ ଆରମ୍ଭ କରି ମଟର, ରେଡ଼ିଓ ଓ ଅନ୍ୟାନ୍ୟ ବହୁ ଯନ୍ତ୍ରପାତିରେ ବ୍ୟବହୃତ ହୁଏ ଓ କଳାହାଣ୍ଡି ସମ୍ବଲପୁର ଓ କୋରାପୁଟ ଜିଲ୍ଲାରେ ଏହିଭଳି ଏକାଧିକ କାରଖାନା ବସାଯାଇପାରେ ।

 

କୋରାପୁଟର ଏହି କାରଖାନାଠାରେ ଭବିଷ୍ୟତରେ ଏକ ଉଡ଼ାଜାହାଜ ଓ ହେଲିକପ୍‍ଟର ତିଆରି କାରଖାନା ପ୍ରତିଷ୍ଠିତ ହେବା କିଛି ବିଚିତ୍ର ନୁହେଁ । ଉଡ଼ାଜାହାଜ ତିଆରି ପାଇଁ ଅନ୍ୟାନ୍ୟ କଞ୍ଚାମାଲ ଓ ଶସ୍ତା ବିଦ୍ୟୁତ ଶକ୍ତିର ଅଭାବ ଏଠାରେ ହେବ ନାହିଁ ।

 

କେଲସିୟମ କାରବାଇଡ଼ର ଆବଶ୍ୟକତା ଆଧୁନିକ ଯୁଗରେ ନିତାନ୍ତ ଅଧିକ ବୋଲି ଟିକରପଡ଼ା ଓ ନିରାଜଠାରେ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରି ଏହି କାରଖାନା ବସାଯାଇପାରେ । ଓଡ଼ିଶାକୁ ଶିଳ୍ପସମୃଦ୍ଧ କରିବାକୁ ହେଲେ ଟିକରପଡ଼ା, ନରାଜ, ରେଙ୍ଗାଲି, ଭୀମକୁଣ୍ଡ, ବାଲିମେଳା ଇନ୍ଦ୍ରାବତୀ, କୋଲାବ୍ ଆଦି ବିଦ୍ୟୁତ୍ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ । ଏହା ଅନ୍ୟାନ୍ୟ ବହୁ ଶିଳ୍ପ କାରଖାନା ପାଇଁ ସାହାଯ୍ୟକାରୀ ହେବ । ସମ୍ବଲପୁରର ହୀରାକୁଦଠାରେ ଆଲୁମିନିୟମ କାରଖାନା ବ୍ୟତୀତ ଇଲେକ୍‍ଟ୍ରିକ କେବଲ ତିଆରି କାରଖାନା ବସାଯାଇପାରେ । ଏହା ବେଶ୍ ଲାଭଜନକ ହେବ ଓ ଏହାର ଚାହିଦା ବେଶ୍ ଥିବାରୁ ଏଥିରୁ ଅପର୍ଯ୍ୟାପ୍ତ ଲାଭ ହେବ ।

 

ଆଧୁନିକ ସଭ୍ୟ ଜଗତରେ ବିଭିନ୍ନ ପ୍ରକାର ଟାଇଲର ଆବଶ୍ୟକତା ବଢ଼ି ଚାଲିଛି । କି ସହର କି ଗ୍ରାମ, ଚାରିଆଡ଼େ ସମସ୍ତେ ଉନ୍ନତଧରଣର ଘର ତିଆରିର ଉପଯୋଗିତା ଉପଲବ୍‍ଧି କଲେଣି । ଓଡ଼ିଶାର ପୁରପଲ୍ଲୀର ଚାଳଘର ତିଆରି ଅତି ପୁରୁଣା ଧରଣର । ସେଥିରେ ନିଆଁ ପାଣିର ବିପଦ ଅତି ବେଶୀ । ପ୍ରତିବର୍ଷ ଏହାର ପରିବର୍ତ୍ତନ ଖର୍ଚ୍ଚାନ୍ତଜନକ । ତେଣୁ ଆଜିକାଲି ଦୁନିଆରେ ଚାଳଛାତ ପରିବର୍ତ୍ତରେ ଟାଇଲ ଛାତର ଆଦର ବଢ଼ିବା ସ୍ୱାଭାବିକ । କାରଣ ଏହା ପ୍ରଥମରୁ ଅଧିକ ଖର୍ଚ୍ଚାନ୍ତଜନକ ହେଲେ ମଧ୍ୟ ପ୍ରତିବର୍ଷ ଏଥିପାଇଁ ବିଶେଷ ଖର୍ଚ୍ଚାନ୍ତ ହେବାକୁ ପଡ଼େନି-। ପୁଣି ଏଥିରେ ନିଆଁ ପାଣିର ଭୟ ନ ଥାଏ ଓ ଏହି ଛାତ ହେବା ଫଳରେ ପ୍ରତିବର୍ଷ ଯେଉଁ କୁଟା ଓ ଛଣ ବଳିପଡ଼େ, ତାହା ଗୋରୁ ଗାଈଙ୍କର ଖାଦ୍ୟ ଭାବରେ ବ୍ୟବହୃତ ହୋଇପାରେ । ଏହିସବୁ ଦୃଷ୍ଟିରୁ ଓଡ଼ିଶାର ପ୍ରତ୍ୟେକ ପୁରପଲ୍ଲୀରେ ଚାଳଛାତ ପରିବର୍ତ୍ତରେ ଟାଇଲ ଛାତ ହେବା ବାଞ୍ଛନୀୟ । ଏଥିପାଇଁ ଖୁବ୍ ଅଳ୍ପ ଦରରେ ଟାଇଲ ତିଆରି କରି ଲୋକମାନଙ୍କୁ ଯୋଗାଇଦେବା ଉଚିତ ।

 

ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏଇ ଟାଇଲ ତିଆରି ପାଇଁ ଭଲ ମାଟି ଅଛି । ତେଣୁ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ସବଡ଼ିଭିଜନ୍‍ର ପ୍ରଧାନ ସହରରେ ଉପଯୁକ୍ତ ମାଟି ଖୋଜି ଗୋଟିଏ ଗୋଟିଏ କାରଖାନା ବସାଯିବା ଉଚିତ । ତା’ହେଲେ ପୁରପଲ୍ଲୀର ପ୍ରତ୍ୟେକ ଅଞ୍ଚଳର ଲୋକେ ଏହାକୁ ଧୀରେ ଧୀରେ ବ୍ୟବହାର କରିବାର ସୁବିଧା ପାଇବେ । ଓଡ଼ିଶାରେ ଗୋରୁ ଗାଈଙ୍କ ଖାଇବା ପାଇଁ ଯଥେଷ୍ଟ କୁଟା ମିଳୁନଥିବା ସ୍ଥଳେ ଓ ଗୋରୁ ଗାଈଙ୍କ ଖାଦ୍ୟ ଦିନକୁ ଦିନ ଅଭାବ ହେଉଥିବା ସ୍ଥଳେ ଛଣ କୁଟାକୁ ଛାତରେ ପକାଇ ଲୋକସାନ କରିବା ଅପେକ୍ଷା ସେଗୁଡ଼ିକୁ ସୁରକ୍ଷିତ କରି ଛାତକୁ ଟାଇଲ ଦ୍ୱାରା ଛାଇବା ଏକ ବିଜ୍ଞତାର ପରିଚାୟକ । ଏହା ହେଲେ ଗାଉଁଲି ଘରର ରୂପ ପରିବର୍ତ୍ତିତ ହୋଇ ଆଧୁନିକତାର ଆଲୋକ ଗାଁମାନଙ୍କରେ ପଶିପାରିବ ।

 

ଆଜିକାଲି ସବୁ ଦେଶରେ କାଗଜ ଏକ ଅପରିହାର୍ଯ୍ୟ ପଦାର୍ଥ । କାଗଜ ତିଆରି ପାଇଁ ସବୁ ସୁବିଧା ଓଡ଼ିଶାରେ ଅଛି । ଓଡ଼ିଶାର କଟକ ଠାରେ, କୋରାପୁଟ ଜିଲ୍ଲାରେ, ଜୟପୁର ଓ ରାୟଗଡ଼ା ଅଞ୍ଚଳରେ କାଗଜକଳ ବସା ଯାଇପାରେ । ଏହି କାରଖାନାଗୁଡ଼ିକରେ କାଗଜ ଉତ୍ପାଦନ ଦିନକୁ ଅନ୍ତତଃ ୨୦୦ । ୩୦୦ ଟନ ହେବା ଉଚିତ । ଏହା ବ୍ୟତୀତ ଗୋଟିଏ ଖବର କାଗଜ ତିଆରି କାରଖାନା ବାଲିମେଳା ଅଞ୍ଚଳରେ ପ୍ରତିଷ୍ଠା କରାଯାଇପାରେ ।

 

ଓଡ଼ିଶାରେ ରାସାୟନିକ କାରଖାନା ପ୍ରତିଷ୍ଠିତ ହୋଇଗଲେ ବାଉଁଶ ମଣ୍ଡ, କପାତୁଳା, ଛିଣ୍ଡାକନା ଆଦିରୁ କୃତ୍ରିମ ରେଶମ ପ୍ରସ୍ତୁତ କରିବା ସମ୍ଭବପର ହେବ । ପ୍ରତ୍ୟେକ କାଗଜକଳ ନିକଟରେ ଗୋଟିଏ ଗୋଟିଏ କାରଖାନା ବସାଇଲେ ଅଳ୍ପ ଖର୍ଚ୍ଚରେ ଉତ୍ପାଦନ ହୋଇପାରିବ । ଏହି କୃତ୍ରିମ ରେଶମର ଚାହିଦା ଆଜିକାଲି ବଜାରରେ ବେଶି ଥିବାରୁ ଏହା ଏକ ଲାଭଜନକ ବ୍ୟବସାୟ ହେବ ।

 

ଓଡ଼ିଶାରେ ଉତ୍ପାଦନ ତୁଳନାରେ ଚିନିର ଖର୍ଚ୍ଚ ଅତି ବେଶି । ଓଡ଼ିଶା ପ୍ରତିବର୍ଷ ୩୦୦,୦୦୦ ମହଣ ଚିନି ଓ ୧୦୦,୦୦୦ ମହଣ ଗୁଡ଼ ବାହାରୁ ଅମଦାନୀ କରେ । ଓଡ଼ିଶାରେ ଆବଶ୍ୟକ ମୁତାବକ ଚିନି ଉତ୍ପାଦନ କରିବାକୁ ହେଲେ, ଆଖୁଚାଷର ପରିମାଣ ଅନ୍ତତଃ ଚାରିଗୁଣ ବଢ଼ାଇବା ଉଚିତ ଓ ସେଥିପାଇଁ ଓଡ଼ିଶାରେ ବର୍ତ୍ତମାନ ଚାଷ ହେଉଥିବା ୪୦,୦୦୦ ଏକର ସ୍ଥାନରେ ଏହାର ଚାରିଗୁଣ ଜମି ଚାଷ ହେବା ବାଞ୍ଚନୀୟ । ତା’ ନ ହେଲେ ଓଡ଼ିଶାକୁ ସବୁଦିନ ପାଇଁ ଅନ୍ୟ ପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ିବ ।

 

ସୁଖର କଥା ଓଡ଼ିଶାରେ ଏହି ଆଖୁଚାଷ ଅଧିକ ପ୍ରସାରଲାଭ କରୁଛି । ଓଡ଼ିଶାର ଚିନି ଉତ୍ପାଦନ ବଢ଼ାଇବାକୁ ହେଲେ ପାରଳାଖେମୁଣ୍ଡି ନିକଟବର୍ତ୍ତୀ ଗୁଣପୁର ଅଞ୍ଚଳରେ ଗୋଟିଏ ଚିନି କଳ ବସାଯାଇ ପାରେ । ଓଡ଼ିଶାର ଆଖୁଚାଷ ଯଦି ବଢ଼ାଯାଏ,ତେବେ ଉପକୂଳ ଅଞ୍ଚଳରେ ବିଶେଷତଃ କଟକ ଓ ବାଲେଶ୍ୱର ଜିଲ୍ଲାରେ ଆଉ ଗୋଟିଏ ଗୋଟିଏ ଚିନି କାରଖାନା ବସାଇବାକୁ ପଡ଼ିବ । ଏହି କାରଖାନା ଦ୍ୱୟ ଉପକୂଳ ଅଞ୍ଚଳର ଆଖୁକୁ ବ୍ୟବହାର କରି ବେଶ୍ ଚାଲି ପାରିବ ।

 

ଚିନି କାରଖାନା ଉପରେ ନିର୍ଭର କରି ଆଉ ଏକ କାରଖାନା ବସିପାରେ, ତାହା ହେଉଛି ସୁରାସାର ବା ଇଥାଇଲ ଆଲ୍‍କୋହଲ କାରଖାନା ।

 

ଏହି ସୁରସାରରୁ ବହୁ ପ୍ରକାର ଔଷଧ, ସ୍ପିରିଟ୍, ବାର୍ଣ୍ଣିସ, ରଙ୍ଗ, ସଂଜ୍ଞାପହାରକ ପ୍ରଭୃତି ଅସଂଖ୍ୟ ପଦାର୍ଥ ତିଆରି ହୁଏ । ପେଟ୍ରୋଲ ପରିବର୍ତ୍ତରେ ଏହି ସୁରାସାର ସାହାଯ୍ୟରେ ମଟରଗାଡ଼ି ମଧ୍ୟ ଚାଲିପାରେ । ଏହା ଖୁବ୍ ଶସ୍ତା ଭାବରେ ତିଆରି ହୋଇ ପାରିଲେ ପେଟ୍ରୋଲ ଉପରେ ନିର୍ଭର ନ କରି ଏହି ସୁରାସାର ସାହାଯ୍ୟରେ ଓଡ଼ିଶାର ମଟରଗାଡ଼ି ଆଦି ଚଳାଇ ହେବ ।

 

ସୁରାସାର କଳାଗୁଡ଼ ବ୍ୟତୀତ ମହୁଆ ଫୁଲରୁ ମଧ୍ୟ ତିଆରି କରାଯାଇପାରେ । ଓଡ଼ିଶାର ଗଡ଼ଜାତ ଜିଲ୍ଲାମାନଙ୍କରେ ବହୁପରିମାଣରେ ମହୁଆ ଫୁଲ ହୁଏ ।

 

ଆଜିକାଲି ଅଗର ଅଗର ଏକ ଅତ୍ୟାବଶ୍ୟକୀୟ ପଦାର୍ଥ ହୋଇପଡ଼ିଛି । ବିଭିନ୍ନ ଗବେଷଣାଗାରଠାରୁ ଆରମ୍ଭ କରି ଆଇସ୍‍କ୍ରିମ ପର୍ଯ୍ୟନ୍ତ ବିଭିନ୍ନ ପଦାର୍ଥରେ ଏହା ବ୍ୟବହୃତ ହୁଏ । ଓଡ଼ିଶାରେ ଅଗର ଅଗର ତିଆରି ହେବାର କୌଣସି କାରଖାନା ନାହିଁ । ଓଡ଼ିଶାର ଚିଲିକା ହ୍ରଦରେ ଯେଉଁ ଜଳଜ ଉଦ୍ଭିଦ ହୁଏ, ସେଥିରୁ ଯଥେଷ୍ଟ ପରିମାଣରେ ଅଗର ଅଗର ବାହାର କରାଯାଇପାରିବ । ତେଣୁ ଅଗର ଅଗର ତିଆରି ପାଇଁ ଚିଲିକାରେ ଏହି ଜଳଜ ଉଦ୍ଭିଦର ବହୁଳ ଚାଷ ଓ ସେଥି ସଙ୍ଗେ ସଙ୍ଗେ ଉପକୂଳରେ ଗୋଟିଏ କାରଖାନା ବସା ହେବା ଉଚିତ କିମ୍ବା ସେଗୁଡ଼ିକୁ ନିକଟସ୍ଥ ଫାର୍ମାସିଉଟିକ୍ୟାଲ କାରଖାନାକୁ ପଠାଇ ସେଥିରୁ ଅଗର ଅଗର ବାହାର କରାଯିବା ଦରକାର ।

 

Unknown

ଏତଦ୍‍ବ୍ୟତୀତ ଓଡ଼ିଶାର ସମୁଦ୍ର ଉପକୂଳ ଓ ଚିଲିକାରେ ଯେଉଁସବୁ ମଗର ଆଦି ମାଛ ମିଳେ, ସେଥିରୁ ଯଥେଷ୍ଟ ପରିମାଣରେ ଜୀବସାର 'କ' ଓ 'ଘ' ତିଆରି କରାଯାଇପାରିବ ।

 

ଓଡ଼ିଶାରେ ମିଳୁଥିବା ପ୍ରାକୃତିକ ନମନୀୟ ପଦାର୍ଥ ଭିତରୁ ଲାଖ ଗୋଟିଏ । ଏହା ଏକ ପ୍ରକାର ପୋକ ଦ୍ୱାରା ତିଆରି ହୁଏ । ଏହି ପୋକମାନେ ପଳାଶ, କୁସୁମ, ଖଇର ଆଦି ଗଛରେ ବାସ କରନ୍ତି । ଓଡ଼ିଶାରେ ପାର୍ବତୀୟ ଜିଲ୍ଲାମାନଙ୍କରେ ଏହି ଲାଖ ଅପର୍ଯ୍ୟାପ୍ତ ପରିମାଣରେ ମିଳେ-। ଲାଖରୁ ବହୁ ପଦାର୍ଥ ତିଆରି ହୁଏ । ଗ୍ରାମଫୋନ ରେକର୍ଡ଼ ତିଆରି ଓ ନାନାପ୍ରକାର ପ୍ଳାସଟିକସ୍ ଖେଳନା ତିଆରିରେ ଏହା ଅତି ଦରକାରୀ । ଦୁଇ ଚାରୋଟି ଜିଲ୍ଲାପାଇଁ ଗୋଟିଏ ଗୋଟିଏ ଲାଖ କାରଖାନା ବସାଇ ସେଥିରେ ଲାଖ ଓ ଲାଖରୁ ଜାତ ନାନା ପଦାର୍ଥ ତିଆରି କରିବା ଉଚିତ । ଆଜିକାଲି ଏହି ଲାଖ ତିଆରି କେତେକ ସ୍ଥାନରେ କୁଟୀରଶିଳ୍ପ ଭାବରେ କରାଯାଉଥିଲେହେଁ ଆଧୁନିକ ଧରଣର ଲାଖ କାରଖାନାର ଆବଶ୍ୟକତା ଅତି ବେଶି ।

 

ଓଡ଼ିଶାର ପୁର୍ବ ଉପକୂଳରେ ଯେଉଁ ବିରାଟ ସମୁଦ୍ର ରହିଛି, ସେହି ସମୁଦ୍ର ଜଳରୁ ଲୁଣ ଆହରଣ ବ୍ୟତୀତ ନାନାପ୍ରକାର ରାସାୟନିକ ପଦାର୍ଥ ଉତ୍ପାଦନ କରାଯାଇପାରେ । ଏହି ରାସାୟନିକ କାରଖାନାରୁ ସୋଡ଼ିୟମ ହାଇଡ଼୍ରକ୍‍ସାଇଡ଼୍ ବ୍ୟତୀତ ଲୁଗାଧୁଆ ସୋଡ଼ା, କ୍ଳୋରିନ ଗ୍ୟାସ ଓ ଜଳ, ବ୍ଲିଚିଂ ପାଉଡ଼ର, ମେଗନିସିୟମ କ୍ଲୋରାଇଡ଼ ଆଦି ବହୁ ରାସାୟନିକ ପଦାର୍ଥ ପ୍ରସ୍ତୁତ କରାଯାଇପାରେ । ଗଞ୍ଜାମ ଜିଲ୍ଲାରେ ସୁମାଣ୍ଡି ଓ ଅନ୍ୟାନ୍ୟ ସ୍ଥାନରେ ଏହିଭଳି କାରଖାନା ବସା ଯାଇପାରେ । ଡୁଡ଼ୁମା, ବାଲିମେଳାର ବିଦ୍ୟୁତ୍‍ଶକ୍ତି ଏଥିପାଇଁ ବ୍ୟବହୃତ ହୋଇପାରେ । କଟକ ଜିଲ୍ଲାରେ ଯଦି ଗୋଟିଏ କାରଖାନା ପାରାଦ୍ୱୀପଠାରେ ବସେ, ତେବେ ତାଳଚେରର ତାପ ବିଦ୍ୟୁତ୍ ଏଥିପାଇଁ ବ୍ୟବହୃତ ହୋଇପାରେ ।

 

ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଯେଉଁ ଖଣିଜ ମାଙ୍ଗାନିଜ ଓ ଖଣିଜ କ୍ରୋମାଇଟ୍ ଅଛି, ସେଗୁଡିକୁ ବ୍ୟବହାର କରି ଡାଇକ୍ରୋମେଟ, କ୍ରୋମିକ ଆସିଡ଼, ପରମାଙ୍ଗାନେଟ ପ୍ରଭୃତି ଅତି ପ୍ରୟୋଜନୀୟ ରାସାୟନିକ ପଦାର୍ଥ ତିଆରି ହୋଇପାରେ । ନିକେଲିଂ କାରାଖାନାମାନଙ୍କରେ କ୍ରୋମିକ ଆସିଡ଼ ଓ ଡାଇକ୍ରୋମେଟର ଆବଶ୍ୟକତା ଅତି ବେଶୀ । ଏହା ମଧ୍ୟ ଚମଡ଼ା କଷାଇବାରେ ଦରକାର ହୁଏ ।

 

ଫିଟିକିରି ଏକ ଅତ୍ୟାବଶ୍ୟକୀୟ ପଦାର୍ଥ । ଏହା ବକ୍‍ସାଇଟରୁ ତିଆରି ହୁଏ । ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ଉନ୍ନତ ଧରଣର ବକ୍‍ସାଇଟ୍ ଖଣି ଅଛି,ସେଥିରୁ ଯଥେଷ୍ଟ ଫିଟିକିରି ତିଆରି ହୋଇପାରିବ ।

 

ଏତଦ୍‍ବ୍ୟତୀତ ଶହଶହ ପ୍ରକାର ଉଦ୍ଭିଦ ଓଡ଼ିଶାର ବଣ ଜଙ୍ଗଲରେ ପୂରି ରହିଅଛି, ଯେଉଁଥିରୁ ନାନାପ୍ରକାର ଔଷଧ ଓ ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ତିଆରି ହୋଇପାରିବ । ଝୁଣା ଏକ ବନ୍ୟଜାତ ପଦାର୍ଥ ଭାବରେ ଓଡ଼ିଶାରେ ପ୍ରଚୁର ପରିମାଣରେ ମିଳେ । ଏଥିରୁ ଯଥେଷ୍ଟ ପରିମାଣରେ ଚୁଆ ତେଲ ତିଆରି କରାଯାଇପାରେ । ଏହିଭଳି ଭାବରେ ଦେଖିବାକୁ ଓଡ଼ିଶାରେ ଗୋଟିଏ ଫାର୍ମ୍ମାସିଉଟିକ୍ୟାଲ କାରଖାନା ବସାଗଲେ କାରଖାନାକୁ କଞ୍ଚା ମାଲ ଯୋଗାଇବାପାଇଁ ଓଡ଼ିଶାର ଯଥେଷ୍ଟ ସମ୍ବଳ ଅଛି ଓ ଏହି କାରଖାନା ରାସାୟନିକ କାରଖାନା ପାଖରେ ବସାଗଲେ ଉତ୍ପାଦନ ଦୃଷ୍ଟିରୁ ଅତ୍ୟଧିକ ସୁବିଧା ହେବ ବୋଲି ଆଶା ।

 

ଆଜିକାଲି ଫାର୍ମାସିଉଟିକ୍ୟାଲ ଓ ଜୈବରସାୟନ କାରଖାନାରେ ହଜାର ହଜାର ପ୍ରକାରର ରାସାୟନିକ ଦ୍ରବ୍ୟ ତିଆରି ହୁଏ । ଏହି ରାସାୟନିକ ଦ୍ରବ୍ୟଗୁଡ଼ିକ ଅସଂଖ୍ୟ ପ୍ରକାର ଆବଶ୍ୟକୀୟ ଜିନିଷପାତି ତିଆରିରେ ଲାଗେ । ଭାରତରେ ଏହିଭଳି କେତେଗୁଡ଼ିଏ କେମିକ୍ୟାଲ ଓ ଫାର୍ମ୍ମାସିଉଟିକ୍ୟାଲ କାରଖାନା ଥିଲେ ମଧ୍ୟ ବହୁ ପଦାର୍ଥ ବିଦେଶରୁ ଆମଦାନୀ କରାଯାଏ । ଓଡ଼ିଶାରେ କୃଷିଜାତ ଓ ବନ୍ୟଜାତ ପଦାର୍ଥ ଓ ପଥର କୋଇଲା ଆଦି କଞ୍ଚାମାଲ ଏତେ ପରିମାଣରେ ମିଳେ ଯେ, ଏଠାରେ ଅକ୍ଳେଶରେ ଗୋଟିଏ ଦୁଇଟି କେମିକ୍ୟାଲ ଓ ଫାର୍ମ୍ମାସିଉଟିକ୍ୟାଲ କାରଖାନା ପ୍ରତିଷ୍ଠା ହେବ ।

 

ପ୍ରଥମତଃ ଓଡ଼ିଶାର ବଣରେ ବହୁ ପ୍ରକାର କାଠ ମିଳେ, ଯେଉଁ କାଠକୁ ଅନ୍ତର୍ଧୁମପାତନ କଲେ ବହୁ ରାସାୟନିକ ପଦାର୍ଥ ମିଳିପାରେ । ସେହିସବୁ ରାସାୟନିକ ପଦାର୍ଥ ମଧ୍ୟରେ ମିଥାଇଲ ଆଲକୋହଲ, ଆସିଟିକ ଆସିଡ଼୍ ଓ ଏସିଟୋନ ଆଦି ପଦାର୍ଥ ପ୍ରଧାନ । ଏଥି ସହିତ କାଠ କୋଇଲା ଉପଜାତ ପଦାର୍ଥ ଭାବରେ ମିଳେ ।

 

ଆଧୁନିକ ପ୍ରାକୃତିକ ପଦାର୍ଥ ମଧ୍ୟରେ କୋଇଲାର ସ୍ଥାନ ସବୁଠାରୁ ଉଚ୍ଚରେ । ଏହା ଅତ୍ୟାବଶ୍ୟକୀୟ ପଦାର୍ଥ ଆଲକାତରା, କୋଲଗ୍ୟାସ ଓ ଜାଳେଣି କୋକ୍ ଯୋଗାଇଥାଏ । ଏହି ଆଲକାତରାରୁ ହଜାର ହଜାର ପ୍ରକାର ରଙ୍ଗ, ଔଷଧ, ବିସ୍ଫୋରକ ଆଦି ତିଆରି ହୁଏ । କୋଇଲାରୁ ଅନ୍ତର୍ଧୁମପାତନ ଦ୍ୱାରା ଆଲକାତରା ମିଳେ । ଓଡ଼ିଶାର ହିମଗିରି-ରାମପୁର ଅଞ୍ଚଳରେ ଯେଉଁ କୋଇଲା ମିଳେ, ତାହା ବିଟୁମେନ୍ ଶ୍ରେଣୀର ହୋଇଥିବାରୁ ସେଥିରେ ଉଦ୍‍ବାୟୀ ଅଂଶ ଯଥେଷ୍ଟ ପରିମାଣରେ ଥାଏ । ଫଳରେ ସେଥିରୁ ବେଶୀ ପରିମାଣରେ ଆଲକାତରା ତିଆରି ହୋଇପାରେ । ତେଣୁ ଓଡ଼ିଶାର କୋଇଲାକୁ ସିଧାସଳଖ ନ ଜାଳି ଏହାକୁ ଅନ୍ତର୍ଧୁମପାତନ କରି ସେଥିରୁ ଉଦ୍‍ବାୟୀ ଅଂଶତକ କାଢ଼ିନେଇ କୋକ୍‍ରେ ପରିଣତ କରି ସେହି କୋକ୍‍କୁ ଜାଳିବା ପାଇଁ ବ୍ୟବହାର କଲେ ଭଲ ହୁଅନ୍ତା । ତାଳଚେର ଓ ରାମପୁରର କୋଇଲାକୁ ଯେଭଳି ଭାବରେ ରେଳଗାଡ଼ି, ବାଷ୍ପୀୟ ଇଞ୍ଜିନ ଓ ଇଟାପୋଡ଼ା ଚୁଲୀରେ ଜାଳି ଦିଆଯାଉଛି, ତାଦ୍ୱାରା ଜାତୀୟ ଅର୍ଥର ଅପବ୍ୟୟ ଛଡ଼ା ଆଉ କିଛି ହେଉନି କହିଲେ ଅତ୍ୟୁକ୍ତି ହେବନି । ସେହିସବୁ କୋଇଲାକୁ ନ ଜାଳି ଯଦି ଅନ୍ତଧୁର୍ମପାତନ କରାଯାଏ, ତେବେ କୋଟି କୋଟି ଟଙ୍କାର ରାସାୟନିକ ପଦାର୍ଥ ମିଳିପାରନ୍ତା । କୋଇଲାକୁ ଅନ୍ତର୍ଧୁମପାତନ କରିବାପାଇଁ ତାଳଚେର ଓ ରାମପୁର କୋଇଲା ଖଣିଠାରେ ଦୁଇଟି ଆଲକାତରା ଓ କୋକ୍ କାରଖାନା ବସାହେବା ଉଚିତ । ଏହି ଆଲକାତରା କାରଖାନାରୁ ଯେଉଁ ଆଲକାତରା ଓ ଅନ୍ୟାନ୍ୟ ଶହ ଶହ ଜିନିଷ ମିଳିବ, ସେଗୁଡ଼ିକୁ ବ୍ୟବହାର କରି ଫାର୍ମାସିଉଟିକ୍ୟାଲ ଓ ରାସାୟନିକ କାରଖାନାରେ ଶହ ଶହ ପ୍ରକାର ଔଷଧ, ରଙ୍ଗ, ବିସ୍ଫୋରକ, ଚିତ୍ର ପରିସ୍ଫୁଟ ଆଦି ପ୍ରସ୍ତୁତ କରି ଯଥେଷ୍ଟ ଅର୍ଥ ଉପାର୍ଜନ କରିହେବ ।

 

କୁଇନାଇନ, ପାତାଳଗରୁଡ଼, ନକ୍‍ସଭମିକା ପ୍ରଭୃତି ବହୁ ମୂଲ୍ୟବାନ ଉପକ୍ଷାର ଥିବା ଉଦ୍ଭିଦ ଓଡ଼ିଶାର ବଣ, ପାହାଡ଼ରୁ ଯଥେଷ୍ଟ ପରିମାଣରେ ମିଳିପାରିବ । କୋରାପୁଟ ଜିଲ୍ଲାର ଜୟପୁର ଅଞ୍ଚଳରେ ସିନାକୋନା ଚାଷ କରାଯାଇପାରେ । ଏହି ଚାଷକୁ ଆହୁରି ବହୁଳ ଭାବରେ କରାଗଲେ ଓଡ଼ିଶାର କୁଇନାଇନ ଚାହିଦା ମେଣ୍ଟାଇ ହେବ ଓ ଏହି ସିନକୋନାରୁ ଓଡ଼ିଶାର ଫାର୍ମାସିଉଟକ୍ୟାଲ କାରଖାନାରେ କୁଇନାଇନ ତିଆରି କରି ହେବ । ସେହିଭଳି କୋଚିଳାରୁ ଷ୍ଟ୍ରୀଚ୍‍ନିନ୍ ଯଥେଷ୍ଟ ପରିମାଣରେ ଉତ୍ପାଦନ କରି ହେବ । ହରିଡ଼ାରୁ ଟେନିକ୍ ଆସିଡ଼୍ ଅପର୍ଯ୍ୟନ୍ତ ପରିମାଣରେ ମିଳିପାରିବ ଓ ଏହି ଆସିଡ଼ରୁ ଉତ୍କୃଷ୍ଟ ଧରଣର କାଳି ତିଆରି କରି ହେବ ଓ ଚମଡ଼ା କଷା ଯାଇପାରିବ ।

 

ଓଡ଼ିଶା ଏକ କୃଷିପ୍ରଧାନ ଦେଶ । ଏଠାରେ ଲକ୍ଷ ଲକ୍ଷ ଲୋକ କୃଷି ଉପରେ ହିଁ ନିର୍ଭର କରନ୍ତି । କୃଷି ଉତ୍ପାଦନ ଯଦି ଭଲ ହୁଏ, ତେବେ କୃଷକର ଅବସ୍ଥା ଭଲ ହୁଏ । ଫଳରେ ଦେଶର ଅର୍ଥନୈତିକ ସଂସ୍ଥା ଉନ୍ନତି ଲାଭ କରେ । ଉନ୍ନତ କୃଷି ଓ ଅଧିକ ଉତ୍ପାଦନ ପାଇଁ ସାର ଏକ ପ୍ରଧାନ ଜିନିଷ । ଓଡ଼ିଶାର କୃଷିରେ ଯଥେଷ୍ଟ ପରିମାଣରେ ସାର ବ୍ୟବହୃତ ହେଉ ନ ଥିବାରୁ ସେଠାକାର କୃଷି ଅତି ନିକୃଷ୍ଟ ଧରଣର ଓ ସେଠାକାର ଉତ୍ପାଦନ ମଧ୍ୟ ଖୁବ୍ କମ୍ । ବିଭିନ୍ନ ପ୍ରକାର ସାର ଭିତରୁ କୃତ୍ରିମ ସାର କୃଷି ପାଇଁ ଖୁବ୍ ଉପଯୋଗୀ ଓ ଏହା କାରଖାନାମାନଙ୍କରେ ପ୍ରସ୍ତୁତ ହୋଇପାରେ । କୃତ୍ରିମ ସାର ମଧ୍ୟରେ ଏମୋନିୟମ୍ ସଲଫେଟ, ଏମୋନିୟମ ନାଇଟ୍ରେଟ, ଇଉରିଆ ସିଆନାମାଇଡ଼୍, ସୁପର ଫସଫେଟ ଅଫ୍ ଲାଇମ ଆଦି ପ୍ରଧାନ । ଓଡ଼ିଶାର ଜମିପାଇଁ ବର୍ଷକୁ ହାରାହାରି ଏକକୋଟି ମହଣ ପର୍ଯ୍ୟନ୍ତ କୃତିମ ସାର ପ୍ରୟୋଜନ ।

 

ଓଡ଼ିଶାରେ ଆମୋନିୟମ ସଲଫେଟ୍ ଦୁଇଗୋଟି ଉପାୟରେ ତିଆରି କରାଯାଇପାରେ-। କୋଇଲାକୁ ଅନ୍ତର୍ଧୁମପାତନ କଲେ ଯେଉଁ ଆମୋନିଆ ଉପଜାତ ଦ୍ରବ୍ୟ ଭାବରେ ମିଳେ, ତାହା ସହିତ ଗନ୍ଧକାମ୍ଳକୁ ଯୋଗ କରାଇ ଏହା ତିଆରି କରାଯାଇପାରେ । ପୁନଶ୍ଚ ଆକାଶର ନାଇଟ୍ରୋଜେନ ଗ୍ୟାସକୁ ଜଳରେ ଥିବା ଉଦ୍‍ଜାନ ସହିତ ରାସାୟନିକ ଉପାୟରେ ସଂଯୋଗ କରାଇ ଏହାକୁ ଆମୋନିଆରେ ପରିଣତ କରି ସେଥିରୁ ଆମୋନିୟମ ସଲଫେଟ ବା ନାଇଟ୍ରେଟ ତିଆରି କରାଯାଇପାରେ ।

 

ଏଥିପାଇଁ ରାମପୁର ଓ ତାଳଚେର ଅଞ୍ଚଳରେ ଓ ବିଭିନ୍ନ ଲୁହା କାରଖାନାରେ କୋଇଲାକୁ ଅନ୍ତର୍ଧୁମପାତନ କଲାବେଳେ ଯେଉଁ ଆମୋନିଆ ଗ୍ୟାସ ମିଳେ, ତାହାକୁ ଆମୋନିୟମ ସଲଫେଟରେ ପରିଣତ କରିବାପାଇଁ ଗୋଟିଏ ଗୋଟିଏ କାରଖାନା ବସାଯାଇପାରେ ।

 

ଶସ୍ତା ବିଦ୍ୟୁତ୍ ଶକ୍ତି ହେତୁ ହୀରାକୁଦ ଅଞ୍ଚଳରେ ବା ଉପକୂଳ ଅଞ୍ଚଳରେ ସିନ୍ଦ୍ରି କାରଖାନା ଅନୁକରଣରେ ଗୋଟିଏ ସାଂଶ୍ଳେଷିକ ଆମୋନିୟମ ସଲଫେଟ୍ କାରଖାନା ବସାଯାଇ ପାରେ । ଏଥିପାଇଁ ଯେଉଁ ଶସ୍ତା ବିଦ୍ୟୁତ୍‍ଶକ୍ତି, ଉଦ୍‍ଜାନ, ନାଇଟ୍ରୋଜେନ, ଗନ୍ଧକାମ୍ଳ ବା ଜିପସମ୍, ଚୂନପଥର ଆଦି ଦରକାର ତାହା ହୀରାକୁଦ ବା ତାଳଚେର ଅଞ୍ଚଳରେ ମିଳେ ।

 

ଫସ୍‍ଫେଟ୍ ସାରକୁ ଧାନ ଜମିରେ ଦେଲେ ଧାନ ବେଶି ଫଳେ । ଓଡ଼ିଶାରେ ଏହି ଜାତୀୟ ସାରର ଆବଶ୍ୟକତା ଅତି ବେଶି । ଏହି ସାର ସାଧାରଣତଃ ଫସ୍‍ଫେଟ୍ ଖଣିଜରୁ ତିଆରି ହୁଏ । ଓଡ଼ିଶାରେ ଏହି ଖଣିଜ ଅଛି କି କଣ, ଭଲ ଭାବରେ ପରୀକ୍ଷା କରି ଦେଖାଯାଇନି । ସେପରି ଖଣିଜ ଯଦି କେଉଁଠାରେ ଥାଏ, ତେବେ ଅକ୍ଳେଶରେ ଗୋଟିଏ କାରଖାନା ବସାଇହେବ ।

 

ଓଡ଼ିଶାରୁ ପ୍ରତିବର୍ଷ ୬୦,୦୦୦ ମହଣ ବିଭିନ୍ନ ପ୍ରକାର ହାଡ଼ ବଣ ଜଙ୍ଗଲରୁ ସଂଗୃହୀତ ହୋଇ ଓଡ଼ିଶା ବାହାରକୁ ରପ୍ତାନୀ ହୁଏ । ଏହି ହାଡ଼କୁ ଗୁଣ୍ଡକରି ଅଥବା ଏହାକୁ ଡବଲ ଫସ୍‍ଫେଟ୍ ସାରରେ ପରିଣତ କରି ଜମିର ଫସ୍‍ଫରସ୍ ଅଭାବ ମେଣ୍ଟାଯାଇ ପାରେ । ତେଣୁ ଏହି ହାଡ଼କୁ ବ୍ୟବହାର କରିବାପାଇଁ ଓଡ଼ିଶାର ଉପକୂଳରେ ଗୋଟିଏ କାରଖାନା ବସାଇବା ଉଚିତ ।

 

ଓଡ଼ିଶା ଯଦିଚ ପ୍ରତିବର୍ଷ ଆଠଲକ୍ଷ ମହଣ ଝୋଟ କଲିକତାକୁ ରପ୍ତାନୀ କରେ, ତଥାପି ଓଡ଼ିଶାରେ ଗୋଟିଏ ଝୋଟକଳ ନ ଥିବା କମ୍ ବଡ଼ କ୍ଷୋଭର ବିଷୟ ନୁହେଁ । ଗୋଟିଏ ସାଧାରଣ ଝୋଟକଳ ବର୍ଷକୁ ହାରାହାରି ୧,୫୦,୦୦୦ ମହଣ ପର୍ଯ୍ୟନ୍ତ ଝୋଟ ଦରକାର କରେ । ତେଣୁ ସେହି ଦୃଷ୍ଟିରୁ ଦେଖିଲେ ଓଡ଼ିଶା ଅନ୍ତତଃ ଚାରି ପାଞ୍ଚଗୋଟି ଝୋଟକଳକୁ ଚଳାଇପାରିବ । କଞ୍ଚାମାଲ ବ୍ୟତୀତ ଓଡ଼ିଶାରେ ଯଥେଷ୍ଟ କୋଇଲା ଓ ଶ୍ରମିକ ଥିବାରୁ ସେଠାରେ ଝୋଟକଳ ବସାଇବାରେ କୌଣସି ଅସୁବିଧା ନାହିଁ । ଓଡ଼ିଶାର ପ୍ରଧାନ ପ୍ରଧାନ ଝୋଟ ଉତ୍ପାଦନ କେନ୍ଦ୍ର ଭିତରେ କେନ୍ଦୁପାଟଣା, କେନ୍ଦ୍ରାପଡ଼ା କେନାଲ ଉପକୂଳ ଅଞ୍ଚଳ, ଜଗତ୍‍ସିଂହପୁର ଅଞ୍ଚଳ, ଭଦ୍ରଖ ଅଞ୍ଚଳ ଆଦି ଅଗ୍ରଗଣ୍ୟ । ତେଣୁ କଟକର କେନ୍ଦୁପାଟଣା ଅଞ୍ଚଳରେ ଗୋଟିଏ, ଜଗତ୍‍ସିଂହପୁରଠାରେ ଗୋଟିଏ, କଟକ ନୂଆବଜାର ଅଞ୍ଚଳରେ ଗୋଟିଏ ଓ ଭଦ୍ରକରେ ଗୋଟିଏ, ଏହିପରି ଚାରୋଟି ଝୋଟକଳ ସ୍ୱଚ୍ଛନ୍ଦରେ ବସାଯାଇ ପାରିବ । ଏହିସବୁ କାରଖାନାରେ ପାଲ, ଅଖା, ବାଣିସୂତା, ଘରେ ଓ ପାହାଚରେ ବିଛାଇବା ପାଇଁ ଗାଲିଚା ପ୍ରଭୃତି ବହୁ ପ୍ରକାର ପ୍ରଦାର୍ଥ ତିଆରି କରାଯାଇପାରିବ ।

 

ପୁରୀ ଉପକୂଳରେ ଯେତେ ନଡ଼ିଆ ଚାଷ ହୁଏ ଓ ସେହି ନଡ଼ିଆରୁ ଯେତେ ଚୋପା ବାହାରେ, ସେହି ଚୋପାକୁ ଦଉଡ଼ି ଓ ଗଦିରେ ପରିଣତ କରିବା ପାଇଁ ସେଠାରେ ଗୋଟିଏ ଦଉଡ଼ି ଓ ଗଦି କାରଖାନା ବସାଯାଇପାରିବ । ଏହି ନଡ଼ିଆ-କତା-ଦଉଡ଼ି ଓ ଗଦିର ଚାହିଦା ଓଡ଼ିଶାରେ ଅତି ବେଶି । ଓଡ଼ିଶାର ପୁରୀ ଉପକୂଳରେ ଗୋଟିଏ କାରଖାନା ବସାଗଲେ ଏହା ପୁରୀଜିଲ୍ଲାର କତାକୁ ବ୍ୟବହାର କରି ଉତ୍ତର ବାଲେଶ୍ୱର ଓ ଗଞ୍ଜାମ ଅଞ୍ଚଳର କତାକୁ ମଧ୍ୟ ଆମଦାନୀ କରି କାମରେ ଲଗାଇ ପାରିବ ।

 

ଏତଦ୍‍ବ୍ୟତୀତ ଏହି କାରଖାନାରେ ଛଣ, କିଆଚେର, ସୁଆଁଲଟି ପ୍ରଭୃତି କେତେକ ଗଛରୁ ତନ୍ତୁ ବାହାରକରି ସେଥିରୁ ଖୁବ୍ ଭଲ ଭଲ ଦଉଡ଼ି ମଧ୍ୟ ତିଆରି କରାଯାଇପାରିବ ।

 

ଓଡ଼ିଶାର ଉତ୍କୃଷ୍ଟ ଚମଡ଼ା କଷାଇ ଶିଳ୍ପ ଭାରତପ୍ରସିଦ୍ଧ । ଏକ ସମୟରେ ଏଠାରୁ ଜୋତା ଯାଇ ଇଂଲଣ୍ଡ ବଜାରରେ ଅତି ସୁଲଭ ମୂଲ୍ୟରେ ବିକ୍ରୟ ହେଉଥିଲା । କିନ୍ତୁ କାଳର ସ୍ରୋତରେ ସେ ଆଜି କୁଆଡ଼େ ଉଭେଇଗଲାଣି । ଓଡ଼ିଶାର ଏହି ଶିଳ୍ପକୁ ପୁନରୁଜ୍ଜୀବିତ କରି ବିଭିନ୍ନ ସ୍ଥାନରେ ଏକାଧିକ ଚମଡ଼ା କଷାଇ କାରଖାନା ବସାଯାଇପାରେ ।
 

X X X

 

ଅରୁଣକୁମାର ଦିନେ ଦେଶ ବିଦେଶରୁ ଆସୁଥିବା ବିଭିନ୍ନ ତାରବାର୍ତ୍ତାଗୁଡ଼ିକୁ ଖୋଲି ଦେଖୁଥାନ୍ତି, ହଠାତ୍ ଭାରତ ସରକାରଙ୍କ ଏକ ତାର ଦେଖି ବିସ୍ମିତ ହୋଇଗଲେ । ତାର ବାର୍ତ୍ତାଟିକୁ ଖୋଲି ପଢ଼ୁଁ ପଢ଼ୁଁ କ୍ରୋଧରେ ତାଙ୍କ ମୁହଁ ଜଳିଗଲା । ସେ ସଙ୍ଗେ ସଙ୍ଗେ ଦିଲ୍ଲୀକୁ ତାର କରିଦେଲେ ଯେ, ସେ ଯାଇପାରିବେନି । ସେ ରାଗରେ ତମ ତମ ହୋଇ ଚେୟାରରୁ ଉଠି ରୁମ ଭିତରେ ପଦଚାରଣ କରିବାକୁ ଲାଗିଲେ । ପଦଚାରଣ କରୁଁ କରୁଁ ସେ ଉତ୍ତେଜିତ ହୋଇ କହିବାକୁ ଲାଗିଲେ–

 

‘‘ବୁଝିଲି, ଏଥର ସମାଜବାଦୀ ରାଷ୍ଟ୍ର ଭାରତବର୍ଷ ଚାହୁଁଛି କଅଣ ? ପୁଞ୍ଜିବାଦ ଯଦି ଭୁଷୁଡ଼ି ପଡୁଛି, ତେବେ ତାକୁ ଭୁଷୁଡ଼ି ପଡ଼ିବାକୁ ଦିଆଯାଉ । ପୁଞ୍ଜିବାଦ ଭୁଷୁଡ଼ି ପଡ଼ିଲେ ମନକୁ ମନ ତା ସ୍ଥାନରେ ନୂତନ ଅର୍ଥନୀତି ଦେଖାଦେବ । ପୃଥିବୀରେ ସମାଜବାଦ ଗଢ଼ି ଉଠିବା ପାଇଁ ଏହାଠାରୁ ଅଧିକ ସୁବିଧାଜନକ ବାଟ ଆଉ କ'ଣ ହୋଇପାରେ ? ମୋତେ ଦିଲ୍ଲୀକୁ ଡକାଇ ଲାଭ କଅଣ ? ପୁଞ୍ଜିବାଦ ଯଦି ଲୋପ ପାଉଛି, ତେବେ ତାକୁ ନିଶ୍ଚିନ୍ତରେ ଲୋପ ପାଇବାକୁ ଦିଆଯାଉ । ତାକୁ ବଞ୍ଚାଇ ରଖିବା ପାଇଁ ପୁଣି ମମତା କାହିଁକି ? ସାମ୍ରାଜ୍ୟବାଦ ଗଲା, ସାମନ୍ତବାଦ ଲୋପ ପାଇଲା, ପୁଞ୍ଜିବାଦ ଲୋପ ପାଇବା ଉପରେ, ଏହା ଯଦି ନିଶ୍ଚିହ୍ନ ହେଉଛି, ତେବେ ଚିନ୍ତା କାହିଁକି ? ପୁଞ୍ଜିବାଦର ତ ଶେଷ ସମୟ ଆସି ପହଞ୍ଚିଗଲାଣି, ଆଉ ବର୍ଷ କେତେଟା ବା ବଞ୍ଚନ୍ତା । ସେପରି ପରିସ୍ଥିତିରେ ମୁମୂର୍ଷୁ ପୁଞ୍ଜିବାଦ ପାଇଁ ଏତେ ଆକର୍ଷଣ କାହିଁକି ? ‘‘ନିର୍ବାଣ ଦୀପେ କିମୁ ତୈଳ ଦାନଂ ?’’ ପୁଣି ଆହୁରି ଉତ୍ତେଜିତ ହୋଇ କହିବାକୁ ଲାଗିଲେ ‘‘ନା ନା-’’

ଏହି ସମୟରେ ଅଫିସ ଭିତରକୁ ହଠାତ୍ ପଶି ଆସିଲା ଆଭା । ଅରୁଣଙ୍କୁ ଏଭଳି ଭାବରେ ଉତ୍ତେଜିତ ହେବାର ଦେଖି କହିଲା, ‘‘ତୁମେ ହଠାତ୍ ଏପରି ଉତ୍ତେଜିତ କାହିଁକି ଅରୁଣ ?’’

ତାଙ୍କର ପୁଞ୍ଜିବାଦ ଧ୍ୱଂସ ଚେଷ୍ଟାକୁ ଅନ୍ୟମାନେ, ଏପରିକି ସମାଜବାଦୀ ଭାରତ ସରକାର କିପରି ବିଫଳ କରିବାକୁ ଚାହୁଁଛନ୍ତି, ସେ ଆଭାକୁ ବୁଝାଇବାକୁ ଚେଷ୍ଟା କଲେ ।

ଅରୁଣଙ୍କର ଏଭଳି ପରିକଳ୍ପନା ଶୁଣି ଆଭା ନ ହସି ରହି ପାରିଲାନି । ସେ ମୃଦୁ ହସି କହିଲା, ‘‘ପୁଞ୍ଜିବାଦକୁ ଧ୍ୱଂସ କରିବାପାଇଁ ତୁମେ ଏଭଳି ଅବାସ୍ତବ କଳ୍ପନା କିପରି କରି ପାରିଲ, ମୁଁ ଭାବି ଆଶ୍ଚର୍ଯ୍ୟ ହେଉଛି ଅରୁଣ । ସେଭଳି ଅବସ୍ଥା ଦେଇ ପୁଞ୍ଜିବାଦକୁ ଧ୍ୱଂସକରି ଲାଭ କଅଣ ? ପୁଞ୍ଜିବାଦ ଏଭଳି ଭାବରେ ଧ୍ୱଂସ ପାଇବା ସଙ୍ଗେ ସଙ୍ଗେ କେତେ ନିରୀହ ସୁଖର ସଂସାର ଯେ ଧ୍ୱଂସ ପାଇଯିବ, ସେ ଆଡ଼କୁ ଟିକିଏ ଭାବି ଦେଖିଛ ତ ତମେ ? ପୁଞ୍ଜିବାଦର ଦୁର୍ବଳତାକୁ ନେଇ ପୁଞ୍ଜିବାଦ ମୂଳରେ କୁଠାରାଘାତ କରାଯାଏନି ଅରୁଣ । ଏହା ପ୍ରକୃତ ଯୋଦ୍ଧାର ପରିଚାୟକ ନୁହେଁ । ପୁଞ୍ଜିବାଦକୁ ଯଦି ନିଶ୍ଚିହ୍ନ କରିବାକୁ ଚାହଁ, ତେବେ ସମାଜବାଦକୁ ଏପରି ଅବସ୍ଥାକୁ ଘେନିଆସ, ଯେପରି କି ସାରା ପୃଥିବୀ ସେହି ସମାଜବାଦ ଆଡ଼କୁ ଆକୃଷ୍ଟ ହୋଇପଡ଼ିବ । ପୃଥିବୀର ପ୍ରତ୍ୟେକ ଲୋକ ଏହି ସମାଜବାଦକୁ ସ୍ୱର୍ଗସୁଖ ବୋଲି ଆଦର କରି ବସିବେ । ତୁମେ ଯଦି ସେତକ କରିପାର, ତେବେ ଲୋକମାନଙ୍କର ପୁଞ୍ଜିବାଦ ଉପରୁ ପୁରାପୁରି ଆସ୍ଥା ତୁଟିଯିବ । ସେତେବେଳେ ପୁଞ୍ଜିବାଦର ହେବ ପ୍ରକୃତ ମୃତ୍ୟୁ ।’’

କିଛି ସମୟ ରହିଯାଇ, ‘‘ବାପା ଯଦିଚ ଜଣେ ପୁଞ୍ଜିବାଦୀ, ସେ ପୁଞ୍ଜିବାଦର ଅଖଣ୍ଡ ରାଜୁତିରେ ବିଶ୍ୱାସ କରନ୍ତିନି । ସେ କହନ୍ତି, ଆଉ ଅଳ୍ପଦିନ ଭିତରେ ସମାଜବାଦର ଲୋକପ୍ରିୟତା ହେତୁ ପୁଞ୍ଜିବାଦ ମନକୁ ମନ ଧ୍ୱଂସ ପାଇଯିବ । ତେବେ ସମାଜବାଦକୁ ସେହି ଲୋକପ୍ରିୟ ଅବସ୍ଥାକୁ ଘେନି ଆସିବା ପ୍ରତ୍ୟେକ ସମାଜବାଦରେ ବିଶ୍ୱାସ କରୁଥିବା ବ୍ୟକ୍ତିର ପ୍ରଧାନ କର୍ତ୍ତବ୍ୟ । ତୁମେ ଏଭଳି ଭାବରେ ପିଲାଙ୍କ ଭଳି ସୁନେଲି କଳ୍ପନାରେ ଭାସି ନ ଯାଇ ପୁଞ୍ଜିବାଦର ଧ୍ୱଂସ ପାଇଁ ପ୍ରକୃତ ଚେଷ୍ଟା କର, ଯେଉଁ ଚେଷ୍ଟାରେ ପୁଞ୍ଜିବାଦର ହେବ ପ୍ରକୃତ ମୃତ୍ୟୁ । ଏଭଳି ଭାବପ୍ରବଣ ହୋଇ ଭୁଲକରି ବସନି ଅରୁଣ । ମୋର ଏକାନ୍ତ ଅନୁରୋଧ, ତୁମେ ଭାରତ ସରକାରଙ୍କର ନିର୍ଦ୍ଦେଶକ୍ରମେ ଦିଲ୍ଲୀ ଅଭିମୁଖେ ଅଗ୍ରସର ହୁଅ । ତୁମେ ଯଦି ଏଭଳି ମୁହୂର୍ତ୍ତରେ ଭାରତ ସରକାରଙ୍କ ସହିତ ସହଯୋଗ ନ କର, କିଏ ଜାଣେ ଭାରତର ତମେ କି ଅଶେଷ କ୍ଷତି କରି ନ ବସିବ ! ମୋର ଅନୁରୋଧ, ତୁମେ ଏହି ମୁହୂର୍ତ୍ତରେ ଦିଲ୍ଲୀ ଯାଅ ।’’

‘‘ତୁମର ବିଶ୍ଳେଷଣ ଅତି ପିଲାଳିଆ ଆଭା ! ପୁଞ୍ଜିବାଦୀର ଦୁଲାଳୀ ତୁମେ । ସମାଜବାଦର ବାସ୍ତବ କଳ୍ପନା କରିବାକୁ ଅକ୍ଷମ । କ୍ଷମା କରିବ ଆଭା, ମୁଁ ତୁମର ଅନୁରୋଧ ରକ୍ଷା କରିବାକୁ ସମ୍ପୂର୍ଣ୍ଣ ଅସମର୍ଥ ।’’

 

‘‘କିନ୍ତୁ ସୁନାର ଦର କମାଇବାକୁ ତୁମେ କିଏ ? ତୁମେ କ'ଣ ସୁନାର ଦର ନେଇ ଯା'ପାରି ତାହା କରିଯାଇପାର ! ଭାରତ ସରକାରଙ୍କ ଆମନ୍ତ୍ରଣ ରକ୍ଷା ନ କରି ଦିଲ୍ଲୀ ନ ଗଲେ ସେମାନେ ତୁମକୁ ଆରେଷ୍ଟ କରିନେବେ । ପୃଥିବୀର ଲୋକଙ୍କ ପାଇଁ ଯାହା ଭଲ ହେବ, ସେମାନେ ତୁମକୁ ପରାମର୍ଶ ଦେବେ । ଭାରତ ସରକାରଙ୍କ ସାହାଯ୍ୟ ବିନା ତୁମେ କ'ଣ ପୃଥିବୀ ବଜାରରେ ସୁନା ବିକିପାରିବ ? ତୁମେ ପାଗଳାମି ଛାଡ଼ି ମୋ କଥା ଶୁଣ, ତୁମେ ବର୍ତ୍ତମାନ ଦିଲ୍ଲୀ ଯାଅ ।’’

 

‘‘ମୁଁ କୌଣସି ପ୍ରକାରେ ଦିଲ୍ଲୀ ଯାଇ ପାରିବି ନି । ମୋର ଦିଲ୍ଲୀ ଯିବା ମୋଟେ ଦରକାର ନାହିଁ । ମୁଁ ଚାହେଁ ପୁଞ୍ଜିବାଦର ବିଲୋପ । ମୋର ଏହି ଉପାୟ ହିଁ ପ୍ରକୃତରେ ପୁଞ୍ଜିବାଦ ମୂଳରେ କୁଠାରଘାତ କରିବ । ମୋତେ ଦିଲ୍ଲୀ ଡକାଇ ଲାଭ କଅଣ ? ମୁଁ କଦାପି ଯାଇପାରିବି ନି । ନା, ନା, ନା ।’’

 

ହଠାତ୍ ଅରୁଣଙ୍କର ନିଦ ଭାଜିଗଲା । ଦେଖିଲେ ସେ ଶୋଇଛନ୍ତି ନିଉୟର୍କସ୍ଥିତ ହୋଟେଲର ସୁସଜ୍ଜିତ କକ୍ଷର ଦୁଗ୍‍ଧ ଫେନନିଭ ଶଯ୍ୟା ଉପରେ । ଝରକା ଦେଇ ତାଙ୍କ ଉପରେ ଝରି ପଡ଼ୁଛି ସକାଳ ସୂର୍ଯ୍ୟଙ୍କର ସୁନେଲି କିରଣ । ପାଖରେ କେହି ନାହିଁ । ତାଙ୍କର ସେହି ସ୍ୱପ୍ନର ପ୍ରିୟା କେଉଁଆଡ଼େ ମିଳାଇ ଯାଇଛି । ସେ ହଠାତ୍ ଆଖି ମଳି ଉଠିବସିଲେ । ଗତ ରାତ୍ରିର ସେହି ବିରାଟ ସ୍ୱପ୍ନ ବିଷୟରେ ଭାବୁଁ ଭାବୁଁ ବିଭୋର ହୋଇପଡ଼ିଲେ । ଉପଲବ୍‍ଧି କଲେ, କି ଆନନ୍ଦଦାୟକ ସେହି ସ୍ୱପ୍ନ ! ସେହି ସ୍ୱପ୍ନ ଯଦି ସତ୍ୟ ହୁଅନ୍ତା, ତେବେ ସେ ଜୀବନରେ କେତେ ସୁଖୀ ନ ହୁଅନ୍ତେ ? ଆଭାଭଳି ସ୍ତ୍ରୀ, କୋଟିପତିଙ୍କର କୋଟି କୋଟି ଟଙ୍କାର ଦାନପତ୍ର, ଓଡ଼ିଶାର ବିରାଟ ସୁନାଖଣି ତାଙ୍କ ଆଖି ସାମନାରେ ଭାସିଉଠିଲା ଠିକ୍ ରୁପେଲି ପରଦାରେ ଫୁଟି ଉଠୁଥିବା ଝିଲମିଲ ଚଳଚ୍ଚିତ୍ର ପରି । ସେଥି ସଙ୍ଗେ ସଙ୍ଗେ ତାଙ୍କ ଆଖି ସାମନାରେ ଉଡ଼ିବୁଲିଲା ଭବିଷ୍ୟତ୍‍ର କେତେ ସୁନେଲି ସ୍ୱପ୍ନ, ଶିଳ୍ପସମୃଦ୍ଧ ଓଡ଼ିଶାବାସୀଙ୍କ ହସ ହସ ମୁଖ ।

 

ହଠାତ୍ କବାଟରେ କାହାର ଠକ୍ ଠକ୍ ଶବ୍ଦରେ ତାଙ୍କର ଚିନ୍ତାର ଖିଅ ଛିଡ଼ିଗଲା । ସେ ଦୂଆର ଖୋଲି ଦେଖନ୍ତି ତ ଦୁଆର ମୁହଁରେ ଠିଆ ହୋଇଛି ହୋଟେଲର ସହକାରୀ ମିସ୍ ସୁଷାନ । ମିସ୍ ସୁଷାନ ପଛରେ ଯୁକ୍ତରାଷ୍ଟ୍ରର ଦୁଇଜଣ ପୋଲିସ ଅଫିସର ।

 

ପୋଲିସ ଅଫିସର ସଙ୍ଗେ ସଙ୍ଗେ ଅରୁଣଙ୍କ ହାତକୁ ଏରେଷ୍ଟ ହେବା ପରୱାନା ବଢ଼ାଇଦେଲେ । ତାଙ୍କୁ ସେହି ମୁହୂର୍ତ୍ତରେ ପୋଲିସ ଷ୍ଟେସନକୁ ଯିବାକୁ ସେହି ପରୱାନାରେ ନିର୍ଦ୍ଦେଶ ଆସିଥିଲା ।

 

ଅଗତ୍ୟା କିଛି ଉପାୟ ନ ପାଇ ଅରୁଣ ସଙ୍ଗେ ସଙ୍ଗେ ଚାଲିଲେ ସେହି ପୋଲିସ ଅଫିସରଙ୍କ ପଛେ ପଛେ ପୋଲିସ ଷ୍ଟେସନ ଅଭିମୁଖେ । ସେ ଠିକ୍ ହୋଟେଲ ଗେଟ୍ ପାର ହୋଇ ପୋଲିସ କାରରେ ବସିବାକୁ ଯାଉଛନ୍ତି, ହଠାତ୍ ଆଉ ଏକ କାରରୁ ଓହ୍ଲାଇ ‘‘ଅରୁଣ, ଅରୁଣ,’’ ପାଟିକରି ନିକଟକୁ ଧାଇଁ ଆସିଲା ଆଭା । ଅରୁଣଙ୍କୁ ପୋଲିସ କାରରେ ପଶିବା ଦେଖି ସେ ଧୈର୍ଯ୍ୟଚ୍ୟୁତ ହୋଇପଡ଼ିଲା । ତା'ର ମୁହଁ ସନ୍ଦେହର ଏକ ଗାଢ଼ ଛାୟାରେ ଛାଇ ହୋଇଗଲା । ଚାହୁଁ ଚାହୁଁ ଆଖି ତା'ର ସଜଳ ହୋଇଆସିଲା । ହଜାର ହଜାର ମାଇଲ ଅତିକ୍ରମ କରି ସେ ଯୁକ୍ତରାଷ୍ଟ୍ରକୁ ଧାଇଁ ଆସିଥିଲା, ନିଜ ପ୍ରିୟତମକୁ କ'ଣ ଏଭଳି ଅବସ୍ଥାରେ ଦେଖିବାପାଇଁ ।

 

ଆଭାକୁ ଦେଖି ଅରୁଣଙ୍କ ପାଟିରୁ ଭାଷା ବାହାରିଲା ନାହିଁ । ସେ କାହିଁକି ଏରେଷ୍ଟ ହୋଇଛନ୍ତି, ତାଙ୍କୁ ପୋଲିସ ଷ୍ଟେସନକୁ କାହିଁକି ନିଆଯାଉଛି ସେ କ'ଣ କିଛି ଜାଣିଛନ୍ତି ଯେ, ଆଭାକୁ ସେ କଥା କହି ପ୍ରବୋଧନା ଦେବେ । ଅରୁଣକୁ ଜଡ଼ ପାଲଟି ଯିବାର ଦେଖି ଆଭାର ଧୈର୍ଯ୍ୟର ସୀମା ଆଉ ରହିଲା ନି । ସେ ଅରୁଣକୁ କୁଣ୍ଡାଇପକାଇ ପିଲାଭଳି କାନ୍ଦିବାକୁ ଲାଗିଲା । ଦେଖିଲେ ମନେ ହେବ ସତେ ଯେପରି ଦୁଇଟି ଅତୃପ୍ତ ଆତ୍ମାର ମିଳନ ଲୋତକ ସ୍ରୋତ ମାଧ୍ୟମରେ ହିଁ ପରିସମାପ୍ତି ହେଲା ।

 

ଆଭା ଆଉ କାଳବିଳମ୍ବ ନ କରି ସଙ୍ଗେ ସଙ୍ଗେ ଚାଲିଲା ଅରୁଣଙ୍କ ସଙ୍ଗେ ପୋଲିସ ଷ୍ଟେସନ ଅଭିମୁଖେ । ବାଟରେ ଯାଉଁ ଯାଉଁ ଅରୁଣଙ୍କୁ ନେଇ ତା’ର ଗତ ପାଞ୍ଚବର୍ଷର ଅତୀତ ଘଟଣା ସ୍ମୃତି ପଟରେ ଜାଗି ଉଠୁଥାଏ ।

 

(ଦୁଇ)

 

ବିଶିଷ୍ଟ ପ୍ରଗତିଶୀଳ ଇଂରେଜ ବୈଜ୍ଞାନିକ ସାର୍ ଉଇଲ୍ କିନ୍‍ସନ୍ ଲଣ୍ଡନସ୍ଥ ଇମ୍‍ପେରିଆଲ କଲେଜର ଇଞ୍ଜିନିଅରିଂ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ଉପାଧିପତ୍ର ବାଣ୍ଟି ସାରିବା ପରେ ଅନୁଷ୍ଠାନର ଶ୍ରେଷ୍ଠତମ ଛାତ୍ର ଭାବରେ ଭାରତୀୟ ଛାତ୍ର ଶ୍ରୀମାନ୍ ଅରୁଣକୁମାର ପଟ୍ଟନାୟକଙ୍କ ବେକରେ ଯେତେବେଳେ ସ୍ୱର୍ଣ୍ଣପଦକ ଝୁଲାଇଦେଲେ, ଘନଘନ କରତାଳିରେ ସମାବର୍ତ୍ତନ ମଞ୍ଚ କମ୍ପିଉଠିଲା । ଅଦୂରରେ ଇଂରେଜ ତରୁଣୀ ସୁନ୍ଦରୀ ଆଭା ଏହି କୃତୀ ଯୁବକଙ୍କର ଅପୂର୍ବ କୃତିତ୍ୱର ଫଟୋ ନେବାରେ ବ୍ୟସ୍ତ ଥିଲେ । ଉନ୍ମେଷିତ ଯୌବନର ତରଳ ଚାପରେ ଭାଙ୍ଗି ପଡ଼ୁଥିଲେ ମଧ୍ୟ ଅନ୍ତରର ଏକ କଠୋର ଆଦେଶରେ କୁମାରୀ ଦୌଡ଼ି ଯାଇଥିଲେ ପ୍ରଧାନ ଅତିଥିଙ୍କ ମଞ୍ଚ ପାଖକୁ, ଏହି ଭାରତୀୟ କୃତୀ ଯୁବକଙ୍କର ଏକ ପ୍ରତିଚ୍ଛବିକୁ ଚିରଦିନ ପାଇଁ ବନ୍ଦୀ କରି ରଖିବା ପାଇଁ ଆଲୋକ-ଚିତ୍ରର ଏକ ନିର୍ଜୀବ ଆଲେଖ୍ୟ ଭିତରେ । ଫଟୋ ଉଠାଇ ସାରି ସେ ନିଜ ଚେୟାରରେ ଆସି ବସିଛନ୍ତି କି ନାହିଁ, ବିପରୀତ ଦିଗରୁ ଯୁବକ ଅରୁଣକୁମାର ବେକରେ ସ୍ୱର୍ଣ୍ଣ ପଦକ ଝୁଲାଇ ଆସି ପାଖ ଚେୟାରରେ ବସିପଡ଼ି ଆଭାଙ୍କ ଆଡ଼କୁ ଅନାଇ ମୁଖରେ କୃତ୍ରିମ ଗାମ୍ଭୀର୍ଯ୍ୟ ଫୁଟାଇ କହିଲେ-

 

‘‘ଆପଣଙ୍କୁ ମୋ ଫଟୋ ଉଠାଇବାକୁ କିଏ ଅନୁମତି ଦେଲା ମିସ୍ ମାଇକେଲ୍‍ସନ ?’’

 

‘‘ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଗ୍ରହଣ କରନ୍ତୁ, ଅରୁଣ ବାବୁ ।’’

 

‘‘ଧନ୍ୟବାଦ ମିସ୍ ମାଇକେଲ୍‍ସନ । ଆପଣଙ୍କର ଏହି ଅଭିନନ୍ଦନ ମୋର ଚିର ଆରାଧ୍ୟ; ମୋ ପ୍ରଶ୍ନର ପ୍ରତିବଦଳରେ କିନ୍ତୁ ନୁହେଁ ।’’

 

‘‘ହଁ, ଆପଣଙ୍କ ପ୍ରଶ୍ନଟା କ'ଣଟି ଅରୁଣ ବାବୁ ? ମୁଁ ସଙ୍ଗେ ସଙ୍ଗେ ଭୁଲିଗଲି ଯେ !’’ ମାଦକତାଭରା ନୟନକୁ ନଚାଇ ପ୍ରଶ୍ନ କଲା ଆଭା ।

 

‘‘ହୁଁ, ଇତିମଧ୍ୟରେ ଆପଣ ମୋ ପ୍ରଶ୍ନଟା ବି ଭୁଲିଗଲେଣି ? କଥାବାର୍ତ୍ତାରେ ଆପଣଙ୍କ ପଟୁତା ତ କମ୍ ଜଣା ପଡ଼ୁନି ? ଆପଣ ଯେ ଜଣେ ଅସାଧାରଣ ଇଂରେଜ ତରୁଣୀ, ଏହା ମୋତେ ସ୍ୱୀକାର କରିବାକୁ ପଡ଼ିବ, ମିସ୍ ମାଇକେଲ୍‍ସନ ।’’

 

‘‘ହଁ, ଏଥର ମନେ ପଡ଼ିଗଲା ଆପଣଙ୍କ ପ୍ରଶ୍ନ ।’’ କିଛି ସମୟ ଗଭୀର ଚିନ୍ତାର ଅଭିନୟ କରି କହିଲା ଆଭା, ‘‘ମୁଁ ଆପଣଙ୍କ ଫଟୋ ଉଠାଉଥିଲି ବୋଲି ଆପଣ କିଛି ପ୍ରମାଣ ପାଇଛନ୍ତି ଅରୁଣ ବାବୁ ?’’

 

‘‘ନିଶ୍ଚୟ, ବିନା ପ୍ରମାଣରେ ମୁଁ ଦୋଷୀ କରେନି କାହାକୁ । ମୋର ପ୍ରମାଣ ଅଛି, ଆପଣଙ୍କର ସେହି ନିର୍ଜୀବ କେମେରାର ଅନ୍ଧକାର ପ୍ରକୋଷ୍ଠ ଭିତରେ । ସୁବିଧା ଦେଲେ ମୁଁ ଦେଖାଇ ଦେଇ ପାରିବି ।’’

 

‘‘କିନ୍ତୁ, ସେହି ଅନ୍ଧକାର ପ୍ରକୋଷ୍ଠ ଭିତରୁ ଯଦି ନିରାଶ ହୁଅନ୍ତି, ଅରୁଣବାବୁ ।’’

 

‘‘ତେବେ ମୋତେ ଖୋଜିବାକୁ ପଡ଼ିବ, ଆପଣଙ୍କ ରକ୍ତ ମାଂସର ଅନ୍ତର ଭିତରେ । ସେଠାରେ ତ ନିରାଶ ହେବନି ମିସ୍ ମାଇକେଲ୍‍ସନ ?’’

 

‘‘ଇସ୍’’ ହରିଣୀ ବିଲୋଳ ନୟନରେ ବିଦ୍ୟୁତ ଚଞ୍ଚଳ କଟାକ୍ଷପାତ କରି ଉତ୍ତର ଦେଲା ଆଭା । ମନେହେଲା, ସତେ ଯେପରି ଏହି ଶେଷ ବାକ୍ୟଟି ତାର ଗଭୀର ହୃଦୟର କେଉଁ ଏକ ଅଜଣା କୋଠରୀରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଲା ଚିରଦିନ ପାଇଁ ।

 

ପ୍ରଧାନ ଅତିଥି ଉଇଲ୍‍କିନ୍‍ସନ୍ ତାଙ୍କ ସମାବର୍ତ୍ତନ ଭାଷଣ ଆରମ୍ଭ କଲେ,-

 

‘‘.......ବିଗତ ଦୁଇ ଶତାବ୍ଦୀ ମଧ୍ୟରେ ବିଜ୍ଞାନର ବିକାଶ ଓ ଅଗ୍ରଗତି ଆମର ରାଜନୈତିକ, ଅର୍ଥନୈତିକ, ଏପରି କି ଆଧ୍ୟାତ୍ମିକ ଜୀବନରେ ଯେଉଁ ଆଲୋଡ଼ନ ସୃଷ୍ଟି କରିଛି, ତା'ର ଘାତ ପ୍ରତିଘାତରେ ଆଜି ପୃଥିବୀର ପ୍ରତି କୋଣେ କୋଣେ ସୃଷ୍ଟି ହୋଇଛି ଅପୂର୍ବ ସ୍ପନ୍ଦନ । ସେହି ସ୍ପନ୍ଦନର ପ୍ରଭାବରେ ଆଜି ବ୍ୟତିବ୍ୟସ୍ତ ସାରା ମଣିଷ ସମାଜ । ହିନ୍ଦୁ ପୁରାଣବର୍ଣ୍ଣିତ କ୍ଷୀର ସାଗରର ମନ୍ଥନ ପରେ ସୁରାସୁରଙ୍କର କଳହ ପରି ଆଜି ମଣିଷ ସମାଜ କଳହରତ । ଆଦର୍ଶର ଦ୍ଵନ୍ଦ ଭିତରେ ଏହି କ୍ଷୀର ମନ୍ଥନରୁ ଉଦ୍ଭୁତ ବିଜ୍ଞାନ ହରବର । ବିଶ୍ୱ ସମ୍ମୁଖରେ ଆଜି ଅପୂର୍ବ ପ୍ରଶ୍ନ । ବିଜ୍ଞାନର ଉପଯୁକ୍ତ ପ୍ରୟୋଗ କିଏ କରିପାରିବ, ସୁରା ନା ଅସୁର ? ସୁର ହାତରେ ଯଦି ବିଜ୍ଞାନ ପଡ଼େ, ତେବେ ବିଜ୍ଞାନର ଲୋକହିତକର ପ୍ରୟୋଗରୁ ସାରା ମଣିଷ ସମାଜ ଅମୃତ ସୁଖ ଉପଭୋଗ କରିପାରିବ । କିନ୍ତୁ ଅସୁର ହାତରେ ବିଜ୍ଞାନ ପଡ଼ିଲେ, ବିଜ୍ଞାନର ଅପପ୍ରଯୋଗରୁ ସାରା ମଣିଷ ସମାଜ ଧ୍ୱଂସମୁଖୀ ହେବ । ଅତୀତ ଯୁଗର ଏହି ସୁରାସୁର ଦଳ ପରି ଆଜି ଆନ୍ତର୍ଜାତିକ କ୍ଷେତ୍ରରେ ଆଦର୍ଶ ଦ୍ଵନ୍ଦ୍ୱ ଭିତରେ ଦୁଇ ଦଳ ମୁଣ୍ଡ ଟେକି ଉଠିଛନ୍ତି । ଦଳେ ଅସୁରମାନଙ୍କ ଭଳି ଏହା ସାହାଯ୍ୟରେ ପୃଥିବୀକୁ ଶୋଷଣ କରି ମାନବ ସମାଜକୁ ନିଜ ଇଚ୍ଛାମତ ଖେଳାଇବାକୁ ଇଚ୍ଛୁକ, ଠିକ୍ ଯେପରି ମସ୍ୟଜୀବୀ ମାଛକୁ ଜାଲରୁ ଉଠାଇବା ପୂର୍ବରୁ ଜଳ ଭିତରେ ଖେଳାଉଥାଏ । ଅନ୍ୟ ଦଳେ ସୁରମାନଙ୍କ ଭଳି ଅମୃତ ବାଣ୍ଟି ପାନ କଲାଭଳି ବିଜ୍ଞାନକୁ ଲୋକହିତକର କାମରେ ଲଗାଇ ଏହାଦ୍ୱାରା ନିଜର ନାନା ଉନ୍ନତି ଘଟାଇ ପୃଥିବୀରେ ସୁଖ, ଶାନ୍ତି, ପ୍ରତିଷ୍ଠା କରିବାରେ ବ୍ୟସ୍ତ । ଏ ଦୁଇ ଦଳଙ୍କୁ ଛାଡ଼ି ଆଉ ଦଳେ ହାଁ କରି ଅନାଇ ବସିଛନ୍ତି ସତେ କଅଣ ବିଜ୍ଞାନ ସେମାନଙ୍କ ପାଖକୁ ଆସିବ ? ପୃଥିବୀର ଲୋକସଂଖ୍ୟା ଭିତରୁ ଏମାନଙ୍କ ସଂଖ୍ୟା ଶତକଡ଼ା ପଚସ୍ତରୀରୁ ଅଧିକ । ସମସ୍ତେ ବିଜ୍ଞାନକୁ ନିଜ ନିଜ ଦେଶରେ ପ୍ରୟୋଗ କରିବାକୁ ବ୍ୟଗ୍ର । କେତେକ ଏହାକୁ ଅଜ୍ଞତା ଦୋଷରୁ ଠିକ୍ ରୂପେ କରି ନ ପାରି ଓଲଟା ଭାବରେ ପ୍ରୟୋଗ କରିବାକୁ ବସିଛନ୍ତି । ତେଣୁ ସେମାନଙ୍କ କପାଳରେ ବିଜ୍ଞାନର ଫଳ ଯେ ଠିକ୍ ଓଲଟା ଫଳିବ, ଏଥିରେ ସନ୍ଦେହ ନାହିଁ ।

 

‘‘ବିଜ୍ଞାନକୁ ଯେଉଁମାନେ ଠିକ୍ ରୂପେ ନିଜ ନିଜ ଦେଶରେ ପ୍ରୟୋଗ କରିପାରିବେ, ସେମାନଙ୍କ ଦେଶରେ ଯେ ସୁନା ଫଳିବ ଓ ସେମାନଙ୍କ ଦେଶ ସ୍ୱର୍ଗର ଅମରାବତୀଠାରୁ ଯେ ଅଧିକ ସୁନ୍ଦର, ମନୋମୁଗ୍‍ଧକର ଓ ଆନନ୍ଦଦାୟକ ହେବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ସୁରମାନଙ୍କର ଅମୃତ ପାନ ଯେତେ ଆନନ୍ଦଦାୟକ ହୋଇନି, ତା’ଠାରୁ ଅଧିକ ଆନନ୍ଦଦାୟକ ହେବ ବିଜ୍ଞାନର ଉପଯୁକ୍ତ ପ୍ରୟୋଗ । କିନ୍ତୁ ବିଜ୍ଞାନର କିପରି ପ୍ରୟୋଗ କରାଗଲେ ମଣିଷର ଦୁଃଖ ଜଞ୍ଜାଳ, ଅଭାବ ଅନାଟନ, ରୋଗ ଶୋକ, ଜରା ମୃତ୍ୟୁ ଦୂରୀଭୂତ ହେବ, ସେହି ହେଲା ଚିନ୍ତାର ବିଷୟ । ବିଜ୍ଞାନକୁ କେଉଁ ବାଟରେ ନେଲେ ସୁଖ ସମୃଦ୍ଧିର ପଥ ଉନ୍ମୁକ୍ତ ହେବ, ସେହି ହେଲା ଆପଣଙ୍କର ବିଚାର୍ଯ୍ୟ ବସ୍ତୁ । ଆପଣମାନଙ୍କର ଉପଯୁକ୍ତ ବିଚାର ବୁଦ୍ଧି ଓ ମଣିଷ ସମାଜର ହିତ ସାଧନ ଇଚ୍ଛା ଆପଣମାନଙ୍କୁ ଯେ ଠିକ୍ ବାଟରେ ଚଳାଇବ, ଏଥିରେ ମୋର ତିଳେମାତ୍ର ସନ୍ଦେହ ନାହିଁ । ଆପଣମାନେ ଯଦି ସେତକ କରି ନ ପାରନ୍ତି, ତେବେ ବିଜ୍ଞାନର ଅପପ୍ରୟୋଗରୁ ଖାଲି ଆଧୁନିକ ସଭ୍ୟତା ହୋଇ ପଡ଼ିବନି ପଙ୍ଗୁ, ସାରା ମଣିଷସମାଜ ପୃଥିବୀପୃଷ୍ଠରୁ ନିଶ୍ଚିହ୍ନ ହୋଇଯିବ-।’’

 

ଘନଘନ କରତାଳିରେ ସଭାକକ୍ଷ କମ୍ପିଉଠିଲା । ପ୍ରଧାନ ଅତିଥିଙ୍କ ଭାଷଣ ପରେ କୃତୀ ଛାତ୍ରଛାତ୍ରୀମାନେ ପରସ୍ପରଠାରୁ ବିଚ୍ଛିନ୍ନ ହେବା ପୂର୍ବରୁ ଆଭା ଅରୁଣଙ୍କୁ ଲକ୍ଷ୍ୟ କରି କହିଲା–

 

‘‘ଆଜି ଆପଣଙ୍କୁ ଆମ ଘରକୁ ଯିବାକୁ ପଡ଼ିବ, ଅରୂଣବାବୁ ! ଏଇ ବର୍ତ୍ତମାନ, ମୋ ସଙ୍ଗରେ ।’’

 

‘‘ଆଜି ଏତେ ଦୟା କାହିଁକି ମିସ୍ ମାଇକେଲ୍‍ସନ । ଦେଖୁଛି ବଡ଼ ସୌଭାଗ୍ୟ ମୋର ।’’ ଆଶ୍ଚର୍ଯ୍ୟ ହୋଇ କହିଲେ ଅରୁଣକୁମାର ।

 

‘‘ଆପଣଙ୍କର,ନା ମୋର ଅରୁଣବାବୁ ? ଆସନ୍ତୁ, ମୋ ସହିତ, କବିତ୍ଵ ପରେ ଦେଖାଇଲେ ଚଳିବ ।’’ ଏତକ କହି ଅରୁଣବାବୁଙ୍କ ହାତ ଧରି ଭିଡ଼ି ନେଇଗଲା ଆଭା ।

 

ଯାଉଁ ଯାଉଁ ହଠାତ୍ ଅଟକି ଯାଇ ‘‘କିନ୍ତୁ ଗୋଟାଏ ସର୍ତ୍ତ ମିସ୍ ମାଇକେଲ୍‍ସନ !’’

 

‘‘ସର୍ତ୍ତ ?’’ ଆଭାର ହାସ୍ୟରଞ୍ଜିତ ମୁଖରେ ଭୟମିଶା ବିସ୍ମୟର ଏକ କ୍ଷୀଣରେଖା ଫୁଟିଉଠିଲା । ‘‘ଆମ ଘରକୁ ଯିବାପାଇଁ ପୁଣି ସର୍ତ୍ତ ଗୋଟାଏ କଅଣ ।’’

 

‘‘ସର୍ତ୍ତ ନାଁ ଶୁଣି ଭୟ ପାଇ ଯାଆନ୍ତୁନି ମିସ୍ ମାଇକେଲ୍‍ସନ । ସେପରି କିଛି ଗୁରୁତର ସର୍ତ୍ତ ନୁହେଁ; କିନ୍ତୁ...’’ ଈଷତ୍ ହସି ଉତ୍ତର ଦେଲେ ଅରୁଣକୁମାର ।

 

‘‘ହେଉ, ତେବେ ଶୁଣେ ।’’

 

‘‘ଆପଣଙ୍କ ଘରଠାକୁ ଯିବା ପୂର୍ବରୁ ଆମ ହଷ୍ଟେଲ ଦେଇ ଯିବାକୁ ପଡ଼ିବ ଆପଣଙ୍କୁ । ହଷ୍ଟେଲରେ ମୋର ଗୋଟାଏ ଅତି ଜରୁରୀ କାମ ଅଛି । ସେତକ ଶେଷ କରିଦେଲେ ମୁଁ ଆପଣଙ୍କ ସହିତ ଯିବାକୁ ପ୍ରସ୍ତୁତ । ସେଠାରେ ବିଶେଷ ଡେରି ହେବନି ଆପଣଙ୍କର ।’’

 

‘‘ଓ, ଏଇ ସର୍ତ୍ତ ? ଆପଣ ମୋତେ କେଡ଼େ ବଡ଼ ସନ୍ଦେହରେ ପକାଇ ଦେଇଥିଲେ କୁହନ୍ତୁ ତ ? ଏତେ ନାଟକୀୟ ରୀତିରେ ନ କହି ସିଧାସଳଖ କହି ଦେଇଥିଲେ କଥାଟା ତ ସହଜରେ ଛିଡ଼ି ଯାଇଥାନ୍ତା । ମୁଁ ଏତେ ଭାବନାରେ ପଡ଼ି ନ ଥାନ୍ତି, ଅରୁଣବାବୁ ।’’

 

କହୁଁ କହୁଁ କାର୍ ପାଖରେ ପହଞ୍ଚି ମିସ୍ ମାଇକେଲ୍‍ସନ ସଙ୍ଗେ ସଙ୍ଗେ କାର୍‍ର ଦରଜା ଖୋଲିଦେଲେ । ଅରୁଣକୁମାର କାର୍ ଭିତରକୁ ପଶି ଦରଜା ବନ୍ଦ କରିବା ପୂର୍ବରୁ ଆଭା ଆରପାଖରୁ ଆସି ଅରୁଣଙ୍କ ଡାହାଣ ପାଖରେ ବସିପଡ଼ି ଗାଡ଼ିରେ ଷ୍ଟାର୍ଟ ଦେଲା । ଚାହୁଁ ଚାହୁଁ ଗାଡ଼ି ଗର୍ଜନ କରି ସମ୍ମୁଖସ୍ଥ ସାଉଥ୍ କେନ୍‍ସିଙ୍ଗଟନ ରାସ୍ତା ଦେଇ ପିକାଡ଼େଲି ଅଭିମୁଖରେ ତୀର ବେଗରେ ଛୁଟି ଚାଲିଲା । ଗାଡ଼ି ହେ-ମାର୍କେଟ ଅତିକ୍ରମ କରି ଟ୍ରାଫାଲ୍‍ଗାର୍ ସ୍କୋୟାର ଆଡ଼େ ମୁହାଁଇଛି, ଆଭା ଗାଡ଼ିର ବେଗ କମାଇ ଦେଇ କହିଲେ ‘‘ଆପଣଙ୍କ ଅଗାଧ ଜ୍ଞାନ ପାଖରେ ଆମ ସମସ୍ତଙ୍କୁ ମୁଣ୍ଡ ନୁଆଁଇବାକୁ ପଡ଼ିଛି ଅରୁଣବାବୁ । ତା’ ନ ହୋଇଥିଲେ-- ।’’

 

‘‘ଆପଣଙ୍କର ଏହି ପ୍ରଶଂସା ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ ମିସ୍ ମାଇକେଲ୍‍ସନ-।’’

 

‘‘ଆପଣ ମୋତେ ମିସ୍ ମାଇକେଲ୍‍ସନ ବୋଲି ନ କହି ଆଭା ବୋଲି କହିଲେ କ୍ଷତି କଅଣ ହୁଅନ୍ତା ଅରୁଣବାବୁ ? ସେଥିସହିତ ଆପଣ ପରିବର୍ତ୍ତରେ ତୁମ’’–ଆହୁରି ପାଖକୁ ଘୁଞ୍ଚିଆସି ଦରଦୀ ଗଳାରେ କହିଲା ଆଭା–‘‘ଗତ ଦୁଇବର୍ଷ ଧରି ଆମ ଭିତରେ ଏତେ ବନ୍ଧୁତ୍ୱ ଥାଇ ମଧ୍ୟ ଆପଣ ସେତକ ଛାଡ଼ି ପାରିନାହାନ୍ତି ଅରୁଣବାବୁ । ମୁଁ ଆପଣଙ୍କର ଯେତେ ପାଖକୁ ଆସିବାକୁ ଚେଷ୍ଟା କରିଛି, ଆପଣ ମୋଠାରୁ ସେତେ ଦୁରେଇ ଯିବାକୁ ଚେଷ୍ଟା କରିଛନ୍ତି । କୁହନ୍ତୁ, କୁହନ୍ତୁ, ଅରୁଣବାବୁ; ମୋତେ ଆଜିଠାରୁ ଆପଣ ଆଭା ଛଡ଼ା ଆଉ କିଛି ଡାକିବେନି’’ ଆବେଗର ସହିତ କହୁଁ କହୁଁ ଆଭା ଷ୍ଟିଅରିଂ ଛାଡ଼ି ଦୁଇହାତରେ ଅରୁଣବାବୁଙ୍କୁ ହଲାଇ ଦେଲା ।

 

ଷ୍ଟିଅରିଂ ଛାଡ଼ିଦେବା ଦେଖି ଅରୁଣକୁମାର ତାଙ୍କ ହାତଟାକୁ ଚଟ୍‍କରି ବଢ଼ାଇଦେଲେ ଷ୍ଟିଅରିଂ ଉପରକୁ, ଗତିଶୀଳ ମଟରକୁ ଆଶୁ ବିପଦରୁ ରକ୍ଷା କରିନେବା ପାଇଁ । ତାଙ୍କର ପ୍ରସାରିତ ବାହୁଯୁଗଳ ମଧ୍ୟରେ ରହିଗଲା ସୁନ୍ଦରୀ ଆଭାଙ୍କର ଅର୍ଦ୍ଧ ଦୋଳାୟିତ ଶରୀରଟି । ମନକୁ ମନ ବକ୍ଷ ଚାପକୁ ହତାଦର କରି ଉଙ୍କିମାରି ଉଠୁଥିବା ତାଙ୍କର ପୀନୋନ୍ନତ ବକ୍ଷ ଭିଡ଼ି ହୋଇ ଆସିଲା ଅରୁଣକୁମାରଙ୍କର ସୁବିପୁଳ ବକ୍ଷ ସହିତ । କ୍ଷଣକ ପାଇଁ ଦୁଇଟି ଅତୃପ୍ତ ଆତ୍ମା ସତେ ଯେପରି ପରସ୍ପରକୁ ପାଇ ଏକ ହୋଇଗଲେ ।

 

X X X

 

ଗାଡ଼ି ଷ୍ଟ୍ରାଣ୍ଡ ଷ୍ଟ୍ରୀଟ୍ ପାର ହୋଇ ଫ୍ଲିଟ୍ ଷ୍ଟ୍ରୀଟ୍ ରେ କିଛି ଦୂର ଯାଇ ଗୋଟିଏ ପ୍ରକାଣ୍ଡ ଫାଟକ ନିକଟରେ ପହଞ୍ଚିଲା । ସମ୍ମୁଖରେ ଗାଡ଼ିଟିକୁ ଦେଖି ଫାଟକଟି ମନକୁ ମନ ଖୋଲିଗଲା । ମନେହେଲା, ସତେ ଯେପରି ଜଣେ ଅଦୃଶ୍ୟ ଦରବାନ୍ ଫାଟକଟାକୁ ଖୋଲି ଦେଇ ଚାଲିଗଲା । ଗାଡ଼ି ଫାଟକକୁ ଟପି ଭିତରକୁ ଯାଇ ଏକ କ୍ରିତଳ ପ୍ରାସାଦର ମନୋହର ପୋର୍ଟିକୋ ତଳେ ଠିଆ ହେଲା । ଗାଡ଼ିକୁ ବନ୍ଦ କରି ଆଭା ବାହାରି ଆସି ଅରୁଣକୁମାରଙ୍କ ପାଖ ଦରଜାକୁ ଖୋଲି ଅପେକ୍ଷା କରି ରହିଲା । ଅରୁଣବାବୁ ମନ୍ତ୍ରମୁଗ୍‍ଧ ଭଳି ଗାଡ଼ିରୁ ଓହ୍ଲାଇ ଆଭାଙ୍କ ପଛେ ପଛେ ଚାଲିଲେ ପ୍ରାସାଦ ଭିତରକୁ ।

 

ପ୍ରାସାଦଟିର ଚାକଚକ୍ୟ ଦେଖି ଅରୁଣକୁମାର ପୁରାପୁରି ଅବାକ୍ । ଗୋଟା ପ୍ରାସାଦଟି ଶଙ୍ଖମଲମଲ ପଥରରେ ତିଆରି । ମାର୍ବଲ ତିଆରି କାନ୍ଥରେ ଖୋଦେଇ ହୋଇ ବହୁ ମୂଲ୍ୟବାନ୍‍ ପଥର ବସାଯାଇ କାନ୍ଥଟିକୁ ଏକ ଅପୂର୍ବ ଶୋଭାରେ ମଣ୍ଡିତ କରିଛି । ଚଟାଣ ସେହିଭଳି ବିଭିନ୍ନ ବର୍ଣ୍ଣର ମାର୍ବଲରେ ତିଆରି ହୋଇଥିବାରୁ ଏକ ସ୍ୱପ୍ନମୟ ରୂପ ଧାରଣ କରିଥାଏ ।

 

ସମ୍ମୁଖରେ ବିରାଟ ପୁଷ୍ପ ଉଦ୍ୟାନ । ନାନାଜାତିର ବିଭିନ୍ନ ବର୍ଣ୍ଣର ପୁଷ୍ପରେ ଉଦ୍ୟାନଟି ହସିଉଠୁଛି । ଉଦ୍ୟାନର ମଝିରେ ଏକ କୃତ୍ରିମ ଝରଣା । ଝରଣାର ଜଳ ଉପରକୁ ଉତ୍‍ଥିତ ହୋଇ ଏକ ସ୍ୱପ୍ନପୁରୀର ଆଭାସ ଦେଉଥାଏ ।

 

ପ୍ରାସାଦଟିର ସ୍ତରେ ସ୍ତରେ ଆଭିଜାତ୍ୟ ଓ ଧନଶାଳୀତାର ସ୍ପଷ୍ଟ ଛାପ । ପ୍ରାସାଦଟି ଏଡ଼େ ସୁନ୍ଦର ଯେ, ଏହାର ସୌନ୍ଦର୍ଯ୍ୟ ଆଗରେ ବ୍ରିଟିଶ ସାମ୍ରାଜ୍ୟର ମଉଡ଼ମଣି ରାଣୀ ଏଲିଜାବେଥ୍‍ଙ୍କ ବକିଙ୍କହାମ ରାଜପ୍ରାସାଦ ହାର ମାନିବାକୁ ବାଧ୍ୟ ହେବ । ମାର୍ବଲ ସୌଧ ତାଜମହଲର ଅପରୂପ ସୌନ୍ଦର୍ଯ୍ୟ ସହିତ ଏହି ପ୍ରାସାଦର ସୌନ୍ଦର୍ଯ୍ୟ ବେଶ୍ ତୁଳନୀୟ । ତାଜମହଲର ସ୍ତରେ ସ୍ତରେ କାରୁକାର୍ଯ୍ୟର ଯେଉଁ ମନ ମତାଣିଆ ସୌନ୍ଦର୍ଯ୍ୟ ଫୁଟି ଉଠୁଛି, ତା’ଠାରୁ ଏହାର ସୌନ୍ଦର୍ଯ୍ୟ କିଛି କମ ନୁହେଁ । କେବଳ ତଫାତ୍ ହେଉଛି ତାଜମହଲର କାରୁକାର୍ଯ୍ୟ ଓ ଗଠନରେ ଭାରତୀୟ ତଥା ପାରସ୍ୟ କଳାର ଏକ ଅପୂର୍ବ ମିଳନ ହସିଉଠୁଛି, କିନ୍ତୁ ଏହି ପ୍ରାସାଦରେ ଗ୍ରୀକ୍ ଓ ରୋମୀୟ କଳା ଓ ଗଠନ ବେଶ ପରିସ୍ଫୁଟ । ଶୁଣାଯାଏ ଧନକୁବେର ମାଇକେଲ୍‍ସନ ଏହି ପ୍ରାସାଦଟିକୁ ତିଆରି କଲାବେଳେ ଗ୍ରୀକ୍ ଓ ରୋମାନ କାରିଗରମାନଙ୍କ ମଧ୍ୟରୁ ଯେଉଁମାନଙ୍କର ପୁରାତନ ଗ୍ରୀକ୍ ଓ ରୋମୀୟ କଳା ଓ କାରୁକାର୍ଯ୍ୟରେ ଅଶେଷ ଦକ୍ଷତା ଅଛି, ସେଇମାନଙ୍କୁ ନିଯୁକ୍ତ କରିଥିଲେ । ଏହାର ନକ୍‍ସା କରିଥିଲେ ଏକ ଇଟାଲୀୟ ନକ୍‍ସାକାରୀ, ଯେ ପୁରାତନ ପ୍ରାସାଦ ତିଆରିରେ ସାରା ପୃଥିବୀରେ ଦକ୍ଷତା ଅର୍ଜ୍ଜନ କରିଛନ୍ତି । ଆହୁରି ଶୁଣାଯାଏ, ଏହି ପ୍ରାସାଦ ତିଆରି ପାଇଁ ଧଳା ମାର୍ବଲ ପ୍ରସ୍ତର ଆସିଥିଲା ଇଟାଲୀ ଓ ଗ୍ରୀସ୍ ଦେଶରୁ, କଳା ମାର୍ବଲ ପ୍ରସ୍ତର ଆସିଥିଲା ସ୍ପେନରୁ ଓ ବିଭିନ୍ନ ରଙ୍ଗୀନ ଛିଟ ମାର୍ବଲ ପ୍ରସ୍ତର ଆସିଥିଲା ଜିବ୍ରାଲ୍‍ଟରରୁ । ପ୍ରାସାଦଟିକୁ ସମ୍ପୂର୍ଣ୍ଣ କରିବାକୁ ଲାଗିଥିଲା ବାରବର୍ଷ ।

 

ପ୍ରାସାଦଟି ପୁରାତନ ଶୈଳୀରେ ତିଆରି ହୋଇଥିଲା ସତ; କିନ୍ତୁ ଆଧୁନିକତାର ସମସ୍ତ ପ୍ରକାର ଛାପ ପ୍ରାସାଦର ପ୍ରତି ସ୍ତରେ ସ୍ତରେ ଫୁଟି ଉଠୁଥାଏ । ଘରଗୁଡ଼ିକର ଏୟାରକଂଡ଼ିସନିଙ୍ଗଠାରୁ ଆରମ୍ଭ କରି ଆଧୁନିକତାର କଅଣ ଯେ ନାହିଁ ଏଠି, କହିହେବନି । ବିଭିନ୍ନ ଧରଣର ବିଦ୍ୟୁତ୍ ବତୀର ଝଲମଲ ପ୍ରାସାଦଟିକୁ ଏକ ଅଳକାପୁରୀରେ ରୂପାନ୍ତରିତ କରିଥାଏ । ପ୍ରାସାଦଟିର ପ୍ରତି ଦୁଆର ଓ ଝରକାରେ ଆଲୋକ ବିଦ୍ୟୁତ୍ କୋଷର ଅପୂର୍ବ ବ୍ୟବହାର । ଦୁଆର ପାଖକୁ ଗଲାକ୍ଷଣି ଦୁଆର ମନକୁ ମନ ଖୋଲିଯିବ । ଆଲୋକର ଘନତା ଓ ବାୟୁର ବିଶୁଦ୍ଧତା ନେଇ ଝରକା ମନକୁ ମନ ଖୋଲିଯାଏ । ଏହି ଘରର ଏକ ବିଶେଷତ୍ୱ ଯେ, ସନ୍ଧ୍ୟା ବା ଅନ୍ଧକାର ହେଲେ ପ୍ରାସାଦର ଆଲୋକବତୀ ମନକୁ ମନ ଜଳିଉଠେ ଓ ସୂର୍ଯ୍ୟୋଦୟ ପରେ ଯଥେଷ୍ଟ ଆଲୋକ ହେଲେ ଆଲୋକବତୀ ମନକୁ ମନ ଲିଭିଯାଏ । ପ୍ରତ୍ୟେକ ଗୃହର ବାୟୁରେ ଏକ ପ୍ରକାର ମୃଦୁଗୁଞ୍ଜନର ଆମୋଦଦାୟକ ଶବ୍ଦ ଏକ ଅପୂର୍ବ ସଙ୍ଗୀତର ଲହରୀରେ ଖେଳି ଯାଉଥାଏ । ଏହି ସଙ୍ଗୀତର ମୃଦୁ ମୂର୍ଚ୍ଛନା ଏଡ଼େ ଲାଳିତ୍ୟମୟ ଯେ ବେଦନାଭରା ହୃଦୟ ବି ଏହି ମୂର୍ଚ୍ଛନାରେ ଆନନ୍ଦିତ ନ ହୋଇ ରହି ପାରିବନାହିଁ । କଥାରେ ଅଛି, ଧନ କୁବେରଙ୍କୁ କେହି ପାଷାଣ ହୃଦୟ ଥିବା ନରଘାତକ ଯଦି ହତ୍ୟା କରିବାକୁ ଆସେ, ତେବେ ଏହି ମୃଦୁ ଗୁଞ୍ଜନରେ ସେ ଏତେ ଆପ୍ୟାୟିତ ହୋଇ ପଡ଼ିବ ଯେ, ସେ ନରହତ୍ୟା କରି ନ ପାରି ଫେରିଯିବ । ଅସଂଖ୍ୟ ନିର୍ଜୀବ ଆଲୋକ ତଡ଼ିତ୍‍କୋଷ ପ୍ରାସାଦର ପ୍ରତ୍ୟେକ କକ୍ଷକୁ ଏମିତି ଭାବରେ ଜଗି ରହିଛନ୍ତି ଯେ, ସାମାନ୍ୟ ସନ୍ଦେହଜନକ ଚାଲିଚଳଣରେ ସତର୍କ-ଘଣ୍ଟିଗୁଡ଼ିକ ବାଜି ଉଠି ସମସ୍ତଙ୍କୁ ସତର୍କ କରାଇଦିଏ ।

 

ଅରୁଣବାବୁ ଯେତେବେଳେ ଏଡ଼େ ଚାକଚକ୍ୟ ଭରା ପ୍ରାସାଦ ଭିତରକୁ ପ୍ରବେଶ କଲେ, ତାଙ୍କ ଅନ୍ତର ଏକ ପ୍ରକାର ଅଜଣା ଭୟରେ ଉଦ୍‍ବେଳିତ ହେବାକୁ ଲାଗିଲା । ସେ କିଛି ସମୟ ପାଇଁ ବିସ୍ତ୍ମୃତ ହୋଇ ପଡ଼ିଲେ ସେ କିଏ, କେଉଁଠାରୁ ଆସିଲେ ଓ କେଉଁଠାକୁ ଯାଉଛନ୍ତି । ଯାଉଁ ଯାଉଁ ପ୍ରାଚ୍ୟରୀତିରେ ନିର୍ମିତ ଏକ ସୁନ୍ଦର ନାରୀମୂର୍ତ୍ତି ନିକଟରେ ହଠାତ୍ ସେ ଅଟକି ଗଲେ । କୋଣାର୍କର ଗଠନ ଚାତୁରୀରେ ନିର୍ମିତ ଏହି ନାରୀମୂର୍ତ୍ତିଟି, ଶରୀରର ସୌଷ୍ଠବ, ମୁଖର ଲାବଣ୍ୟରେ ପ୍ରାସାଦର ସବୁ ମୂର୍ତ୍ତିକୁ ବଳି ଯାଉଛି । କ୍ଷଣକ ପାଇଁ ଅରୁଣଙ୍କର ସ୍ମୃତିପଟରେ ଭାସି ଉଠିଲା କୋଣାର୍କ ମନ୍ଦିରର ଏକ ଚିତ୍ର । ଏଇଭଳି ଗୋଟିକ ପରେ ଗୋଟିଏ ଅସଂଖ୍ୟ କୋଣାର୍କ ମୂର୍ତ୍ତି ତାଙ୍କ ଆଖି ଆଗରେ ଝଲସି ଗଲା ।

 

ଅରୁଣଙ୍କୁ ଅଟକିଯିବାର ଦେଖି ଆଭା କହି ଉଠିଲା, ‘‘ଏ ମୂର୍ତ୍ତିଟି ଅତ୍ୟନ୍ତ ସୁନ୍ଦର ଦିଶୁନି ଅରୁଣ ବାବୁ ?’’

 

ହଠାତ୍ ଆଭାର ଏହି କଥା କେଇପଦରେ ଅରୁଣକୁମାର ପ୍ରକୃତିସ୍ଥ ହୋଇପଡ଼ିଲେ । ସଙ୍ଗେ ସଙ୍ଗେ ତାଙ୍କର ମନେ ପଡ଼ିଗଲା, ସେ କେଉଁଠି ଓ କାହା ସହିତ । ଆଭାକୁ ଉତ୍ତର ନ ଦେଲେ ସେ କାଳେ ଅପମାନିତା ବୋଧ କରିବ ଭାବି ଅରୁଣ ବାବୁ କହିଲେ, ‘‘ହଁ ଆଭା, ଏହି ମୂର୍ତ୍ତିଟିକୁ ଦେଖି ଆମ ଓଡ଼ିଶାର କାରୁକାର୍ଯ୍ୟଭରା କୋଣାର୍କ ମନ୍ଦିର କଥା ମନେ ପଡ଼ିଯାଉଛି । କୋଣାର୍କ ମନ୍ଦିରର ମୂର୍ତ୍ତି ଯେଉଁ ରୀତିରେ ଓ ଯେଉଁ ଚାତୁରୀରେ ଗଠିତ, ଏ ମୂର୍ତ୍ତିଟି ଠିକ୍ ସେହି ରୀତି ଓ ସେହି ଚାତୁରୀନେଇ ଗଢ଼ିଉଠିଛି । ଶରୀରର ସେହି ଗଢ଼ଣ, ମୁଖର ସେହି ଭଙ୍ଗୀ, ଅଧରରେ ସେହି ଦରବିକଶିତ ହାସ୍ୟ । କେବଳ ତଫାତ୍ କୋଣାର୍କର ମୂର୍ତ୍ତି ପଥର ଉପରେ ଖୋଦିତ, ଏ ମୂର୍ତ୍ତିଟି ମାର୍ବଲ ଉପରେ ଖୋଦିତ ହୋଇଛି । କୋଣାର୍କ ମନ୍ଦିରର ମୂର୍ତ୍ତି ସାଧାରଣ ପ୍ରସ୍ତର ଉପରେ ଖୋଦିତ ହୋଇ ମଧ୍ୟ ଏହାଠାରୁ ଯଥେଷ୍ଟ ଅଧିକ ସୁନ୍ଦର । ତୁମେ ଯଦି କେବେ କୋଣାର୍କ ମନ୍ଦିର ଦେଖନ୍ତ ନା, କୁହନ୍ତ ପୃଥିବୀର କୌଣସି କାରୁକାର୍ଯ୍ୟ ଏହାର ସମକକ୍ଷ ହେବାକୁ ଯୋଗ୍ୟ ନୁହେଁ ।

 

‘‘ହଁ, ହଁ, ଅରୁଣବାବୁ, ମୁଁ ବି ବାପାଙ୍କଠାରୁ କୋଣାର୍କର ସୌନ୍ଦର୍ଯ୍ୟ ଗାରିମା କଥା ଶୁଣିଛି-। ବହୁ ଦିନ ତଳେ ଭାରତ ପରିଦର୍ଶନ କଲାବେଳେ ବାପା ଓଡ଼ିଶା ଯାଇଥିଲେ । ସେତେବେଳେ ଭାରତ ସ୍ୱାଧୀନ ହୋଇ ନ ଥାଏ । ସେ ଓଡ଼ିଶାର କେତେ କାରୁକାର୍ଯ୍ୟ ଖଚିତ ମନ୍ଦିର କଥା କହୁଥିଲେ । ସେ ସବୁର ଏଡ଼େ ସୁନ୍ଦର ଆଲୋକ ତଥା ଚଳଚ୍ଚିତ୍ର ଉଠାଇ ଆଣିଛନ୍ତି ଯେ, ସେଗୁଡ଼ିକୁ ଦେଖିଲେ ଓଡ଼ିଶାର ଭାସ୍କର୍ଯ୍ୟ, ସ୍ଥାପତ୍ୟ ଓ ଚିତ୍ରକଳାକୁ ପ୍ରଶଂସା ନ କରି ରହି ହୁଏନି । ବାପାଙ୍କ ଚଳଚ୍ଚିତ୍ରରେ ପୁରୀ, କୋଣାର୍କ, ଭୁବନେଶ୍ୱର, ଖିଚିଙ୍ଗ ଆଦିର ଅଶେଷ ମନ୍ଦିର ଗାତ୍ରର ସୁକ୍ଷ୍ମ ଚାରୁକଳାର ଚିତ୍ର ରହିଛି । ମୋତେ ସେହି ଚିତ୍ରଗୁଡ଼ିକୁ ଦେଖିବାକୁ ଭାରି ଭଲ ଲାଗେ । କି ସୁନ୍ଦର ଚାରୁକଳା, କି ମନମତାଣିଆ ସେ ଅପୂର୍ବ ଭାସ୍କର୍ଯ୍ୟ ! ବାପାଙ୍କୁ ଏହି ଚାରୁକଳା ଖୁବ୍ ଭଲଲାଗେ । ଦେଖୁନାହାଁନ୍ତି ସେ କିଭଳି କୋଣାର୍କ ଛାଞ୍ଚରେ ଆମ ଗୃହର ମାର୍ବଲ ମୂର୍ତ୍ତି ଗୁଡ଼ିକୁ ଗଢ଼ାଇଛନ୍ତି ! ଆପଣ ଶୁଣି ଆହୁରି ଆଶ୍ଚର୍ଯ୍ୟ ହେବେ ଅରୁଣ ବାବୁ, ଏଗୁଡ଼ିକ ଓଡ଼ିଶାର କାରିଗରଙ୍କ ଦ୍ୱାରା ପୁରୀରୁ ତିଆରି ହୋଇ ଅଣାଯାଇଛି ।

 

‘‘ଆଁ, ପୁରୀରୁ ?’’ ଚମକି ପଡ଼ିଲେ ଅରୁଣ ବାବୁ । ‘‘ବାଃ, ଓଡ଼ିଶାର କଳା ପ୍ରତି ତୁମ ବାପାଙ୍କର ଆକର୍ଷଣ ଅତି ଚମତ୍କାର । ଖାଲି ସ୍ଥାପତ୍ୟ କଳାରେ ଓଡ଼ିଶା ଯେ ପ୍ରସିଦ୍ଧ ତା ନୁହେଁ, ଅସଂଖ୍ୟ ପ୍ରକାର କୁଟୀର-ଶିଳ୍ପରେ ତା’ର କଳା କୃଷ୍ଟିର ପ୍ରଭାବ ଦେଖିଲେ ତୁମେ ଆଶ୍ଚର୍ଯ୍ୟ ନ ହୋଇ ରହି ପାରିବନି ଆଭା ।’’

 

‘‘ହଁ, ବାପା କହନ୍ତି ଠିକ୍ ସେହି କଥା । ସେ ଥରେ ମୋତେ କହୁଥିଲେ ଓଡ଼ିଶାର ପୂର୍ବତନ ନାମ ହେଉଛି ଉତ୍କଳ, ଯାହାର ଆକ୍ଷରିକ ଅର୍ଥ ହେଉଛି ଯେଉଁ ଦେଶର କଳା ଖୁବ୍ ଉତ୍କୃଷ୍ଟ-।’’

 

‘‘ହଁ, ତୁମେ ଠିକ୍ କହୁଛ ଆଭା ।’’ ଓଡ଼ିଶା ପ୍ରାକୃତିକ ସଂପଦରେ ଧନୀ ହେଉ ବା ନିର୍ଦ୍ଧନ ହେଉ, ଓଡ଼ିଶାର ଚାରୁକଳା ଯୁଗେ ଯୁଗେ ପ୍ରଖ୍ୟାତ । ଓଡ଼ିଶାରେ ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ଚର୍ଚ୍ଚାକୁ ଛାଡ଼ି ଅସଂଖ୍ୟ ପ୍ରକାର କଳା ଚର୍ଚ୍ଚା ରହିଛି । ଓଡ଼ିଶାର ବହୁ କୁଟୀର-ଶିଳ୍ପ ଉପରେ ଏହାର ସ୍ପଷ୍ଟ ପ୍ରଭାବ ପରିଲକ୍ଷିତ ହୁଏ । କଟକର ରୁପା ଓ ସୁନାର ତାରକସିକାମ; କଟକ ଓ ପାରଳାଖେମୁଣ୍ଡିର ଶିଙ୍ଗକାମ, ରେମୁଣା, ଭାଟିମୁଣ୍ଡା, କଣ୍ଟିଲୋ ଆଦିର ପିତ୍ତଳ କାମ, ସମ୍ବଲପୁରର ତନ୍ତଲୁଗା ଉପରେ କାରୁକାର୍ଯ୍ୟ, ପିପିଲିର କାରୁକାର୍ଯ୍ୟପୂର୍ଣ୍ଣ ଚାନ୍ଦୁଆ, ପୁରୀ ରଘୁରାଜପୁରର ପଟ୍ଟଚିତ୍ର, ରଘୁରାଜପୁର, ପୁରୀ, ଖୋର୍ଦ୍ଧା, ବୈଦ୍ୟେଶ୍ୱରର ତାଳପତ୍ର ଉପରେ ନାନାଦି କାରୁକାର୍ଯ୍ୟ, ପୁରୀର କାଠ କଣ୍ଢାଇ ଓ ଚିତ୍ରିତ କାଠବାକ୍‍ସ ଆଦି ଉପରେ ଯେଉଁ ଉତ୍କୃଷ୍ଟ ଚାରୁକଳା ଫୁଟି ଉଠୁଛି ତାହା ବର୍ଣ୍ଣନାତୀତ ଆଭା-। ତୁମକୁ ମୁଁ କେବେ ଓଡ଼ିଶା ନେବାର ସୌଭାଗ୍ୟ ଯଦି ଅର୍ଜ୍ଜନ କରନ୍ତି, ତେବେ ଦେଖାଇ ଦିଅନ୍ତି, ଓଡ଼ିଶାର ଭାସ୍କର୍ଯ୍ୟ, ଚାରୁକଳା ହାତକାମ ଆଗରେ ପୃଥିବୀର କୌଣସି ଦେଶର ଭାସ୍କର୍ଯ୍ୟ, ଚାରୁକଳା କି ହାତକାମ ଠିଆ ହେବାକୁ ସମକକ୍ଷ ନୁହେଁ ।

 

ଅରୁଣବାବୁ ଏହିଭଳି କହି କହି ଯାଉଁ ଯାଉଁ ଆଉ ଏକ ପ୍ରାଚୀନ ପ୍ରସ୍ତର ମୂର୍ତ୍ତିଟି ପାଖରେ ଠିଆ ହୋଇଗଲେ । ମୂର୍ତ୍ତିଟି ସମ୍ଭବତଃ ଓଡ଼ିଶାର ନୁହେଁ, ଭାରତର ଆଉ କେଉଁ ରାଜ୍ୟରୁ ସଂଗୃହୀତ ହୋଇଆସିଛି । ମୂର୍ତ୍ତିଟି ଏକ ଅତି ସୁନ୍ଦର ନାରୀମୂର୍ତ୍ତି, ରୂପ ପ୍ରସାଧନୀରେ ନିଜର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିବାକୁ ଚେଷ୍ଟିତ । ଭ୍ରୁଲତାରେ ଅଙ୍ଗରାଗର ଲେପନରେ ବ୍ୟସ୍ତ ଗୁଗ୍‍ଗୁଳର ଉଷ୍ଣ ଧୂମରେ ଶୁଖାହେଉଛି ନାରୀଟିର ଜଳସିକ୍ତ ଆଜାନୁଲମ୍ବିତ କୃଷ୍ଣ କେଶଗୁଚ୍ଛ । ଅରୁଣଙ୍କୁ ଏହି ମୂର୍ତ୍ତିଟି ଆଡ଼କୁ ଏକାଗ୍ରଚିତ୍ତରେ ଅନାଇବା ଦେଖି ଆଭା କହିଲା, ‘‘ଏହି ମୂର୍ତ୍ତିଟିକୁ ମୁଁ ଏପର୍ଯ୍ୟନ୍ତ ବୁଝିପାରି ନି ଅରୁଣ ବାବୁ ! ଅତି ପ୍ରାଚୀନ ମୂର୍ତ୍ତି ସତ; କିନ୍ତୁ କି କାର୍ଯ୍ୟରେ ଏହି ନାରୀଟି ବ୍ୟସ୍ତ ମୁଁ ଜାଣିପାରୁନି ।’’

 

ଅରୁଣ ବାବୁ ହସିଲେ, ‘‘ଆଧୁନିକ ଯୁଗର ନାରୀ ପୁରାତନ ଯୁଗର ନାରୀକୁ ବୁଝିବ କେମିତି ଆଭା ? ଏହି ମୂର୍ତ୍ତିଟି ଅନ୍ୟୁନ ହଜାରେ ବର୍ଷ ତଳର । ଅଙ୍ଗରାଗ ସାହାଯ୍ୟରେ ନିଜ ରୂପ ସଜାଇବାରେ ବ୍ୟସ୍ତ । ଏହି ନାରୀ ମୂର୍ତ୍ତିଟି ଗୁଗ୍‍ଗୁଳର ଉଷ୍ଣ ଧୂମରେ ନିଜ ପରିଷ୍କୃତ କେଶଗୁଚ୍ଛକୁ କିଭଳି ଶୁଖାଉଛି ଦେଖିପାରୁନ ।’’

 

‘‘ଆଁ, ଅଙ୍ଗରାଗରେ ରୂପ ସଜାଉଛି ଏହି ନାରୀ । ଆପଣ ଯେ କ’ଣ କହୁଛନ୍ତି ମୁଁ ବୁଝିପାରୁନି ଅରୁଣ ବାବୁ ? ପୁରାତନ ଭାରତର ନାରୀ ଅଙ୍ଗରାଗ ବ୍ୟବହାର କରି– ?’’

 

‘‘ହଁ, ହଁ, ପୁରାତନ ଭାରତରେ ନାରୀ ବି ଅଙ୍ଗରାଗ ସାହାଯ୍ୟରେ ନିଜ ରୂପକୁ ସଜାଉଥିଲା, ଆଜିକାଲି ତୁମର ପାଶ୍ଚାତ୍ୟ ନାରୀମାନେ ଯେମିତି ସଜାଉଛନ୍ତି, ଠିକ୍ ସେହିଭଳି କିମ୍ବା ତା’ଠାରୁ ଅଧିକ ଦକ୍ଷତାର ସହିତ ।’’

 

‘‘ତୁମେ କ'ଣ ଭାବ ଆଭା ।’’ ଅରୁଣ ବାବୁ କହି ଚାଲିଲେ, ‘‘ଅଙ୍ଗରାଗର ସୃଷ୍ଟି ହୋଇଛି ଏଇ ଆଧୁନିକ ଯୁଗରେ ? ପୁଣି ତୁମ ଦେଶରେ ? ଆଧୁନିକ ଯୁଗ ଆରମ୍ଭ ହେବାର ବହୁ ପୂର୍ବରୁ ଏମିତିକି ମିଶର ସଭ୍ୟତାର ବହୁ ଆଗରୁ ଭାରତବର୍ଷରେ ଅଙ୍ଗରାଗର ବେଶ୍ ପ୍ରଚଳନ ଥିଲା । ବିଶ୍ୱ ସୌନ୍ଦର୍ଯ୍ୟର ପ୍ରତିଭୂ ନାରୀ, ଚିର ସୌନ୍ଦର୍ଯ୍ୟମୟୀ । ପ୍ରକୃତି ଦତ୍ତ ସୌନ୍ଦର୍ଯ୍ୟରେ ନାରୀ ମନ ତୃପ୍ତ ହୋଇ ରହିପାରେ ନା । ସେ ଚାହେଁ, ନାନା କୃତ୍ରିମ ଉପାୟରେ ନିଜକୁ ସଜ୍ଜିତ କରି ଅତ୍ୟଧିକ ସୁନ୍ଦରୀ ହେବାକୁ । ପ୍ରାକୃତିକ ତଥା କୃତ୍ରିମ ଅଙ୍ଗ ସଜ୍ଜାରେ ସେ କିପରି ଅଧିକ ସୌନ୍ଦର୍ଯ୍ୟମୟୀ ହୋଇପାରିବ, ସେହି ପିପାସାରୁହିଁ ଅଙ୍ଗରାଗର ପ୍ରଚଳନ । ଅଙ୍ଗ ବିନ୍ୟାସ ପାଇଁ ଆଧୁନିକ ନାରୀ ଯେମିତି ପାଗଳ, ସହସ୍ର ସହସ୍ର ବର୍ଷ ତଳର ଭାରତୀୟ ନାରୀ ତା’ଠାରୁ କିଛି କମ୍ ପାଗଳ ନ ଥିଲା ଆଭା ।’’

 

ଭାରତବର୍ଷରେ ଅଙ୍ଗରାଗର ସୃଷ୍ଟି ସହସ୍ର ସହସ୍ର ବର୍ଷ ତଳୁ ହୋଇଆସିଛି । ଯେତେବେଳେ ସାରା ପୃଥିବୀ, ଏଭଳି କି ତୁମ ଦେଶ ଇଂଲଣ୍ଡ ଅସଭ୍ୟତାର ବର୍ବର ଅନ୍ଧକାରରେ ସଢ଼ୁଥିଲା, ସେତେବେଳେ ଭାରତୀୟ ନାରୀ ଅଙ୍ଗରାଗର ପ୍ରାଚୁର୍ଯ୍ୟ ଭିତରେ ନିଜର ବେଶ ବିନ୍ୟାସ ନେଇ ପାଗଳ ହୋଇଉଠିଥିଲା । ପାଶ୍ଚତ୍ୟ ଲୋକେ କହନ୍ତି, ମିଶରୀୟ ସୁନ୍ଦରୀ କ୍ଲିଓପାଟ୍ରାଙ୍କଠାରୁ ଅଙ୍ଗରାଗ ତଥା ଅଙ୍ଗ ବିନ୍ୟାସ ବା ରୂପ ପ୍ରସାଧନୀର ଆରମ୍ଭ । କିନ୍ତୁ କ୍ଲିଓପାଟ୍ରା ଜନ୍ମ ନେବାର ବହୁ ସହସ୍ର ବର୍ଷ ପୂର୍ବରୁ ଭାରତବର୍ଷର ମାଟି ଅଙ୍ଗରାଗର ବନ୍ୟାରେ ଯେ ପ୍ଲାବିତ ହୋଇଉଠିଥିଲା, ଏହାକୁ କେତେ ଜଣ ଧାରଣା କରିପାରନ୍ତି ଆଭା ? ପ୍ରାଚୀନ ଭାରତରେ ପ୍ରଚଳିତ ଥିବା ଚଉଷଠି କଳା ଭିତରୁ ‘ଦଶନ ବାସନାଙ୍ଗରାଗ’ କଳା ଥିଲା ଅତି ବିଖ୍ୟାତ । ଦଶନ ବା ମୁଖ, ବସନ ବା ଦେହର ସୌନ୍ଦର୍ଯ୍ୟ ବୃଦ୍ଧି ଥିଲା ନାରୀମାନଙ୍କର ଏକାନ୍ତ କର୍ତ୍ତବ୍ୟ । ମହେଞ୍ଜୋଦାରୋ ଓ ହରପ୍‍ପାର ଅତି ପ୍ରାଚୀନ ସିନ୍ଧୁ ସଭ୍ୟତା ବେଳେ ବହୁ ଅଙ୍ଗରାଗର ପ୍ରଚଳନ ନାନା ପ୍ରତ୍ନତାତ୍ତ୍ଵିକ ଖନନରୁ ଏବେ ପ୍ରମାଣିତ ହେଉଛି । ସେହିସବୁ ଅଙ୍ଗରାଗ ମଧ୍ୟରେ ଅଞ୍ଜନ, ଅଞ୍ଜନଶଳାକା, ଅଧରରଞ୍ଜନ ବର୍ତ୍ତୀ ଆଦି ଅତି ବିଖ୍ୟାତ ଥିଲା । ଦେହର ଦୁର୍ଗନ୍ଧ ନାଶ କରିବାପାଇଁ ଓ ଘର୍ମଗନ୍ଧକୁ ଦୂର କରିବାପାଇଁ ବିଭିନ୍ନ ଅଙ୍ଗରାଗର ବର୍ଣ୍ଣନ ବାତ୍ସାୟନଙ୍କ କାମଶାସ୍ତ୍ର ଓ ପୁରାଣମାନଙ୍କରେ ଦେଖିବାକୁ ମିଳେ । ସୁବିଖ୍ୟାତ ବୃହତ୍‍ସଂହିତାରେ ବିଭିନ୍ନ କେଶ ବର୍ଦ୍ଧିନୀ ତୈଳ, କେଶରଞ୍ଜନୀ ଆଦିର ପ୍ରସ୍ତୁତି ତଥା ପ୍ରଚଳନ କଥା ଲିପିବଦ୍ଧ ଅଛି । ଦାନ୍ତକୁ ଶ୍ୱେତ, ସୁନ୍ଦର ଓ ଗନ୍ଧଶୂନ୍ୟ ରଖିବାପାଇଁ ବୃହତ୍‍ସଂହିତାରେ ଦନ୍ତଧାବନ ନେଇ ଯେଉଁସବୁ ବ୍ୟବସ୍ଥା ରହିଛି, ତାହା ଆଗରେ ଆଧୁନିକ ବିଜ୍ଞାନସମ୍ମତ ବ୍ୟବସ୍ଥା ବହୁଗୁଣରେ ନ୍ୟୂନ ବୋଲି ମନେହୁଏ । ଆଧୁନିକ ପାଶ୍ଚାତ୍ୟ ରମଣୀମାନେ ମୁଣ୍ଡ ଧୋଇସାରି ମୁଣ୍ଡବାଳକୁ ଉଷ୍ଣ ବାୟୁରେ ଶୁଷ୍କ କଲାବେଳେ ଭାରତୀୟ ଲଳନାମାନେ ଜଳସିକ୍ତ କେଶକୁ ଧୂପ ଧୂମରେ ଶୁଖାଇବା ବ୍ୟବସ୍ଥା ଭାରତୀୟ ଅଙ୍ଗରାଗର ଅପୂର୍ବ ପରାକାଷ୍ଠ।ର ଶତ ଜୟଗାନ କରେ । ଆଜିକାଲି ଯେମିତି ମୁଖମଣ୍ଡଳକୁ ସୁନ୍ଦର ଓ ମସୃଣ କରିବାପାଇଁ ଫେସ୍ ପାଉଡ଼ର ଆଦି ବ୍ୟବହୃତ ହୁଏ, ପୁରାତନ ଭାରତରେ ସେହିଭଳି ମୁଖମଣ୍ଡଳକୁ ସୁନ୍ଦର କରିବାପାଇଁ ଲୋଧ୍ର ରେଣୁ, ଚନ୍ଦନଚୂର୍ଣ୍ଣ, କୁଙ୍କୁମ ଚୂର୍ଣ୍ଣ ଆଦି ବ୍ୟବହୃତ ହେଉଥିଲା । ଶୀତଦିନେ ଦେହର ଚମ ଖସଖସିଆ ନ ହେବାପାଇଁ ଓ ଓଷ୍ଠ।ଧର ଶୁଖି ନ ଯିବାପାଇଁ ଭାରତୀୟ ନାରୀମାନେ ଆଜିକାଲିକା ଭଳି ମହମ ବ୍ୟବହାର କରୁଥିଲେ । ଅଧର ଓ କପୋଳକୁ ରକ୍ତିମ କରିବାପାଇଁ ଆଜିକାଲିକାର ଲିପଷ୍ଟିକ୍ ଓ ରୁଜ୍‍ଭଳି ସେ ଯୁଗରେ ମଞ୍ଜିଷ୍ଠ।ର ଓ ଅଳକ୍ତକର ବ୍ୟବହାର ବେଶ୍ ପ୍ରସାରଲାଭ କରିଥିଲା ।

 

ନୟନର ଶ୍ରୀ ବୃଦ୍ଧିପାଇଁ ବିଭିନ୍ନ ପ୍ରକାର ଅଞ୍ଜନର ବ୍ୟବହାର ସେଯୁଗରେ ବିଭିନ୍ନ ଅଙ୍ଗରାଗ ମଧ୍ୟରେ ଖୁବ୍ ଉଚ୍ଚ ଆସନ ଲାଭ କରିଥିଲା ।

 

ପୁରାତନ ଭାରତରେ ଅଙ୍ଗରାଗ ଓ ଅଙ୍ଗବିନ୍ୟାସ କଥା ଶୁଣି ଏକ ରକମ ଜଡ଼ ପାଲଟି ଯାଇଥିଲା ଆଭା । ଭାରତର ପୁରାତନ ସଭ୍ୟତା କେତେ ଉଚ୍ଚକୋଟୀର, ଅରୁଣଙ୍କର ବର୍ଣ୍ଣନାରୁ ଧାରଣା କରିବା ବିଶେଷ କଷ୍ଟକର ହେଲାନି । ଅଲକ୍ଷ୍ୟରେ ଭାରତର ଅତୀତ ସଭ୍ୟତା ପ୍ରତି ତା’ ମୁଣ୍ଡ ଭକ୍ତିରେ ନଇଁ ଆସିଲା ।

 

ଆଭା ଅରୁଣଙ୍କୁ ନେଇ ବୈଠକଖାନା ଭିତରକୁ ଯାଉଛି, ହଠାତ୍ ପରିଚାରିକା ଆସି ଖବର ଦେଲା, ‘‘ଆଲଫ୍ରେଡ଼୍‍ ଆପଣଙ୍କୁ ଦେଖା କରିବାକୁ ଆସିଛନ୍ତି ଦେଈ ।’’

 

‘‘ଆଁ, ଆଲଫ୍ରେଡ଼୍‍ ଆସିଛି ? ତାକୁ ବୈଠକଖାନାକୁ ଡାକିଆଣ ମାର୍ଗାରେଟ୍ ।’’

 

ଅରୁଣ ବାବୁ ଯାଇ ବୈଠକଖାନା ଭିତରର ସୁକୋମଳ ସୋଫା ଉପରେ ବସିଛନ୍ତି କି ନାହିଁ, ଆଲଫ୍ରେଡ଼୍‍କୁ ଧରି ମାର୍ଗାରେଟ୍ ଆସି ପହଞ୍ଚିଗଲା ବୈଠକ ଖାନାରେ ।

 

ଆଲଫ୍ରେଡ଼୍‍ ଆଭାକୁ ଦେଖିଛି କି ନାହିଁ, ତା ପାଟିରୁ ବାହାରି ପଡ଼ିଲା ‘‘ହାଇ ଆଭା, ତୁମେ କେମିତି ଅଛ ? ମୁଁ ତୁମ ଖବର ଅନେକ ଦିନ ହେଲା ପାଇନି ।’’

 

ଆଲଫ୍ରେଡ଼୍‍କୁ ଦେଖି ଆଭା ମଧ୍ୟ ଉତ୍‍ପୁଲ୍ଲିତ ହୋଇଉଠିଲା । ସେ ପ୍ରତି ଉତ୍ତରରେ ଆଲଫ୍ରେଡ଼୍‍ର ଭଲମନ୍ଦ ପଚାରିବାକୁ ଭୁଲିଲା ନାହିଁ ।

 

ଅରୁଣଙ୍କୁ ଦେଖି ଆଲଫ୍ରେଡ଼୍‍ ଉତ୍ସୁକ ହୋଇ ଅରୁଣଙ୍କ ଆଡ଼କୁ ଚାହିଁ ରହିଲା । ଆଭା ଆଲଫ୍ରେଡ଼୍‍ ସହିତ ଅରୁଣଙ୍କୁ ପରିଚିତ କରାଇ ଦେବା ପାଇଁ ଆଲଫ୍ରେଡ଼୍‍ ଆଡ଼କୁ ଅନାଇ କହିଲା, ‘‘ଏ ହେଉଛନ୍ତି, ମୋର ବନ୍ଧୁ ଅରୁଣ କୁମାର ପଟ୍ଟନାୟକ । ଏଠା ଇମ୍ପେରିଆଲ କଲେଜରେ ମେକାନିକାଲ ଇନ୍‍ଜିନିୟରିଂରେ ଗବେଷଣା କରୁଛନ୍ତି । ତୁମେ ଜାଣ ଆଲଫ୍ରେଡ଼୍‍, ଏଇ ବର୍ଷର ଶ୍ରେଷ୍ଠତମ ଇନ୍‍ଜିନିୟରିଂ ଛାତ୍ର ଭାବରେ ସେ ଇମପେରିୟାଲ କଲେଜର କୋପ୍‍ଲେ ସ୍ଵର୍ଣ୍ଣପଦକ ଲାଭ କରିଛନ୍ତି ।

 

‘‘ହାଇ ଅରୁଣ, କନ୍‍ଗ୍ରାଚୁଲେସନ୍,’’ ଏତକ କହି ହ୍ୟାଣ୍ଡସେକ୍ କରିବାକୁ ଆଲଫ୍ରେଡ଼୍‍ ଅରୁଣ ଠାକୁ ଚାଲିଗଲା । ଅରୁଣ ସହିତ ଆଲଫ୍ରେଡ଼୍‍ ହ୍ୟାଣ୍ଡସେକ୍ କରିବା ପୂର୍ବରୁ ଅରୁଣକୁ ଅନାଇ ଆଭା କହିଲା, ‘‘ଏ ହେଉଛି ମୋର ବୟ ଫ୍ରେଣ୍ଡ ଆଲଫ୍ରେଡ଼୍‍ । ଇମ୍ପେରିଆଲ କଲେଜରୁ ରସାୟନ ବିଜ୍ଞାନରେ ଏମ୍.ଏସ୍‍ସି. ପାସ୍ କରି ବର୍ତ୍ତମାନ ବର୍ଲିନରେ ପି.ଏଚ୍.ଡ଼ି. ପାଇଁ ଗବେଷଣା କରୁଛି ।

 

ଆଭାର ଏକ କଥା କେଇପଦରେ ଅରୁଣ ଖୁସିହେବ କଅଣ, ଟିକିଏ ଚିନ୍ତିତ ହୋଇ ଆଲଫ୍ରେଡ଼୍ ସହିତ ହାତ ମିଳାଇଲା । ଦୁଇବନ୍ଧୁ ପାଖକୁ ପାଖ ଲଗାଲଗି ହୋଇ ଗୋଟିଏ ସୋଫାରେ ବସିଲେ । ଉଭୟଙ୍କ ସାମନାରେ ବସିରହିଲା ଆଭା ।

 

ବୟ ଫ୍ରେଣ୍ଡ, ଗାର୍ଲ ଫ୍ରେଣ୍ଡ ଆଦି ଶବ୍ଦ ସହିତ ଅରୁଣ ଲଣ୍ଡନ ଆସିବା ଦିନ ଠାରୁ ବେଶ୍ ପରିଚିତ । ଝିଅମାନେ କେମିତି ପୁଅମାନଙ୍କ ସହିତ ଡେଟିଂ କରନ୍ତି ଓ ସେହି ଡେଟିଂ ଭିତରେ ଝିଅମାନେ ନିଜ ମନଲାଖି ସ୍ୱାମୀ ବାଛନ୍ତି ଓ ପୁଅମାନେ ମନଲାଖି ସ୍ତ୍ରୀ ବାଛନ୍ତି, ତା ସାମନାରେ ଝିଲ ମିଲ ହୋଇ ଭାସିଉଠିଲା । ପାଶ୍ଚାତ୍ୟ ଦେଶମାନଙ୍କର ଡେଟିଂ ପ୍ରଥା ଏକ ମାମୁଲି କଥା । ପୁଅ ଝିଅମାନେ ସାଙ୍ଗସାଥୀ ହୋଇ ସନ୍ଧ୍ୟାବେଳେ ପାର୍କ ଆଦିକୁ ବୁଲି ଯାଆନ୍ତି । ପ୍ରଥମେ ପ୍ରଥମେ ଗୋଟିଏ ଗୋଟିଏ ଝିଅର ସାତ ଆଠଗୋଟି ଗାର୍ଲଫ୍ରେଣ୍ଡ ଥାଆନ୍ତି । ଯେଉଁ ଝିଅ ଡେଟିଂ କରିବା ଆରମ୍ଭ କରେ, ସେ ସାତ ଆଠଗୋଟି ପୁଅ ସହିତ ଅଲଗା ଅଲଗା ବୁଲି ଯିବାପାଇଁ ଡେଟ୍‍ ବା ତାରିଖ ଦେଇଥାଏ । ଯେଉଁ ପୁଅକୁ ଯେଉଁ ତାରିଖ ଦିଆଯାଏ, ଠିକ୍‍ ସେହିଦିନ ସେହି ପୁଅ ଆସି ଝିଅଘରଠାରେ ପହଞ୍ଚେ । ପୁଅ ଝିଅ ସାଙ୍ଗ ହୋଇ ହାତ ଧରାଧରି ହୋଇ ପାର୍କ ବା ଅନ୍ୟ କେଉଁଠିକୁ ବୁଲି ଯାଆନ୍ତି । କଥାବାର୍ତ୍ତା, ହସଖୁସି ଭିତରେ କାଳ କଟାଇ ସେମାନେ ରାତି ନଅଟା ଦଶଟା ବେଳକୁ ଘରକୁ ଫେରି ଆସନ୍ତି । ଝିଅଟିକୁ ଘରେ ଛାଡ଼ି ଦେଇ ପୁଅଟି ନିଜ ଘରକୁ ଯାଏ । ଝିଅ ଧୀରେ ଧୀରେ ଏହି ବିଭିନ୍ନ ପୁଅଙ୍କ ସଙ୍ଗେ ମିଶି ତା ମନଲାଖି ପୁଅ ବାଛେ । ଯେଉଁ ପୁଅ ତାକୁ ବେଶୀ ଭଲ ଲାଗେ, ତାହା ସହିତ ସେ ଅଧିକ ଥର ବୁଲିଯାଏ ଓ ତାକୁ ବାରମ୍ବାର ବିଭିନ୍ନ ଡେଟ୍ ଦିଏ । ଯେଉଁମାନଙ୍କୁ ସେ ଭଲ ପାଏନି, ସେମାନଙ୍କୁ ଆଉ ଡେଟ୍ ନ ଦେଇ ସେମାନଙ୍କଠାରୁ ଦୂରେଇଯାଏ । କିଛିଦିନ ଡେଟିଂ ଚାଲିଲେ ଝିଅମାନଙ୍କର ସାତ ଆଠଟି ବୟଫ୍ରେଣ୍ଡ ଭିତରୁ ଦୁଇ ତିନିଗୋଟି ରହି ଅନ୍ୟମାନେ ବିଦା ହୋଇଯାନ୍ତି । ଯେଉଁ ଦୁଇ ତିନିଗୋଟି ରହିଯାନ୍ତି, ସେମାନଙ୍କ ସହିତ ଝିଅ ବାରମ୍ବାର ବାହାରକୁ ଯାଏ । ସେତିକିବେଳେ ଝିଅ ବୟଫ୍ରେଣ୍ଡମାନଙ୍କୁ ଭଲଭାବରେ ଜାଣିବାକୁ ଚେଷ୍ଟାକରେ, ଏମାନଙ୍କ ଭିତରୁ କାହାକୁ ସେ ସ୍ୱାମୀ ଭାବରେ ପାଇଲେ ସୁଖୀ ହେବ ଠିକ୍ କରେ । ସେ ଯାହାକୁ ବାଛେ, କେବଳ ତାହାରି ସହିତ ଡେଟିଂ କରିବାକୁ ଯାଏ । ଏହାକୁ କୁହାଯାଏ ‘‘ଗୋଇଙ୍ଗ ଷ୍ଟେଡି ।’’ ଏହି ଗୋଇଂ ଷ୍ଟେଡି ବେଳେ ଝିଅ ବୟଫ୍ରେଣ୍ଡକୁ ଆହୁରି ଭଲ ଭାବରେ ଜାଣିବାକୁ ଚେଷ୍ଟାକରେ । ସେ ପୁଅ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଜାଣିସାରିଲେ ବାପା ମାଙ୍କୁ ନିଜ ସ୍ୱାମୀ ବାଛିବା କଥା କହେ । ବାପ ମା ରାଜି ହେଲେ ସେମାନଙ୍କର ଏନ୍‍ଗେଜମେଣ୍ଟ ହୁଏ । ଏନ୍‍ଗେଜମେଣ୍ଟ ହେବାର କିଛିଦିନ ପରେ ବିଭାଘର ହୁଏ । ଝିଅ ଯେଉଁ ପଦ୍ଧତିରେ ଉପଯୁକ୍ତ ସ୍ୱାମୀ ବାଛେ, ପୁଅମାନେ ଠିକ୍ ସେହି ରାତିରେ ସାତ ଆଠଗୋଟି ଗାର୍ଲଫ୍ରେଣ୍ଡ ଭିତରୁ ଗୋଟିକୁ ନିଜ ଭାବିପତ୍ନୀ ଭାବରେ ମନୋନୀତ କରନ୍ତି ।

 

ଆର୍ଲଫ୍ରେଡ଼୍‍କୁ ନିଜ ବୟଫ୍ରେଣ୍ଡ ବୋଲି ଜାଣିବା ପରଠାରୁ ଅରୁଣ ମନରେ ଏହି ଡେଟିଂର ବିଭିନ୍ନ ପର୍ଯ୍ୟାୟ ମନେ ପଡ଼ିଯାଉଥାଏ । ଇଂରେଜ ଝିଅମାନଙ୍କର ଏହା ଏକ ଚିରାଚରିତ ସାମାଜିକ ବିଧି । ନିଜେ ନିଜ ସ୍ୱାମୀ ବାଛି ନ ପାରିଲେ ଅନ୍ୟ କେହି ନିଜ ପାଇଁ ସ୍ୱାମୀ ବାଛି ଦେବେ ନି । ଝିଅର କିଏ ସ୍ୱାମୀ ହେବ ବା ପୁଅର କିଏ ସ୍ତ୍ରୀ ହେବ ବାଛିବା ପାଇଁ ବାପ, ମା’ମାନେ ମୁଣ୍ଡ ଖେଳେଇବାକୁ ଅନିଛୁକ । ସେମାନଙ୍କ ଯୁକ୍ତି ପୁଅ କି ଝିଅ ଯାହାକୁ ନେଇ ଘରସଂସାର କରିବେ, ସେମାନେ ନିଜେ ନିଜେ ବାଛିବା ଉଚିତ । ବିବାହ ପୂର୍ବରୁ ବାପ, ମା’ଙ୍କୁ କେବଳ ଜଣାଇଦେବା କଥା-

 

ଆର୍ଲଫ୍ରେଡ଼୍‍ ସହିତ ପରିଚିତ ହେବା ପରେ ଅରୁଣକୁମାର ବିଶେଷ ଖୁସି ହେଲେ ନାହିଁ, କି ଦୁଃଖୀ ବି ହେଲେ ନାହିଁ । ଶହ ଶହ ବୟଫ୍ରେଣ୍ଡ ସେ ତ ଏହି ଲଣ୍ଡନ ସହରରେ ଦେଖିଆସିଛନ୍ତି । ହାଇଡ଼ ପାର୍କଠାରୁ ଆରମ୍ଭ କରି ସେଣ୍ଟ ଜେମସ୍ ପାର୍କ ପର୍ଯ୍ୟନ୍ତ, ଲଣ୍ଡନ ବ୍ରିଜ୍‍ଠାରୁ ଆରମ୍ଭ କରି ୱେଷ୍ଟ ମିନିଷ୍ଟର ବ୍ରିଜ୍ ପର୍ଯ୍ୟନ୍ତ, ଟେମସ୍ ନଦୀ କୂଳରେ ଏମାନଙ୍କ ଭିଡ଼ କିଛି କମ୍ ନୁହେଁ । ଆଜି ଗୋଟିଏ ଝିଅକୁ ଟେମସ୍ ନଦୀ କୂଳରେ ଗୋଟିଏ ପୁଅ ସହିତ ଦେଖିଲଣି ତ, କାଲି ସେ ଝିଅ ଆଉ ଏକ ପୁଅ ସହିତ ହାଇଡ଼ ପାର୍କରେ ବୁଲିଲାଣି, ପହରଦିନ ସେଣ୍ଟ ଜେମସ ପାର୍କଠାରେ ନିବିଡ଼ କୁଞ୍ଜଲତା ଆଢ଼ୁଆଳରେ ଆଉ ଏକ ପୁଅ ସହିତ ହସଖୁସି ଗପସପରେ ମଜଗୁଲ । କାହିଁ ଆମ ସାମାଜିକ ରୀତି, କାହିଁ ଏମାନଙ୍କ ରୀତି । ଆମ ଦେଶରେ ବାପ, ମା’ମାନେ ଝିଅପାଇଁ ଉପଯୁକ୍ତ ପାତ୍ର ଖୋଜି ଖୋଜି ପ୍ରାଣାନ୍ତକ ହେଉଛନ୍ତି । କେଉଁଠି ବାପ ମା'ମାନେ ନିଜ ଝିଅକୁ ଏକ ଉପଯୁକ୍ତ ପାତ୍ର ହାତରେ ଦେବାପାଇଁ ନିଜ ଧନ ସମ୍ପତ୍ତି ବିକ୍ରୟ କରି ଦାଣ୍ଡର ଭିକାରୀ ମଧ୍ୟ ହେଉଛନ୍ତି । ଆମ ଦେଶର ବାପ ମା'ମାନଙ୍କର କି ଅପୂର୍ବ ସ୍ୱାର୍ଥତ୍ୟାଗ ! ଏମାନଙ୍କ ଦେଶରେ ବାପ ମା’ମାନେ ନିଜ ସନ୍ତାନ ସନ୍ତତିମାନଙ୍କର ବିଭାଘର ପାଇଁ ମୋଟେ ଚିନ୍ତିତ ନ ଥିଲାବେଳେ ଆମ ବାପ ମା’ମାନେ ନିଜ ସୁଖ-ସ୍ୱାଚ୍ଛନ୍ଦ୍ୟକୁ ଜଳାଞ୍ଜଳିଦେଇ ପୁତ୍ର କନ୍ୟାମାନଙ୍କର ବିଭାଘର ପାଇଁ ବ୍ୟସ୍ତ ହେବା କି ଦୁଃଖଦାୟକ, ଅରୁଣ ଉପଲବ୍‍ଧି କଲେ। ଅରୁଣ ଯେତେବେଳେ ତାଙ୍କର ଅସରନ୍ତି ଚିନ୍ତାସ୍ରୋତ ଭିତରେ ନିଜକୁ ନିମଜ୍ଜିତ କରି ଦେଇଥାନ୍ତି; ଆଲଫ୍ରେଡ଼୍‍ ଆଭାକୁ ପିକାଡ଼େଲି ସର୍କସରେ ଥିବା ଏକ ସିନେମା ହାଉସକୁ ଚଳଚ୍ଚିତ୍ର ଦେଖି ଯିବାପାଇଁ ଆମନ୍ତ୍ରଣ କରିବା ଓ ଆଭା ଆନନ୍ଦର ସହିତ ତାକୁ ଗ୍ରହଣ କରିବା ଅରୁଣଙ୍କର କର୍ଣ୍ଣ କୁହରରେ ପ୍ରବେଶ କରୁ ନ ଥାଏ । ଅରୁଣ ସେମାନଙ୍କ କଥାବାର୍ତ୍ତା ଆଡ଼କୁ କାନ ନ ଦେଇ ନିର୍ବିକାର ଭଙ୍ଗୀରେ ବସି ନିଜର ଅସଂଖ୍ୟ ଭାବନା ଭିତରେ ଘୁରି ବୁଲୁଥାନ୍ତି-

 

ଅରୁଣଙ୍କୁ ଏଭଳି ଭାବରେ ଅନ୍ୟମନସ୍କ ଦେଖି ଆଭା ହଲାଇ ଦେଇ କହିଲା, ‘‘ଅରୁଣ ବାବୁ, ଆପଣ କ'ଣ ଏମିତି ଅନ୍ୟମନସ୍କ ହୋଇପଡ଼ୁଛନ୍ତି ? ଆମେ ବର୍ତ୍ତମାନ ଏକ ଚଳଚ୍ଚିତ୍ର ଦେଖି ଯିବାପାଇଁ ପ୍ରୋଗ୍ରାମ କରୁଛୁ, ଆପଣ କାହିଁ ସେଥିରେ ତ ଯୋଗ ଦେଉ ନାହାନ୍ତି । ଦେଖନ୍ତୁ ଆଜି ମୁଁ ଆଲଫ୍ରେଡ଼୍‍ ସହିତ ସିନେମା ଦେଖିଯାଉଛି, କାଲି କିନ୍ତୁ ଆପଣଙ୍କ ସହିତ ସେଣ୍ଟ ଜେମସ୍ ପାର୍କ ଯିବି, ଏହା ଠିକ୍ ହେଲା ତ ?’’

 

‘‘ଆଁ ମୋ ସହିତ, ସେଣ୍ଟ ଜେମସ ପାର୍କ ? ହଠାତ୍ ଚମକି-ପଡ଼ିଲେ ଅରୁଣବାବୁ । ଏହି ସମୟରେ ତାଙ୍କର ବିଲାତ ଆସିଲାବେଳେ ମା’ଙ୍କର ଲୋତକପୁର୍ଣ୍ଣ ଚକ୍ଷୁ ଦୁଇଟି ଆଖି ଆଗରେ ଭାସିଉଠିଲା । ସେଥି ସଙ୍ଗେ ସଙ୍ଗେ ମାଙ୍କର ସେହି ବିନମ୍ର ଅନୁରୋଧ ‘‘ପୁଅ, ତୁ ବିଲାତ ଯାଉଛୁ । ଆମ ସମାଜ, ଧର୍ମ, କୃଷିରେ ଆଞ୍ଚ ଆସିଲାଭଳି କାମ ଯେମିତି କିଛି ନ କରୁ । ତୋ’ର ସମ୍ମାନ ହିଁ ଆମର ସମ୍ମାନ ।’’

 

ଆଭାକୁ ହଁ କି ନା ଉତ୍ତର ଦେବା ପୂର୍ବରୁ ଅରୁଣବାବୁ ଆଭା ଠାରୁ ବିଦାୟ ନେଇ ହଠାତ୍ ସେଠାରୁ ଅନ୍ତର୍ହିତ ହୋଇଗଲେ। ।

 

(ତିନି)

 

ଆଭାଙ୍କୁ ହଷ୍ଟେଲ ଭିତରକୁ ଏକାକୀ ପଶି ଆସିବାର ଦେଖି ହଷ୍ଟେଲର ଭାରତୀୟ ଯୁବକମାନେ ସ୍ତମ୍ଭୀଭୂତ ନ ହୋଇ ରହି ପାରିଲେ ନି । ଏଇ ସୁନ୍ଦରୀ ଇଂରେଜ ତରୁଣୀଟିକୁ ପୁଅଙ୍କ ହଷ୍ଟେଲ ଭିତରକୁ ନିର୍ଭୟରେ ପଶିଆସିବାର ଦେଖିଲେ କିଏ ବା ଆଶ୍ଚର୍ଯ୍ୟ ନ ହେବ ? ଆଭା କେଉଁ ଆଡ଼କୁ ଭୃକ୍ଷେପ ନ କରି ସିଧାସଳଖ ଚାଲିଥାଏ ଅରୁଣକୁମାରଙ୍କ କୋଠରୀ ଆଡ଼େ । ଅରୁଣକୁମାରଙ୍କର ବନ୍ଧୁ ଡାକ୍ତର ହାଜରା ଏହି ସୁନ୍ଦରୀ ତରୁଣୀଟିକୁ ପୂର୍ବରୁ ଚିହ୍ନିବାର ସୁଯୋଗ ପାଇଥିଲେ । ଇଂଲଣ୍ଡର ବିରାଟ ଧନକୁବେର ଶିଳ୍ପପତି ମାଇକେଲ୍‍ସନଙ୍କର ଏକମାତ୍ର ଦୁଲାଳୀଙ୍କୁ ଅରୁଣକୁମାରଙ୍କ କୋଠରୀ ଆଡ଼କୁ ମୁହାଁଇବାର ଦେଖି ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲାନି । ହଷ୍ଟେଲରେ ଏଇ ସଦ୍ୟ ଖବରଟାକୁ ଜଣାଇ ଦେବାପାଇଁ ହାଜରା ପ୍ରାସାଦର ରୁମ୍ ଭିତରକୁ ପଶି ଆସି କହିଲା–

 

‘‘ହଇହେ ବନ୍ଧୁ, ବଡ଼ ଆରାମରେ ବସି ଯାଇଛ ଦେଖୁଛି । ଏଟମ୍ ବମ୍ ଯେ ଆସି ତୁମ ରୁମ୍ ପଛଆଡ଼େ ଖଞ୍ଜାଗଲାଣି, ସେ ଆଡ଼କୁ ଖିଆଲ ଅଛି ଟି ?’’

 

‘‘ଆଁ, ଆଟମ୍ ବମ୍ ?’’ ଭୟରେ ଚିତ୍କାର କରି ଡେଇଁ ପଡିଲା ପ୍ରସାଦ ।

 

‘‘ହାଁ, ହାଁ ବନ୍ଧୁ, ଏତେ ତରଛ କାହିଁକି ? ଟିକିଏ ଧୈର୍ଯ୍ୟ ଧର ।’’

 

‘‘ଆରେ ଆଟମ୍‍ବମ୍ କୁଆଡ଼ୁ ଆସିଲା ହଷ୍ଟେଲକୁ ?’’

 

"ଆରେ ଯୁଆଡ଼ୁ ଆସେ ।’’

 

‘‘କ’ଣ ରୁଷିଆ ଆଡ଼ୁ କିରେ ?’’

 

‘‘କ’ଣ ଆଟମ୍‍ବମ୍ ଇଂଲଣ୍ଡରେ ତିଆରି ହେଉନି ଯେ ରୁଷିଆରୁ ଆସିବ ? ଆମ ହଷ୍ଟେଲକୁ ଆସିଥିବା ଆଟମ୍‍ବମ୍‍ଟି ପୁରାପୁରି ଇଂଲଣ୍ଡରେ ତିଆରି ଅର୍ଥାତ୍ ଖାଣ୍ଟି ଇଂରେଜୀ ମାଲ୍-।’’

 

‘‘ଆରେ ଆଟମ୍‍ବମ୍ ଆସିଲା କେମିତି ?’’

 

‘‘କାହିଁକି, ହାତଗୋଡ଼ ଅଛି, ଚାଲିଆସିଲା ।’’

 

‘‘କିରେ ମୁଣ୍ଡ ଖରାପ ହୋଇଗଲାଣି କି ? କାଲିରାତିରେ କୁଆଡ଼େ ଯିବା ହୋଇଥିଲା କିରେ ? ତୋ’ କଥାରେ ତ କିଛି ବାଇଶା ମିଳୁନି କାହିଁକି ?’’

 

‘‘ଆରେ ମୋ ମଥା ଠିକ୍ ଅଛି । ଆ, ଦେଖିବୁ ଆ ।’’ ଏତକ କହି ପ୍ରସାଦର କାନଟାକୁଧରି ବାହାରକୁ ଟାଣି ନେଇଗଲା ହାଜରା ।’’ ହଇରେ ମୋଟା ବୁଦ୍ଧିଆଟା ତ, କ’ଣ ମୁଣ୍ଡରେ ପଶୁଛି ଆଟମ୍‍ବମ୍ ବୋଇଲେ ଆଜିକାଲି ଯୁଗରେ କ'ଣ ବୁଝାଏ ! ଏଥର ଦେଖ୍‍ ଆଟମ୍‍ବମ୍ କାହାକୁ କହନ୍ତି ଓ ଏହା ଦେଖିବାକୁ କିପରି ।’’ ଏତକ କହି ଅରୁଣକୁମାରଙ୍କର କୋଠରୀଆଡ଼ୁ ଅରୁଣବାବୁଙ୍କ ହାତ ସହିତ ହାତ ଛନ୍ଦି ଆସୁଥିବା ସୁନ୍ଦରୀ ଆଭା ଆଡ଼କୁ ଦେଖାଇଦେଲା ।

 

‘‘ଆଁ, ଇଏତ ସରଗ ଅପ୍‍ସରୀରେ ହାଜରା । ଏ ଦେବୀଙ୍କର ଆବିର୍ଭାବ ଆମ ହଷ୍ଟେଲରେ କିପରି ?’’

 

‘‘କେଉଁ ଦେବତାଙ୍କୁ ପୂଜା କରିବାପାଇଁ ଦେବୀ ଉଡ଼ି ଆସିଥିବେ ଚନ୍ଦ୍ରମଣ୍ଡଳରୁ ।’’

 

ଅରୁଣକୁମାର ଓ ଆଭା ବାରଣ୍ଡା ଦେଇ ଚାଲିଆସୁଥିଲେ ସେମାନଙ୍କ ଆଡ଼କୁ । କାଳେ ଅରୁଣ ସେ ଦୁହିଁଙ୍କୁ ଦେଖି ପକାଇବ, ସେହି ଭୟରେ ସେମାନେ ପ୍ରସାଦର ରୁମ୍ ଭିତରକୁ ପଶିଯାଇ ଆତ୍ମଗୋପନ କଲେ । ସେ ଦୁହେଁ କୁଆଡ଼େ ଯାଉଛନ୍ତି, ଦେଖିବାପାଇଁ ପ୍ରସାଦ ଓ ହାଜରା ଝରକା ଦେଇ ହଷ୍ଟେଲ ଫାଟକ ଆଡ଼କୁ ଅନାଇ ରହିଲେ ।

 

ହଷ୍ଟେଲରୁ ବାହାରି ଆଭା ଓ ଅରୁଣ ଏକ ଚାରିଚକିଆ କାର୍‍ରେ ବସିଲେ । ଆଭା ଷ୍ଟାର୍ଟ ଦେଇ ଗାଡ଼ିକୁ ଛାଡ଼ିଦେଲା ସାଉଥ୍ କେନ୍‍ସିଙ୍ଗଟନ୍ ଅଭିମୁଖେ ।

 

ସେ ଦୁଇଜଣଙ୍କୁ ଚାଲିଯିବାର ଦେଖି ଡାକ୍ତର ହାଜରା ମୁହଁରୁ ଫଁ କରି ଏକ ଦୀର୍ଘନିଶ୍ୱାସ ବାହାରି ଆସିଲା । ସେ ଅବଶୋଷ କରି କହି ପକାଇଲା–

 

‘‘ହଇରେ, ଅରୁଣଟା ମାରିଦେଲା ରେ ମାରିଦେଲା । ମନ ହେଉଛି ମୁଁ ସୁଇସାଇଡ଼୍‍ କରି ପଳାନ୍ତିକି ଏଇକ୍ଷଣି ?’’

 

‘‘ଆଁ, ଅରୁଣ ମାରିଦେଲା, କାହାକୁ ରେ କାହାକୁ ?’’

 

‘‘ଖାଲି ମାରିଦେଲା ? ଶଳା ମୋ ମନ କ'ଣ ହେଉଛି ଜାଣିଛୁ ? ସାଙ୍ଗେ ସାଙ୍ଗେ ସୁଇସାଇଡ଼୍‍ କରିପକାନ୍ତିକି !’’

 

‘‘ଆଁ, ସୁଇସାଇଡ଼୍‍ ? ରାମ, ରାମ, ଏ କି କଥା ? ଅରୁଣ ତ ଗଲା ସେ ଝିଅଟି ସଙ୍ଗରେ ବୁଲିବା ପାଇଁ, ତୁ ଭାଇ ମିଛଟାରେ ଏଠି ସୁଇସାଇଡ଼୍ କରିବୁ କାହିଁକି କହିଲୁ ?

 

‘‘ଆରେ ଶଳା, ଛତୁଖିଆ ମୋଟା ବୁଦ୍ଧିଆ । ସୁଇସାଇଡ୍ କରିବି ନାହିଁ ତ ଆଉ କ'ଣ କରିବି ? ଅରୁଣ କେମିତି ମାରିଦେଲା ଦେଖିପାରୁନୁ ?’’

 

‘‘ପୁଣି ସେଇ କଥା, ଆରେ କାହାକୁ ମାରିଲା କହ ।’’

 

‘‘ଆରେ ମାରିଲା ନାହିଁ, ମାରି ନେଇଗଲା । ଶଳା ତୋ ଆଖିରେ କ’ଣ କଦଳୀବାଣ ପଶିଛି କିରେ, ଦେଖିପାରୁନୁ ? ମୋତେ ଶଳା ଓଲଟି ପଚାରୁଛୁ ଅରୁଣ କ'ଣ ମାରିନେଲା ?’’

 

‘‘କାହିଁ ମୁଁ ତ କିଛି ଦେଖିପାରୁନି ଭାଇ ! ଅରୁଣ କାହାକୁ ମାରିଦେଲା କି କ’ଣ ମାରିନେଲା । ଖାଲି ମିଛଟାରେ ତା ନାରେ ବଦନାମ । ହେଇ ହେଇ, ସେ ଝିଅଟା ସଙ୍ଗରେ ବୁଲିଗଲା ।’’

 

‘‘ଆରେ ଶଳା, ତୋତେ କିଛି ବୁଝାଇ ହେବନି ଦେଖୁଛି । ଶଳାଟା ପୁଣି ଏତେ ମୋଟା ବୁଦ୍ଧିଆ । ତୋ ବୋପା ମା ତୋତେ ବିଲାତ ପଠାଉଥିଲେ କାହିଁକି ମୁଁ ବୁଝିପାରୁନି । ଶଳା ତୋ ମୁଣ୍ଡରେ ତ କିଛି ପଶୁନି, ଏଠାକୁ ଆସିଛୁ କାହିଁକି ? ଏତେ ମୋଟା ବୁଦ୍ଧିଆ ଶଳା ଏ ଦୁନିଆରେ ପୁଣି ଅଛନ୍ତି ?’’

 

ଆରେ ଭାଇ, ମୋତେ ଟିକିଏ ବୁଝାଇ କହ ଭଲା ! ଅରୁଣ କ’ଣ ମାରିଦେଲା । ଅରୁଣ ବିଚରା ସେ ଝିଅଟି ସଙ୍ଗରେ ବାହାରକୁ ବୁଲିଗଲା । ଏଥିରେ ତ କିଛି ଖରାପ କଥା ଦେଖିପାରୁନି । ଏହି ହଷ୍ଟେଲର ଶହ ଶହ ପିଲା ତ ପୁଣି ସେମିତି ଝିଅଙ୍କ ସାଙ୍ଗରେ ବୁଲି ଯାଉଛନ୍ତି । ତୁ ତ ପୁଣି କେତେ ଝିଅଙ୍କ ସଙ୍ଗରେ ବୁଲି ଯାଉଛୁ ? ସେହିଭଳି ଅରୁଣ ଗଲା । ଏଥିରେ ଅରୁଣ ମାରିଦେଲା କ’ଣ ? ତୁ ପୁଣି ପୈତୃକ ପ୍ରାଣଟାକୁ ସୁଇସାଇଡ଼୍‍ କରିବୁ କାହିଁକି ? ଛି ଛି, ରାମ ରାମ, ଏ ସବୁ କି କଥା ମୁ ବୁଝିପାରୁନି ।

 

‘‘ଆରେ ଶଳା ଛତୁ, ସେ ଝିଅଟି କିଏ ଜାଣିଛୁ ? ତୁ ବି ଜାଣିଲେ, ସୁଇସାଇଡ଼୍‍ କରିବୁ-?’’

 

‘‘ଆଁ, ମୁଁ ପୁଣି ସୁଇସାଇଡ଼୍‍ କରିବି ? ରାମ, ରାମ, ଏ କି କଥା !’’

 

‘‘ଆଃ, ଯାହା କହ ପ୍ରସାଦ, ସେ ଝିଅଟା କି ଦାରୁଣ । ସତେ ଯେମିତି ଧନ ଓ ସୌନ୍ଦର୍ଯ୍ୟର ଅସରନ୍ତି ଭଣ୍ଡାର । ଜାଣିଛୁ ପ୍ରସାଦ, ଝିଅଟା ଯଦି ଅରୁଣର ହାତ କେବେ ଧରେ ନା, ତେବେ ଅରୁଣର ଭାଗ୍ୟ ବଦଳିଗଲା ଜାଣ । ଚାହୁଁ ଚାହୁଁ ଧନ ରତ୍ନ, ଟଙ୍କାସୁନାରେ ଭାରତର ଯେ କୌଣସି କୋଟିପତି ଠାରୁ ସେ ବଡ଼ ହୋଇଯିବ । ଆଭାର ବାପା ପରା ଇଂଲଣ୍ଡର ଜଣେ ଖୁବ ବଡ଼ ଶିଳ୍ପପତି । ତାଙ୍କର କେତେ ଲୁହା କାରଖାନା, ସିମେଣ୍ଟ କାରଖାନା, କାଗଜ କାରଖାନା,କେତେ କ’ଣ ଯେ ଅଛି, ତାର କଳନା ନାହିଁ । ଶହ ଶହ କୋଟି ଟଙ୍କାର କାରବାର । ତା’ପରେ ବାପର ଇଏ ପୁଣି ଏକମାତ୍ର ସନ୍ତାନ, ବୁଝିଲୁ ।’’

 

ଡାକ୍ତର ହାଜରାଙ୍କ କଥାକୁ ହାଁ କରି ଶୁଣି ଯାଉଥିଲା ପ୍ରସାଦ । ସେ ଭାରି ଖୁସିଟାଏ ହୋଇ କହି ପକାଇଲା, ‘‘ତା’ହେଲେ ଅରୁଣ ଖୁବ୍‍ ଭାଗ୍ୟବାନ ରେ ହାଜରା ! ଯା ହେଉ, ଆମର ଭାରତୀୟ ଭାଇ ଜଣେ ତ ? ଆଭା ଯଦି ତାର ହାତ ଧରେ, ତେବେ କମ୍ ଆନନ୍ଦର କଥା ହେବନି-! ଆଉ ବଡ଼ ଭୋଜିଟାଏ ମିଳିଯିବ ।’’

 

‘‘ଧେତ୍‍ରେ ହତଭାଗା ! ମୁଁ ଖାଲି କହିଛି ନା ଛତୁଖିଆ ବୁଦ୍ଧି ! ଆରେ, ମୋଟା ବୁଦ୍ଧିଆ, କଥାଟା କ’ଣ ସେଠି ? କଥା ପରା ଯାଇ ଆଉ କେଉଁଠି ଉଠିଲାଣି ।

 

X X X

 

ରିଜେଣ୍ଟ ପାର୍କର ଏକ ରଜତଶୁଭ୍ର ମାର୍ବଲ ବେଦୀ ଉପରେ ଆଭା ଆଉ ଅରୁଣ । ଅରୁଣର କ୍ରୋଡ଼ ଉପରେ ମୁଣ୍ଡଦେଇ ସୁନ୍ଦରୀ ଆଭା ଅର୍ଦ୍ଧଶାୟିତା । ପାର୍କର ସେହି ଅଂଶରେ ଜନଗହଳି ବିଶେଷ ନାହିଁ । ସତେ ଯେପରି ବିଭିନ୍ନ ପ୍ରକାର ଗଛଲତାର ଆଢ଼ୁଆଳରେ ସୃଷ୍ଟି ହୋଇଛି ଏକ ନିଭୃତ ନିଳୟ । ଅର୍ଦ୍ଧଶାୟିତା ଆଭାର ଅଙ୍ଗ ସୌଷ୍ଠବରୁ ଝରି ପଡ଼ୁଥାଏ ସୌନ୍ଦର୍ଯ୍ୟର ଅଗଣିତ ପୁଷ୍ପରାଜି । ଆଭାର ଚୂର୍ଣ୍ଣକୁନ୍ତଳକୁ ଇତସ୍ତତଃ କରି ପାର୍କର ସୁଗନ୍ଧଭରା ମୃଦୁ ମନ୍ଦ ସମୀରଣ ଲୁଚୁକାଳି ଖେଳିବାରେ ଉନ୍ମତ । ଆଭାର ମୁହଁରେ ଦୁର୍ଦ୍ଦମନୀୟ ଯୌବନର ରକ୍ତିମ ଆଭା, ସାରା ତନୁଲତାରେ ତାର ସମସ୍ତ ଜୀବନର ସୌନ୍ଦର୍ଯ୍ୟ ବିଭବ ତା’କୁ ଯେ କେଉଁ ସୌନ୍ଦର୍ଯ୍ୟ ରାଣୀ ବେଶରେ ଠିଆ କରାଇଥାଏ, ଭାବିବା ଯେ କୌଣସି ଲୋକର ଶକ୍ତିର ବାହାରେ । ଅରୂଣର କ୍ରୋଡ଼ରେ ଶୋଇ ଆଭା ଦୂର ଆକାଶକୁ ଅନାଇ କେତେ କ’ଣ ଭାବି ଯାଉଥିଲା, ହଠାତ ଚମକି ପଡ଼ି ଅରୁଣ ଆଡ଼କୁ ଅନାଇ କହିଲା, ‘‘ଆଜି ତୁମେ ଏଡ଼େ ଚିନ୍ତାମଗ୍ନ କାହିଁକି ଅରୁଣ ? କ’ଣ ଘର କଥା ମନେପଡ଼ୁଛି ତୁମର ?’’ କହୁଁ କହୁଁ ଆଭା ଅରୁଣକୁ ଜୋରରେ ହଲାଇଦେଲା ।

 

ଅରୁଣର ଚିନ୍ତାର ଖିଅ ହଠାତ୍ ଛିଡ଼ିଗଲା । ସେ ପ୍ରକୃତିସ୍ଥ ହୋଇ ଆଭା ଆଡ଼କୁ ଅନାଇ କହିଲା, ‘‘କାହିଁ, ମୁଁ ତ କିଛି ଭାବୁ ନ ଥିଲି ଆଭା ! ଦେଖୁଥିଲି ତୁମର ଏହି ଶୁଭ୍ର ରୌପ୍ୟ ସନ୍ନିଭ ସୁଠାମ କଳେବର ଉପରେ କୃଷ୍ଣବର୍ଣ୍ଣ ରେଶମ ପୋଷାକର କି ଅଦୃଶ୍ୟ ହାତ । ପୁଣି ତୁମର ଏହି ପ୍ରୀତିପ୍ରଫୁଲ୍ଲ ବଦନ ଉପରେ ସେହି ହୀରାଖଚିତ କାନ ଫୁଲଟିର କି ଅଦ୍ଭୁତ ପ୍ରଭାବ, ଯା ଯୋଗୁଁ ତୁମେ ଆଜି ଏକ ଅପ୍‍ସରାଠାରୁ କମ୍ ସୁନ୍ଦର ଦିଶୁନ ଆଭା ।’’

 

‘‘ଥାଉ, ଥାଉ, ତୁମର ବର୍ଣ୍ଣନାଚାତୁରୀ । ମୋତେ କ’ଣ ଛୋଟ ଝିଅଟିଏ ପାଇଲ ଅରୁଣ, ତୁମର ଏହି ମନବହଲା କଥାଦ୍ୱାରା ମୁଁ ଭୁଲିଯିବି !’’ ମୁଖରେ ବିଦ୍ରୁପର ଏକ ମୃଦୁ ହାସ୍ୟ ଖେଳାଇ କହିଲା ଆଭା ।

 

‘‘ଓହୋ, ତୁମେ ପରା ଜଣେ ଷୋଡ଼ଶୀ ତରୁଣୀ, ଯା'କୁ ଭୁଲାଇବା ଯେ କୌଣସି ଯୁବକର ଶକ୍ତିର ବାହାରେ ।’’ ଏତକ କହି ଅରୁଣ ନିଜ ଦୁଇହାତ ପାପୁଲି ଭିତରେ ଆଭାର ଆରକ୍ତ କପୋଳକୁ ଚାପିଧରି ହଲାଇଦେଲା ।

 

‘‘ନାଇଁ ଅରୁଣ, ତୁମେ କୁହ, ତୁମେ କା’ କଥା ସତେ ଭାବୁଥିଲ ?’’ ଟିକିଏ ଗେହ୍ଲେଇ ହୋଇ ଆଭା କହିଲା, ‘‘ନ କହିଲେ ମୁଁ ତୁମକୁ ଛାଡ଼ିବିନି ଆଜି ।’’

 

‘‘ସବୁଦିନ ପାଇଁ ତୁମଠାରେ ବନ୍ଦୀ ହେବାକୁ ଯେ ପ୍ରସ୍ତୁତ, ତାକୁ ନ ଛାଡ଼ିବ ବୋଲି କହିବାର ତାତ୍ପର୍ଯ୍ୟ କଅଣ ? ତୁମଠାରେ ବନ୍ଦୀ ହେବାକୁ ମୁଁ ଯେ ସ୍ୱର୍ଗସୁଖ ମନେକରେ, ଆଭା !’’

 

‘‘ପୁଣି ସେହି କବିତ୍ଵ ତୁମର ? ସେଭଳି କଥା କହି ମୋତେ ଭୁଲାଇବାକୁ ଚେଷ୍ଟା କରନି, ଅରୁଣ ! ମୋ ରାଣ, କୁହ, କୁହ ।’’ ଆଭାର ଏତାଦୃଶ ଜିଦ୍ ଦେଖି ଅରୁଣ ବାଧ୍ୟ ହେଲେ ପ୍ରକୃତ କଥା ପ୍ରକାଶ କରିବାପାଇଁ ।

 

‘‘ତୁମର ଅନୁମାନ ପୁରାପୁରି ସତ୍ୟ ନ ହେଲେ ମଧ୍ୟ ଯେ ଆଂଶିକ ସତ୍ୟ, ଏଥିରେ ସନ୍ଦେହ ନାହିଁ, ଆଭା ! ମୁଁ ଯଦିଚ ଭାବୁନଥିଲି ଘରକଥା, ଭାବୁଥିଲି ମୋ ନିଜ ଦେଶ କଥା ।’’

 

‘‘ଆଁ, ତୁମ ଦେଶ କଥା ?’’ ହଠାତ୍ ଉଠି ବସିଲା ଆଭା, କ’ଣ ହୋଇଛି ତୁମ ଦେଶର ଅରୁଣ । ଭାରତ ତ ଖୁବ୍ ବେଗରେ ଆଗେଇ ଚାଲିଛି ନିଜ ଉନ୍ନତି ପଥରେ । ଭାରତ ସିନା ଆମ ଦେଶ ଅଧୀନରେ ଥିଲାବେଳେ ବିଶେଷ ଆଗେଇ ପାରୁନଥିଲା । ସ୍ୱାଧୀନତା ପାଇବା ପରଠାରୁ ଏହା ତା ଆଶାତୀତ ବେଗରେ ଆଗେଇ ଚାଲିଛି । ଆନ୍ତର୍ଜାତିକ କ୍ଷେତ୍ରରେ ଭାରତର ଯେଉଁ ସୁଖ୍ୟାତି, ତାର ଅପୂର୍ବ ନିରପେକ୍ଷ ନୀତି, ପୃଥିବୀରେ ଶାନ୍ତି ପ୍ରତିଷ୍ଠା ପାଇଁ ଅଦମ୍ୟ ଚେଷ୍ଟା, ପୃଥିବୀର ପ୍ରତ୍ୟେକ ନାଗରିକର ହୃଦୟକୁ ସ୍ପର୍ଶ କରିଥିଲାବେଳେ ତୁମର ଆଉ ଚିନ୍ତା କାହିଁକି ଅରୁଣ-? ଭାରତର ଏତାଦୃଶ ଉନ୍ନତି ଓ ସୁଖ୍ୟାତି ଆଗରେ ଭାରତର ପଡ଼ୋଶୀ ପାକିସ୍ଥାନ ଯେ ହାର-ମାନିଛି । ଆଜି ପ୍ରତ୍ୟେକ ଇଂଲଣ୍ଡବାସୀ ଭାରତର ଉନ୍ନତି ଦେଖି ବିସ୍ମିତ ହେବା ସଙ୍ଗେ ସଙ୍ଗେ ନିଜର ଦୋଷପାଇଁ କମ୍ ଲଜ୍ଜା ଅନୁଭବ କରୁନାହାନ୍ତି ? ସେମାନେ ଭାରତକୁ ଦ୍ୱିଖଣ୍ଡିତ କରି ଭାରତ ତଥା ପାକିସ୍ଥାନର ଯେଉଁ ଅପୂରଣୀୟ କ୍ଷତି କରିଛନ୍ତି, ଭଗବାନ ସେଥିପାଇଁ ସେମାନଙ୍କୁ କ୍ଷମା କରନ୍ତୁ, ଏଇ ହେଉଛି ସେମାନଙ୍କର ଭଗବାନଙ୍କଠାରେ ଚିର ମିନତି ।’’

 

‘‘ଭାରତ ପାଇଁ ମୁଁ ଗୌରବ ଅନୁଭବ କରୁଥିଲାବେଳେ ମୋ ନିଜ ରାଜ୍ୟର ଦୁଃଖ ଦୁର୍ଦ୍ଦଶା ମୋ ହୃଦୟରେ କଠୋର ଆଘାତ ଲଗାଇଛି, ଆଭା ! ସେଥିପାଇଁ ମୁଁ ବିଶେଷ ଚିନ୍ତିତ ଓ ବିଚଳିତ ମଧ୍ୟ । ଭାରତର ବହୁ ପ୍ରଦେଶଠାରୁ ଢେର ପଛରେ ପଡ଼ିଛି, ମୋ ନିଜ ରାଜ୍ୟ ଓଡ଼ିଶା । ବିଜ୍ଞାନର ଅଗ୍ରଗତି ଦୃଷ୍ଟିରୁ ଦେଖିଲେ ଆମେରିକା, ଇଉରୋପ, ରୁଷିଆ ପ୍ରଭୃତି ବିଜ୍ଞାନୋନ୍ନତ ଦେଶ ତୁଳନାରେ ଭାରତବର୍ଷ ଅତି ପଛରେ । ଭାରତର ବହୁ ପ୍ରଦେଶଠାରୁ ଶିଳ୍ପ, ବିଜ୍ଞାନରେ ପଛରେ ପଡ଼ିଥିବା ମୋର ଓଡ଼ିଶା ରାଜ୍ୟର ଅବସ୍ଥା ଯେ ଆହୁରି ଖରାପ, ଏହା ନ କହିଲେ ମଧ୍ୟ ତୁମେ ଧାରଣା କରି-ପାରୁଥିବ । ସେଥିଯୋଗୁଁ ଆମ ରାଜ୍ୟର ଅସଂଖ୍ୟ ଅଧିବାସୀଙ୍କୁ ଭୋକ, ଉପାସ, ରୋଗଶୋକ, ଅକାଳବାର୍ଦ୍ଧକ୍ୟ ବିରୁଦ୍ଧରେ ଯୁଦ୍ଧ କରି ପ୍ରାଣାନ୍ତ ହେବାକୁ ପଡ଼ୁଛି । ପୃଥିବୀର ବଡ଼ ବଡ଼ ବିଜ୍ଞାନୋନ୍ନତ ଦେଶଭଳି ସୁଖସମୃଦ୍ଧି ଲାଭ କରିବାକୁ ହେଲେ ବିଜ୍ଞାନକୁ ଯେ ଆମ ରାଜ୍ୟର ସବୁ ଦିଗରେ ପ୍ରୟୋଗ କରିବାକୁ ପଡ଼ିବ, ଏଥିରେ ଦ୍ଵିଧା କରିବାର କିଛି ନ ଥିଲେହେଁ ଆମ ରାଜ୍ୟରେ ଏପର୍ଯ୍ୟନ୍ତ କିଛି ହୋଇପାରିନି । ଆମ ଦେଶ କୃଷିପ୍ରଧାନ ରାଜ୍ୟ ହେଲେ ମଧ୍ୟ କୃଷି ଅତି ଅନୁନ୍ନତ ଅବସ୍ଥାରେ ପଡ଼ିଛି । ରାଜ୍ୟରେ ଖଣିଜ ଓ ବନ୍ୟସମ୍ପଦ ଭରପୁର ରହିଥିଲେ ମଧ୍ୟ ଉପଯୁକ୍ତ ପରିମାଣରେ ଶିଳ୍ପ-କାରଖାନା ପ୍ରତିଷ୍ଠିତ ହୋଇପାରିନି । ରାଜ୍ୟର ଦକ୍ଷିଣ ପୂର୍ବରେ ମହୋଦଧିଭଳି ବିଶାଳ ସମୁଦ୍ର ପଡ଼ିଥିଲେ ମଧ୍ୟ ବାଣିଜ୍ୟ,ବ୍ୟବସାୟ ଅଭାବରୁ ଭଲ ବନ୍ଦରଟିଏ ବି ପ୍ରତିଷ୍ଠିତ ହୋଇପାରିନି । ରାଜ୍ୟର ବଡ଼ ବଡ଼ ନଦୀରେ ବନ୍ୟାନିୟନ୍ତ୍ରଣ ବ୍ୟବସ୍ଥା ନଥିବାରୁ ପ୍ରତିବର୍ଷ ହଜାର ହଜାର ଲୋକ ବନ୍ୟା ପ୍ରଭାବରୁ ଗୃହଶୂନ୍ୟ ହୋଇ ଦାଣ୍ଡର ଭିକାରୀ ହୁଅନ୍ତି । ବନ୍ୟା ଦୁର୍ଭିକ୍ଷ ଓ ବିଭିନ୍ନ ପୋକ, କୀଟ, ପତଙ୍ଗମାନଙ୍କ ଉପଦ୍ରବରୁ ପ୍ରତିବର୍ଷ ଦେଶର ପ୍ରଚୁର ଫଳଫସଲ ନଷ୍ଟ ହୁଏ । ଗାଁଗହଳର ଅସ୍ୱାସ୍ଥ୍ୟକର ପରିସ୍ଥିତି, ଦଳପୂର୍ଣ୍ଣ ପୋଖରୀ ଓ ଗାଁ ସାହି ଭିତରେ ବଣଜଙ୍ଗଲ ହେତୁ ମଶା ମାଛି, ମେଲେରିଆ, ଟାଇଫଏଡର ଉପଦ୍ରବରୁ ଲୋକେ ନିଶ୍ୱାସ ମାରି ପାରନ୍ତିନି । ଲୋକମାନଙ୍କ ଭିତରେ ଶିକ୍ଷାର ଅଭାବ, ସ୍ୱାସ୍ଥ୍ୟରକ୍ଷାର ଅଜ୍ଞତାରୁ ଅସଂଖ୍ୟ ପ୍ରକାର ରୋଗ ଗାଁ ଓ ସହରମାନଙ୍କରେ ବସାବାନ୍ଧି ରହିଛନ୍ତି । ସର୍ବୋପରି ଗାଁ ଗହଳର ବେକାର ସମସ୍ୟା ଓ ଧନୀ-ଜମିଦାରମାନଙ୍କର ଅହେତୁକ ଅର୍ଥନୈତିକ ଶୋଷଣ ଆଜି ଓଡ଼ିଶାର ଲୋକଙ୍କୁ ମଣିଷ ଭଳି ବଞ୍ଚି ରହିବାର ଅଧିକାରରୁ ବଞ୍ଚିତ କରିଛି । ଓଡ଼ିଶାର ଏହି ଦୁରବସ୍ଥାକୁ କିପରି ଦୂର କରିହେବ, ଭାବିଲା ବେଳକୁ ଚାରିଆଡ଼ ଅନ୍ଧାର ଦିଶୁଛି ଆଭା, କେଉଁଆଡ଼କୁ ଆଗେ ଦୃଷ୍ଟି ଦିଆଯିବା ଦରକାର, ଠିକ୍ କରି ହେଉନି ।’’

 

‘‘କିନ୍ତୁ ତୁମେ ଏଡ଼େ ନୈରାଶ୍ୟବାଦୀ ହେଲେ କ'ଣ ଚଳିବ ଅରୁଣ ? ତୁମେ ବୈଜ୍ଞାନିକ, ତୁମେ ଇନ୍‍ଜିନିୟର, ତୁମ ମୁଖରେ ଏଭଳି ଅକ୍ଷମତା ସୁନ୍ଦର ଦିଶେନି ।’’

 

ପୁରାପୁରି ସଳଖ ହୋଇ ଉଠିବସି କହିଲା ଆଭା, ‘‘ତୁମ ଦେଶର ଲୋକମାନଙ୍କୁ ଏକାଠି କରାଇ ଏ ଦିଗରେ ଅଗ୍ରସର ହେଲେ ଉନ୍ନତି ଅବଶ୍ୟମ୍ଭାବୀ । ମନରେ ଦମ୍ଭଧରି ବିଭିନ୍ନ ଯୋଜନା ତିଆରି କରି ସେଗୁଡ଼ିକୁ ଗୋଟିଏ ପରେ ଗୋଟିଏ କାର୍ଯ୍ୟକାରୀ କରାଇ ପାରିଲେ, ଅଳ୍ପ କେଇ ବର୍ଷ ଭିତରେ ତୁମ ରାଜ୍ୟ ଅନ୍ୟ ରାଜ୍ୟ ସହିତ ହାତମିଳାଇ ଠିଆ ହୋଇ ପାରିବ ଅରୁଣ । ଏ ଦିଗରେ ତୁମେ କ’ଣ ଭୁଲି ଯାଉଛ, ବିରାଟ ରୁଷଦେଶର ଉଜ୍ଜ୍ଵଳତମ ଦୃଷ୍ଟାନ୍ତକୁ । ଦିନେ ତ ତୁମର ରାଜ୍ୟଭଳି ଏହି ଦେଶଟି ଅତି ଅନୁନ୍ନତ ଅବସ୍ଥାରେ ପଡ଼ିଥିଲା । ଲେନିନ୍ ଷ୍ଟାଲିନ୍‍ଙ୍କଭଳି ସେ ଦେଶର ମହାନ୍ ବ୍ୟକ୍ତିମାନେ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ସେହି ଦେଶକୁ ଯେପରି ଭାବରେ ଉପରକୁ ଉଠାଇବାକୁ ସମର୍ଥ ହୋଇପାରିଲେ, ତାହା ତୁମର ଭୁଲିଯିବା ଉଚିତ ନୁହେଁ । ସାମାନ୍ୟ ମାତ୍ର କେଇଗୋଟି ବର୍ଷ ଭିତରେ ସୋଭିଏଟ୍ ରୁଷ ପୃଥିବୀର ଏକ ଶ୍ରେଷ୍ଠ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ଠିଆ ହେଲାଣି । ସୋଭିଏଟ୍ ରାଷ୍ଟ୍ରର ଶକ୍ତି ଆଗରେ ଆଜି ଇଂଲଣ୍ଡ, ଫ୍ରାନ୍‍ସ, ଜର୍ମାନୀ ଆଦି ଦେଶ ହାର ମାନିବାକୁ ବାଧ୍ୟ ହୋଇଛି । ଏହା ଆଜି କେମିତି ସମ୍ଭବ ହେଲା ? ସେମାନଙ୍କ ଯୋଜନା ଭଳି ତୁମେ ଯଦି ଯୋଜନାମାନ କାର୍ଯ୍ୟକାରୀ କରାଅ, ତେବେ କୃଷି, ଶିଳ୍ପ, ବାଣିଜ୍ୟ, ଶିକ୍ଷା ଓ ସ୍ୱାସ୍ଥ୍ୟ ଦୃଷ୍ଟିରୁ ତୁମ ରାଜ୍ୟ ଏକ ଆଦର୍ଶ ରାଜ୍ୟରେ ପରିଣତ ହୋଇପାରିବ । କିନ୍ତୁ ଗୋଟିଏ କଥା ଅରୁଣ, ଏଥିପୂର୍ବରୁ ତୁମ ରାଜ୍ୟରେ ଶିକ୍ଷାର ପ୍ରସାର ଯେ ଏକାନ୍ତ ପ୍ରୟୋଜନ । ଏହା ତ ତୁମେ କେବେ ଅସ୍ୱୀକାର କରିବିନି ।’’

 

‘’ମୁଁ ତୁମ ସହିତ ପୁରାପୁରି ଏକମତ, ଆଭା । ଅଳ୍ପ କେଇବର୍ଷ ଭିତରେ ଆମ ରାଜ୍ୟର ଲୋକଙ୍କୁ କିପରି ଶିକ୍ଷିତ କରିହେବ, ତହିଁର ଏକ ସୁଚିନ୍ତିତ ଯୋଜନା ଆମ ଦେଶରେ ସର୍ବାଦୌ କାର୍ଯ୍ୟକାରୀ ହେବ ଉଚିତ, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ହୋଇନି । ଶିକ୍ଷାପ୍ରତି ସର୍ବାଦୌ ଦୃଷ୍ଟି ନ ଦେଲେ ବିଜ୍ଞାନର ସମ୍ୟକ୍ ପ୍ରୟୋଗ ଅସମ୍ଭବ । ରୁଷ ବିପ୍ଳବ ପରେ ସୋଭିଏଟ୍ ରାଷ୍ଟ୍ରନାୟକ ମହର୍ଷି ଲେନିନ୍‍ ଯେତେବେଳେ ବିଜ୍ଞାନର ପ୍ରୟୋଗ କରାଇ ରୁଷିଆକୁ ଉନ୍ନତ କରିବାକୁ ବସିଲେ, ସେତେବେଳେ ତାଙ୍କ ସମ୍ମୁଖରେ ଅଟଳ ପର୍ବତ ପରି ଦଣ୍ଡାୟମାନ ହେଲା ଦେଶର ଅଜ୍ଞତା ଓ ଶିକ୍ଷାର ଅଭାବ । ମନୀଷୀ ଲେନିନ୍ ଅନୁଭବ କଲେ, ଶିକ୍ଷାର ପ୍ରସାର ନ ହେଲେ ବିଜ୍ଞାନର ପ୍ରୟୋଗ ଅହେତୁକ । ପ୍ରତିକ୍ଷଣରେ ସୃଷ୍ଟି ହେବ ପ୍ରତିବନ୍ଧକ । କୁସଂସ୍କାର ଓ ଅନ୍ଧବିଶ୍ୱାସର ମୂର୍ତ୍ତିମାନ ରାଜୁତି ଭିତରେ ବିଜ୍ଞାନ ହୋଇପଡ଼ିବ ପଙ୍ଗୁ । ଯୋଜନା-ପ୍ରଣେତାର ସମସ୍ତ ଯୋଜନା ଓ ଫଳାଫଳ ପରିକଳ୍ପନା ଭାଙ୍ଗିପଡ଼ିବ । ବିଜ୍ଞାନର ପ୍ରୟୋଗ ଦେଶ ଭିତରକୁ ପଶି ନ ପାରି ଉପରେ ଉପରେ ରହି ସୃଷ୍ଟି କରିବ ନାନା ଗୋଳମାଳ ଓ ଅଶାନ୍ତି । ତେଣୁ ବିଜ୍ଞାନର ସଫଳ ପ୍ରୟୋଗ ପାଇଁ ପ୍ରଥମେ ଲୋଡ଼ା ଲୋକମାନଙ୍କ ଭିତରେ ଉପଯୁକ୍ତ ଶିକ୍ଷାର ପ୍ରସାର ଓ ମଣିଷ ସମାଜର ଶତ୍ରୁ କୁସଂସ୍କାର ଓ ଅନ୍ଧବିଶ୍ୱାସର ଚିର ମୃତ୍ୟୁ ।’’

 

‘‘ଖାଲି ସେତିକି ହେଲେ ଚଳିବନି ଅରୁଣ,’’ ଆଭା ଅରୁଣ ମୁହଁରୁ କଥା ଛଡ଼ାଇ ନେଇ କହିବାକୁ ଲାଗିଲା ।

 

‘‘କୌଣସି ଦେଶରେ ବିଜ୍ଞାନକୁ ପ୍ରୟୋଗ କରିବା ପୂର୍ବରୁ ବିଜ୍ଞାନର କେଉଁ କେଉଁ ବିଭାଗ କିପରି ଦେଶ ଓ ଲୋକମାନଙ୍କର କଲ୍ୟାଣ ପାଇଁ ବିନିଯୋଗ ହୋଇ ପାରିବ, ତହିଁର ଏକ ସୁଚିନ୍ତିତ ଯୋଜନା ରୂପରେଖ ପାଇବା ଉଚିତ । ବିଜ୍ଞାନର ବିଭିନ୍ନ ଅଙ୍ଗକୁ ନେଇ କିଭଳି ଭାବରେ ଲଗାଇଲେ ରାଜ୍ୟର ଭାଗ୍ୟ ବଦଳିଯିବ, ତାହା ସର୍ବାଦୌ ଚିନ୍ତା କରାଯିବା ଦରକାର । ଉଚ୍ଚ ଜୀବନଧାରଣମାନଯୁକ୍ତ ସମାଜ ସୃଷ୍ଟି ପାଇଁ ବିଜ୍ଞାନର ଦାନ ଅତୁଳନୀୟ । ଏହି ସବୁ ଉପରେ ନିର୍ଭର କରେ ଦେଶର କୃଷି, ଶିଳ୍ପ ଓ ଅର୍ଥନୈତିକ ଉନ୍ନତି । ଶିଳ୍ପ ଓ କୃଷିର ଉନ୍ନତି ଯେ କୌଣସି ରାଷ୍ଟ୍ରର ଭାଗ୍ୟକୁ ଅଳ୍ପ ସମୟ ଭିତରେ ବଦଳାଇ ଦେଇପାରେ, ଏହା ତା ତୁମେ କେବେ ଅସ୍ୱୀକାର କରି ପାରିବନି, ଅରୁଣ ! ତେଣୁ ସେ ଦିଗରେ ଅଗ୍ରସର ହେବାପାଇଁ ଓଡ଼ିଶାର କି ସମ୍ବଳ ଅଛି, ତାହା ସର୍ବାଦୌ ଲକ୍ଷ୍ୟ କରାଯିବା କଥା ।’’

 

‘‘ଭାରତର ଅନ୍ୟ ରାଷ୍ଟ୍ର ତୁଳନାରେ ଓଡ଼ିଶାର ପ୍ରାକୃତିକ ସମ୍ପଦ ସବୁଠାରୁ ବେଶୀ, ଆଭା-! ଭୂମିତଳେ, ପାହାଡ଼ ଭିତରେ ଓଡ଼ିଶାର ବହୁମୂଲ୍ୟ ଖଣିଜ ସମ୍ପଦ ଲୁଚି ରହିଛି । ଏଗୁଡ଼ିକୁ ଖୋଳି ଯଦି ବିଭିନ୍ନ ଶିଳ୍ପରେ ଲଗାଯାଇ ପାରନ୍ତା, ତେବେ ଓଡ଼ିଶାର ଭାଗ୍ୟ ଯେ ଆଶାତୀତ ଭାବରେ ବଦଳିଯାନ୍ତା, ଏଥିରେ ତିଳେମାତ୍ରେ ସନ୍ଦେହ ନାହିଁ । ବିଭିନ୍ନ ପ୍ରକାର ଶିଳ୍ପ ପ୍ରତିଷ୍ଠା ପାଇଁ ଆମ ରାଷ୍ଟ୍ରରେ ଲୁହା, କୋଇଲା, ମାଙ୍ଗାନିଜ, କ୍ରୋମିୟମ୍, ନିକେଲ, ସୀସା, ଭେନେଡ଼ିୟମ, ଗ୍ରାଫାଇଟ୍, ଚୂନପଥର, ବକ୍‍ସାଇଟ୍ ଆଦି ମୂଲ୍ୟବାନ ଖଣିଜ ସମ୍ପଦ ପ୍ରଚୁର ପରିମାଣରେ ରହିଛି । ବନ୍ୟସମ୍ପଦ, କୃଷି ସମ୍ପଦ ଓ ସାଗର ସମ୍ପଦରେ ଏହା ମଧ୍ୟ ଭରପୁର । ସେଗୁଡ଼ିକର ସଦ୍‍ବ୍ୟବହାର ହୋଇପାରିଲେ ଶିଲ୍ପକାରଖାନା ଦୃଷ୍ଟିରୁ ଓଡ଼ିଶା ଭାରତର ଯେ ଅଗ୍ରଗଣ୍ୟ ରାଜ୍ୟ ହୁଅନ୍ତା, ଏଥିରେ ତିଳେମାତ୍ରେ ସନ୍ଦେହ ନାହିଁ ।’’

 

କିଛି ସମୟ ରହିଯାଇ ପୁଣି କହିବାକୁ ଲାଗିଲେ; ’’ତୁମେ ତ ଜାଣ ଆଭା, ଶିଳ୍ପ ପାଇଁ ସର୍ବପ୍ରଥମ ଦରକାର ଚାରୋଟି ଜିନିଷ, କଞ୍ଚାମାଲ, ଶକ୍ତି ବା ଇନ୍ଧନ, ଶ୍ରମିକ ଓ ଶିଳ୍ପଜାତ ଦ୍ରବ୍ୟର ଚାହିଦା ଏବଂ ବିକ୍ରୟ ପାଇଁ ବଜାର । ଏହି ଚାରୋଟିଭିତରୁ ପ୍ରଥମ ତିନିଗୋଟି ଓଡ଼ିଶାରେ ଯଥେଷ୍ଟ ଓ ଚତୁର୍ଥଟି ପାଇଁ ଓଡ଼ିଶା ତଥା ଓଡ଼ିଶା ବାହାରେ ଯଥେଷ୍ଟ ସ୍ଥାନ ଅଛି ।

 

‘‘କିନ୍ତୁ’’- ଅରୁଣ ମୁହଁକୁ ଉତ୍‍କଣ୍ଠାର ସହିତ ଅନାଇଁ ଆଭା କହିଲା, ’’ମୁଁ ତୁମକୁ ଗୋଟିଏ କଥା କହିବି ଅରୁଣ, କରିବି ତ କୁହ । ତୁମେ ତ ଜାଣ ମୋ ବାପା ଜଣେ ବଡ଼ ଶିଳ୍ପପତି । ଶିଳ୍ପ କାରଖାନା ସମ୍ବନ୍ଧରେ ତାଙ୍କର ଅଗାଧ ଜ୍ଞାନ ଅଛି । ଏକ ଅନୁନ୍ନତ ଦେଶକୁ କିପରି ଶିଳ୍ପପ୍ରଧାନ ଦେଶରେ ପରିଣତ କରିହେବ, ସେଥିରେ ତାଙ୍କର ଦକ୍ଷତା ସବୁଠାରୁ ଅଧିକ । ଏହି ହେତୁରୁ ବାପାଙ୍କର ସବୁଠାରୁ ବେଶୀ ଶିଳ୍ପ କାରଖାନା ଆଫ୍ରିକା ମହାଦେଶରେ । ଆଫ୍ରିକାର ଅସଂଖ୍ୟ ଦୁଃଖ ଦାରିଦ୍ର୍ୟ ପୂର୍ଣ୍ଣ ଅଞ୍ଚଳକୁ ନିଜ ଶିଳ୍ପ କାରଖାନା ଦ୍ୱାରା ପ୍ରାଚୁର୍ଯ୍ୟଭରା ଅଞ୍ଚଳରେ ସେ କେମିତି ପରିଣତ କରିପାରିଛନ୍ତି, ତୁମେ ଶୁଣିଲେ ଆଶ୍ଚର୍ଯ୍ୟ ହେବ । ତୁମେ ତାଙ୍କ ସହିତ ଆଲୋଚନା କଲେ, ସେ ତୁମକୁ ନିଶ୍ଚୟ କିଛି ଗୋଟାଏ ଭଲବାଟ ବତାଇ ଦେଇପାରିବେ । ସେ ତ ତୁମକୁ ଖୁବ୍‍ ଭଲ ପାଆନ୍ତି । ତୁମର ଆଉ ଚିନ୍ତା କାହିଁକି ? କୁହ ଅରୁଣ, ତୁମେ ମୋ କଥାରେ ରାଜି ତ ?’’

 

ଆଭାର ଏଭଳି ଅନୁରୋଧରେ ଅରୁଣ କ'ଣ ଉତ୍ତର ଦେବେ, ଭାବି ଠିକ୍ କରି ପାରିଲେନି । ସେ ଅନ୍ୟମନସ୍କ ଭାବରେ ଆଭାର ପଦ୍ମପାଖୁଡ଼ାନିନ୍ଦୀ ମୁଖମଣ୍ଡଳକୁ ବଲ ବଲ କରି ଅନାଇ ରହିଲେ ।

 

X X X

 

ଅଧ୍ୟାପକ ଡକ୍ଟର ମରିସନ୍‍ଙ୍କ ଅନୁରୋଧରେ ସେ ଦିନଟି ଅରୁଣଙ୍କୁ ଶତ ଅନିଚ୍ଛାସତ୍ତ୍ୱେ ପାରିସରେ ଅଟକିବାକୁ ପଡ଼ିଲା । ପୃଥିବୀର ସୁନ୍ଦରତମ ନଗରୀ, ସେଥିରେ ପୁଣି ଶହ ଶହ ଆକର୍ଷଣ, ନଗରୀର ପ୍ରତି କୋଣେ କୋଣେ ସେଗୁଡ଼ିକୁ ବିଞ୍ଚାଡ଼ି ହୋଇପଡ଼ିଥିଲେହେଁ କାର୍ଯ୍ୟ ଶେଷକରି ଲଣ୍ଡନକୁ ଫେରିଯିବା ପାଇଁ ତାଙ୍କର ଆଗ୍ରହ ଥିଲା ପ୍ରବଳ । ବିଶେଷତଃ ଆସିଲାବେଳେ ଲଣ୍ଡନ ଉଡ଼ାଜାହାଜ ଘାଟିରେ ଆଭାକୁ କଥା ଦେଇ ଆସିଥିଲେ କାର୍ଯ୍ୟ ଶେଷ କରି ସେହିଦିନ ଫେରିଯିବାପାଇଁ । କାର୍ଯ୍ୟଟି ନ ସରିବାରୁ ବାଧ୍ୟ ହୋଇ ରହିବାକୁ ପଡ଼ିଲା । ସନ୍ଧ୍ୟା ବେଳକୁ କ'ଣ କରିବେ କିଛି ଭାବି ଠିକ୍ କରି ନ ପାରି ଅରୁଣ ଅନ୍ୟମନସ୍କ ଭାବରେ ବାହାରି ପଡ଼ିଲେ ସାଇନ୍ ନଦୀକୂଳ ଅଭିମୁଖେ । ସେ ଥରେ ପାରିସ ନଗରୀ ସମ୍ୱନ୍ଧରେ ବର୍ଣ୍ଣନା କେଉଁଠି ପଢ଼ିଥିଲେ–ଜୀବନ ଯଦି ଅଶାନ୍ତି ଲାଗୁଛି, ରାତିରେ ପାରିସର ରାସ୍ତାରେ ଘେରାଏ ବୁଲିଆସ, ଦେଖିବ ମନରେ ଅଶାନ୍ତି ନାହିଁ; ମନର ତିକ୍ତତା ଉଭେଇଗଲାଣି । ଆତ୍ମହତ୍ୟା କରିବାକୁ ଯଦି ଇଚ୍ଛା ହେଉଛି, ପାରିସର ସାଇନ୍ ନଦୀରେ ଝାସ ଦେବାପାଇଁ ଯାଅ, ସାଇନ୍ ନଦୀର ଅପୂର୍ବ ମାଧୁରୀ, ନଦୀକୂଳରୁ ପାରିସ ସହରର ଅପରୂପ ସୌନ୍ଦର୍ଯ୍ୟରେ ଏତେ ମୁଗ୍‍ଧ ହୋଇ ପଡ଼ିବ ଯେ ନଦୀରେ ଆତ୍ମହତ୍ୟା କରିବାପାଇଁ ଝାସ ନ ଦେଇ ଫେରିଆସିବ । କିଛି କାମରେ ମନ ଲାଗୁନି, ପାରିସର ଏଭିନିଉମାନଙ୍କରେ ଘେରାଏ ପଇଁତରା ମାରି ଆସ, ମନେହେବ କାମ ସେମପେନ୍‍ଠାରୁ ଅଧିକ ମନୋରମ । ନିଃସଙ୍ଗ ଜୀବନ ଦୁର୍ବିସହ ହେଉଛି, ବିରହରେ ପ୍ରାଣ ବ୍ୟଥିତ ହେଉଛି, ଯାଅ ସାଇନ ନଦୀକୂଳସ୍ଥ ଲୋଭ୍ର ମିଉଜିୟମକୁ । ସେଠି ଘଡ଼ିଏ ଛିଡ଼ା ହୋଇ ପୃଥିବୀର ଶ୍ରେଷ୍ଠ କଳାଚିତ୍ର ମନାଲିସାକୁ ଅନାଅ, ବିରହର ବେଦନା ଭୁଲିଯିବ । ମନାଲିସାର ହସରେ ନିଃସଙ୍ଗ ଜୀବନ ରସମୟ ହୋଇ ଉଠିବ, ଶତସଙ୍ଗିନୀଙ୍କର ମଧୁମୟ ସଙ୍ଗକୁ ତୁଚ୍ଛକରି । ପୃଥିବୀର ସବୁ ସହର ରାତ୍ରିରେ ଅଳ୍ପବହୁତେ ନିର୍ଜୀବ ହୋଇପଡ଼େ, କିନ୍ତୁ ପାରିସରେ ତାହା ଓଲଟା । ପାରିସର ବହୁ ଅଂଶ ମଧ୍ୟରାତ୍ରିରେ ଏତେ ଜୀବନ୍ତ ଓ ଏତେ ଗହଳି ହୋଇ ଉଠେ, ବହୁ ବଡ଼ ବଡ଼ ସହରର ଦିନର ଗହଳିକୁ ଏହା ବଳିଯାଏ ।

 

ଅରୁଣ ସାଇନ୍‍ ନଦୀ କୂଳରେ ଥିବା ମାର୍ବଲ ବେଦୀ ଉପରେ ବସି ଏଇଭଳି କେତେ କ’ଣ ଭାବିଯାଉଛି, ହଠାତ୍ ସେଠି ଆସି ଉପସ୍ଥିତ ହେଲେ ବନ୍ଧୁ ହାଜରା ଓ ପ୍ରସାଦ ।

 

‘‘ଆରେ, ଅରୁଣ ଯେ ଏଠି ? କେତେବେଳେ ଏଠାକୁ ଆସିଛ ?’’ ଆଶ୍ଚର୍ଯ୍ୟ ହୋଇ ପଚାରିଲା ପ୍ରସାଦ ।

 

ପ୍ରସାଦ ଓ ହାଜରାକୁ ଦେଖି ଅରୁଣ ଆଶ୍ଚର୍ଯ୍ୟ ନ ହୋଇ ରହିପାରିଲାନି ।

 

‘‘ଆରେ ତୁମେ ସବୁ କ'ଣ ଏଠି ? କାହିଁ ତୁମ ଆସିବା କଥା ତ ହଷ୍ଟେଲରେ କେହି ଜାଣିନାହାନ୍ତି ?’’

 

‘‘ଆରେ ତମ ଆସିବା କଥା ହଷ୍ଟେଲରେ କିଏ ଜାଣିଛି ଯେ ଆମ କଥା ଜାଣିବ ? ତୁମେ ଯେମିତି ଆସିବା କଥା କାହାକୁ ନ ଜଣାଇ ଚାଲିଆସିଛ, ଆମେ ଆମ ଆସିବା କଥା କ’ଣ ଡେଙ୍ଗୁରା ପିଟି ଜଣାଇ ଆସିଥାନ୍ତୁ ?’’ ହାଜରା କହିଲା ।

 

‘‘ଆରେ ଅରୁଣ, ତୁ କ'ଣ ଏକା ଆସିଛୁ, ନା– ?’’ ଆଉ କହିପାରିଲାନି ପ୍ରସାଦ, ଚାରିଆଡ଼େ ଅନାଇ ଆଉ କାହାକୁ ଖୋଜିଲା ଭଳି ଇତଃସ୍ତତଃ ହେଲା । ପ୍ରସାଦ କ’ଣ ପଚାରିବାକୁ ଚାହୁଁଛି ଜାଣିପାରି ଅରୁଣ କହିଲା, ‘‘ନା, ମୁଁ ଏକା ଆସିଛି । ଆଜି ମୋର ଲଣ୍ଡନ ଫେରିଯିବା କଥା । କିନ୍ତୁ କାମ ନ ସରିବାରୁ କାଲି ସକାଳ ଫ୍ଲାଇଟ୍‍ରେ ଯିବି ।’’

 

ଆମେ ତ ଭାଇ ଦୁଇଦିନ ହେଲା ପାରିସ ଆସିଲୁଣି, ପାରିସ ଛାଡ଼ିବାକୁ ମନହେଉନି । ପାରିସର କି ସୌନ୍ଦର୍ଯ୍ୟ ଆମକୁ ଟାଣିରଖୁଛି କେଜାଣି, ଏହି ବନ୍ଧନକୁ କାଟି ଆମେ ଲଣ୍ଡନ ଫେରିଯିବାକୁ ଯେମିତି ଅକ୍ଷମ । ଧନ୍ୟ ଏହି ପାରିସ ନଗରୀ; କି ଅପୂର୍ବ ସୌନ୍ଦର୍ଯ୍ୟ ନେଇ ଗଢ଼ିଉଠିଛି କେଜାଣି ? ସ୍ୱର୍ଗର ଅମରାବତୀ ବି ଏହା ସମ୍ମୁଖରେ ଠିଆ ହେବାକୁ ଅକ୍ଷମ । ପାରିସର ରାତ୍ରି–ସୌନ୍ଦର୍ଯ୍ୟ ଆଗରେ ଅମରାବତୀର ସ୍ୱର୍ଗୀୟ ସୌନ୍ଦର୍ଯ୍ୟ ହାର ମାନିବାକୁ ବାଧ୍ୟ । ‘‘ପାରିସରେ ବୁଲିଲେ ସ୍ୱପ୍ନ ରାଇଜରେ ବୁଲିଲାଭଳି ମନେହୁଏ ।’’ ପ୍ରସାଦ ଭାବପ୍ରବଣ ହୋଇ ପାରିସ ସହର ଉପରେ ଟିପ୍‍ଣୀ ଦେଇ ଏତକ କହିପକାଇଲା ।

Unknown

 

‘‘ଆରେ ଶଳା ଛତୁଖିଆ, ପାରିସର ସୌନ୍ଦର୍ଯ୍ୟ ଶଳା ଆଛା ଉପଭୋଗ କଲୁ ତୁ ? ଶଳା ପଇସା ଖରଚ କରି ଆସିଥିଲୁ, ପାରିସର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ । ଶଳା କ’ଣ ଶେଷରେ ଏଇଆ ଉପଭୋଗ କଲୁ ?’’

 

‘‘ଆରେ ପାରିସ ହେଉଛି କଳ୍ପନାପୁରୀ । ହାଜରା ବର୍ଣ୍ଣନ କରି ଚାଲିଲା । ସ୍ୱପ୍ନରେ ତୁ ଯାହା କଳ୍ପନା କରି ନ ପାରୁ, ଏଠାରେ ତାହା ବାସ୍ତବତାରେ ରୂପାୟିତ ହୁଏ । ପାରିସର ବୁକୁ ଉପରେ ରାତି ଯେତେ ଘନେଇ ଆସେ, ପାରିସ ଜୀବନ ସେତେ ଚଞ୍ଚଳ, ମଧୁମୟ ଓ ଛନ୍ଦଯୁକ୍ତ ହୋଇ ଉଠେ । ପାରିସର ମନ୍ଦାକିନୀ ଏଇ ସାଇନ ନଦୀ କୂଳରେ କେତେ ବେସୁରା ଜୀବନର ଜୀବନ ତନ୍ତ୍ରୀରେ ରସାଳ ସଙ୍ଗୀତର କେତେ ଅସରନ୍ତି ମୂର୍ଚ୍ଛନା ଯେ ବହିଯାଏ, ତା’ର କଳନା ନାହିଁ । ପାରିସର ରମଣୀ ସୌନ୍ଦର୍ଯ୍ୟର ଅସରନ୍ତି ପସରା ମେଲି ନୟନର ନୀରବ ଭାଷା ଓ ଅଦୃଶ୍ୟ ଇଙ୍ଗିତରେ ପଥଶ୍ରାନ୍ତ ପର୍ଯ୍ୟଟକକୁ ଆମନ୍ତ୍ରଣ କରେ ତା’ର ମଧୁମୟ ନୀଡ଼କୁ, ତାକୁ ଆନନ୍ଦର ଅମରାବତୀରେ ସନ୍ତରଣ କରାଇବା ପାଇଁ । ସୁନେଲି ସ୍ୱପ୍ନରେ ବିଭୋର ସର୍ବଦା ପାରିସବାସୀ, ଜୀବନ ତାର ଓମରଖୟାମଙ୍କ କବିତା ଭଳି ଗଡ଼ିଚାଲେ ପଦ ସହିତ ପଦର ଲାଳିତ୍ୟ ରକ୍ଷାକରି । ଜୀବନରେ ସୁରା ଓ ନାରୀର ମହତ୍ତ୍ୱକୁ ସେ ଭୁଲିପାରେନା । ସେ ଜାଣେ, ଜୀବନହିଁ ଏହି ଦୁଇଟିର ସମ୍ମିଶ୍ରଣ, ଅନ୍ୟ କିଛି ନୁହେଁ । କେଉଁ କବି କଳ୍ପନା କରିଥିଲେ ମନ ନାହିଁ ତାଙ୍କ ନାଁ, ମନେଅଛି ତାଙ୍କ କବିତାର ବିଷୟବସ୍ତୁ । ଅପୂର୍ବ କବିତା ତାଙ୍କର । କବିତାର ତାଳେ ତାଳେ ଜୀବନ୍ତ ହୋଇଉଠେ ପାରିସ ଲଳନାର ଅପୂର୍ବ ସୌଖିନ ଯୌନଲଳସା । ପୃଥିବୀର ସର୍ବତ୍ର ରୂପଜୀବୀ ଲଳନା ଥିଲାବେଳେ ପାରିସରେ ଦେଖାଦିଅନ୍ତି ରୂପଜୀବୀ ଯୁବକ । ଯୌନକ୍ଷୁଧା ମେଣ୍ଟାଇବା ପାଇଁ ଫରାସୀ ପୁରୁଷ ପରିବର୍ତ୍ତେ ଫରାସୀ ରମଣୀ ବେଶ୍ୟାଳୟକୁ ଯାଏ । ବେଶ୍ୟାଳୟରେ ବେଶ୍ୟା ନୁହେଁ ରୂପସୀ ନାରୀ, ବେଶ୍ୟା ହେଉଛି ସେଠି ସୁଶ୍ରୀ ରୂପଵାନ ଯୁବକ । ଫରାସୀ ଲଳନାଠାରେ ନିଜ ରୂପକୁ ବିକି ଜୀବିକା ଅର୍ଜନ କରେ ରୂପବାନ ଫରାସୀ ଯୁବକ ।

 

‘‘ବାଃ, ବାଃ, ବନ୍ଧୁ, ଚମତ୍କାର, ଚମତ୍କାର ବର୍ଣ୍ଣନା ।’’ ତାଳି ମାରି କମ୍ପାଇ ଦେଲା ପ୍ରସାଦ । ତୋ ଭଳି ବନ୍ଧୁପାଇଁ ସେଭଳି ଗୋଟିଏ ଜୀବିକା ଚମତ୍କାର ହୁଅନ୍ତା । ଆଉ ଏ ଶୁଷ୍କ ଡାକ୍ତରୀ ବିଦ୍ୟା ପଢ଼ି ଭାରତକୁ ଫେରି ରୋଗୀ ନାଡ଼ି ଦେଖିବା ଦରକାର ପଡ଼ନ୍ତା ନାହିଁ । କ'ଣ ମୁଁ ଯାହା କହୁଛି ଭୁଲ୍ କିରେ ହାଜରା ?’’

 

‘‘ଶଳା, ତୋର ସବୁବେଳେ ସେଇକଥା । କେଉଁ ଦେଶର କେଉଁ କଥା କହିଲା ବେଳକୁ ଶଳା ମୋତେ ନେଇ ସେଇଠି ପହଞ୍ଚାଇ ଦେଉଛୁ ।’’ ହାଜରା କହିଲା ।

 

‘‘ତୁ ଶଳା ଯେଉଁକଥା କହୁଛୁ, ସେମିତି କେବେ ପାରିସରେ ଦେଖିଲୁଣି କିରେ ? ଶଳା ଯେତେ ମନଗଢ଼ା କଥା, ସବୁ ତୋର । ଶଳା ଗୁଲିଆ ନମ୍ବର ଓଆନ୍ ।’’

 

‘‘ତୁ ତ ଅରୁଣକୁ ପାଇଲୁଣି, ତୋତେ ଆଉ କଣ କିଛି କହିହେବ ? ତୁ କ'ଣ ଆଉ ମୋ ସହିତ ବୁଲିଆସିବୁ ? ହେଉ ତୁ ଥା, ମୁଁ ଯାଉଛି । ରାତିରେ ହୋଟେଲରେ ଦେଖାହେବ ।’’

 

‘‘ଶଳା, କ'ଣ ତୁ ଆଜି ରାତିରେ ହୋଟେଲକୁ ଫେରିବୁ ଯେ ଦେଖାହେବ । ହେଉ ଯା, ପୈତୃକ ପ୍ରାଣଟାକୁ ନେଇ ଶଳା ଯେମିତି ଫେରୁ ।’’

 

ହାଜରା ଚାଲିଗଲା ପରେ ପ୍ରସାଦ ଆରମ୍ଭ କଲା, ଶଳା ହାଜ୍‍୍‍ରାଟା ଏଡ଼େ ଛତରା, ତା କାଣ୍ଡ ଶୁଣିଲେ ତୁ କାନରେ ହାତ ଦେବୁ ଅରୁଣ । ଶଳାଟା ସାଙ୍ଗରେ ମୁଁ କାହିଁକି ପାରିସ ଆସିଲି କେଜାଣି ! ଶଳା ଗଲା ଦୁଇଦିନ ଭିତରେ ମୋତେ ପାରିସର ଯେଉଁସବୁ ଛତରା ଜାଗାକୁ ନେଇଛି ନା, ତୁ ଶୁଣିଲେ କାନରେ ହାତ ଦେବୁ ଅରୁଣ । ପାରିସଟା କେଡ଼େ ସୁନ୍ଦର ସହର ଦେଖୁଛୁ, କିନ୍ତୁ ଏଠି ଏତେ ନିଉଛୁଣା ଜାଗା ଅଛି, ସେ ନାଁ ତୁ ମୁହଁରେ ଧରିବୁନି ଅରୁଣ । ପାରିସଟା କେଡ଼େ ସୁନ୍ଦର ସହର ଦେଖୁଛୁ, କିନ୍ତୁ ଏଠି ଏତେ ନିଉଛୁଣା ଜାଗା ଅଛି, ସେ ନାଁ ତୁ ମୁହଁରେ ଧରିବୁନି ଅରୁଣ । ପାରିସ ସହର ରାତିରେ କେଡ଼େ ସୁନ୍ଦର ଦିଶୁଛି କହିଲୁ ? ଚାରିଆଡ଼େ, କି ଚମତ୍କାର ଆଲୋକସଜ୍ଜା, ସତେ ଯେମିତି କିଛି ଗୋଟାଏ ପର୍ବ ପାଳିତ ହେଉଛି ଏହି ସହରରେ । ସାଇନ୍ ନଦୀର କୂଳ ଅସଂଖ୍ୟ ବର୍ଣ୍ଣରେ ବିଭିନ୍ନ ବିଦ୍ୟୁତ୍ ବତୀର ଆଲୋକ ଛଟାରେ ହସି ଉଠୁଛି, ସତେ ଯେମିତି ଏକ ସ୍ଵପ୍ନପୁରୀ । ରାତିରେ ପାରିସ ସହରରେ ଘେରାଏ ବୁଲି ଆସିଲେ ମନ ଆନନ୍ଦରେ ପୁରିଉଠୁଛି । ଶଳା ଛତରା ହାଜରାକୁ ଏସବୁ କ’ଣ ଭଲ ଲାଗେ ? ମୁଁ ତାକୁ ଯେତେ କହିଲି, ସାଇନ୍‍ ନଦୀ କୂଳରେ ବସି ପାରିସ ସହରର ସୌନ୍ଦର୍ଯ୍ୟ ଉପଭୋଗ କରିବା, ସେ ଶଳା ମୋତେ କ’ଣ କହିଲା ଜାଣୁ ? କହିଲା, ’’ତୁ ଚୁଡ଼ାଟାଏ କିରେ ପ୍ରସାଦ, ସାଇନ୍ ନଦୀ କୂଳେ ବସି ପାରିସ ନଗରୀର ସନ୍ଧ୍ୟାଟାକୁ ଲୋକସାନ୍ କରିବାକୁ ଏଠାକୁ ଆସିଛୁ ? ତୋତେ ମୁଁ ଯାହା ଛତୁ ବୋଲି କହୁଥିଲି, ତୁ ଶଳା ତା’ ବି ନୋହୁଁ । ତୁ ପୁରାପୁରି ଚୂଡ଼ାଟାଏ । ଚାଲ, ଚାଲ, ଶଳାଟା ଏ ନଈ କୂଳଟାରେ ବସି ସନ୍ଧ୍ୟାଟାକୁ ନଷ୍ଟ କରିବାକୁ ବସିଛି । ଚାଲ, ତୋତେ ଏମିତି ଜାଗାକୁ ନେଇଯିବି, ଯାହାକୁ କହନ୍ତି ପାରିସର ଜୀବନ । ଶଳା ଦେଖିଲେ ନାବାଳିକି ଫିଟିଯିବ । ଶଳା ବିଲାତ ତ ଆସିଲୁ, ଜୀବନ ଉପଭୋଗ କରି ପାରିଲୁନି । ଏଥର ପାରିସ ଆସିଛୁ, ଏମିତି ଏମିତି ଜୀବନଟାକୁ ନଷ୍ଟ କରି ଫେରିଯିବୁ ?"

 

‘‘ଏତକ କହି ମୋତେ ଏ ନଈ କୂଳରେ ବସାଇ ନ ଦେଇ ଘୋସାରି ଘୋସାରି ନେଲା ହାଜରା,’’ ପ୍ରସାଦ କହିଲା ।

 

‘‘ତୋତେ କେଉଁଠାକୁ ନେଲା କିରେ ।’’

 

‘‘କାହିଁକି ସେ କଥା ପଚାରୁଛୁ, ଭାଇ ? ଆଉ ସେ ମୋତେ କେଉଁଠାକୁ ନିଅନ୍ତା ! ନେଲା ମୋତେ ପାରିସର କୁଖ୍ୟାତ ଲାଟିନ କ୍ୱାର୍ଟ୍‍ରସକୁ । ଏଠାକାର ବିଚିତ୍ର ନାଇଟ୍ କ୍ଲବ୍ ନାଁ ଶୁଣିଲେ ଲୋମମୂଳ ଟାଙ୍କୁରି ଉଠୁଛି । ଏହି ନାଇଟ୍ କ୍ଲବରେ ମଦ, ଗୀତ ନାଚର ଯେଉଁ ଅସରନ୍ତି ସ୍ରୋତ ଛୁଟେ, ସମୟର ଗତି ସ୍ରୋତ ତା ଆଗରେ କିଛି ନୁହେଁ । ଲାଟିନ୍ କ୍ୱାର୍ଟ୍‍ରସର ଜୀବନ ପ୍ରବାହ ଢଳ ଢଳ, ଛନ୍ଦଯୁକ୍ତ । ଏଠାକାର ମଦ୍ୟପାନ ରୀତି, ନାଇଟ କ୍ଲବ ନର୍ତ୍ତକୀମାନଙ୍କର ନୃତ୍ୟ ଗୀତ ଯେ କୌଣସି ଲୋକକୁ ପାଗଳ କରିଦେବ ଅରୁଣ ।’’

 

ଅରୁଣ ପ୍ରସାଦଠାରୁ ତା’ର ଅନୁଭୂତି ଶୁଣିବା ପାଇଁ ଉତ୍ସୁକ ନେତ୍ରରେ ଅନାଇ ରହିଲେ । ପ୍ରସାଦ କହି ଚାଲିଲା, ‘‘ଲାଟିନ୍ କ୍ୱାର୍ଟରସରେ ମଦ୍ୟପାନ ଭିତରେ ଥରକୁ ଥର ଦେଖା ଦିଅନ୍ତି ନୃତ୍ୟରତା ରମଣୀମାନେ, ଅପରୂପ ଯୌନାକର୍ଷିୀ ପୋଷାକରେ, ମଦ୍ୟପାନରତ ଦର୍ଶକମାନଙ୍କ ନିଃଶେଷ ହୋଇ ଆସୁଥିବା ମଦ୍ୟପାତ୍ରରେ ମଦ୍ୟ ପୂର୍ଣ୍ଣ କରିବା ପାଇଁ । ପାରସ୍ୟର କବି ସମ୍ରାଟ ଓମରଖୟାମଙ୍କ ସୁଲଳିତ କବିତାର ଛନ୍ଦେ ଛନ୍ଦେ ମଦ୍ୟପାନ ରୀତିର ଯେଉଁ ଧାରା ପ୍ରଚ୍ଛନ୍ନାପ୍ରଚ୍ଛନ୍ନ ଭାବରେ ବର୍ଣ୍ଣିତ ଅଛି, ସେଥି ସହିତ ଫରାସୀ ଯୁବତୀମାନଙ୍କର ମଦ ପରଷ। ରୀତି ବେଶ୍ ତୁଳନୀୟ ! ଓମରଖୟାମଙ୍କ ରୀତିରେ ମଦ୍ୟପାନ ସଙ୍ଗେ ସଙ୍ଗେ ସୁମଧୁର ବାଦ୍ୟଯନ୍ତ୍ରର ମଧୁର ମୂର୍ଚ୍ଛନା ଭିତରେ ଏହି ଫରାସୀ ଲଳନାମାନେ ଯେତେବେଳେ ନୃତ୍ୟ ଗୀତର ଅସରନ୍ତି ସ୍ରୋତ ଛୁଟାଇ ଦିଅନ୍ତି, ସେତେବେଳେ ନୃତ୍ୟ ଉପଭୋଗକାରୀ ଦର୍ଶକର ଆତ୍ମବିସ୍ମୃତି ଘଟେ । ଏହା ପରେ ବିଭିନ୍ନ ନୃତ୍ୟ ଓ ନୃତ୍ୟର ଅପରୂପ ଛଟା ଭିତରେ ଯେତେବେଳେ ଜଣ ଜଣ କରି ଏହି ନୃତ୍ୟରତା ଲଳନାମାନେ ଆସି ଉପସ୍ଥିତ ଦର୍ଶକମାନଙ୍କ ଭିତରେ ଧରାଦେଇ ଉନ୍ମାଦନାର ଏକ ଅଦୃଶ୍ୟ ସ୍ରୋତ ଛୁଟାଇ ଦିଅନ୍ତି, ସେତେବେଳେ ଦର୍ଶକମାନଙ୍କ ଭିତରେ ଯୌନ ଉନ୍ମାଦନା ଦେଖାଦିଏ, ତାହା ଅତ୍ୟନ୍ତ ବିଭତ୍ସ । ଏହି ପ୍ରସଙ୍ଗ ଆହୁରି ଲଜ୍ଜାକର ହୋଇ ଉଠେ, ଯେତେବେଳେ ଏହି ଅର୍ଦ୍ଧ ଉଲଗ୍ନ ଲାଳନାମାନେ ନୃତ୍ୟର ଅପରୂପ ତାଳ ଭିତରେ ଦର୍ଶକମାନଙ୍କର କୋଳରେ ଧରାଦେଇ ସେମାନଙ୍କ ନିଃଶେଷ ସୁରାପାତ୍ରରେ ସୁରା ଭରିବା ସଙ୍ଗେ ସଙ୍ଗେ ଦର୍ଶକମାନଙ୍କ ଭିତରେ ନୃତ୍ୟର ଅପରୂପ ତରଙ୍ଗ ଖେଳାଇ ଅର୍ଦ୍ଧୋନ୍ମାଦ ଦର୍ଶକମାନଙ୍କୁ ପୂର୍ଣ୍ଣ ଉନ୍ମାଦରେ ପରିଣତ କରିବାକୁ ଚେଷ୍ଟା କରନ୍ତି । ସେମାନଙ୍କ ସହିତ ବେଳେବେଳେ କେତୋଟି ଆତ୍ମବିସ୍ମୃତ ଦର୍ଶକ ଯୋଗ ଦେଇ ନୃତ୍ୟକୁ ଆହୁରି ଲଜ୍ଜାଜନକ କରିଦିଅନ୍ତି । ସୁପ୍ରସିଦ୍ଧ କନ୍-କନ୍ ନାଚଠାରୁ ଆରମ୍ଭ କରି କେତେପ୍ରକାର ଯୌନାକର୍ଷିୀ ନାଚ ଯେ ଏଠି ଚାଲେ, ତାର କଳନା ନାହିଁ । ଉଦ୍ଦାମ ଯୌବନ ତଥା ସୁଗଠିତ କମନୀୟ ବପୁଯୁକ୍ତ ଏହି ନୃତ୍ୟଲଳନାମାନେ ଯେତେବେଳେ ପୂର୍ଣ୍ଣୋନ୍ମୁକ୍ତ ଶରୀର ଦେଖାଇ ନୃତ୍ୟ କରନ୍ତି, ତାହା ଦର୍ଶକକୁ ଯୌନାନନ୍ଦ ଦେବା ଭିତରେ ଯେଉଁ ଯୌନ ଉନ୍ମାଦନା ଆଣି ଦିଏ, ତାହା ଭାଷାରେ ବର୍ଣ୍ଣନା କରି ହେବନି ଅରୁଣ । ଉନ୍ମୁକ୍ତ ଶରୀରରେ, ଦେହାଭରଣର କଦର୍ଯ୍ୟ ଅଭାବ ଭିତରେ, ପୂର୍ଣ୍ଣୋନ୍ମୁକ୍ତ ବକ୍ଷରେ ଆନତ ବିମୁଖ ଉରଜର ବିନମ୍ର ନିବେଦନ ଦର୍ଶକକୁ ପାଗଳ କରି ପକାଏ । ସେତିକିରେ ଲାଟିନ୍‍ କ୍ୱାଟର୍ସର ଶ୍ରୀ ପୂର୍ଣ୍ଣ ହୁଏନି । ନାଚୁ ନାଚୁ ସେହି ଅର୍ଦ୍ଧ ଉଲଗ୍ନ ଲଳନାମାନେ ଧୀରେ ଧୀରେ ନିଜ ଦେହର ଯାହା କିଛି ସ୍ୱଳ୍ପାବରଣ ଥାଏ, ତାହା ଗୋଟି ଗୋଟି କରି ନାଚ ଭିତରେ ବାହାର କରିଦେଇ ନିଜର ପ୍ରାକୃତିକ ଉଲଗ୍ନ ଶରୀରର ଯୌନାକର୍ଷିୀ ସୌନ୍ଦର୍ଯ୍ୟକୁ ଦେଖାଇବାକୁ କୁଣ୍ଠାବୋଧ କରନ୍ତିନି । ସାରା ରାତ୍ରି ଏହି ଧରଣର ନାଚ ଜଣକ ପରେ ଜଣେ ହୋଇ ଲଳନାମାନେ ପରିବେଷଣ କରନ୍ତି । ନଗ୍ନ ସୌନ୍ଦର୍ଯ୍ୟପିପାସୁ ଦର୍ଶକ କି ନଗ୍ନ ସୌନ୍ଦର୍ଯ୍ୟ ପ୍ରଦର୍ଶିକା ନର୍ତ୍ତକୀ କାହାରିକୁ ଲଜ୍ଜା ଲାଗେନି । ଆଧୁନିକ କଳା ଓ କୃଷ୍ଟି ନାଁରେ କି ବ୍ୟଭିଚାର, କହିବାକୁ ଲଜ୍ଜା ଲାଗୁଛି ଅରୁଣ ।’’

 

‘‘ସେତିକିରେ ତୋର ପାରିସ ଅନୁଭୂତି ଶେଷ ହେଲା ନା ଆଉ କିଛି ଅଛି ?’’ ଅରୁଣ ପଚାରିଲେ ।

 

‘‘ଆରେ ଭାଇ, ଏ ସିନା ହେଲା ପ୍ରଥମ ରାତ୍ରିର ଅନୁଭୂତି । ଦ୍ଵିତୀୟ ରାତ୍ରିର ଅନୁଭୂତି ଶୁଣିଲେ କାନରେ ହାତ ଦେବୁ । ଦ୍ଵିତୀୟ ରାତ୍ରିର ଅନୁଭୂତି ପାରିସର ସୁବିଖ୍ୟାତ ମଲିନ ରାଉଜେରେ । ହାଜରା ଭାଷାରେ ମଲିନ ରାଉଜେ ହେଉଛି ମର୍ତ୍ତ୍ୟର ସ୍ୱର୍ଗ । ଏହା ନାଁ କହିଲେ ପୃଥିବୀର ଗୁଣଗ୍ରାହୀ ଲୋକଙ୍କ ଲୋମମୂଳ ଶିହରି ଉଠେ । ମଲିନ ରାଉଜେ ପୃଥିବୀର ଏକ ସୁବିଖ୍ୟାତ ନାଚ ହଲ ଭାବରେ ପ୍ରସିଦ୍ଧ । ଏହି ନାଚ ହଲ ଖୁବ୍ ବିରାଟ, ଏକସଙ୍ଗରେ ଶହ ଶହ ଦର୍ଶକ ବସି ଦେଖିପାରନ୍ତି । ମଦ୍ୟପାନ ପାଇଁ କିଛି ବାଧା ନାହିଁ । ଯିଏ ଯେତେ ପିଇପାରେ । ସବୁ ମାଗଣା । ମଦ ପଇସା ଟିକଟ ସହିତ ନିଆଯାଇଥାଏ । ହଲ ଭିତରେ ବିରାଟ ଷ୍ଟେଜ୍ । ସୋ ଆରମ୍ଭରେ ଷ୍ଟେଜ୍‍ର ପରଦା ଯେତେବେଳେ ଉଠେ, କି ବିଭତ୍ସ ସେ ଦୃଶ୍ୟ । ଅନେକଗୁଡ଼ିଏ ସୁନ୍ଦରୀ ଫରାସୀ ଲଳନା ପୂର୍ଣ୍ଣ ଉଲଗ୍ନ ବେଶରେ ଏକତ୍ର ନୃତ୍ୟରତା । ସେମାନଙ୍କ ବକ୍ଷ ଉନ୍ମୁକ୍ତ, ଅଣ୍ଟା ତଳକୁ ଯାହା କିଛି ସ୍ୱଳ୍ପ ଆବରଣ ଅଛି, ତାହା କିଛି ନୁହେଁ । ଆଖିରେ ମାଦକଭରା ଆକର୍ଷଣୀୟ ଚାହାଣୀ, ଦର୍ଶକମାନଙ୍କ ଭିତରେ ଯୌନକ୍ଷୁଧାକୁ ପ୍ରବଳତର କରିବା ପାଇଁ ଏକ ଘୃଣ୍ୟ ଅପଚେଷ୍ଟା । ପରେ ପରେ ସେମାନଙ୍କ ସହିତ ନୃତ୍ୟ ରତ ସୁଶ୍ରୀ ଯୁବକ ଗୁଡ଼ିଏ ଦେଖାଦିଅନ୍ତି । ବେଳେବେଳେ ଏହି ନୃତ୍ୟ ଇଡେନ୍‍ଙ୍କ ଉଦ୍ୟାନ ବା ମିଶରୀୟ ସମ୍ରାଟଙ୍କ ଦରବାରରେ ହେବାର ଦୃଶ୍ୟ ଦେଖାଯାଏ । କେଉଁଠି ନୃତ୍ୟରତା ଲଳନାମାନେ ଅତି ଚାକଚକ୍ୟ ପୋଷାକ ପରିଧାନ କରି ନାଚନ୍ତି, ତ କେଉଁଠି ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ନୃତ୍ୟ କରି ଦର୍ଶକମାନଙ୍କୁ ମୁଗ୍‍ଧ କରନ୍ତି । ନୃତ୍ୟ ବେଳେ ସେମାନଙ୍କ ବିଭିନ୍ନ ଅଙ୍ଗ ଚାଳନା ଏତେ ବିଭତ୍ସ ହୁଏ ଯେ, ଦର୍ଶକମାନଙ୍କ ମତି ବିଭ୍ରମ ହେବାର ସ୍ପଷ୍ଟ ଲକ୍ଷଣ ପ୍ରକାଶ ପାଏ । ନାଚ ପୁଣି କେତେ ବିଭିନ୍ନ ପ୍ରକାରର ଅଛି ।

 

ବହୁତଗୁଡ଼ିଏ ଦୃଶ୍ୟ ଓ ନାଚ ପରେ ଆରମ୍ଭ ହୁଏ ଫରାସୀ ଲଳନାର ପ୍ରସିଦ୍ଧତମ ସନ୍ତରଣ ନୃତ୍ୟ । ଚାହୁଁ ଚାହୁଁ ଷ୍ଟେଜ୍ ବୁଲିଯାଏ । ଷ୍ଟେଜ୍‍ର ଗୋଟିଏ ପାଖରେ ଦେଖାଦିଏ ଏକ ବିରାଟ କାଚ ତିଆରି ଘର ଭିତରେ ସୁନ୍ଦର ଝରଣା । ଝରଣାର ସେହି ଜଳ ଚାହୁଁ ଚାହୁଁ କାଚ ଘରଟିକୁ ପୂର୍ଣ୍ଣ କରିପକାଏ । ନାନା ପ୍ରକାର ରଙ୍ଗୀନ ଆଲୋକ ପକାଯାଇ ଏହି କାଚଘରର ସନ୍ତରଣ ପୁଷ୍କରିଣୀକୁ ଏକ ସ୍ଵପ୍ନପୁରୀର ରୂପ ଦିଆଯାଇଥାଏ । ଧୀରେ ଧୀରେ ଏହି କାଚଘରେ ଦେଖାଦିଅନ୍ତି ବହୁ ରୂପସୀ ଲଳନା । ସେମାନେ ପୂର୍ଣ୍ଣ ଯୌବନାବସ୍ଥାରେ ଉଲଗ୍ନ ବେଶରେ ଏହି ଜଳ ଭିତରେ ବୁଡ଼ି ବୁଡ଼ି ଆରମ୍ଭ କରିଦିଅନ୍ତି ସେମାନଙ୍କ ପୃଥିବୀ ପ୍ରସିଦ୍ଧ ସନ୍ତରଣ ନୃତ୍ୟ । ଉଲଗ୍ନ ଯୁବତୀଗୁଡ଼ିଏ, ଯୌବନର ପୂର୍ଣ୍ଣତା ଭିତରେ ଯୌନାଙ୍ଗର ସବୁକିଛି ଅଂଶ ଉନ୍ମୁକ୍ତ ଅବସ୍ଥାରେ ଦେଖାଇବାକୁ କୁଣ୍ଠା ନାହିଁ । ଏହି କାଚ ଘର ଭିତରେ ସନ୍ତରଣ ଭିତରେ ନୃତ୍ୟ କରୁଥିଲାବେଳେ ଦର୍ଶକମାନଙ୍କୁ ସେମାନଙ୍କ ପ୍ରତ୍ୟେକ ଅଙ୍ଗ ସ୍ପଷ୍ଟ ଦିଶୁଥାଏ। ଏହା ଦର୍ଶକମାନଙ୍କ ଭିତରେ କି ଉନ୍ମାଦନା ଭରି ଦେଉଥିବ, କଳ୍ପନା କରିବା କଥା । ରାତ୍ରିର ଶେଷ ପର୍ଯ୍ୟନ୍ତ ଏହି ନୃତ୍ୟ ଚାଲିଥାଏ । କଳା, କୃଷ୍ଟିର ପୂଜାରୀମାନେ ରାତ୍ରିର ଶେଷ ପ୍ରହରରେ ଏଠାରୁ ବିଦାୟ ନିଅନ୍ତି । କଳା କୃଷ୍ଟିର ନା’ ଦେଇ ହୀନ ଯୌନ ଲାଳସା ଚରିତାର୍ଥ କରିବାର କି ଘୃଣ୍ୟ ଅପଚେଷ୍ଟା, କହିବାକୁ ଲାଜ ଲାଗୁଛି । ଏହିସବୁକୁ ଦେଖି ହାଜରା କ’ଣ କହେ ଜାଣୁ ଅରୁଣ ? ସେ କହେ, ‘‘ପାରିସର ଜୀବନରେ ଏହାହିଁ ହେଉଛି ଉତ୍କର୍ଷ । କଳ୍ପନା ଆଗରେ ବାସ୍ତବତା ହାର ମାନେ ଏଠି । ପାରିସ ଯଦି ଆସିବ ୟାକୁ ନ ଦେଖିବ ତ ଆଉ ଦେଖିବ କ’ଣ ? ପାରିସ ଯେଉଁ କଳା, କୃଷ୍ଟି ଓ ସୌଦର୍ଯ୍ୟ ପାଇଁ ପ୍ରସିଦ୍ଧ, ତାକୁ କ’ଣ ପାଇବ ପାରିସର ଅସଂଖ୍ୟ ଶୁଷ୍କ ଗୀର୍ଜା, ମନ୍ଦିର କି କୀର୍ତ୍ତିସ୍ତମ୍ଭର ଗାତ୍ରରେ ? ତାହା ହେଉଛି ଏହି କଳା । ଏହାହିଁ ହେଉଛି ଜୀବନ, ଏହାହିଁ ହେଉଛି ସଭ୍ୟତା ।’’

 

ତୋତେ ଦେଖି ସିନା ପଳାଇଗଲା ଅରୁଣ, ତୋ ଉପସ୍ଥିତିରେ ସେ ମୋତେ ଜୋର କରି କହିପାରେନି । ତୁ ନ ଥିଲେ ଆଜି ମୋତେ ଆଉ କେଉଁଠିକି ଟାଣିଥାନ୍ତା । ଶଳାଟା କ’ଣ କମ ପଇସା ଖରଚ କରୁଛି ଏଥିରେ । ତେଣେ ଶଳା ହଷ୍ଟେଲର ପାଉଣା ବାକି, ଏଣେ ଶଳା ପଇସା ଉଡ଼ାଉଛି ପାଣିଭଳି । ଶଳା ମୋତେ ଆହୁରି ଶିଖାଉଥିଲା, ପାରିସରୁ ରିଭିୟେରା ବିଚକୁ ଯିବାପାଇଁ-। ଭୂମଧ୍ୟ ସାଗରର ଶୀତଳ ପବନ, କୂଳର ଛୋଟ ଛୋଟ ରୂପେଲୀ ଲହରୀର କଳ କଳ ନାଦ ସହିତ ସାନ୍ନିଧ୍ୟ ଦେବାପାଇଁ ଫ୍ରାନ୍‍ସର ବଛା ବଛା ଟପଲେସ ଯୁବତୀମାନଙ୍କ କଳହାସ୍ୟ ରିଭିୟେରାର ଆକର୍ଷଣ ବଢ଼ାଇଦିଏ । ଭୂମଧ୍ୟ ସାଗରର ଶୀତଳ ଜଳରେ ଏହି ଟପଲେସ ସନ୍ତରଣ ପୋଷାକ ପିନ୍ଧା ଅର୍ଦ୍ଧ ଉଲଗ୍ନ ଯୁବତୀମାନଙ୍କ ସହିତ ଘେରାଏ ପହଁରି ଆସିଲେ ସ୍ୱର୍ଗସୁଖ ଯେ ଏହା ଆଗରେ ହାରମାନେ, ଏହା ସେ ମୋତେ କେତେ ପ୍ରକାର ରୀତିରେ କହିଛି ତାର କଳନା ନାହିଁ । ସେ ପୁଣି କହେ, ‘‘ଆମେରିକାର ଲାସ ଭେଗାସ ରୀତିରେ ଏଠାରେ ଯେଉଁ ବିବାହ ପ୍ରଥା ପ୍ରବର୍ତ୍ତିତ ହେବାକୁ ଯାଉଛି, ତାହାକୁ ଫରାସୀ ସରକାର ଯଦି ବାଧା ନ ଦିଅନ୍ତି, ତେବେ ରିଭିୟେରା ସ୍ୱର୍ଗ ପାଲଟିଯିବ ରେ ପ୍ରସାଦ, ସ୍ୱର୍ଗ ପାଲଟି ଯିବ । ସନ୍ଧ୍ୟାରେ ବିବାହ, ମଧ୍ୟ ରାତ୍ରିରେ ମଧୁଶଯ୍ୟା, ନିଶାନ୍ତେ ଛାଡ଼ପତ୍ରର ବିଚିତ୍ର ବ୍ୟବସ୍ଥା ଲାସ ଭେଗାସ ଛଡ଼ା ପୃଥିବୀର ଅନ୍ୟ କେଉଁଠି ନାହିଁ । ତାହା ଏଠାରେ ଯଦି ପ୍ରବର୍ତ୍ତିତ ହୁଏ ତେବେ କେତେ ଲୋକଙ୍କ ଜୀବନର ଗତି କେତେଭଳି ଭାବରେ ବଦଳିଯିବ, ତାର କଳନା ନାହିଁ ।’’

 

‘‘ଶଳାଟାର କଥାଗୁଡ଼ାକ ଶୁଣି ମୋର ତାକୁ ମାଡ଼ ମାରିବାକୁ ଇଚ୍ଛା ହୁଏ । ଶଳାଟା କେତେ ଛତରା ! ତାର ପଦିଏ କଥା ଯେ ଶୁଣିବ ସେ ଜାଣିପାରିବ ।’’

 

‘‘ତୁ ତ ତା ସାଙ୍ଗ ଛାଡ଼ିବାକୁ ନାରାଜ । ଜାଣୁ ତ ସେ ଏମିତି ପ୍ରକୃତିର ଲୋକ, ତା ସାଙ୍ଗରେ ବନ୍ଧୁତା ବାନ୍ଧୁଛୁ କେମିତି ?’’ ଅରୁଣ କହିଲେ ।

 

‘‘ଆଉ କ'ଣ କରିବି ଭାଇ କହିଲୁ ? ପାଖକୁ ପାଖ ରୁମ୍ । ସକାଳୁ ଉଠିଲେ ମୁହଁ ଚାହାଁ ଚାହିଁ । ତା ଠାରୁ ଆଉ କେତେ ଦୂରରେ ରହିପାରିବି କହିଲୁ ? ତା ଛଡ଼ା ତୋର ତ ଦେଖା ଦର୍ଶନ ମିଳେନି ହଷ୍ଟେଲରେ । ମୂର୍ତ୍ତିଟା ତ ସବୁବେଳେ ବାହାରେ । ବାଧ୍ୟ ହୋଇ ତା’ରି ସାଙ୍ଗ ଧରିଛି । ଭାବିଛି ଏଥର ହଷ୍ଟେଲ ବଦଳାଇଦେବି । ତା ଭଳିଆ ସାଙ୍ଗ ମେଳରେ ରହିଲେ ଖରାପ ଅଭ୍ୟାସ ଶିଖିବ ସିନା, ଭଲ ଅଭ୍ୟାସ ଗୋଟାଏ ଶିଖି ହେବନି ।

 

‘‘ହଁ, ମୋତେ ସେ ପୁଣି ଆଉ କ’ଣ ଫୁସୁଲେଇଥିଲା ଜାଣୁ ? ଆସନ୍ତା ଖ୍ରୀଷ୍ଟମାସ ଛୁଟିରେ ରୋମ ଯିବ ବୋଲି । ସେଠି କାଳେ ଜୀବନ ନିର୍ବାହ ପାରିସ ଠାରୁ ଆହୁରି ମଧୁମୟ । ତା’ ରୁମରେ ଦିନେ ଗୋଟାଏ ପାମ୍ପଲେଟ୍ ପଡ଼ିଥିଲା । ସେଥିରେ ଲେଖା ଥିଲା, ରୋମର ରାତ୍ରିଭ୍ରମଣ କଥା । ସେଦିନ ସେ ରୁମରେ ନଥିଲାବେଳେ ମୁଁ ସେଟାକୁ ପଢ଼ିପକାଇଥିଲି । ରୋମରେ ବିଭିନ୍ନ କୋମ୍ପାନୀ ଅଛନ୍ତି, ଯେଉଁମାନେ ଏହି ‘ନାଇଟ୍ ଟୁର’ ପରିଚାଳନା କରନ୍ତି । ନାଇଟ୍ ଟୁର ଚାରି ପ୍ରକାର, ଗୋଟାଏ ହେଉଛି ଶୁଖିଲା ନାଇଟ ଟୁର । ଏଥିରେ କୋମ୍ପାନୀ ତରଫରୁ ବସ ଆସି ହୋଟେଲରୁ ଗ୍ରାହକମାନଙ୍କୁ ସହର ବୁଲାଇବା ପାଇଁ ନେଇଯାଏ । ଏହି ବସ ରାତ୍ରିରେ ରୋମର ସାଜସଜ୍ଜା ଦେଖାଇ ଫେରାଇ ଆଣେ । ଦ୍ଵିତୀୟ ପ୍ରକାର ଟୁରରେ ରୋମର ବିଭିନ୍ନ ନାଇଟ୍ ସ୍ପଟକୁ ନିଏ । ସେଠାରେ ମଦ, ସେମପେନ୍ ଆଦି ପିଇବାକୁ ଦିଆଯାଏ । ନାଇଟ୍ ସ୍ପଟ୍ ର ରୂପସୀମାନେ ଅର୍ଦ୍ଧଉଲଗ୍ନ ଓ କେତେକ ସ୍ଥାନରେ ପୂର୍ଣ୍ଣ ଉଲଗ୍ନ ଭାବରେ ନାଚନ୍ତି । ତୃତୀୟ ପ୍ରକାର ନାଇଟ୍ ଟୁରରେ ତିନୋଟି ବଛା ବଛା ନାଇଟ୍ ସ୍ପଟ୍‍କୁ ନିଆଯାଏ । ସବୁଠାରେ ମଦର ଅସରନ୍ତି ସ୍ରୋତ ଛୁଟେ । ରୂପଜୀବୀ ଲଳନାମାନଙ୍କ ମେଳରେ ରାତି କଟାଇ ସକାଳେ ଫେରିବାକୁ ପଡ଼େ । ସ୍ପେସାଲ ଡିଲକ୍‍ସ ଟୁରରେ ସେମାନେ ସହରର ବଛା ବଛା ନାଇଟ୍ ସ୍ପଟ୍‍କୁ ନିଅନ୍ତି । ଶେଷରେ କୌଣସି ଗୋଟିଏ ସ୍ପଟ୍‍ରେ ସାରା ରାତ୍ରିଟି କଟାଇବାକୁ ଦିଆଯାଏ । ମଦ ନାଚର ଅସରନ୍ତି ସୁଅ ଚାଲେ । ରୂପଜୀବୀ ଲଳନାମାନଙ୍କ ନୃତ୍ୟ ଓ କଳହାସ୍ୟ ସାନ୍ନିଧ୍ୟରେ ରାତ୍ରିଟି କଟିଯାଏ । ସକାଳକୁ ସେମାନେ କ୍ଲାନ୍ତଶ୍ରାନ୍ତ ହୋଇ ଫେରିଆସନ୍ତି । ଅତି ଉଚ୍ଚ ଶ୍ରେଣୀର ବେଶ୍ୟାଳୟରେ ରାତ୍ରି କଟାଇବାକୁ ସୁବିଧା ଦିଆଯାଇଥାଏ ବୋଲି ଏହାର ନାମ ହେଲା ସ୍ପେସାଲ ‘ଡିଲକ୍‍ସ ନାଇଟ୍ ଟୁର ।’ ଶଳାଟା ତ ସବୁବେଳେ ଏହି ଚିନ୍ତାରେ ରହିଲା, ପାଠ ପଢ଼ିବ କଅଣ ? ତୁ ଯାହା କହ ଅରୁଣ, ହାଜରାଟା ନଷ୍ଟ ହୋଇଗଲା ।

 

ତା ସାଙ୍ଗରେ ରହି ତୁ ତ ନଷ୍ଟ ହେବା ଉପରେ । ପାରିସକୁ ତା ସାଙ୍ଗରେ ଆସି ବଢ଼ିଆ କାମ କରିଛୁ ? ହେଉ ଲଣ୍ଡନ ଫେରିଚାଲ । ସବୁ ସେଠି କହୁଛି । ଆଗେ ତ ତୋ କଥା ଆଭାକୁ କହିବି । ତାର ତୋ ପ୍ରତି ପରା ଖୁବ୍ ଭଲ ଧାରଣା ।

 

‘‘ଭାଇ ତୋ ଗୋଡ଼ ଧରୁଛି । ସମସ୍ତଙ୍କୁ କହ ପଛେ, ଆଭାକୁ କହନା । ମୋ ରାଣ, ମୋ ମୁଣ୍ଡ ଖାଇବୁଟି ଭାଇ ।’’

 

(ଚାରି)

 

ପୃଥିବୀବିଖ୍ୟାତ ଶିଳ୍ପପତି ସାର ଜେମସ୍ ମାଇକେଲ୍‍ସନ୍‍ଙ୍କ ବୈଠକଖାନା ଘର । ବୈଠକଖାନାର ତିନୋଟି ସୋଫାରେ ବସିଥାନ୍ତି ଶିଳ୍ପପତି ମାଇକେଲ୍‍ସନ୍‍, କନ୍ୟା ଆଭା ଓ ଯୁବକ ଅରୁଣକୁମାର । ସାମନାରେ ଖେଳାମେଳା ହୋଇ ପଡ଼ିଥାଏ, ଓଡ଼ିଶାର କେତେଗୋଟି ମାନଚିତ୍ର ଓ ବହୁ କାଗଜପତ୍ର । ଶିଳ୍ପପତିଙ୍କ ସହିତ ଯୁବକ ଅରୁଣକୁମାର ଗୁରୁତ୍ଵପୂର୍ଣ୍ଣ ଆଲୋଚନାରେ ବ୍ୟସ୍ତ । କନ୍ୟା ଆଭା ଉଭୟଙ୍କର ଆଲୋଚନା ଶୁଣୁ ଶୁଣୁ କହିଲା–

 

‘‘ଆପଣ ବହୁତ ଥକି ପଡ଼ିବେଣି, ବାପା ମୁଁ ଆପଣଙ୍କ ପାଇଁ ଚା’ ଘେନିଆସେ ।’’

 

‘‘ମୁଁ ଏଭଳି ସାମାନ୍ୟ ଆଲୋଚନାରେ ଥକି ପଡ଼େନି ମା ।’’ କାଗଜ ଉପରୁ ମୁହଁ ନ ଉଠାଇ ଶିଳ୍ପପତି କହିଲେ, ‘‘ଅରୁଣ ପିଲାଟା ଥକି ପଡ଼ିବଣି, ହେଉ ଯା ତା’ ପାଇଁ ବରଂ ଚା ଘେନିଆ-।’’

 

ସୁନ୍ଦରୀ ଆଭା ପିତାଙ୍କ ଅନୁମତି ପାଇ ସଙ୍ଗେ ସଙ୍ଗେ ଘର ଭିତରକୁ ଚାଲିଗଲା । ପରମୁହୂର୍ତ୍ତରେ ଟ୍ରେରେ ଚା ଧରି ପିତାଙ୍କ ନିକଟକୁ ଫେରିଆସିଲା ।

 

ଶିଳ୍ପପତି ବହୁ ସମୟଧରି ମାନଚିତ୍ର ଓ କାଗଜପତ୍ର ଉପରେ ଆଖି ବୁଲେଇ ବୁଲେଇ ଅରୁଣଙ୍କୁ ପଚାରିଲେ, ‘‘ଓଡ଼ିଶାର କେଉଁ କେଉଁ ପ୍ରକାର କଞ୍ଚାମାଲକୁ ତୁମେ ଅଧିକ ଗୁରୁତ୍ୱ ଦେଉଛ, ଅରୁଣ ! ତୁମେ ତ ଜଣେ ଇଂଜିନିୟର । କହିଲ, ତୁମେ ଜଣେ ଶିଳ୍ପପତି ହୋଇଥିଲେ ଓଡ଼ିଶାର କେଉଁ କେଉଁ କଞ୍ଚାମାଲ ଉପରେ ଅଧିକ ଗୁରୁତ୍ୱ ଦିଅନ୍ତ ?’’

 

‘‘ବାପାଙ୍କ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ କପେ ଚା ଖାଇନିଅ ଅରୁଣ ।’’ ପାଖରେ ବସି ଚା କପରେ ଦୁଧଢ଼ାଳି ଚାମଚରେ ଗୋଳାଉ ଗୋଳାଉ ହସି ହସି କହିଲା ଆଭା, ‘‘ବିଶ୍ୱବିଦ୍ୟାଳୟର ପରୀକ୍ଷାଠାରୁ ବାପାଙ୍କ ପରୀକ୍ଷା ଯେ ଆହୁରି କଠିନ ।’’ ଏତକ କହି ଅରୁଣ ହାତକୁ କପେ ଚା ବଢ଼ାଇଦେଲା । ଆଉ ବାପାଙ୍କ ହାତକୁ ଆଉ କପେ ବଢ଼ାଇ ଦେଇ କହିଲା, ‘‘ଓଡ଼ିଶା ପାଇଁ ଅରୁଣ ଏଠାରେ ଯେତେ ଚିନ୍ତିତ, ଓଡ଼ିଶାର ଲୋକେ ଓଡ଼ିଶାରେ ଥାଇ ମଧ୍ୟ ସେତେ ଚିନ୍ତିତ ନ ଥିବେ ବାପା-। ଓଡ଼ିଶାର ଶିଳ୍ପୋନ୍ନତି ଘଟାଇବା ପାଇଁ ଆପଣ କିଛି ସୁବିଧା ଓ ସହଜ ଉପାୟ ଦେଖୁଛନ୍ତି ତ ?’’

 

‘‘ମୁଁ ତ ସେଇ କଥା ପଚାରୁଛି ମା’ ଅରୁଣକୁ । ସେ ତ ଆଉ ପିଲା ନୁହେଁ । ସେ ତ ମନେ ମନେ କିଛି ଗୋଟାଏ ବାଟ ବାହାର କରିଥିବ ।’’ ବୃଦ୍ଧ ଚା କପରେ ଓଠ ଲଗାଇ ଉତ୍ତର ପ୍ରତ୍ୟାଶାରେ ଅରୁଣ ଆଡ଼କୁ ଅନାଇ ରହିଲେ ।

 

ଅରୁଣ ଚା' କପରେ ମୁହଁ ଲଗାଉ ଲଗାଉ କହିଲା, ‘‘ଆପଣ ଯେତେବେଳେ ପଚାରୁଛନ୍ତି, ମୁଁ ମୋ କ୍ଷୁଦ୍ର ବୁଦ୍ଧିରେ କ’ଣ ଉତ୍ତର ଦେବି ଭାବି ଠିକ୍ କରି ପାରୁନି । ତେବେ ଓଡ଼ିଶାର ବିରାଟ ଖଣିଜ ସମ୍ପଦ, ବନ୍ୟ ସମ୍ପଦ, କୃଷି ସମ୍ପଦ ଓ ସର୍ବୋପରି ସାଗର ସମ୍ପଦ ଥିଲାବେଳେ କୌଣସି ଲୋକକୁ କଞ୍ଚା ମାଲ ଖୋଜିବା ପାଇଁ ଅଧିକ ଦୂର ଯେ ଯିବାକୁ ପଡ଼ିବନି, ଏହା ମୋର ବିଶ୍ୱାସ । ଏହି ପ୍ରତ୍ୟେକଟି ଓଡ଼ିଶାରେ ଯେ ପ୍ରଚୁର ପରିମାଣରେ ରହିଛି ।

 

କିଛି ସମୟ ରହି, ‘‘ଏଇ ଦେଖନ୍ତୁ ଆଜ୍ଞା, ପଥରକୋଇଲା ।’’ ମାନଚିତ୍ର ଉପରେ ହାତ ବୁଲାଇ କହି ଚାଲିଲେ ଅରୁଣ, ’’ସମ୍ବଲପୁର ଜିଲ୍ଲାର ରାମପୁର, ହିମଗିରି ଅଞ୍ଚଳ, ଇବ୍ ନଦୀକୂଳ ଅଞ୍ଚଳ, ଢେଙ୍କାନାଳ ଜିଲ୍ଲାର ତାଳଚେର ଅଞ୍ଚଳରେ ପଥରକୋଇଲା ପ୍ରଚୁର ପରିମାଣରେ ରହିଛି । ସେଥିମଧ୍ୟରୁ ତାଳଚେର କୋଇଲାଖଣି ସବୁଠାରୁ ବଡ଼ । ପୃଥିବୀର ବଡ଼ ବଡ଼ କୋଇଲାଖଣି ଭିତରୁ ଗୋଟାଏ । ଏଠାରେ କୋଇଲା ଦୁଇଟି ସ୍ତରରେ ବହୁବର୍ଗ ମାଇଲ ପରିମିତ ସ୍ଥାନ ଦଖଲ କରି ରହିଅଛି । ଏଠାରେ ଥିବା କୋଇଲାର ପରିମାଣ କେତେଶହ କୋଟି ଟନ୍ ଯେ ହେବ, କଳନା କରିବା ଅସମ୍ଭବ । ଏହି କୋଇଲା ଜାଳିବା ପାଇଁ ଭଲ, ବାଷ୍ପୀୟ ଇଞ୍ଜିନ୍ ପାଇଁ ବେଶ୍ ଉପଯୁକ୍ତ । କିନ୍ତୁ ଲୁହା ତରଳାଇବା ପାଇଁ ସେତେ ଉପଯୋଗୀ ନୁହେଁ । କାରଣ ଏଥିରେ ପାଉଁଶ ଭାଗ ଅତି ବେଶୀ । ଏଠାରେ କୋଇଲାଖଣି ୧୯୧୯ ମସିହା ଠାରୁ କାର୍ଯ୍ୟକାରୀ ହେଲାଣି । ରାମପୁର-ହିମଗିରି କୋଇଲାଖଣି ମଧ୍ୟ ଅତି ବଡ଼ । ଏହା କୋଡ଼ିଏ ବର୍ଗମାଇଲ ପରିମିତ ସ୍ଥାନ ଦଖଲ କରି ରହିଅଛି । ଏଠାରେ ଶହେ ଛପନ କୋଟି ଟନ ପର୍ଯ୍ୟନ୍ତ କୋଇଲା ଥିବାର ଅନୁମାନ କରାଯାଏ । ଏହି କୋଇଲାରେ ଉଦ୍‍ବାୟୀ ଅଂଶ ଯଥେଷ୍ଟ ବେଶୀ, ତେଣୁ ଆଲ୍‍କାତରା ଓ କୋଲଗ୍ୟାସ ତିଆରି ପାଇଁ ଖୁବ ଉପଯୁକ୍ତ । ଏହି କୋଇଲା ମଧ୍ୟ ଧାତୁନିଷ୍କାସନ ପାଇଁ ଉପଯୁକ୍ତ ନୁହେଁ । କାରଣ ଏହାର ପାଉଁଶ ଭାଗ ଅପେକ୍ଷାକୃତ ବେଶୀ । ତାଳଚେରର କୋଇଲାକୁ କେତେକ ପରିମାଣରେ ଧାତୁ ନିଷ୍କାସନ ପାଇଁ ବ୍ୟବହାର କରାଯାଇପାରେ । କାରଣ ଏଥିରେ ଗନ୍ଧକ ଓ ଫସଫରସ ଭାଗ ଖୁବ କମ୍ । ବର୍ତ୍ତମାନ ଏ ଦିଗରେ ଏହା ବ୍ୟବହୃତ ନ ହେଉଥିଲେହେଁ ଭବିଷ୍ୟତରେ ଏହା ଯେ ସେ ଦିଗରେ ବ୍ୟବହୃତ ହେବ, ଏଥିରେ ତିଳେ-ମାତ୍ର ସନ୍ଦେହ ନାହିଁ ।

 

କିଛି ସମୟ ରହିଯାଇ ଅରୁଣକୁମାର କହିଚାଲିଲେ, ‘‘ଓଡ଼ିଶାର ଲୌହ ସମ୍ପଦ କଥା ଶୁଣିବେ ? ଆପଣ ଆଶ୍ଚର୍ଯ୍ୟ ନ ହୋଇ ରହିପାରିବେନି ଆଜ୍ଞା ।’’

 

ଅରୁଣ ମୁହଁରୁ ଲୌହସମ୍ପଦ କଥା ଶୁଣି ଆଭା ଅରୁଣ ଆଡ଼େ ଅନାଇ ରହିଲା ।

 

ସେ ପୂର୍ବଭଳି ମାନଚିତ୍ର ଉପରେ ହାତ ବୁଲାଇ କହି ଚାଲିଲେ, ‘‘ମୟୁରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ, ସୁଲେଇପାଟ ଓ ବାଦାମପାହାଡ଼, କେନ୍ଦୁଝର ଜିଲ୍ଲାର ନୟାଗଡ଼, ସୁନ୍ଦରଗଡ଼ ଜିଲ୍ଲାର ବଣାଇ, କୋରାପୁଟ ଜିଲ୍ଲାର ହୀରାପୁର ଓ ସମ୍ବଲପୁର ଜିଲ୍ଲାର ଅଖ୍ରଦଣ୍ଡ, ଲୋହାଦଣ୍ଡ, ଖୋଲିଗାଁ–ମାଝଗାଁ ଆଦି ଅଞ୍ଚଳରେ ଅତି ବିରାଟ ବିରାଟ ଲୌହ ଖଣିମାନ ଅଛି । ଏତଦ୍ ବ୍ୟତୀତ କଟକ ଜିଲ୍ଲାର ସୁକିନ୍ଦା ଷ୍ଟେଟରେ ମଧ୍ୟ ଖୁବ୍ ଉଚ୍ଚ ଧରଣର ଖଣିଜ ଲୁହା ଥିବାର ପ୍ରମାଣ ମିଳିଛି । ଏହି ଖଣିଜ ଲୁହାରେ ଲୌହଭାଗ ଶତକଡ଼ା ସତୁରୀ ଭାଗ । ତେଣୁ ଏହା ଏକ ଅତି ଉଚ୍ଚ ଧରଣର ଖଣିଜ ଲୁହା ଭାବରେ ପରିଚିତ । ବଣାଇ ଓ କେନ୍ଦୁଝରରେ ଯେଉଁ ଖଣିଜ ଲୁହା ଅଛି, ତା’ର ପରିମାଣ ଦୁଇ ଶହ ସତୁରୀ କୋଟି ଟନ୍‍ରୁ କିଛି ଅଧିକ ବୋଲି ଅନୁମାନ କରାଯାଇଛି । ଆଉ ଜଣେ ବିଶେଷଜ୍ଞଙ୍କ ମତରେ ଏହି ଅଞ୍ଚଳରେ ଯେଉଁ ଖଣିଜ ଲୁହା ଅଛି, ତହିଁର ପରିମାଣ ଉପରୋକ୍ତଠାରୁ ଢେର ଅଧିକ ଓ ଏଥିରେ ଲୁହାର ଭାଗ ଶତକଡ଼ା ଷାଠିଏରୁ କମ୍ ନୁହେଁ । କୋରାପୁଟ ଜିଲ୍ଲାର ହୀରାପୁରଠାରେ ଯେଉଁ ଖଣି ଅଛି, ସେଠାକାର ଖଣିଜ ଲୁହା ଅତି ଉତ୍କୃଷ୍ଟ । ଲୁହାର ଭାଗ ଶତକଡ଼ା ଅଠଷଠୀରୁ ବେଶୀ । ହିସାବ କରି ଦେଖାଯାଇଛି ଯେ ଏଠାରେ ଯେଉଁ ଖଣିଜ ଲୁହା ଅଛି, ତାର ପରିମାଣ ସତେଇଶ କୋଟି ଟନ୍‍ରୁ କମ୍ ନୁହେଁ । ସମ୍ବଲପୁର ଜିଲ୍ଲାର ଖଣିଜ ଲୁହା ଅପେକ୍ଷାକୃତ ନିକୃଷ୍ଟ ଧରଣର ହେଲେହେଁ ଏଥିରେ ଥିବା ଲୁହା ଭାଗ ଶତକଡ଼ା ଷାଠିଏ ଭାଗରୁ କମ୍ ନୁହେଁ ଓ ଏହି ଅଞ୍ଚଳରେ ହାରାହାରି ଦେଢ଼ଶହ କୋଟି ଟନ୍ ପର୍ଯ୍ୟନ୍ତ ଖଣିଜ ଲୁହା ଥିବାର ଅଟକଳ କରାଯାଇଛି । ଏହିସବୁ ଖଣି ଭିତରୁ ମୟୁରଭଞ୍ଜ ବ୍ୟତୀତ ଅନ୍ୟ କୌଣସି ଅଞ୍ଚଳର ଖଣି ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନି । ଖାଲି ଆପଣଙ୍କ ଦେଶ କାହିଁକି, ପୃଥିବୀରେ କି ରୁଷିଆ କି ଆମେରିକା କେଉଁଠାରେ ଏତେ ଉନ୍ନତ ଧରଣର ଖଣିଜ ଲୁହା ଦେଖିବାକୁ ମିଳେନି ଆଜ୍ଞା ।’’

 

‘‘ତମ ଦେଶରେ ଏତେ ଖଣିଜ ଲୁହା ଥାଇ ମଧ୍ୟ ଏ ପର୍ଯ୍ୟନ୍ତ କ’ଣ ଗୋଟିଏ ସୁଦ୍ଧା ଲୁହା କାରଖାନା ବସିନି ଅରୁଣ ?’’ ଆଶ୍ଚର୍ଯ୍ୟ ହୋଇ ଆଭା ପଚାରିଲା, ‘‘ତୁମ ଦେଶର ଲୋକମାନେ ଇଚ୍ଛା କରିଥିଲେ ଇତି ମଧ୍ୟରେ ଅନ୍ତତଃ ଅଧ ଡଜନେ ଲୁହା କାରଖାନା ଓଡ଼ିଶାରେ ବସାଇ ସାରନ୍ତେଣି !"

 

କନ୍ୟା ଆଭାର ଏଭଳି ମନ୍ତବ୍ୟ ବେଳେ ଶିଳ୍ପପତି ବଡ଼ ଚିନ୍ତାମଗ୍ନ ହୋଇ କ’ଣ ଭାବୁଥିଲେ । ହଠାତ୍ ଅଟକି ଯାଇ ପଚାରିଲେ, ‘‘ତୁମ ରାଜ୍ୟରେ ମାଙ୍ଗାନିଜ, ନିକେଲ, କ୍ରୋମିୟମ୍, ଭେନେଡ଼ିୟମ୍, ଟିଟାନିୟମ ଆଦି ଧାତୁର ଅବସ୍ଥା କିପରି ଅରୁଣ?’’

 

‘‘ଯଥେଷ୍ଟ ଭଲ ଆଜ୍ଞା । ସେ ସବୁ ଶିଳ୍ପ ପଦାର୍ଥ ଅନ୍ୟ ପ୍ରଦେଶ ତୁଳନାରେ ଓଡ଼ିଶାରେ ସବୁଠାରୁ ବେଶୀ ଓଡ଼ିଶାରେ ସବୁଠାରୁ ବେଶି ମାଙ୍ଗାନିଜ ମିଳେ କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ-। ବଲାଙ୍ଗିର ଜିଲ୍ଲା ଓ । କୋରାପୁଟ ଜିଲ୍ଲାର ରାୟଗଡ଼ା ନିକଟବର୍ତ୍ତୀ କୁଟୁଙ୍ଗୀଠାରେ ମାଙ୍ଗାନିଜ ଖଣି ଅଛି । କୋରାପୁଟ ଜିଲ୍ଲାର ଖଣିଜ ମାଙ୍ଗାନିଜ ଅତି ଉତ୍କୃଷ୍ଟ ଧରଣର । କେନ୍ଦୁଝର ଜିଲ୍ଲାର କୋଇରା, ବଡ଼ବିଲ ଖଣିରୁ ମାଙ୍ଗାନିଜ ଖୋଳାଯାଇ ଅତି କମ୍ ଦରରେ ବାହାରେ ବିକ୍ରୟ ହୋଇ ଯାଉଛି । ଏତଦ୍‍ବ୍ୟତୀତ ମୟୁରଭଞ୍ଜ, ଢେଙ୍କାନାଳ, ସୁନ୍ଦରଗଡ଼, ଫୁଲବାଣୀ, କଳାହାଣ୍ଡି ଓ ଜିଲ୍ଲାରେ ଅଳ୍ପ ବହୁତ ମାଙ୍ଗାନିଜ୍ ଦେଖିବାକୁ ମିଳେ । ଏହିସବୁ ସ୍ଥାନରେ ହାରାହାରି ଚାରି କୋଟି ଟନ ପ୍ରର୍ଯ୍ୟନ୍ତ ଖଣିଜ ମାଙ୍ଗାନିଜ ଅଛି । କେବଳ ବଣାଇରେ ଛ କୋଟି ଟନ୍ ଖଣିଜ ମାଙ୍ଗାନିଜ ଅଛି ବୋଲି ଭାରତ ସରକାରଙ୍କ ଭୂତତ୍ତ୍ୱ ବିଭାଗ ଅଟକଳ କରିଅଛନ୍ତି । ଓଡ଼ିଶାର ଏହି ଖଣିଜ ମାଙ୍ଗାନିଜରେ ମାଙ୍ଗାନିଜ୍ ଭାଗ ଶତକରା ସତାବନ ଭାଗ ଓ ଫସଫରସ ଭାଗ ଅତି କମ୍ ଥିବାରୁ ଏହା ପୃଥିବୀର ଉନ୍ନତମନ ଖଣିଜ ମାଙ୍ଗାନିଜ୍ ବୋଲି ଧରାଯାଏ।

 

କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ସବ୍‍ଡ଼ିଭିଜନ୍‍ର ନୁଆସାହି ଓ ବାଉଲା ଖଣିଠାରେ ଅପର୍ଯ୍ୟାପ୍ତ ଖଣିଜ କ୍ରୋମାଇଟ୍ ଭଣ୍ଡାର ଅଛି । ଏହି ଖଣିଜ କ୍ରୋମାଇଟ୍‍ରେ କ୍ରୋମିୟମ୍ ଆକ୍‍ସାଇଡ଼୍‍ର ଭାଗ ଶତକଡ଼ା ପଞ୍ଚାବନ ଓ ଏଠାରେ ଥିବା ଖଣିଜ କ୍ରୋମାଇଟ୍‍ର ପରିମାଣ ତେର ଲକ୍ଷ ଟନ୍‍ରୁ କିଛି ଅଧିକ । ଏଇ କେତେଦିନ ତଳେ କଟକ ଜିଲ୍ଲାର ସୁକିନ୍ଦା ଓ ଢେଙ୍କାନାଳ ଜିଲ୍ଲାରେ କ୍ରୋମାଇଟ୍ ଖଣି ଥିବାର ଖବର ମିଳିଛି । ଏହି ଅଞ୍ଚଳରେ ଥିବା ଖଣିଜ କ୍ରୋମାଇଟ୍‍ର ପରିମାଣ ହାରାହାରି ସତୁରୀ ଲକ୍ଷ ଟନରୁ କମ୍ ନୁହେଁ । ଆମେରିକା ଯୁକ୍ତରାଷ୍ଟ୍ର ପରା ଓଡ଼ିଶାରୁ ପ୍ରତିବର୍ଷ ହଜାର ହଜାର ଟନ୍ ଖଣିଜ କ୍ରୋମାଇଟ୍ ଖରିଦ କରୁଛି ଅତି ଶସ୍ତା ଦରରେ ! ସାରା ଭାରତରେ କ୍ରୋମାଇଟ୍ ଖଣି ଥିବା ଅଞ୍ଚଳ ଭିତରେ ଓଡ଼ିଶାର ସ୍ଥାନ ପ୍ରଥମ ।

 

ମୟୁରଭଞ୍ଜ ଜିଲ୍ଲାର କୁମାରଡ଼ୁବି ଓ ବେତଝରଣ ଅଞ୍ଚଳରେ ଓ ଶିମିଳିପାଳ ପର୍ବତଠାରେ ଖଣିଜ ଭେନେଡ଼ିୟମ୍ ଯଥେଷ୍ଟ ପରିମାଣରେ ଥିବାର ପ୍ରମାଣ ମିଳିଛି । ପ୍ରଥମ ଦୁଇଟି ସ୍ଥାନରେ ହାରାହାରି ଷାଠିଏ କୋଟି ଟନ୍ ଓ ତୃତୀୟ ସ୍ଥାନରେ ମଧ୍ୟ ଯଥେଷ୍ଟ ଖଣିଜ ଭେନେଡ଼ିୟମ୍ ଅଛି । ପୃଥିବୀର ବହୁ ଦେଶରେ ଭେନେଡ଼ିୟମ୍ ନ ଥିବା ସ୍ଥଳେ ଓଡ଼ିଶାର ଭେନେଡ଼ିୟମ୍ ର ଭବିଷ୍ୟତ ଯେ ଖୁବ ଗୁରୁତ୍ୱପୂର୍ଣ୍ଣ, ଏଥିରେ ସନ୍ଦେହ ନାହିଁ । ଏହି ଭେନେଡ଼ିୟମ୍ ଖଣିଜ ଉନ୍ନତ ଧରଣର ଇସ୍ପାତ ତିଆରିରେ ବ୍ୟବହୃତ ହୋଇପାରେ । ଭେନେଡ଼ିୟମ୍ ଖଣିଜ ସହିତ ଟିଟାନିୟମ ମିଶି କରି ରହିଥିବାରୁ ଏହି ଖଣିଜରୁ ଯଥେଷ୍ଟ ପରିମାଣରେ ଟିଟାନିୟମ ଧାତୁ ମଧ୍ୟ ଆହରଣ କରାଯାଇ ପାରେ ।

 

ଓଡ଼ିଶାରେ ନିକେଲ ଧାତୁ ପିଣ୍ଡ ଯଥେଷ୍ଟ ପରିମାଣରେ ମିଳେ । କଟକ ଜିଲ୍ଲାର ସୁକିନ୍ଦା ଅଞ୍ଚଳରେ ଯେଉଁ ନିକେଲ ଖଣିର ସନ୍ଧାନ ମିଳିଛି, ସେଥିରେ ହାରାହାରି ସାଢ଼େ ଚାରି କୋଟି ଟନ୍‍ରୁ କମ୍ ଧାତୁ ପ୍ରସ୍ତର ନାହିଁ । ସୁକିନ୍ଦା ବ୍ୟତୀତ ମୟୁରଭଞ୍ଜ ଜିଲ୍ଲାର ସିମିଳିପାଳଠାରେ ମଧ୍ୟ ନିକେଲ ଖଣି ଥିବା ସମ୍ଭାବନା । କେନ୍ଦୁଝର ଜିଲ୍ଲାରେ ମଧ୍ୟ ନିକେଲ ଖଣିର ସନ୍ଧାନ ମିଳିଛି ।

 

ଅନେକ ଦିନ ଧରି ଆମ୍ଭମାନଙ୍କର ଧାରଣା ଥିଲା ଓଡ଼ିଶାରେ ସୀସା ଖଣି ନାହିଁ । କିନ୍ତୁ ଏବେ ସୁନ୍ଦରଗଡ଼ ଜିଲ୍ଲାର ସରଗିପଲ୍ଲୀଠାରେ ଯେଉଁ ସୀସା ଖଣିର ସନ୍ଧାନ ମିଳିଛି, ସେହି ଧାତୁ ପ୍ରସ୍ତରରେ ସୀସା ସହିତ ଦସ୍ତା ଧାତୁ ମଧ୍ୟ ମିଶି ରହିଥିବାର ଦେଖାଯାଉଛି । ଏଥିରେ ମଧ୍ୟ ତମ୍ବା ଧାତୁ କିଛି ପରିମାଣରେ ଅଛି । ସୀସା ଭାଗର ଅଧା ଭାଗ ହେଉଛି ତମ୍ବା । ତାର ଚଉଠା ଭାଗ ହେଉଛି ଦସ୍ତା । ଏହି ଖଣିଜର ପରିମାଣ ହାରାହାରି ଅଢ଼େଇ କୋଟି ଟନ୍‍ରୁ କମ୍ ନୁହେଁ ।

 

‘‘ଲୁହା କାରଖାନା ପାଇଁ ଆବଶ୍ୟକ ହେଉଥିବା ଚୂନପଥର, ଅଗ୍ନିଜିତ୍ ମୃତ୍ତିକା ଓଡ଼ିଶାରେ ଯଥେଷ୍ଟ ପରିମାଣରେ ତ ମିଳୁଥିବ ଅରୁଣ ?’’ ଆଭା ପଚାରିଲା ।

 

‘‘ସେ ବିଷୟରେ ଆଉ କହିବାର ଅଛି ? କୋରାପୁଟ ଜିଲ୍ଲାରେ ଅତି ଉତ୍କୃଷ୍ଟ ଧରଣର ଚୂନପଥର ଅଛି । ଏହା ହୀରାପୁର ଲୁହାଖଣିଠାରୁ ବେଶି ଦୂର ନୁହେଁ । ସମ୍ବଲପୁର ଜିଲ୍ଲାର ପଦ୍ମପୁର, ଲକ୍ଷ୍ମଣପୁର, ଡୁଙ୍ଗି, ସାଣ୍ଟମନ୍ ଆଦି ସ୍ଥାନରେ ଓ ବଲାଙ୍ଗୀର, କଳାହାଣ୍ଡି, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଚୁର ପରିମାଣରେ ଚୂନପଥର ଦେଖିବାକୁ ମିଳେ । ଏହି ଚୂନପଥର ଘର ତିଆରି ପାଇଁ, ସିମେଣ୍ଟ ତିଆରି ପାଇଁ ଓ ଲୁହା ତରଳାଇବା ପାଇଁ ଖୁବ୍ ଉପଯୁକ୍ତ । ଟାଟା କୋମ୍ପାନୀ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରଠାରୁ ଏହି ଚୂନପଥର ନେଇ ନିଜ କାରଖାନାରେ ଲୁହା ତରଳାଇବାରେ ପରା ବ୍ୟବହାର କରେ । ବୀରମିତ୍ରପୁରଠାରେ ଥିବା ଚୂନପଥର ଧାତୁ ନିଷ୍କାସନ ପାଇଁ ଖୁବ୍ ଉପଯୁକ୍ତ । ଅନ୍ୟ ଗୁଡ଼ିକ ସିମେଣ୍ଟ ତିଆରି ପାଇଁ ଉପଯୋଗୀ ।

 

ସମ୍ବଲପୁର, କୋରାପୁଟ, କେନ୍ଦୁଝର, ସୁନ୍ଦରଗଡ଼, କଟକ ସମ୍ବଲପୁର ଓ ପୁରୀ ଜିଲ୍ଲାରେ ଅଗ୍ନିଜିତ୍ ମୃତ୍ତିକା ପ୍ରଚୁର ପରିମାଣରେ ଅଛି । ବେଲ୍‍ପାହାଡ଼ଠାରେ ଥିବା ଅଗ୍ନିଜିତ୍ ମୃତ୍ତିକା ଭାରତପ୍ରସିଦ୍ଧ ।

 

‘‘ତା’ହେଲେ ତ ବାପା, ଓଡ଼ିଶାରେ ଏକାଧିକ ଲୁହା କାରଖାନା ବସାଇବା ପାଇଁ ଯଥେଷ୍ଟ ସୁବିଧା ଅଛି ?’’ ପିତାଙ୍କ ଆଡ଼କୁ ଅନାଇ ଆଭା ପଚାରିଲା ।

 

ଓଡ଼ିଶାର ଏହି ସବୁ ପ୍ରଚୁର ଖଣିଜ ସମ୍ପଦ କଥା ଶୁଣି ଶିଳ୍ପପତି ଏକ ପ୍ରକାର ଜଡ଼ ପାଲଟି ଯାଇଥାନ୍ତି । କନ୍ୟା ଆଭାର ପିଲାଳିଆ ପ୍ରଶ୍ନରେ ନ ହସି ରହିପାରିଲେ ନି ।

 

‘‘ନା, ମା, କୌଣସି ସ୍ଥାନର ଏହି ଲୁହା, ଚୂନପଥର, ମାଙ୍ଗାନିଜ ଆଦି ଖଣିର ତାଲିକାରୁ ସେ ସ୍ଥାନରେ ଲୁହା କାରଖାନା ବସିପାରିବ କି ନାହିଁ, କହି ହେବନି । ତେବେ କୌଣସି ସ୍ଥାନରେ ଲୁହା କାରଖାନା ବସାଇବାକୁ ହେଲେ ଏହିସବୁ ବିଷୟ ପ୍ରତି ଯେ ଯଥେଷ୍ଟ ଧ୍ୟାନ ଦେବାକୁ ପଡ଼େ, ଏଥିରେ ସନ୍ଦେହ ନାହିଁ । ଲୁହା କାରଖାନା ପାଇଁ ସ୍ଥାନ ବାଛିବା ବଡ଼ ଜଟିଳ କଥା ମା । ବହୁ ବିଷୟ ପ୍ରତି ନଜର ଦେବାକୁ ପଡ଼େ ଏକ ସଙ୍ଗରେ ।

 

‘‘ଓଡ଼ିଶାରେ ଆଉ ସବୁ କି କି ଖଣିଜ ପଦାର୍ଥ ଅଛି, ଅରୁଣ ?’’ ଆଭା ପଚାରିଲା ।

 

ଅରୁଣ ସଙ୍ଗେ ସଙ୍ଗେ ମାନଚିତ୍ର ଉପରେ ହାତ ବୁଲାଇ କହିଚାଲିଲେ, କୋରାପୁଟ, ବଲାଙ୍ଗିରପାଟଣା, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାରେ ପ୍ରଚୁର ପରିମାଣରେ ଗ୍ରାଫାଇଟ୍ ଖଣି ଅଛି । ଉତ୍ତର କୋରାପୁଟ, କଳାହାଣ୍ଡି ଜିଲ୍ଲା ଓ ସୁନ୍ଦରଗଡ଼ ଜିଲ୍ଲାରେ ଖୁବ୍ ଉତ୍କୃଷ୍ଣ ଧରଣର ବକ୍‍ସାଇଟ୍ ଅପର୍ଯ୍ୟାପ୍ତ ପରିମାଣରେ ରହିଛି । ସମ୍ବଲପୁର, କୋରାପୁଟ, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଅତି ଉତ୍କୃଷ୍ଣ ଧରଣର ଚିନାମାଟି ମିଳେ । ଗଞ୍ଜାମ, ସମ୍ବଲପୁର ଓ କୋରାପୁଟ ଜିଲ୍ଲାରେ ସ୍ଫଟିକ, ସମ୍ବଲପୁର ଜିଲ୍ଲାରେ ଫେଲ୍‍ସ୍‍ପାର, କୋରାପୁଟ, ବାଲେଶ୍ୱର ଜିଲ୍ଲାର ନୀଳଗିରି ଓ ସମ୍ବଲପୁର ଅଞ୍ଚଳରେ ଘର୍ଷଣ ପଥର, ଗଞ୍ଜାମର ସମୁଦ୍ର ଉପକୂଳ ଗୋପାଳପୁରଠାରେ ଇଲ୍‍ମେନାଇଟ୍, କୋରାପୁଟ, ବଲାଙ୍ଗିର, ସୁନ୍ଦରଗଡ଼, ମୟୁରଭଞ୍ଜ, ବାଲେଶ୍ୱର, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ ଆସବାସଟସ୍ ଅଳ୍ପ ବହୁତ ପରିମାଣରେ ମିଳେ । ‘‘ସମ୍ବଲପୁର, ଢେଙ୍କାନାଳ, ମୟୁରଭଞ୍ଜ, ସୁନ୍ଦରଗଡ଼, ବଲାଙ୍ଗିର, କଳାହାଣ୍ଡି, ଫୁଲବାଣୀ ଓ କଟକ ଜିଲ୍ଲାର ଆଠଗଡ଼, ବଡ଼ମ୍ବା ଅଞ୍ଚଳ, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ ଅଭ୍ର ଖଣି ଦେଖିବାକୁ ମିଳେ । କାଚପାଇଁ ଉତ୍କୃଷ୍ଣ ବାଲିପଥର ଗଞ୍ଜାମ, କୋରାପୁଟ ଓ ସମ୍ବଲପୁର ଜିଲ୍ଲାରେ ଦେଖାଯାଏ । ରଙ୍ଗମାଟି ଉତ୍ପାଦନରେ ଓଡ଼ିଶା ମଧ୍ୟ ଭାରତରେ ଅଗ୍ରଗଣ୍ୟ । ନରାଜ ଓ କଟକ ଜିଲ୍ଲାର କେତେକ ପାହାଡ଼ିଆ ଅଞ୍ଚଳ, ସମ୍ବଲପୁର, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ନାଲି ଢାଉରଙ୍ଗ, କୋରାପୁଟ, ସମ୍ବଲପୁର ଓ କଟକ ଜିଲ୍ଲାରେ ହଳଦିଆ ରଙ୍ଗମାଟି ଓ କୋରାପୁଟ ସମ୍ବଲପୁର ଓ କଟକ ଜିଲ୍ଲାରେ ବାଦାମୀ ରଙ୍ଗମାଟି ପ୍ରଚୁର ପରିମାଣରେ ମିଳେ ।’’

 

‘‘ଓଡ଼ିଶାରେ ତ ଏତେ ପ୍ରକାର ଖଣି କଥା କହିଲ, କାହିଁ, କେଉଁଠାରେ ତ ସୁନାଖଣି କଥା କହିଲ ନି ଅରୁଣ ।’’ ହସି ହସି ଆଭା ପଚାରିଲା, ‘‘ଓଡ଼ିଶାରେ କ'ଣ ସୁନାଖଣି କେଉଁଠି ନାହିଁ-?’’

 

ଆଭାର ଏଭଳି ପ୍ରଶ୍ନରେ ଅରୁଣ ନ ହସି ରହିପାରିଲେ ନି । ସେ ହସି ହସି କହିଲେ ‘‘ତୁମର ତ ସୁନାଖଣି ପାଇଁ ବିଶେଷ ମମତା ଆଭା ? ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ଏବେ ସୁନାଖଣି ବାହାରିଥିବା ଖବର ଓଡ଼ିଶାରେ ଏକ ଚହଳ ପକାଇ ଦେଇଛି । କୋରାପୁଟ ଜିଲ୍ଲାରେ ସୁନାଖଣିଥିବା କଥା ସନ୍ଦେହ କରାଯାଉଛି ।’’

 

‘‘ଓଡ଼ିଶାର ବନ୍ୟ ସମ୍ପଦ ଓ ସାଗର ସମ୍ପଦ ସମ୍ବନ୍ଧରେ ତୁମର ଧାରଣା କଅଣ ଅରୁଣ-?’’ ଶିଳ୍ପପତି ପଚାରିଲେ ।

 

‘‘ଖଣିଜ ସମ୍ପଦ ଭଳି ଓଡ଼ିଶାର ବନ୍ୟ ଓ ସାଗର ସମ୍ପଦ ଅସୀମ । ଶାଳ, ପିଆଶାଳ, ସାଗୁଆନ, ଶିଶୁ ଆଦି ଟାଣ କାଠ ଓଡ଼ିଶାର ପାର୍ବତୀୟ ଜିଲ୍ଲାମାନଙ୍କରେ ଅପର୍ଯ୍ୟାପ୍ତ ପରିମାଣରେ ରହିଛି । ସମ୍ବଲପୁର, କୋରାପୁଟ, ଗଞ୍ଜାମ, ଢେଙ୍କାନାଳ ଓ ଅନ୍ୟାନ୍ୟ ଗଡ଼ଜାତ ଜିଲ୍ଲାରେ ବାଉଁଶ ଓ ସାବାଇଘାସ, ଢେଙ୍କାନାଳ, କୋରାପୁଟ, କେନ୍ଦୁଝର, ମୟୁରଭଞ୍ଜ ଆଦି ପାର୍ବତୀୟ ଜିଲ୍ଲାରେ ଝୁଣା, ଲାଖ ଅପର୍ଯ୍ୟାପ୍ତ ପରିମାଣରେ ମିଳେ । ଓଡ଼ିଶାରେ ପ୍ରତ୍ୟେକ ପାର୍ବତୀୟ ଜିଲ୍ଲାରେ କାଠ କୋଇଲା, କେନ୍ଦୁପତ୍ର ମହୁଆଫୁଲ, ହରିଡ଼ା, କୋଚିଳା, ପାତାଳ ଗରୁଡ଼, ଚମଡ଼ା, ଶିଙ୍ଗ ଆଦି ଅପର୍ଯ୍ୟାପ୍ତ ପରିମାଣରେ ରହିଛି । ଦିଆସିଲି ତିଆରି ଓ ନାନାପ୍ରକାର ରାସାୟନିକ ଶିଳ୍ପପାଇଁ ନରମା କାଠ ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଜିଲ୍ଲାରେ ମିଳେ । ଓଡ଼ିଶାର ସାଗର ସମ୍ପଦ ଭିତରେ ମାଛ, ମାଛତେଲ, ଅଗର ଅଗର, ଲୁଣ, ମେଗନିସୟମ୍ କ୍ଲୋରାଇଡ଼୍ ଆଦି ପଦାର୍ଥ ଓଡ଼ିଶାର ସମୁଦ୍ର ଉପକୂଳ ଓ ଚିଲିକା ହ୍ରଦଠାରେ ଅପର୍ଯ୍ୟାପ୍ତ ପରିମାଣରେ ଆମଦାନୀ କରାଯାଇପାରେ । ଓଡ଼ିଶାର କୃଷିସମ୍ପଦ ଭିତରେ ଆଖୁ, ଝୋଟ, ଧୂଆଁପତ୍ର, ତୈଳବୀଜ, ନଡ଼ିଆ ଆଦି ପଦାର୍ଥ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶିଳ୍ପୋଯୋଗୀ ପରିମାଣରେ ଉତ୍ପନ୍ନ ହୁଏ ।’’

 

ଓଡ଼ିଶାର ଏହି ସବୁ ପ୍ରାକୃତିକ ସମ୍ପଦ ଶିଳ୍ପପତିଙ୍କୁ ସ୍ତମ୍ଭିତ କରିଦେଲା । ସେ ବଡ଼ ଆଶ୍ଚର୍ଯ୍ୟ ହୋଇ ଆରମ୍ଭ କଲେ, ‘‘ବାସ୍ତବିକ ଓଡ଼ିଶାର ପ୍ରାକୃତିକ ସମ୍ପଦ ଦେଖି ମୁଁ ଆଶ୍ଚର୍ଯ୍ୟ ହେଉଛି ଅରୁଣ । ଏତେ ସମ୍ପଦ ଥାଉଁ ଥାଉଁ ସେ ରାଜ୍ୟଟି କିପରି ଏତେଦିନ ପର୍ଯ୍ୟନ୍ତ ଅବହେଳିତ ହୋଇ ପଡ଼ିରହିଛି, ସେଇ ହେଉଛି ସବୁଠାରୁ ଆଶ୍ଚର୍ଯ୍ୟର କଥା । ଇଂରେଜମାନେ ଦେଢ଼ଶହ ବର୍ଷ ଧରି ଓଡ଼ିଶାକୁ ଶାସନ କରି ଏହାର କି ଉନ୍ନତି ଘଟାଇଛନ୍ତି ? ରାଜ୍ୟଟା କିପରି ଉନ୍ନତି କରିବ, ସେ ଆଡ଼କୁ ଟିକିଏ ଦୃଷ୍ଟି ଦେଇଥିଲେ ହୁଏତ ଓଡ଼ିଶାର ଭାଗ୍ୟ କେଉଁ ଦିନରୁ ବଦଳିଯାଇ ସାରନ୍ତାଣି । ଇଂରେଜମାନେ ଭାରତ ପ୍ରତି ଯାହା ଅନ୍ୟାୟ କରନ୍ତୁ ପଛକେ, ଓଡ଼ିଶା ପ୍ରତି ଯେ ଘୋର ଅକ୍ଷମଣୀୟ ଅନ୍ୟାୟ କରିଛନ୍ତି, ତାହା ଏଥିରୁ ଧରିନେବାକୁ ପଡ଼ିବ । ତୁମ ରାଜ୍ୟର ପ୍ରାକୃତିକ ସମ୍ପଦ ଦେଖି ମୋ ମନ ହେଉଛି ମୁଁ ସେଠାକୁ ଯାଇ ନାନାପ୍ରକାର ଶିଳ୍ପ କାରଖାନା ଖୋଲି ଦିଅନ୍ତି କି, ଅନ୍ତତଃ ସେହି ରାଜ୍ୟର ଲୋକଙ୍କର ଜୀବନଧାରଣ ମାନରେ କିଛି ଉନ୍ନତି ହୁଅନ୍ତା ।’’

 

କିଛି ସମୟ ରହି ପୁଣି କହିଲେ, ‘‘ମୁଁ ତୁମକୁ ଆଉ ଏ ଦିଗରେ କ’ଣ ସାହାଯ୍ୟ କରିପାରିବି ବୋଲି ଆଶା କରୁଛ ଅରୁଣ ? କାହିଁ ତୁମ ଓଡ଼ିଶା, ଆଉ କାହିଁ ମୁଁ ? ସାତ ଆଠହଜାର ମାଇଲରୁ କମ୍ ବ୍ୟବଧାନ ନୁହେଁ । ତେବେ ତୁମ ରାଜ୍ୟ ପାଇଁ ଏପରି ଗୋଟିଏ ଯୋଜନା କରିଦେବି ଯାହାକୁ କାର୍ଯ୍ୟକାରୀ କରାଇ ସେଠାରେ ସୁରୁଖୁରୁରେ ବହୁ ଶିଳ୍ପ କାରଖାନା ପ୍ରତିଷ୍ଠା କରାଯାଇପାରିବ । ଶିଳ୍ପ କାରଖାନା ଆରମ୍ଭ ପାଇଁ ମୁଁ ତୁମକୁ ପ୍ରଥମରୁ କିଛି ଯନ୍ତ୍ରପାତି, ବିଶେଷଜ୍ଞ ଓ ଇଞ୍ଜିନିୟର ସାହାଯ୍ୟ ଦେଇପାରେ ।......

 

‘‘ହଁ, ଆଉ ଗୋଟିଏ କଥା । ତୁମର ବାପାଙ୍କର ଆର୍ଥିକ ଅବସ୍ଥା କିପରି ଅରୁଣ ? ସେ ତୁମକୁ ମୂଳଧନ ଯୋଗାଇ ପାରିବେ ତ ? ତା ଯଦି ନ ହୁଏ, ସେଠାରେ ମୂଳଧନ ଯୋଗାଡ଼ କରି ପାରିବାର ସାହସ ତମର ଅଛି ତ ?’’

 

ଶିଳ୍ପପତିଙ୍କ ଏହିଭଳି ପ୍ରଶ୍ନରେ ଅରୁଣ ନୀରବ ହୋଇଗଲେ । ବାସ୍ତବିକ ଏତେଗୁଡ଼ାଏ ଶିଳ୍ପ କାରଖାନା ପାଇଁ ସେ କ’ଣ କେବେ ମୂଳଧନ ଯୋଗାଡ଼ କରିପାରିବେ ?

 

‘‘ଆସନ୍ତା ମାସରେ ମୁଁ ମୋର ଏହି ଘରେ ମୋ ଶିଳ୍ପ ପରାମର୍ଶଦାତା ଓ ବିଶେଷଜ୍ଞ ବୋର୍ଡ଼ର ଏକ ମିଳିତ ବୈଠକ ଡାକୁଛି। ଓଡ଼ିଶାରେ ଶିଳ୍ପ ଉନ୍ନୟନ ପାଇଁ କି କି ସୁବିଧା ଓ ଅସୁବିଧା ଅଛି, ସେଗୁଡିକୁ ପୁଙ୍ଖାନୁପୁଙ୍ଖରୁପେ ଆଲୋଚନା କରିବା ସେହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ । ତୁମେ ଇତିମଧ୍ୟରେ ଓଡ଼ିଶାର ପ୍ରାକୃତିକ ସମ୍ପଦ, ଶକ୍ତି ଓ ଇନ୍ଧନ, ଶ୍ରମିକ, ବଜାର ଆଦି ସମ୍ପର୍କରେ ଆହୁରି ଅଧିକ ତଥ୍ୟ ସଂଗ୍ରହ କର । କାରଣ ବୈଠକବେଳେ ବିଶେଷଜ୍ଞମାନେ କେଉଁ ମୁହୂର୍ତ୍ତରେ କେଉଁ ବିଷୟ ଜାଣିବାକୁ ଚାହିଁବେ, କହି ହେବ ନି । ତୁମେ ସେଥିପାଇଁ ଏଭଳି ଭାବରେ ପ୍ରସ୍ତୁତ ଥିବ, ସେମାନେ ଯେତେବେଳେ ଯାହା ଜାଣିବାପାଇଁ ଚାହିଁବେ, ତୁମକୁ ସଙ୍ଗେ ସଙ୍ଗେ ସେଗୁଡ଼ିକୁ ଯୋଗାଇ ଦେବାକୁ ପଡ଼ିବ । ତା’ନହେଲେ ଏକ ସୁଚିନ୍ତିତ ଯୋଜନା ସେମାନେ ତିଆରି କରିପାରିବେ ନି । ଇଣ୍ଡିଆ ଅଫିସ ଲାଇବ୍ରେରୀରେ ଓଡ଼ିଶା ସମ୍ବନ୍ଧରେ ଯାବତୀୟ ଖବର ମିଳିଲା ଭଳି କାଗଜପତ୍ର ଥାଇ ନ ପାରେ । ତେଣୁ ତୁମେ ସେଗୁଡ଼ିକୁ ଓଡ଼ିଶାରୁ ମଗାଇ ନେଇ ରଖିବାକୁ ଚେଷ୍ଟା କର । ତୁମେ ତ ଜଣେ ଇଞ୍ଜିନିୟର । ସେଗୁଡ଼ିକୁ ପଢ଼ାପଢ଼ି କରି ଏଭଳି ଭାବରେ ନୋଟ୍ କରିଥିବ, ଯେପରି କି ବିଶେଷଜ୍ଞମାନେ ଚାହିଁଲାକ୍ଷଣି ସେମାନଙ୍କୁ ସହଜରେ ଯୋଗାଇ ଦେଇପାରିବ । ହଁ, ଓଡ଼ିଶାରେ ଏବେ ସୁଦ୍ଧା କି କି ଶିଳ୍ପ କାରଖାନା ପ୍ରତିଷ୍ଠିତ ହୋଇଛି, ତହିଁର ଏକ ସଠିକ ତାଲିକା ପାଖରେ ରଖିଥିବ । ତୁମେ ଯଦି ଏକା ନ ପାରିବ, ତେବେ ଆଭାର ସାହାଯ୍ୟ ନେବାକୁ ଭୁଲିବ ନାହିଁ ।’’

 

X X X

 

ଅରୁଣ ଓ ଆଭା କାର୍‍ରୁ ଓହ୍ଲାଇ ଆଗରୁ ନିର୍ଦ୍ଦିଷ୍ଟ ଥିବା ଏକ ସୁନ୍ଦର ଛୋଟ ମଟର ଲଞ୍ଚରେ ଯାଇ ବସିଲେ । ଆଭା ସଙ୍ଗେ ସଙ୍ଗେ ଷ୍ଟିଅରିଂ ପାଖକୁ ଯାଇ ପଚାରିଲା–

 

‘‘ତୁମେ ଚଳାଇବ ନା, ମୁଁ ଚଳାଇବି ଅରୁଣ ?’’

 

‘‘ଆଁ, ମୁଁ ?’’ ହଠାତ୍ ଚମକିପଡ଼ିଲେ ଅରୁଣ, ‘‘ଆଲୋ ବାପ, ମଟର ଲଞ୍ଚ କିଏ, ଆଉ ମୁଁ କିଏ ? ମୋ ବାପ ତ ମଟରଲଞ୍ଚ ଚଳାଇ ଶିଖିନି, ମୁଁ ତ ଛାର । ପୁଣି ଏ ଯେଉଁ ବିସ୍ତୀର୍ଣ୍ଣ ଅବିଚ୍ଛିନ୍ନ ପ୍ରବାହ ଗଭୀର ଟେମସ୍ ନଦୀ । ଏ ତ ଆଉ ଆମ ଓଡ଼ିଶାର ଶାଳନ୍ଦୀ କି ବୈତରଣୀ ନଦୀ ହୋଇନି । ବର୍ତ୍ତମାନ ଏ ଯେଉଁ ଜୁଆର, ପ୍ରଖର ସୁଅ, ସେଥିରେ ପୁଣି ନଈ ଦି’କୁଳ ଖାଉଛି । ଏଠି ତ ମୋତେ ଏହି ଲଞ୍ଚରେ ବସିବାକୁ ଡର ଲାଗୁଛି । ଚଳାଇବା ତ ଦୂରର କଥା ।’’

 

ସେତେବେଳକୁ ସନ୍ଧ୍ୟା ହୋଇଆସିଲାଣି । ପାଗଟା ଅତି ଚମତ୍କାର ହୋଇଥାଏ । ଅନ୍ୟ ଦିନ ଭଳି ଆକାଶ ମେଘାଚ୍ଛନ୍ନ ନ ହୋଇ ବେଶ୍ ନିର୍ମଳ । ତ୍ରୟୋଦଶୀ ଚନ୍ଦ୍ର ଆକାଶରେ ଉଠି ହସି ହସି ବୃଷ୍ଟିଧୌତ ରୂପେଲି ଜ୍ୟୋତ୍ସ୍ନା ବିକିରଣରେ ବ୍ୟସ୍ତ । ନଦୀ ବକ୍ଷ ପ୍ରବାହିତ ମୁକ୍ତ ସମୀରଣ ବହିଯାଇ ନଦୀ ବକ୍ଷରେ କଳ କଳ ନାଦ ସଙ୍ଗେ ଶୁଭ୍ରଫେନଯୁକ୍ତ ତରଙ୍ଗ ସୃଷ୍ଟି କରିବାରେ ଉନ୍ମତ୍ତ । ଟେମସ୍ ନଦୀର ଜ୍ୟୋତ୍ସ୍ନାବିଧୌତ ରୁକ୍ଷ ବକ୍ଷ ଉପରେ ଅଗଣିତ ନୌକା ଓ ଲଞ୍ଚ, ସତେ ଯେପରି ସମସ୍ତେ ଏହି ଶାନ୍ତ ରାଜନୀଟିକୁ ଉପଭୋଗ କରିବା ପାଇଁ ପାଗଳ । ନଦୀ ବକ୍ଷର ଦୁଇ ଧାରରେ କୋଟି ସୌନ୍ଦର୍ଯ୍ୟଭରା ସୁଧା ଧବଳିତ ଉତ୍ତୁଙ୍ଗ ଅଗଣିତ ପ୍ରସାଦ ରାଜି ଅସଂଖ୍ୟ ଆଲୋକ ମାଳାରେ ବିଭୂଷିତ ହୋଇ ନଦୀ ବକ୍ଷର ଏହି ନୌକା ବିହାରଲିପ୍ତ ଯାତ୍ରୀମାନଙ୍କୁ ଗଭୀର ଆନନ୍ଦ ଦେବାରେ ଉନ୍ମତ୍ତ ।

 

ଟେମସ୍ ନଦୀ ବକ୍ଷର ଅଗଣିତ ସୌନ୍ଦର୍ଯ୍ୟ ଉପଭୋଗ କରୁଁ କରୁଁ ଆଭାକୁ ଚିଡ଼ାଇବାପାଇଁ ଅରୁଣ କହିଲେ, ‘‘ଯାହା କୁହ, ଆଭା, ମୋତେ କାହିଁକି ଏହିଭଳି ସୁନ୍ଦର ସନ୍ଧ୍ୟାରେ ନୌକା ଚଢ଼ି ବୁଲିବାକୁ ଭଲ ଲାଗେନି । ମୋତେ ଜଣାପଡ଼େ ମୁଁ ଯେପରି ସମୟଟାକୁ ନଷ୍ଟ କରିଦେଉଛି । ଆମେ ଏହି ସମୟଟିକୁ ଯଦି କୌଣସି କ୍ଲବରେ କଟାଇଥାନ୍ତେ, ତେବେ କେତେ ଭଲ ଲାଗିଥାନ୍ତା କହିଲ ?’’

 

‘‘କ୍ଲବ୍ ଯିବାଟାକୁ ତୁମେ ଭାରି ପସନ୍ଦ କର ଅରୁଣ ? ମୋତେ କାହିଁକି ତାହା ବିଷ ଭଳି ଲାଗେ । ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗେ ଓ ଆଉ ମଧ୍ୟ ମୁଁ ବୁଝିପାରେ ନାହିଁ, ବିଦେଶୀ ଛାତ୍ରମାନେ ଲଣ୍ଡନରେ କ୍ଲବ୍, ନାଇଟକ୍ଲବ୍ ଆଦିକୁ ଯିବାକୁ ଏତେ ପସନ୍ଦ କରନ୍ତି କାହିଁକି ? ଜୀବନ ଉପଭୋଗ କରିବାକୁ ଏତେ ବଡ଼ ଲଣ୍ଡନ ସହରରେ କ'ଣ ଆଉ କେଉଁଠି କିଛି ନାହିଁ ? ସନ୍ଧ୍ୟାବେଳେ ଏକା ଏକା ଆସି ଏହି ନଦୀ ଭିତରେ ନୌକାବିହାର କଲେ କିମ୍ବା ନଦୀକୂଳରେ ବସି ନଦୀର ଅଗଣିତ ସୌନ୍ଦର୍ଯ୍ୟ ଆଡ଼କୁ ଲକ୍ଷ୍ୟ କଲେ ତ କେତେ ଆନନ୍ଦ ମିଳନ୍ତା ? ଏହାକୁ ଛାଡ଼ି ସେହି ଛତରା ଜାଗାଗୁଡ଼ିକୁ ଗଲେ ଲାଭ କଅଣ ହୁଏ ? ବିଦେଶୀ ଛାତ୍ରମାନେ ସେସବୁ ସ୍ଥାନ ପାଇଁ ଏତେ ଲାଳାୟିତ କାହିଁକି ଅରୁଣ ? ଖାଲି ସେତିକି ନୁହେ, ବିଦେଶରୁ ଆସିଥିବା ଯୁବକମାନେ ଏଠାରେ ସନ୍ଦେହଜନକ ଚରିତ୍ରର ସ୍ତ୍ରୀମାନଙ୍କ ସହିତ ମିଶାମିଶି କରିବାକୁ ଏତେ ଭଲ ପାଆନ୍ତି କାହିଁକି ? ସେମାନଙ୍କୁ ସେହି ଛତରୀ ଟୋକୀମାନଙ୍କ ସହିତ ବୁଲାବୁଲି କରିବାକୁ କ’ଣ ଘୃଣା ଲାଗେ ନି ? ମୋତେ କ୍ଷମା କରିବ ଅରୁଣ, ମୁଁ ଯେଉଁଠି ଭାରତୀୟ ଛାତ୍ରଙ୍କୁ ଦେଖିଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହିଭଳି ଯୁବତୀଙ୍କ ସହିତ ସନ୍ଦେହଜନକଭାବରେ ବୁଲାବୁଲି କରିବାର ଅନୁଭବ କରିଛି-। ଅବଶ୍ୟ ତୁମକୁ ମୁଁ କେଉଁଠି ଦେଖିଛି ବୋଲି କହୁନି । ତେବେ ତୁମେ ଯେ ଗୋଟାସାରା ସାଧୁ ପୁରୁଷ, ତା’ ମୁଁ କହିପାରିବିନି ।’’

 

‘‘ଆଉ କ'ଣ ମୁଁ ଗୋଟାସାରା ଅସାଧୁ ?’’ ଆଭାକୁ ଟିକିଏ କୋଳକୁ ଆଉଜାଇ ନେଇ ଅରୁଣ କୁମାର ଚାପା ଚାପା ଗଳାରେ କହିଲେ ।

 

‘‘ଗୋଟାସାରା ନ ହେଲେ ଅନ୍ତତଃ ଅଧା ତ ହୋଇଥିବ ? କିଏ ଜାଣେ, ଭଗବାନଙ୍କୁ ହିଁ ଜଣା । ତୁମେ ଯେତେବେଳେ କ୍ଲବ୍‍କୁ ଯିବାକୁ ଏତେ ଇଚ୍ଛୁକ, କିଏ କହିପାରେ, ତୁମକୁ ସେଠି କେତେ ସଙ୍ଗିନୀ ଅପେକ୍ଷା କରି ରହି ନ ଥିବେ ମଧୁମୟ ସଙ୍ଗଦାନ କରିବା ପାଇଁ ?’’ ଲଞ୍ଚ୍‍ର ବେଗକୁ ଟିକିଏ ମନ୍ଥର କରି ଅରୁଣ ଆଡ଼କୁ ଅନାଇ ହସି ହସି କହିଲା ଆଭା ।

 

ଆଭାର ସେହି ହସ ହସ ମୁହଁ ନଦୀବକ୍ଷର ଉନ୍ମୁକ୍ତ ଜ୍ୟୋତ୍ସ୍ନାଲୋକରେ ଦିଶୁଥିଲା ଦ୍ଵିଗୁଣ ସୁନ୍ଦର ଓ ମନମତାଣିଆ । ଅରୁଣକୁମାର ନିଜକୁ ଆଉ ସମ୍ଭାଳି ନ ପରି ଆଭାର ସେହି ଫୁଲିଲା ଫୁଲିଲା ଗାଲ ଦୁଇଟିକୁ ଚିପିଦେଇ କହିଲେ, ‘‘ହୁଁ, ?’’ଆଉ କହିପାରିଲେ ନି କିଛି । ଅନ୍ତରର ଏକ ଅଜଣା ଆଲୋଡ଼ନରେ ସେ ଅନୁଭବ କରୁଥିଲେ ବଡ଼ ଅସ୍ଥିରତା । ସଙ୍ଗେ ସଙ୍ଗେ ସେ ଆଭାକୁ କୋଳକୁ ଟାଣିଆଣି ନିଜ ବକ୍ଷ ସହିତ ଭିଡ଼ିଧରି ତା'ର ଆରକ୍ତ କପୋଳ ଉପରେ ଆଙ୍କିଦେଲେ ଗାଢ଼ ଚୁମ୍ବନର କେତୋଟି ରକ୍ତିମଗାର । ମନେ ହେଉଥାଏ, ସେ ଆଭାକୁ ନ ଛାଡ଼ି ଆହୁରି ଜୋରରେ ନିଜର ବକ୍ଷ ସହିତ ଚାପିଧରନ୍ତେ କି ?"

 

ଆଭା ଅରୁଣର ଏହି ଆଲିଙ୍ଗନରେ ଦୁର୍ବଳ ହୋଇ ପଡ଼ିଥିଲେ ମଧ୍ୟ ନିଜକୁ ଟିକିଏ ସମ୍ଭାଳିନେଇ କହିଲା, ‘‘ହାଁ, ହାଁ ଅରୁଣ, ଲଞ୍ଚ ଏଥର ଯାଇ କାହା ସହିତ ଧକ୍କା ଲାଗିବ ନିଶ୍ଚୟ । ମୋତେ କଣ ତା’ହେଲେ ଇଞ୍ଜିନ୍ ବନ୍ଦ କରିଦେବାକୁ ପଡ଼ିବ ?’’

 

ଆଭାର ଏହି କଥା କେଇପଦରେ ଅରୁଣ-ଆଭାକୁ ଛାଡ଼ିଦେଲେ । ଆଭା ସଙ୍ଗେ ସଙ୍ଗେ ଇଞ୍ଜିନ୍ ବନ୍ଦ କରିଦେଇ କହିଲା, ‘‘ହେଉ, ବନ୍ଦ କଲି, ତା'ପର ।’’

 

X X X

 

ଆଉ ଦିନକର ଘଟଣା । ଆଭା ଆଉ ଅରୁଣ କୁମାର ଟେମସ୍ ନଦୀରେ ନୌକା ବିହାରରେ ବ୍ୟସ୍ତ । ଚାରିଆଡ଼ର ସୌନ୍ଦର୍ଯ୍ୟରେ ଉଭୟେ ପାଗଳ ହୋଇ ଉଠିଥାନ୍ତି । ଅରୁଣ କୁମାର ଚତୁର୍ଦ୍ଦିଗର ଅପରୂପ ସୌନ୍ଦର୍ଯ୍ୟରେ ଉନ୍ମତ୍ତ ହୋଇ ଆଭାକୁ ଲକ୍ଷ୍ୟ କରି କହିଲେ, ‘‘ଦେଖୁଛ ଆଭା, ଚାରିଆଡ଼େ କି ଅପୂର୍ବ ନୟନରଞ୍ଜନ ଅନୁପମ ସୌନ୍ଦର୍ଯ୍ୟ ସତେ ! ଆବିଳ ସଲିଳା ଟେମସ୍ ନଦୀର ଏହି ଶାନ୍ତ ମନୋହର ଚିତ୍ର ବଡ଼ ହୃଦୟଗ୍ରାହୀ ଆଭା । ମନରେ ଆଣୁଛି କି ଅପୂର୍ବ ଆନନ୍ଦୋଚ୍ଛ୍ୱାସ ! ଲଣ୍ଡନ ନଗରୀର କୋଳାହଳ ଏଠୁଁ ଦୁରେଇ ଯାଇଛି । ଅଦୂରସ୍ଥ ବିବିଧ ବୃକ୍ଷ ପରିଶୋଭିତ ନୟନ ତୃପ୍ତିକର ଉପକୂଳ ଉଦ୍ୟାନର ସେହି ବିବିଧ ବର୍ଣ୍ଣାୟିତ ଚାରୁସ୍ନିଗ୍‍ଧ ପୁଷ୍ପରାଜି, ମଦଭରା ଅଙ୍ଗଲତା ମନରେ କି ଅପୂର୍ବ ମାଦକତା ଭରିଦେଉଛି ସତେ ? ଟେମସ୍ ନଦୀର ବନ୍ଧୁର ବୁକୁ ଉପରେ ଶାକର ଶିହରିତ ବାୟୁ ଅସ୍ୱାଭାବିକ ଭାବେ ସ୍ତବ୍‍ଧ ହୋଇଉଠିଛି, ମନେ କରାଇ ଦେଉଛି କ'ଣ ଜାଣ ? ଏହା ଯେମିତି ସୃଷ୍ଟିର ଆଦିମ ଦିବସ । ଧରିତ୍ରୀପାଳନକର୍ତ୍ତା ଜବାକୁସୁମ ସଂକାଶ ଦିବାକରଙ୍କ ଅସ୍ତୋନ୍ମୁଖି ସୁନେଲି କିରଣ ବିକୀରଣରେ ଉଭାସିତ, ଅନନ୍ତ ନୀଳିମାମୟ ପ୍ରଶାନ୍ତ ଅନାଘାତ ଆକାଶ ତଳେ ସୃଜନର ଅବ୍ୟକ୍ତ ବେଦନାରେ ମୁର୍ଚ୍ଛାହତ ଅସ୍ଥିର ଟେମସ୍ ନଦୀର ଏହି ବିରାଟ ଜଳରାଶିର ସ୍ଥିର ଶୁନ୍ୟ ଜଳବେଣୀକୁ ବିଦୀର୍ଣ୍ଣକରି ସତେ ଯେମିତି ଜନ୍ମ ନେଉଛି ସୃଷ୍ଟିର ଆଦିମ ନାରୀ, ଅମରବାଞ୍ଚିତା ତ୍ରିଦିବ ଦୁର୍ଲଭ କୋଟି ବ୍ରହ୍ମାଣ୍ଡସୁନ୍ଦରୀ ଉର୍ବଶୀ ଇଭ୍ । ମସ୍ତକର ଅବଗୁଣ୍ଠନ ଖସି ଆସିଛି କାଟି ତଳକୁ । ଉପକୂଳର ଶଙ୍ଖଧବଳ ଗ୍ରୀବାରୁ ଉନ୍ନତ ବକ୍ଷ ପର୍ଯ୍ୟନ୍ତ ଝରିଆସିଛି ସୁବିଖ୍ୟାତ ଟାୱାର ବ୍ରିଜେର ପ୍ରବାଳ-ନିନ୍ଦୀ ରକ୍ତିମ ଧାରା, ମନେ କରାଇ ଦେଉଛି ମାତୃଗର୍ଭା ଜନନୀ ଉର୍ବଶୀକୁ ଜନ୍ମ ଦେଇ ଆଶ୍ୱସ୍ତା । ବେଦନାର ଗଭୀର ରକ୍ତିମ ପ୍ରଲେପ, ନବପ୍ରକାଶର ଅନିତ୍ୟାନନ୍ଦ ସୁଷୁପ୍ତି ମାତୃଗର୍ଭା ପିଙ୍ଗଳ ଜଳରାଶିକୁ ଦେଇଛି ଶାନ୍ତ ମଧୁର ଅନୁଭୂତି ।

 

ଦେଖ, ଦେଖ, ଆଭା ! ଆଦିନାରୀ ଉର୍ବଶୀ ଇଭ୍‍ର ସୁଷମା ସ୍ନିଗ୍‍ଧ ଅରୁଣ କପୋଳର ଅଳକ ଗୁଚ୍ଛରୁ କିଭଳି ଅବାରିତ ଧାରାରେ ଝରିଆସୁଛି ଅସଂଖ୍ୟ ତେଜୋଦୀପ୍ତ ମୁକ୍ତା-ମହ୍ଲାରା ଆହୁରି ଦେଖିପାରୁଛ ଆଭା, ଉର୍ବଶୀର କଜ୍ଜଳ କାଳୟତ୍ତ ନୟନଯୁଗଳର ଅପଲକ ଦୃଷ୍ଟିରେ କିଭଳି ଭରିରହିଛି ଯୁଗଯୁଗର ମାୟା । ସ୍ୱପ୍ନାଞ୍ଜନ ଆଚ୍ଛାଦିତ ପାଣ୍ଡୁର ପକ୍ଷ୍ମ ତଳେ କୋଟି କୋଟି ଯୁଗର ସ୍ୱର୍ଗୀୟ ପ୍ରେମର ଗଭୀର ମମତା ଘେନି ଈଷତ୍ ଉନ୍ମୀଳିତ ନେତ୍ର ପଦ୍ମଦ୍ୱୟ, ସତେ ଯେପରି ଲାବଣ୍ୟ ପ୍ରତିମା ଇଭ୍ ମାନବ ସୃଷ୍ଟିର ଚିରନ୍ତନ ସନନ୍ଦ ଘେନି ଧରାପୃଷ୍ଠରେ ଅବତୀର୍ଣ୍ଣା । କରତଳର ରକ୍ତିମ ପୃଷ୍ଠ ଉପରେ ଅଙ୍ଗୁରୀୟର ସ୍ଫଟିକସ୍ୱଚ୍ଛ ବୁଦ୍‍ବୁଦ୍‍ର ସଂଖ୍ୟାତୀତ ଇନ୍ଦ୍ରଧନୁର ଅନୁପମ ବର୍ଣ୍ଣବିଭବ, କ୍ଷୀଣ କାଟିରୁ ଅଯତ୍ନରେ ତଳକୁ ଲୋଟିପଡ଼ୁଛି ଅସଂଖ୍ୟ ମୁକ୍ତା ଫଳକ, ପାଦରେ ନୂପୁରର ଆବେଗଭରା ସିଞ୍ଜନୀ, ଅଙ୍ଗଲତାରେ ପିଙ୍ଗଳ ଜଳରାଶିର ଦୃଶ୍ୟହୀନ ଆବରଣ, ଆଧାରରେ ରକ୍ତରାଗନିନ୍ଦୀ ଅଧର ରଞ୍ଜନବର୍ତ୍ତୀ ଲାବଣ୍ୟ ପ୍ରତିମା ଉର୍ବଶୀ ଇଭ୍‍କୁ ଆହୁରି କମନୀୟ କରି ଗଢ଼ିତୋଳିଛି । ଉର୍ବଶୀର ତିନିମାରେ ତନ୍ଦ୍ରାଚ୍ଛନ୍ନ ଆବେଶ । ଲସିତ ଅଧରରେ ସଂଖ୍ୟାହୀନ ପ୍ରଶ୍ନବାଚୀ, ନେତ୍ର ପ୍ରାନ୍ତରେ ଖେଳୁଛି ସ୍ମିତ ହାସ୍ୟରେଖା, ତାରୁଣ୍ୟର ଗୁରୁ ଭାରରେ ଧୀର ମନ୍ଥର ପାଦତଳେ ଫେନ ଚୂଡ଼ ଶତ ଅଶାନ୍ତ ବିକ୍ଷୁବ୍‍ଧ ଉର୍ମ୍ମି କିଭଳି ଲକ୍ଷ୍ୟହୀନଭାବରେ ମୁଣ୍ଡ ପିଟୁଛି, ଦେଖିପାରୁଛ ତ ଆଭା ?

 

‘‘ବାଃ, ବାଃ, ବାଃ, ଚମତ୍କାର, ତୁମର କବିସୁଲଭ ବର୍ଣ୍ଣନା ଅରୁଣ । ତାରୁଣ୍ୟଭରା ଭାଷା, ମହନୀୟ ତରଳ ଭାବ, ଚମତ୍କାର ତୁମ ପ୍ରକାଶଭଙ୍ଗୀ । ଟେମସ୍ ନଦୀର ବିକ୍ଷୂବ୍‍ଧ ବିଚୀପୂର୍ଣ୍ଣ ପିଙ୍ଗଳ ଜଳରାଶି ଭିତରେ ତୁମେ ଆଦିନାରୀ ଉର୍ବଶୀ ଇଭ୍‍ର ଜନ୍ମଲୀଳାକୁ ଯେ ଦେଖିପାରୁଛ, ଏହା ହିଁ ତୁମର କଳ୍ପନାଚାତୁରୀର ବିଶେଷତ୍ୱ । ବୈଜ୍ଞାନିକ ହୋଇ କବିର ବର୍ଣ୍ଣନାକୁ ଯେ ହାର୍ ମନାଇପାର, ଏହାଠାରୁ ଅଧିକ ବାହାଦୁରୀ, ଆଉ ତୁମ ପକ୍ଷରେ କ'ଣ ହୋଇପାରେ ଅରୁଣ ?’’ ତାଳିମାରି ଆନନ୍ଦ ଚିତ୍କାରକରି କହିଉଠିଲା ଆଭା । ସେତେବେଳେକୁ ଆଭାର କୁସୁମ କୋମଳ ଅଙ୍ଗଲତା ଅରୁଣର ଅର୍ଦ୍ଧଶାୟିତ ସୁବିଶାଳ ବକ୍ଷ ଉପରେ ଆଶ୍ରୟ ନେଇ ସାରିଲାଣି ।

 

‘‘ଚିତ୍କାର କରି ଲାଭ ନାହିଁ, ଆଭା ।’’ ଆଭାକୁ ଛାତି ଉପରକୁ ଆଉଜାଇ ନେଉ ନେଉ କହିଲେ ଅରୁଣ, ‘‘କେବଳ କବିର ହୃଦୟ ନେଇ ଅନୁଭବ କରିବା କଥା । କି ଅପୂର୍ବ ଏହି ଆବେଗ, କି ମହନୀୟ ଏହି ମୁହୂର୍ତ୍ତ । ଲକ୍ଷ୍ୟକର ଆଭା, ଚପଳ ଲହରୀର ଅବ୍ୟକ୍ତ ଛନ୍ଦ ତୋଳି ଟେମସ୍ କିଭଳି ଦେଇଛି ଉର୍ବଶୀର କୁସୁମ କୋମଳ କର୍ଣ୍ଣରେ ପିଙ୍ଗଳାଭ କର୍ଣ୍ଣଭୁଷା, ମୃଣାଳ ବାହୁଦ୍ୱୟରେ ଲଗାଇ ଦେଇଛି ସବୁଜ ଶୈବାଳ ଲତିକାର ସୂକ୍ଷ୍ମ ଚାରୁ କଳାୟିତ କଙ୍କଣ । ଆହୁରି ଲକ୍ଷ୍ୟ କର ଆଭା, ଇଭ୍‍ର ଚମ୍ପକକଳିକା ନିନ୍ଦୀ ଅଙ୍ଗୁଳିର ଲୀଳାୟିତ ଭଙ୍ଗୀ ସ୍ଥିରହୀନ ଜଳରାଶି ଉପରେ କିଭଳି ଅଙ୍କନ କରୁଛି ସଂଖ୍ୟାତୀତ ସୁକ୍ଷ୍ମ ରେଖାରାଜି, ଶ୍ରେଷ୍ଠ କଳାକାରର ଅଙ୍କିତ ସୁକ୍ଷ୍ମ ଚିତ୍ରରାଜିକୁ ଶତାଧିକ୍‍କାର କରି.... ।

 

ଆଭା ଓ ଅରୁଣ ଉଭୟେ ସେତେବେଳକୁ ବଡ଼ ଦୁର୍ବଳ ଅନୁଭବ କରୁଥିଲେ । ଆଭା କିଛି ନ କହି ଅରୁଣଙ୍କଠାରୁ ଉଠିଯାଇ ଡକ୍ ଉପରେ ଶୋଇପଡ଼ି ଲଞ୍ଚ ତଳକୁ ହାତ ବଢ଼ାଇ ନଦୀଜଳ ସହିତ ଖେଳିବାକୁ ଲାଗିଲା । ଖେଳୁଁ ଖେଳୁଁ କହିଲା, ‘‘ଇନ୍‍ଜିନ ନ ଚଳାଇ ଲଞ୍ଚଟିକୁ ଏପରି ସ୍ଵାଧୀନଭାବରେ ଛାଡ଼ିଦେଲେ ଲଞ୍ଚ ପବନରେ ଦୋହଲି ଦୋହଲି ନଦୀ ବକ୍ଷରେ କି ସୁନ୍ଦର ଭାବରେ ଖେଳିବୁଲେ କୁହ ତ ଅରୁଣ ? ସତେ ଯେପରି ପିଞ୍ଜରାମୁକ୍ତ ଆବଦ୍ଧ ପକ୍ଷୀଟିଏ । ଆହା, କି ସୁନ୍ଦର ନଦୀବକ୍ଷର ଏହି ମୃଦୁ ପବନ, ସେଥି ସଙ୍ଗେ ସଙ୍ଗେ ଏହି ଶୁଭ୍ର ଲହରୀଗୁଡ଼ିକ ।’’ କହୁଁ କହୁଁ ଆଭା ଛୋଟ ଛୋଟ ଲହରୀଗୁଡ଼ିକୁ ନିଜ ଗୋରା ତକ ତକ ମୃଣାଣନିନ୍ଦୀ ହାତରେ ଭାଙ୍ଗିବାକୁ ଲାଗିଲା ।

 

ଆଭାକୁ ଡେକ୍ ଉପରେ ଶୋଇ ଛୋଟ ଛୋଟ ଲହରୀ ସହିତ ଖେଳିବାର ଦେଖି ଅରୁଣକୁମାର ନିଜକୁ ସମ୍ଭାଳି ନ ପାରି ଆଭା ପାଖକୁ ଉଠିଗଲେ । ଆଭା ଭଳି ସେ ମଧ୍ୟ ଡକ୍ ଉପରେ ଶୋଇପଡ଼ି ନଦୀ ବକ୍ଷର ଛୋଟ ଛୋଟ ଲହରୀଗୁଡ଼ିକୁ ଭାଙ୍ଗିବାକୁ ଲାଗିଲେ । ପବନର ଆଘାତରେ ନୌକା ଖୁବ୍ ଜୋରରେ ଏପଟ ସେପଟ ହେଉଥାଏ, ମନେ ହେଉଥାଏ, ସତେ ଯେପରି ପରକ୍ଷଣରେ ଏହା ବୁଡ଼ିଯିବ । ଲଞ୍ଚର ଏପଟ ସେପଟ ଦୋହଲାରେ ବେଳେବେଳେ ଆଭାର କୁସୁମକୋମଳ ଶରୀର ଅତର୍କିତ ଭାବରେ ପିଟି ହୋଇଯାଉଥାଏ, ଅରୁଣକୁମାରଙ୍କର ବଳିଷ୍ଠ ଶରୀର ସହିତ । ଏହି ପ୍ରତିଥର ଆଘାତରେ ଶତ ବୃଶ୍ଚିକର ଦଂଶନ ଜ୍ୱାଳା ଖେଳି ଯାଉଥାଏ ଅରୁଣକୁମାରଙ୍କ ଶରୀର ଭିତରେ । ସେ ନିଜ ଶରୀରର ଏହି ଜ୍ୱାଳାକୁ ଲାଘବ କରିବା ସଙ୍ଗେ ସଙ୍ଗେ ଉନ୍ମତ୍ତ ମନଟାକୁ ଶାନ୍ତ କରିବାପାଇଁ ଆଭାକୁ କୋଳକୁ ଆଉଜାଇ ଆଣି ପଚାରିଲେ, ‘‘ପବନର ଏଭଳି ଆଘାତ ଓ ଲଞ୍ଚର ଏଭଳି ଦୋହଲାରେ ଆମର ଏହି ସାଥୀଟି ଯେପରି ଜଳମଗ୍ନ ନ ହୁଏ ଆଭା । ତା’ ଯଦି ହୁଏ, ତେବେ ଆମର ଏଇଠି ଆଜି ସଳିଳ ସମାଧିହିଁ ସାର ହେବ ।’’

 

‘‘ତୁମେ କ'ଣ ଏଡ଼େ ଭୟାଳୁ ଅରୁଣ ?’’ ନଦୀବକ୍ଷର ଛୋଟ ଛୋଟ ଲହରୀଗୁଡ଼ିକୁ ଭାଙ୍ଗୁ ଭାଙ୍ଗୁ ତା’ର ଢଳ ଢଳ ଚଞ୍ଚଳ ଆଖିକୁ ନଚାଇ ପଚାରିଲା, ‘‘ତୁମେ କ’ଣ ଜାଣିନ ଯେ ଆମ ଲଞ୍ଚଠାରୁ ଅଦୂରରେ ଅନ୍ତତଃ ଦଶଗୋଟି ଶରୀରରକ୍ଷୀ ଲଞ୍ଚ ଆମ ଲଞ୍ଚକୁ ଦୃଷ୍ଟିରେ ରଖି ପଇଁତରା ମାରୁଛନ୍ତି ? ଏହି ନଦୀବକ୍ଷରେ ଆମର କୌଣସି ବିପଦ ପହଞ୍ଚିଲେ, ଆମେ ଜଳମଗ୍ନ ହେବା ପୂର୍ବରୁ ସେମାନେ ଆମକୁ ଉଦ୍ଧାର କରିନେଇପାରିବେ । ଯେଉଁ ମୁହୂର୍ତ୍ତରେ ଆମେ ଲଞ୍ଚରେ ଚଢ଼ିଛୁଁ, ସେହି ମୁହୂର୍ତ୍ତରୁ ଯେ ସେମାନଙ୍କ ଡିଉଟି ଆରମ୍ଭ ହୋଇଯାଇଛି ।’’

 

‘‘ହଁ, ନ ହେବ କାହିଁକି ? ଧନ କୁବେରଙ୍କର ଏକମାତ୍ର ଦୁଲାଳୀ ପୁଣି ଗେହ୍ଲା ଝିଅ, ଏତକ କ'ଣ ବନ୍ଦୋବସ୍ତ ଆଉ କରା ହୋଇ ନ ଥିବ ?’’

 

‘‘ତୁମର ସବୁବେଳେ ସେହିଭଳି କଥା ଅରୁଣ ? ମୋତେ ଧନକୁବେରର ଝିଅ ବୋଲି କହି ଚିଡ଼ାଇଲେ ତୁମର ଲାଭ କଅଣ ହୁଏ କହିଲ ?’’ ମୁଖ ଉପରେ କୃତ୍ରିମରାଗ ଫୁଟାଇ ଆଭା କହିଲା । ଅରୁଣର ଛାତି ଉପରକୁ ଆହୁରି ଟିକିଏ ମୁଣ୍ଡ ଉଠାଇ ନେଇ ତା’ର ମୁହଁ ସହିତ ମୁହଁକୁ ଘଷି କହିଲା, ‘‘ତୁମେ ମୋ ରାଣ ଖାଅ ଅରୁଣ, ଆଉ ଯେପରି କେବେ ଧନକୁବେରର ଝିଅ ବୋଲି କହି ମୋତେ ଲଜ୍ଜା ନ ଦିଅ ।’’

 

ଆଭାକୁ ବାମ ହାତରେ ଛାତି ସହିତ ଭିଡ଼ି ଧରି ଅରୁଣକୁମାର କହିଲେ,‘‘ସତ କଥାରେ ଏତେ ଲଜ୍ଜା କାହିଁକି ଆଭା ?"

 

‘‘କିନ୍ତୁ ନିଜକୁ ଧନକୁବେରର କନ୍ୟା କହିବାରେ ମୋର ଯେ ଗୌରବ ନାହିଁ, ଅରୁଣ । ଇତିମଧ୍ୟରେ ଯୁଗ ଯଥେଷ୍ଟ ଆଗେଇ ଗଲାଣି । ଆଜିକାଲିକାର ସାମ୍ୟବାଦ, ସମାଜବାଦ ଦୁନିଆରେ କିଏ କେବେ ପୁଞ୍ଜିପତିର ଝିଅ ଭାବରେ କଣ ଗୌରବ ଅନୁଭବ କରିପାରେ ? ପୁଞ୍ଜିପତି ରାଷ୍ଟ୍ରରେ ମଧ୍ୟ ସାଧାରଣଲୋକେ ପୁଞ୍ଜିପତିକୁ କେବେ ସ୍ନେହ ଓ ମୈତ୍ରୀ ଦୃଷ୍ଟିରେ ଦେଖନ୍ତିନି । ସେମାନେ ବରଂ ପୁଞ୍ଜିପତିକୁ ଶୋଷଣକାରୀ ଓ ଧନପିପାସୁ ବୋଲି ଘୃଣା କରନ୍ତି । ତେଣୁ ଏଭଳି ପରିସ୍ଥିତିରେ ପୁଞ୍ଜିପତିର ସନ୍ତାନ ବୋଲି କହି ଗୌରବ ଆଶା କରିବା ବିଡ଼ମ୍ବନା ଛଡ଼ା ଆଉ କ'ଣ ହୋଇପାରେ ? ବାପା ମଧ୍ୟ ପିଲାଟି ଦିନରୁ ମୋ ମନକୁ ଠିକ୍ ସେହି ଅନୁସାରେ ଗଢ଼ି ଆଣିଛନ୍ତି ଅରୁଣ । ସେ କହନ୍ତି ଆଜିକାଲି ଯୁଗରେ ଶିଳ୍ପପତି ଶିଳ୍ପର ବା ପୁଞ୍ଜିର ମାଲିକ ନୁହେଁ, ଶିଳ୍ପର ବା ପୁଞ୍ଜିର ସେବକ ମାତ୍ର । ପୁଞ୍ଜିପତିମାନେ ଯଦି ସେହି ଅନୁସାରେ ସେମାନଙ୍କ ଦୃଷ୍ଟିକୋଣକୁ ନ ବଦଳାନ୍ତି, ତେବେ ପୁଞ୍ଜିବାଦକୁ ବେଶି ଦିନ ରହିବାକୁ ପଡ଼ିବନି ଏହି ଧରାପୃଷ୍ଠରେ-। ଶିଳ୍ପପତି ଯଦି ଶ୍ରମିକକୁ ସୁଖରେ ନ ରଖି, ଶ୍ରମିକକୁ ଅଧିକ ପାରିଶ୍ରମିକ ନ ଦେଇ ତା’ରି ରକ୍ତରେ ଅର୍ଜିତ ଲବ୍‍ଧ ଧନକୁ ଆତ୍ମସାତ କରେ, ତେବେ ସେଭଳି ଶିଳ୍ପପତି କି ଶିଳ୍ପ ତିଷ୍ଠି ପାରିବନି ଏ ଯୁଆଗରେ । ଶିଳ୍ପ ଓ ଶିଳ୍ପଜାତ ଦ୍ରବ୍ୟ ଉପରେ ଶ୍ରମିକମାନଙ୍କର ଦାବୀ ସମ୍ବନ୍ଧରେ ସାମ୍ୟବାଦ୍ ଯେଉଁ ଦିନଠାରୁ ସାରା ପୃଥିବୀର ଶ୍ରମିକ ସମାଜର ଆଖି ଖୋଲି ଦେଇଛି, ସେହି ଦିନଠାରୁ ଶିଳ୍ପ ତଥା ପୁଞ୍ଜିପତିମାନେ ନିଜ ନିଜର ପୁରୁଣା ମତକୁ ବଦଳାଇ ନୂତନ ଯୁଗ ସହିତ ପାଦ ମିଳାଇ ନ ଚାଲିଲେ ରକ୍ଷା ନାହିଁ- ‘‘କହୁଁ କହୁଁ ହଠାତ୍ ଚମକି ପଡ଼ିଲା ଆଭା । ଆଉ କଅଣ କହିବାକୁ ଯାଉଥିଲା, ନକହି ଉଠିପଡ଼ି ଅରୁଣଙ୍କୁ ହଲାଇ ଦେଇ କହିଲା, ‘‘ସେହି ଲଞ୍ଚରେ ଡାକ୍ତର ହାଜରା ନା କିଏ ଶୋଇଛନ୍ତି ଦେଖିଲ ଅରୁଣ ।’’

 

ଡାକ୍ତର ହାଜରାଙ୍କ ନାଁ ଶୁଣି ଅରୁଣ ଚମକି ପଡ଼ିଲେ । ସେ ସଙ୍ଗେ ସଙ୍ଗେ ଉଠିପଡ଼ି ଚାଲିଯାଉଥିବା ଲଞ୍ଚ ଆଡ଼କୁ ଅନାଇ ରହିଲେ । ସେ ଦେଖିଲେ ଲଞ୍ଚରେ ବସିଥାନ୍ତି ତିନୋଟି ଇଂରେଜ ଯୁବତୀ, ଜଣକ କ୍ରୋଡ଼ରେ ମୁଣ୍ଡଦେଇ ହାଜରା ମୁଦ୍ରିତ ନୟନ । ନିକଟରେ କେତେଗୁଡ଼ିଏ ମଦ ବୋତଲ ଖୋଲା ହୋଇ ପଡ଼ିଥାଏ । ମଦ ନିଶାରେ ହାଜରା ପୁରାପୁରି ବିଭୋର ହେଲାଭଳି ଜଣାପଡ଼ୁଥାଏ । ଯୁବତୀ ତିନୋଟିଙ୍କ ବେଶଭୂଷା ବଡ଼ କୁରୁଚିପୂର୍ଣ୍ଣ, ଦେଖିଲେ ମନରେ ନାନା ସନ୍ଦେହ ଜାତ ହେବା ସ୍ୱାଭାବିକ ।

 

ଚାଲି ଯାଉଥିବା ନୌକା ଆଡ଼କୁ କରୁଣ ଦୃଷ୍ଟିରେ ଅନାଇ ଆଭା କହିଲା, ‘‘ଦେଖିଲ ଅରୁଣ, ଏଇ ହେଉଛି ବିଲାତରେ ଭାରତୀୟ ଛାତ୍ରମାନଙ୍କର ଏକ ଜ୍ୱଳନ୍ତ ନମୁନା । ବିଲାତକୁ ଆସିବେ ପାଠ ପଢ଼ିବାକୁ, କିଏ ଆସିବ ବାପ ପଇସାରେ, କିଏ ଆସିବ ସରକାରୀ ବୃତ୍ତି ପାଇ, କିଏ ଅବା ଆସିବ କରଜ କରି । କିନ୍ତୁ ମଦ ଖାଇ ଏଠି ଗଡ଼ିବେ ଚରିତ୍ରହୀନା ଯୁବତୀମାନଙ୍କ ସହିତ । ଟେମସ୍ ନଦୀ ବକ୍ଷରେ ଆଜି ଯେଉଁ ନମୁନା ଦେଖିଲ, ତାଠାରୁ ଶହେଗୁଣ ଯେ ହେଉଥିବ ତୁମର ନାଇଟ୍ କ୍ଲବର ନିଭୃତି କକ୍ଷ ଭିତରେ, ଏହା କ’ଣ ତୁମେ କେବେ ଅସ୍ୱୀକାର କରିପାର ? ଆଧୁନିକତା ନାଁରେ ସେଠି ଚାଲିଛି ଯେଉଁ ବ୍ୟଭିଚାର, ଏହି ନିରୀହ ବିଦେଶୀ ଛାତ୍ରମାନେ କ'ଣ ତାର ଶିକାର ନୁହନ୍ତି ?’’

 

ଆଭାର ଏହି ମନ୍ତବ୍ୟରେ ଅରୁଣକୁମାର ବଡ଼ ଲଜ୍ଜିତ ହୋଇ ପଡ଼ିଲେ । ଆଭା ମୁହଁକୁ ସିଧାସଳଖ ଅନାଇବାକୁ ତାଙ୍କର ଆଉ ସାହସ ହେଲାନି । ହଠାତ୍ କ’ଣ ଏକ ଭାବନାରେ ତାଙ୍କ ଦେହ ଶୀତେଇ ଉଠିଲା । ସେ ସଙ୍ଗେ ସଙ୍ଗେ ଇଞ୍ଜିନ୍ ପାଖକୁ ଉଠିଯାଇ ଇଞ୍ଜିନ୍ ଚଳାଇବାକୁ ଆରମ୍ଭ କଲେ । ଅରୁଣଙ୍କୁ ଇଞ୍ଜିନ୍ ଚଳାଇବା ଦେଖି ଆଭା ତାଙ୍କ ନିକଟକୁ ଦୌଡ଼ିଯାଇ ବାଧାଦେଇ କହିଲା, ‘‘ନାଇଁ ଅରୁଣ, ଏତେ ଶୀଘ୍ର କଣ ଫେରିଯିବା ଘରକୁ ? ଆଉ କିଛି ସମୟ ରୁହ ।’’

 

‘‘ନାଇଁ ଆଭା, ଡାକ୍ତର ହାଜ୍‍ରାଙ୍କୁ ଆମର ଟିକିଏ ଅନୁଧାବନ କରିବା ଉଚିତ । ମୋର କାହିଁକି ମନେ ହେଉଛି ସତେ ଯେପରି ହାଜରାଙ୍କ ଉପରକୁ କିଛି ଗୋଟାଏ ବିପଦ ମାଡ଼ିଆସୁଛି । କୁହ ତ ଲଞ୍ଚଟା ଏ ଆଡ଼କୁ ନ ଯାଇ ସେହି ଅନ୍ଧାରିଆ କୂଳ ଆଡ଼କୁ ଧାଉଁଛି କାହିଁକି ?’’

 

‘‘ହଁ ସତେ ତ !’’ ଚମକି ପଡ଼ିଲା ଆଭା, ‘‘ତେବେ ଜୋରରେ ଚଳାଅ ଅରୁଣ । ସେମାନେ ଆମଠାରୁ ବେଶୀ ଦୁରକୁ ଯାଇପାରି ନାହାନ୍ତି ।’’

 

ଆଭା ଓ ଅରୁଣ କୂଳରେ ପହଞ୍ଚିବା ପୂର୍ବରୁ ଡାକ୍ତର ହାଜ୍‍ରାଙ୍କ ଲଞ୍ଚ କୂଳରେ ଲାଗି ଯାଇଥିଲା । ସେମାନେ କୂଳରେ ପହଞ୍ଚି ଓହ୍ଲାଇବାକୁ ଯାଉଛନ୍ତି, ଅଦୂରରେ କାହାକୁ ଶୋଇଥିବାର ଦେଖି ଚମକି ପଡ଼ିଲେ । ଅରୁଣ ଓ ଆଭା ଦୌଡ଼ିଯାଇ ଯା ଦେଖିଲେ, ସେଥିରେ ସେମାନଙ୍କ ଚକା ଘୁରିଗଲା । କୂଳରେ ଏକ ଅନ୍ଧାରୁଆ ସ୍ଥାନରେ ପଡ଼ି ରହିଛି ହାଜ୍‍ରାଙ୍କର ଅଚେତ୍ ଶରୀର । ତାଙ୍କ ହାତରୁ ରିଷ୍ଟୱାଚ, ପିନ୍ଧିଥିବା କୋର୍ଟ ଏପରିକି ଗୋଡ଼ର ଜୋତା ମଧ୍ୟ ନାହିଁ । ହାଜ୍‍ରାଙ୍କୁ ଏପରି ହୀନ ଅବସ୍ଥାରେ ଦେଖି ଅରୁଣ ଓ ଆଭା ଦୁଃଖ ଓ ଲଜ୍ଜାରେ ଜଳିଗଲେ ।

 

ଆଭା ମୁହଁରୁ ବାହାରି ପଡ଼ିଲା, ‘‘ଦେଖିଲ ଅରୁଣ, ଏହି ଚରିତ୍ରହୀନା ଟୋକୀଗୁଡ଼ିଙ୍କ ସଙ୍ଗରେ ଘୁରାଘୁରି କଲେ ଏହି ତାର ଶେଷ ପରିଣତି । ଉପରେ ଉପରେ ପ୍ରେମ ତଥା ଭଲ ପାଇବାର ଆଳ ଦେଖାଇ ଶେଷରେ ସେମାନେ କିପରି ଡକାୟତି କରନ୍ତି, ଏହିହେଲା ତହିଁର ଜ୍ୱଳନ୍ତ ନମୁନା ।’’

 

‘‘କିନ୍ତୁ ଡାକ୍ତର ହାଜ୍‍ରାଙ୍କୁ ଏଠାରୁ କିପରି ହଷ୍ଟେଲକୁ ନେବା ଆଭା ? ତାଙ୍କୁ ତ ଏଠି ଏଭଳି ହୀନ ଅବସ୍ଥାରେ ପକାଇ ଚାଲିଯିବାକୁ ମୋର ମନ ହେଉନି ।’’

 

‘‘ଆମ କାର୍‍ରେ ନେବାଛଡ଼ା ମୁଁ ଅନ୍ୟ ଉପାୟ ତ ଏଠି ଦେଖୁନି । ତୁମେ ଏଠି ହାଜ୍‍ରାଙ୍କୁ ଜଗି ଠିଆ ହୋଇଥାଅ, ମୁଁ ସେପାଖରୁ ଆମ କାର୍‍ଟାକୁ ଘେନି ଆସେ ।’’ ଏତକ କହି ଆଭା କାର୍‍ଟାକୁ ଘେନି ଆସିବାକୁ ଦୌଡ଼ିଲା ।

 

(ତିନି)

 

ଶିଳ୍ପସମ୍ରାଟ ସାର ମାଇକେଲ୍‍ସନ୍‍ଙ୍କ ବାସଭବନର ସୁବିଖ୍ୟାତ ମାର୍ବଲ କକ୍ଷରେ ଶିଳ୍ପ ପରାମର୍ଶଦାତା ଓ ଶିଳ୍ପ ବିଶେଷଜ୍ଞ ବୋର୍ଡ଼ର ଏକ ମିଳିତ ବୈଠକ ବସିଥାଏ । ବୈଠକ ଆରମ୍ଭ ହେବା ପୂର୍ବରୁ ଶିଳ୍ପପତି ମାଇକେଲ୍‍ସନ୍ ଆଲୋଚନା ଆରମ୍ଭ କରିବାକୁ ଯାଇ ଏକ କ୍ଷୁଦ୍ର ଭାଷଣ ଦେଲେ ।

 

‘‘ଆପଣମାନେ ଆଜିକାର ବିଷୟବସ୍ତୁ କ'ଣ ଜାଣିଛନ୍ତି । ମୋର କନ୍ୟା ଆଭାର ବନ୍ଧୁଭାବରେ ଆପଣମାନେ ଅରୁଣକୁମାରଙ୍କୁ ଜାଣନ୍ତି । କୁମାର ଅରୁଣ ଯେ କେବଳ ମୋ କନ୍ୟାର ବନ୍ଧୁଭାବରେ ପରିଚିତ ତା ନୁହେଁ, ତାଙ୍କର ଅପୂର୍ବ ମେଧାଶକ୍ତି ଆଜି ଇଂଲଣ୍ଡର କାହାରିଠାରେ ଅବିଦିତ ନାହିଁ । ଏହି ବର୍ଷର ଶ୍ରେଷ୍ଠତମ ଇଞ୍ଜିନିୟରିଂ ଛାତ୍ର ଭାବରେ ଇମ୍ପୋରିୟାଲ କଲେଜ ତାଙ୍କୁ ସ୍ୱର୍ଣ୍ଣପଦକ ଦେଇ ଯେପରି ଭାବରେ ସମ୍ମାନିତ କରିଛି, ଏହା ତାଙ୍କର ଅନ୍ତନିର୍ହିତ ମେଧାଶକ୍ତିର କମ୍ ପରିଚୟ ଦେଉନି । ଆପଣମାନେ ଭାରତବର୍ଷର ଓଡ଼ିଶା ପ୍ରଦେଶ ନାମ ଶୁଣିଥିବେ । ଏହି ରାଜ୍ୟଟି ହେଉଛି କୁମାର ଅରୁଣଙ୍କର ଜନ୍ମସ୍ଥାନ । ପ୍ରାକୃତିକ ସଂପଦରେ ଭରପୂର ଥାଇ ମଧ୍ୟ ସେହି ରାଜ୍ୟଟି ଭାରତର ଅନ୍ୟ ରାଜ୍ୟଠାରୁ ବହୁ ପଛରେ । କୁମାର ଅରୁଣ ନିଜ ରାଜ୍ୟକୁ ଶିଳ୍ପକ୍ଷେତ୍ରରେ ଆଗେଇ ନେବାକୁ ଇଚ୍ଛୁକ । ରାଜ୍ୟରେ କି କି ପ୍ରାକୃତିକ ସଂପଦ ପୂରିରହିଛି, ତାହା କୁମାର ଅରୁଣ ସଂଗ୍ରହ କରି ମାନଚିତ୍ର ସହ ସେଗୁଡ଼ିକର ଗୋଟିଏ ଗୋଟିଏ କପି ଆପଣମାନଙ୍କଠାକୁ ପଠାଇ ଦେଇଛନ୍ତି । ସେଗୁଡ଼ିକୁ ଆପଣମାନେ ଯଥାର୍ଥ ଅନୁଧ୍ୟାନ କରିଥିବେ ବୋଲି ମୋର ବିଶ୍ୱାସ । ଓଡ଼ିଶାର ଶିଳ୍ପ ଉନ୍ନୟନ ପାଇଁ କି କି ସୁବିଧା ଓ ଅସୁବିଧା ଅଛି, ସେଗୁଡିକୁ ପୁଙ୍ଖାନୁପୁଙ୍ଖ ରୂପେ ଆଲୋଚନା କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ।’’

 

ଶିଳ୍ପପତିଙ୍କଠାରୁ କିଛି ଦୂରରେ ବସିଥିଲେ ଅରୁଣ, ଅରୁଣଙ୍କ ପାଖକୁ ଲାଗି ଆଭା-ଶିଳ୍ପପତିଙ୍କ ଏକମାତ୍ର ଦୁଲାଳୀ । ସେ ଦୁହିଁଙ୍କ ଆଗରେ ଟେବୁଲ ଉପରେ ନାନାପ୍ରକାର କାଗଜ ଓ ଫାଇଲପତ୍ର ଥୁଆ ହୋଇଥାଏ । ଅରୁଣଙ୍କୁ ସାହାଯ୍ୟ କରିବାପାଇଁ ଆଭା ସେଠାରେ ବସିଥାଏ ।

 

ଆଲୋଚନା ଆରମ୍ଭ କରିବାକୁ ଯାଇ ଶିଳ୍ପପତିଙ୍କ ପ୍ରଧାନ ଶିଳ୍ପ ଇଞ୍ଜିନିୟର ଡକ୍‍ଟର ଜେକବସନ୍ ଉଠି କହିଲେ,

 

‘‘କୌଣସି ଦେଶର ଶିଳ୍ପ ଉନ୍ନୟନ ପାଇଁ ପ୍ରଥମେ ଲୋଡ଼ା ଦେଶର ପ୍ରାକୃତିକ ସମ୍ପଦ । ତା’ ତଳକୁ ହେଉଛି ଶକ୍ତି ବି ଇନ୍ଧନ । ଶକ୍ତି ନ ହେଲେ କୌଣସି ଦେଶର ଶିଳ୍ପ କାରଖାନା ଚାଲି ପାରିବ ନି । ଦେଶରେ ଖଣିଜ ଓ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦ ଭରପୁର ଥିଲେ ମଧ୍ୟ ଶକ୍ତି ଅଭାବରୁ ସେଗୁଡ଼ିକର ଉପଯୁକ୍ତ ବିନିଯୋଗ ହୋଇପାରେ ନି । ତେଣୁ ଶିଳ୍ପ କାରଖାନା ପାଇଁ ସର୍ବପ୍ରଥମ ଲୋଡ଼ା ସହଜ ସୁଲଭ ଶକ୍ତି । ଏହି ଶକ୍ତି କୋଇଲାରୁ ବା ପେଟ୍ରୋଲିୟମଜାତ ପଦାର୍ଥରୁ ଆହରଣ କରାଯାଇ ପାରେ, ଅଥବା ନଦୀ, ପ୍ରପାତ, ଜଳଭଣ୍ଡାରର ଜଳବିଦ୍ୟୁତ୍‍ରୁ ଆହରଣ କରାଯାଇ ପାରେ । ଓଡ଼ିଶାରେ ଏହି ଶକ୍ତିର ସୁଲଭତା କିପରି, ତାହା ଆଲୋଚନା କରିବା ସର୍ବାଦୌ ଦରକାର-। ଓଡ଼ିଶାର କୋଇଲା ଓ ଅନ୍ୟାନ୍ୟ ସମ୍ପଦ କେତେ, ତାହା ଆମ୍ଭମାନଙ୍କୁ ଜଣାଇ ଦିଆଯାଇଛି । ତେବେ ଓଡ଼ିଶାରେ କେଉଁଠି ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଅଛି ବା ହେବାର ସୁବିଧା ଅଛି, ସେ ସମ୍ବନ୍ଧରେ ଆମ୍ଭେମାନେ ସର୍ବାଦୌ ଜାଣିବା ଦରକାର ।’’

 

ଜେକବସନ୍‍ଙ୍କ ଏହି ପ୍ରଶ୍ନରେ ସଙ୍ଗେ ସଙ୍ଗେ ଫାଇଲ୍‍ ଖୋଲି ଅରୁଣ ପଢ଼ିବାକୁ ଲାଗିଲେ-

 

....‘‘ଓଡ଼ିଶାର ବିଦ୍ୟୁତ୍ ଉତ୍ପାଦନ ବିଶେଷତଃ ଜଳ-ବିଦ୍ୟୁତ୍ ଉତ୍ପାଦନ ପାଇଁ ପ୍ରଧାନ ସମ୍ବଳ ହେଉଛି ମହାନଦୀ ତଥା ଓଡ଼ିଶାର ବିଭିନ୍ନ ନଦୀସମୂହ । ତେଣୁ ଶକ୍ତି ପାଇଁ ଜଳ-ବିଦ୍ୟୁତ୍ ଯୋଜନା ଉପରେ ଆମ୍ଭମାନଙ୍କୁ ଅଧିକ ଦୃଷ୍ଟି ଦେବାକୁ ପଡ଼ିବ । ମହାନଦୀ ହେଉଛି ଓଡ଼ିଶାର ବୃହତ୍ତମ ନଦୀ ଓ ଏହି ନଦୀର ଜଳରୁ ବହୁ ବିଦ୍ୟୁତ୍‍ଶକ୍ତି ଆହରଣ କରାଯାଇ ପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଭାରତ ସରକାର ମହାନଦୀ ବହୁମୁଖୀ ଯୋଜନା ନାମକ ଏକ ଯୋଜନା କାର୍ଯ୍ୟକାରୀ କରାଇବା ପାଇଁ ମନସ୍ଥ କରିଛନ୍ତି । ଏହି ବହୁମୁଖୀ ଯୋଜନାର ପ୍ରଧାନ ଅଙ୍ଗ ଜଳ ବିଦ୍ୟୁତ୍ ଯୋଜନା ଅନୁଯାୟୀ ଏକ ପ୍ରକାଣ୍ଡ ଜଳଭଣ୍ଡାର ମହାନଦୀର ଉପର ଅଂଶ ହୀରାକୁଦଠାରେ ପ୍ରତିଷ୍ଠିତ ହେବାକୁ ଯାଉଛି ।

 

ଏହି ମହାନଦୀ ଦେଇ ପ୍ରତିବର୍ଷ ହାରାହାରି ପାଞ୍ଚକୋଟି ଘନ ଏକର ଫୁଟରୁ ଅଧିକ ଜଳ ବହିଯାଏ । ଏହି ବିରାଟ ଜଳରାଶିରୁ ବିଭିନ୍ନ ଥରରେ ଯେଉଁ ବିଦ୍ୟୁତ୍‍ଶକ୍ତି ଉତ୍ପନ୍ନ ହେବ, ତା’ର ପରିମାଣ ଅକଳନୀୟ ।

 

ସମ୍ବଲପୁର ଜିଲ୍ଲାର ହୀରାକୁଦଠାରେ ଯେଉଁ ଜଳଭଣ୍ଡାର ସୃଷ୍ଟି ହେଉଛି, ସେଥିରୁ ସାଢ଼େ ତିନିଲକ୍ଷ କିଲୋୱାଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ ହୋଇପାରିବ । ଏହି ଶକ୍ତି ବର୍ଷସାରା ସବୁଦିନେ ଉତ୍ପାଦିତ ହେବାର ସମ୍ଭାବନା ଅଛି । କୌଣସି କାରଣରୁ ନିଅଣ୍ଟ ପଡ଼ିଲେ ନିକଟବର୍ତ୍ତୀ ତାପବିଦ୍ୟୁତ୍ କାରଖାନା ଦ୍ୱାରା ପୁରଣ କରିହେବ । ହୀରାକୁଦ ଜଳଭଣ୍ଡାରର ଆକାର ହେବ, ୧୩୫,୦୦୦ ଏକର ପରିମିତ ସ୍ଥାନ । ପ୍ରସ୍ତାବିତ ବନ୍ଧର ଉଚ୍ଚତା ହେବ ୧୫୦ ଫୁଟ ଓ ଜଳଭଣ୍ଡାର ଚାରିପାଖରେ ଯେଉଁ ବନ୍ଧ ରହିବ, ତାହାର ଲମ୍ବ ହେବ ୧୯ ମାଇଲ । ଏଥିରେ ଅଧକୋଟି ଘନ ଏକର ଫୁଟ ପର୍ଯ୍ୟନ୍ତ ଜଳ ଗଚ୍ଛିତ ରହିବାର ବ୍ୟବସ୍ଥା ରହିବ ।’’

 

କିଛି ସମୟ ରହିଯାଇ ପୁଣି ଆରମ୍ଭ କଲେ; ‘‘ହୀରାକୁଦ ଜଳଭଣ୍ଡାର ପରେ ପରେ ମହାନଦୀରେ ଟିକରପଡ଼ା ଓ ନରାଜଠାରେ ଆଉ ଦୁଇଟି ବଡ଼ ବଡ଼ ଜଳବିଦ୍ୟୁତ୍ କେନ୍ଦ୍ର ପ୍ରତିଷ୍ଠିତ ହେବାର ପ୍ରସ୍ତାବ ରହିଛି । ଏହି ଟିକରପଡ଼ା ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଓ ଏଠାକାର ଜଳଭଣ୍ଡାର ୧,୧୬୮,୦୦୦ ଏକର ଜମି ଉପରେ ପ୍ରତିଷ୍ଠିତ ହେବାର ଆଶା । ଏହା ଆକାରରେ ହେବ ହୀରାକୁଦ ଜଳଭଣ୍ଡାରର ପ୍ରାୟ ଦଶଗୁଣ । ଏଠାରେ ଦଶକୋଟି ଘନ ଏକର-ଫୁଟ ଜଳ ଗଚ୍ଛିତ ହେବାର ବ୍ୟବସ୍ଥା କରାଯିବ । ହୀରାକୁଦ ଜଳଭଣ୍ଡାରରୁ ବଳକା ଜଳ ଓ ହୀରାକୁଦଠାରୁ ଟିକରପଡ଼ା ଭିତରେ ଯେତେ ବୃଷ୍ଟିଜଳ ମହାନଦୀ ଦେଇ ବହିଆସେ, ସେ ସବୁକୁ ଏହି ଟିକରପଡ଼ା ଜଳଭଣ୍ଡାର ଧରି ରଖିପାରିବ । ଏହି ଟିକରପଡ଼ାର ପ୍ରାକୃତିକ ଅବସ୍ଥିତି ଅତି ଚମତ୍କାର । ଏହା ସୁବିଖ୍ୟାତ ସାତକୋଶିଆ ଗଣ୍ଡର ନିମ୍ନ ଅଂଶରେ ଅବସ୍ଥିତ । ଏଠାରେ ଅନ୍ୟୂନ ୨୫ଲକ୍ଷ କିଲୋୱାଟ୍ ଶକ୍ତି ଉତ୍ପାଦିତ ହୋଇପାରିବ ବୋଲି ଅଟକଳ କରାଯାଇଛି । ଏହି ଶକ୍ତିର ପରିମାଣ ହୀରାକୁଦରୁ ଉତ୍ପନ୍ନ ଶକ୍ତିର ପରିମାଣଠାରୁ ଆଠଗୁଣ ଅଧିକ । ଏ ପର୍ଯ୍ୟନ୍ତ ଜଣାଥିବା ପୃଥିବୀର କୌଣସି ଜଳବିଦ୍ୟୁତ୍ ଷ୍ଟେସନ୍ ଠାରେ ଏତେ ଶକ୍ତି ଉତ୍ପାଦିତ ହେବାର ଦେଖା ଯାଇନି । ଆମେରିକାର ସୁପ୍ରସିଦ୍ଧ ଟେନେସି ଉପତ୍ୟକାର ୨୭ ଗୋଟି ଜଳଭଣ୍ଡାରରୁ ଯେତେକ ବିଦ୍ୟୁତ୍‍ଶକ୍ତି ଉତ୍ପାଦିତ ହୁଏ, ଏହା ତାଠାରୁ ଅଧିକ । ପୃଥିବୀର ସର୍ବବୃହତ୍ ଜଳବିଦ୍ୟୁତ୍ ଷ୍ଟେସନ ଆମେରିକାର ଗ୍ରେଣ୍ଡକୁଲି ଡାମଠାରେ ଏହାର ଦୁଇ ତୃତୀୟାଂଶ ମାତ୍ର ଶକ୍ତି ଉତ୍ପାଦିତ ହୁଏ ।

 

କଟକ ସହର ନିକଟସ୍ଥ ନରାଜଠାରେ ଯେଉଁ ତୃତୀୟ ଜଳଭଣ୍ଡାର ପ୍ରତିଷ୍ଠିତ ହେବ, ସେଥିରୁ ଉତ୍ପନ୍ନ ହେବ, ୧୦୭,୦୦୦ କଲୋୱାଟ ବିଦ୍ୟୁତ୍ ଶକ୍ତି, ହୀରାକୁଦଠାରେ ଉତ୍ପନ୍ନ ଶକ୍ତିର ଅଧିକରୁ କମ୍ । ଟିକରପଡ଼ା ଓ ନରାଜର ଜଳଭଣ୍ଡାରର ପ୍ରାଥମିକ ଜରୀବ ଏ ପର୍ଯ୍ୟନ୍ତ ଶେଷ ହୋଇନି । ଯେତେବେଳେ ଏଗୁଡ଼ିକ ସରିଯିବ, ସେତେବେଳେ ମହାନଦୀ ଉପତ୍ୟକାର ବିଦ୍ୟୁତ୍ ଶକ୍ତିର ପରିମାଣ ୩୦ ଲକ୍ଷ କିଲୋୱାଟ୍‍ରୁ କିଛି ବେଶି ହୋଇଯିବ ।

 

ପୁନଶ୍ଚ ହୀରାକୁଦର ଜଳ-ବିଦ୍ୟୁତ୍ ଷ୍ଟେସନ ସହିତ ଜାମସେଦ୍‍ପୁର ଓ ନାଗପୁରର ତାପ ବିଦ୍ୟୁତ୍ ଷ୍ଟେସନ ସଂଯୁକ୍ତ ହେବା; ଫଳରେ ମଧ୍ୟବର୍ତ୍ତୀ ସ୍ଥାନମାନଙ୍କରେ ବିଦ୍ୟୁତ୍ ସରବରାହରେ ସୁବିଧା ହେବ । ହୀରାକୁଦ, ଟିକରପଡ଼ା ଓ ନରାଜ; ତେଣେ ମାଛକୁଣ୍ଡ, ବାଲିମେଳା, ଇନ୍ଦ୍ରାବତୀ, କୋଲାବ, ପରସ୍ପର ସହିତ ସଂଯୁକ୍ତ ହୋଇଗଲେ ମହାନଦୀ ଉପତ୍ୟକା ଏକ ଚିର ଆଲୋକିତ ଉପତ୍ୟକାରେ ପରିଣତ ହେବ । ହୀରାକୁଦ ସହିତ କୋଶୀ ଜଳବିଦ୍ୟୁତ୍ ଷ୍ଟେସନ, ଟିଷ୍ଟା ଜଳବିଦ୍ୟୁତ୍ ଷ୍ଟେସନ ଆଦି ସଂଯୁକ୍ତ ହୋଇଗଲେ ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ସୁବିଧାଜନକ ହେବ । କେବଳ ମହାନଦୀ ଉପତ୍ୟକାର ଜଳବିଦ୍ୟୁତ୍ ଦ୍ୱାରା ସମ୍ବଲପୁର, ସୁନ୍ଦରଗଡ଼, ଢେଙ୍କାନାଳ, ବଲାଙ୍ଗିରପାଟଣା, କଳାହାଣ୍ଡି, ବୌଦ ଫୁଲବାଣୀ, ଉତ୍ତର ଗଞ୍ଜାମ ଓ କଟକ ଜିଲ୍ଲାରେ ବେଶ୍ ଭଲଭାବରେ ବିଦ୍ୟୁତ୍ ସରବରାହ ହୋଇପାରିବ ।

 

କୋରାପୁଟର ଡୁଡୁମା ବା ମାଛକୁଣ୍ଡ ଜଳବିଦ୍ୟୁତ୍ ଷ୍ଟେସନ ଓ ବାଗ୍ରା ଜଳପ୍ରପାତଠାରେ ଯେଉଁ ବିଦ୍ୟୁତ୍‍ଶକ୍ତି ଉତ୍ପନ୍ନ ହେବ, ତାହା କୋରାପୁଟ ଓ ଗଞ୍ଜାମ ଜିଲ୍ଲାକୁ ପୁରାଭାବରେ ବିଦ୍ୟୁତ୍‍ଶକ୍ତି ଯୋଗାଇ ପାରିବ । ମାଛକୁଣ୍ଡ ଜଳ-ବିଦ୍ୟୁତ୍ ଷ୍ଟେସନରୁ ଓଡ଼ିଶାକୁ ମିଳିବ ୫୦,୦୦୦ କିଲୋୱାଟ୍ ଓ ବାଗ୍ରାରୁ ମିଳିବ ୭୨,୦୦୦ କିଲୋୱାଟ୍ ବିଦ୍ୟୁତ୍‍ଶକ୍ତି । ଏହି ଦୁଇ ଜିଲ୍ଲାରେ ଶିଳ୍ପ ଉନ୍ନୟନ ପାଇଁ ଏହା ଯଥେଷ୍ଟ । ଦରକାର ପଡ଼ିଲେ ମହାନଦୀ ଉପତ୍ୟକାରୁ ବିଦ୍ୟୁତ୍‍ଶକ୍ତି ଏଇ ଦୁଇ ଜିଲ୍ଲାକୁ ମଧ୍ୟ ଅଣାଯାଇ ପାରିବ । ଏତଦ୍‍ବ୍ୟତୀତ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ସୀମାରେ ବାଲିମେଳା ପରିକଳ୍ପନା ଏବଂ ଇନ୍ଦ୍ରାବତୀ ଓ କୋଲାବ୍ ପରିକଳ୍ପନା ଭବିଷ୍ୟତରେ କାର୍ଯ୍ୟକାରୀ କରିହେବ । ବାଲିମେଳାରୁ ଆମେ ଯେଉଁ ଶକ୍ତି ପାଇବୁ, ତାହା ଦକ୍ଷିଣ ଓଡ଼ିଶାର ଅଭାବ ମେଣ୍ଟାଇ ପାରିବ ।

 

ମୟୁରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ଯଥାକ୍ରମେ ବରେହିପାଣି, ଖଣ୍ଡାଧାର ଓ ପ୍ରଧାନପାଟ ପ୍ରଭୃତି ଯେଉଁ ଜଳପ୍ରପାତମାନ ଅଛି; ସେଥିରୁ ଯଥେଷ୍ଟ ପରିମାଣରେ ଜଳ-ବିଦ୍ୟୁତ୍ ଉତ୍ପାଦନ କରାଯାଇ ପାରିବ ଓ ଏହି ଜଳବିଦ୍ୟୁତ୍ ଏ ତିନୋଟି ଜିଲ୍ଲାର ପ୍ରତ୍ୟେକ ଅଂଶକୁ ଯୋଗାଇବାପାଇଁ ଯଥେଷ୍ଟ ହେବ । ଏତଦ୍‍ବ୍ୟତୀତ ଭବିଷ୍ୟତରେ ବ୍ରାହ୍ମଣୀ ଓ ବୈତରଣୀରେ ଯଥାକ୍ରମେ ରେଙ୍ଗାଲି ଓ ଭୀମକୁଣ୍ଡଠାରେ ଯଦି କୃଷି ପାଇଁ ଜଳଯୋଗାଣ ପରିକଳ୍ପନା ମହାନଦୀ ପରିକଳ୍ପନା ଭଳି ପ୍ରତିଷ୍ଠା କରାଯାଏ, ତେବେ ଏହିସବୁ ପରିକଳ୍ପନାରୁ ଉତ୍ପନ୍ନ ବିଦ୍ୟୁତ୍‍ଶକ୍ତି ସାହାଯ୍ୟରେ ବାଲେଶ୍ୱର ଓ କଟକ ଜିଲ୍ଲାକୁ ପୁରାପୁରି ଭାବରେ ବିଦ୍ୟୁତ୍‍ଶକ୍ତି ଯୋଗାଇ ହେବ । ଏତଦ୍‍ବ୍ୟତୀତ ତାଳଚେରଠାରେ ଥିବା ବିରାଟ କୋଇଲାଖଣିର ପଥର କୋଇଲା ତାପବିଦ୍ୟୁତ୍ ଉତ୍ପାଦନ ପାଇଁ ଉପଯୋଗୀ ହୋଇଥିବାରୁ ତାଳଚେରଠାରେ ଏକ ବିରାଟ ତାପବିଦ୍ୟୁତ୍ କାରଖାନା ବସାଯାଇ ପାରିବ, ଯାହା କି ଢେଙ୍କାନାଳ, କଟକ ଜିଲ୍ଲାର ବିଭିନ୍ନ କଳାକାରଖାନାକୁ ଆବଶ୍ୟକୀୟ ଶକ୍ତି ଯୋଗାଇ ପାରିବ । ଏହିସବୁ ପରିକଳ୍ପନା କାର୍ଯ୍ୟକାରୀ ହେଲେ ଏଗୁଡ଼ିକୁ ପରସ୍ପର ସହିତ ଯୋଗ କରାଯାଇ ଏକ ଶକ୍ତିଶାଳୀ ଆଞ୍ଚଳିକ ଶକ୍ତି ଗ୍ରିଡ଼୍‍ ସୃଷ୍ଟି କରାଯାଇ ପାରିବ । ଏହି ଶକ୍ତି ଗ୍ରିଡ଼୍‍ ଓଡ଼ିଶାରେ ଜାଲଭଳି ବିଛାଇ ହୋଇ ରହିବ ଓ ଏଥିରୁ ବିଦ୍ୟୁତ୍‍ଶକ୍ତି ଓଡ଼ିଶାର ପ୍ରତି ଗ୍ରାମ ଓ ଘରକୁ ସରବରାହ କରିହେବ ।

 

ଓଡ଼ିଶାର ଏହି ବିରାଟ ଜଳ-ବିଦ୍ୟୁତ୍ ଯୋଜନା ପୃଥିବୀର ଯେ କୌଣସି ଜଳବିଦ୍ୟୁତ୍ ପରିକଳ୍ପନାଠାରୁ ବଡ଼ ହେବ । ଆପଣମାନେ ହୁଏତ ପ୍ରଶ୍ନ କରି ପାରନ୍ତି ଯେ, ଏହିସବୁ ନଦୀ ପରିକଳ୍ପନାଠାରେ ବର୍ଷେ ବର୍ଷେ ଜଳ ଅଭାବରୁ ଅଶାନୁଯାୟୀ ବିଦ୍ୟୁତ୍‍ଶକ୍ତି ଉତ୍ପାଦିତ ହୋଇ ନ ପାରେ; ତେଣୁ ସେପରି ପରିସ୍ଥିତିରେ ଅବସ୍ଥାକୁ ସୁଧୁରା ଯାଇପାରିବ କିପରି ?

 

ଏହି ପ୍ରଶ୍ନର ଉତ୍ତରରେ ମୁଁ କହିବି ଯେ, ପ୍ରତ୍ୟେକ ଜଳବିଦ୍ୟୁତ୍ ଷ୍ଟେସନଠାରେ ତାପବିଦ୍ୟୁତ୍ ଷ୍ଟେସନପାଇଁ ବନ୍ଦୋବସ୍ତ କରାଯାଇଥିବ । କୌଣସି ବର୍ଷ ଯଦି ନିର୍ଦ୍ଧାରିତ ଜଳବିଦ୍ୟୁତର ପରିମାଣଠାରୁ ବିଦ୍ୟୁତଶକ୍ତି ଉତ୍ପାଦନ କମ୍ ହୁଅ, ତେବେ ଏହି ତାପବିଦ୍ୟୁତ୍ ଦ୍ୱାରା ସେହି ଅଭାବ ପୂରଣ କରାଯାଇପାରିବ । ଭବିଷ୍ୟତରେ ଅନ୍ତତଃ ଦୁଇଶହ ବର୍ଷ ପାଇଁ ଏ ଦିଗରେ ଖର୍ଚ୍ଚ କରିବାକୁ ଆମର ଯଥେଷ୍ଟ ପଥରକୋଇଲା ଅଛି । ଏହି କୋଇଲା ସରିଗଲେ ପରମାଣୁ ଶକ୍ତିହିଁ ହେବ ଏକମାତ୍ର ସମ୍ବଳ ।

 

ଏହିସବୁ ଆଲୋଚନାରୁ ଦେଖିଲେ ଓଡ଼ିଶାରେ ବିଦ୍ୟୁତ୍‍ଶକ୍ତିର ପ୍ରାଚୁର୍ଯ୍ୟ ଭାରତର ଯେ କୌଣସି ରାଷ୍ଟ୍ର ଅପେକ୍ଷା ଅଧିକ । ତେଣୁ ରାଷ୍ଟ୍ରର ପ୍ରଭୂତ ପ୍ରାକୃତିକ ସମ୍ପଦକୁ ଲୋକ ବ୍ୟବହାରରେ ଆଣିବାପାଇଁ ଏହା ଯେ ପ୍ରଧାନ ସହାୟକ ହେବ, ଏଥିରେ ସନ୍ଦେହ ନାହିଁ ।

 

‘‘ଓଡ଼ିଶାର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ କି କି ପଥ ଓ ଯୋଗାଯୋଗ ଅଛି, ତାହା ଆମ୍ଭମାନଙ୍କର ସର୍ବାଦୌ ଜାଣିବା ଦରକାର । ସେତକ ନ ଜାଣିଲେ ଉପଯୁକ୍ତ ଯୋଜନା ତିଆରିରେ ନାନା ବ୍ୟାଘାତ ଘଟିବ ।’’ ଶିଳ୍ପପତିଙ୍କ ଅନ୍ୟତମ ଶିଳ୍ପ ପରାମର୍ଶଦାତା ବିଶେଷଜ୍ଞ ସାର୍ ମ୍ୟାକମିଲାନ୍ ଉଠି ପ୍ରଶ୍ନ କଲେ ।

 

ପଥ ଓ ଯୋଗାଯୋଗ ନାମ ଶୁଣି ଅରୁଣ ଫାଇଲ ଖୋଜିବାକୁ ଲାଗିଲେ । ଦୁଇ ତିନିଟା ଫାଇଲ ତଳୁ ପଥ ଓ ଯୋଗାଯୋଗ ଫାଇଲଟି ବାହାର କରି ଆଭା ଅରୁଣଙ୍କ ହାତକୁ ବଢ଼ାଇଦେଲା-। ଫାଇଲଟିକୁ ଏପାଖ ସେପାଖ ଓଲଟାଇ ସେ ଆରମ୍ଭ କଲେ ।

 

‘‘ଦେଖନ୍ତୁ, ଭାରତର ଅନ୍ୟାନ୍ୟ ପ୍ରଦେଶ ତୁଳନାରେ ଆମ ଓଡ଼ିଶା ପ୍ରଦେଶ ଯିବା ଆସିବା ପଥ ଦୃଷ୍ଟିରୁ ଅତି ଅବହେଳିତ । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବହୁ ଶିଳ୍ପ କାରଖାନା ଉପଯୋଗୀ କଞ୍ଚାମାଲ ଥିଲେ ମଧ୍ୟ ଓଡ଼ିଶାର କେତେକ ଜିଲ୍ଲା ଭିତରେ ଏ ପର୍ଯ୍ୟନ୍ତ ରେଳରାସ୍ତା ପଶିନି । ଓଡ଼ିଶାରେ ଏପରି କେତେକ ଜିଲ୍ଲା ଅଛି, ଯା'ର ରାଜଧାନୀକୁ ଯିବାପାଇଁ ଭଲ ରାସ୍ତାଟିଏ ନାହିଁ । ଓଡ଼ିଶାର ପ୍ରଧାନ ରେଳରାସ୍ତା କହିଲେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ । ଏହା ପ୍ରଧାନତଃ ପୂର୍ବରେ ବାଲେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ଉତ୍ତରରେ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ସମ୍ବଲପୁର, ପଶ୍ଚିମରେ କଳାହାଣ୍ଡି, ବଲାଙ୍ଗିରପାଟଣା, କୋରାପୁଟ ଜିଲ୍ଲା ଭିତର ଦେଇ ଯାଇଛି । ଏହି ରେଳ ରାସ୍ତାଗୁଡ଼ିକ ଏପରି ଯେ, ଏହାର କୌଣସିଠାରେ ବଡ଼ ଶାଖାଟିଏ ନାହିଁ; ଯା ବା ଗୋଟାଏ ଦୁଇଟା ଅଛି, ଓଡ଼ିଶାର ଆକାର ତଥା ଚାହିଦା ତୁଳନାରେ କିଛି ନୁହେଁ । ଉପକୂଳରେ ଖୋର୍ଦ୍ଧାଠାରୁ ପୁରୀ, କଟକଠାରୁ ତାଳଚେର, ଝାରସୁଗୁଡ଼ାଠାରୁ ସମ୍ବଲପୁର, ଉତ୍ତରରେ ବମ୍ବେ ଲାଇନର ଟାଟାନଗରଠାରୁ ବାଦାମପାହାଡ଼, ଗୋରୁମହିଷାଣୀ, ରାଜଖରସୁଆଁଠାରୁ ବଡ଼ଜାମଡ଼ା ଦେଇ ବଡ଼ବିଲ ଓ ରାଜଖରସୁଆଁଠାରୁ ଡଙ୍ଗାପୁସି ବାଂଶପାଣି, ରାଉରକେଲାଠାରୁ ବୀରମିତ୍ରପୁର ପର୍ଯ୍ୟନ୍ତ ଶାଖା ରେଳପଥମାନ ଯାଇଛି । ଭାରତର ଅନ୍ୟାନ୍ୟ ପ୍ରଦେଶ, ଯଥା–ଉତ୍ତର ପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ଭଳି ଏଠାରେ ରେଳରାସ୍ତାଗୁଡ଼ିକ ଜାଲ ଭଳି ପ୍ରଦେଶସାରା ବିଛାଇ ହୋଇନି-। ଓଡ଼ିଶାର କେତେକ ଜିଲ୍ଲାର ରାଜଧାନୀକୁ ଏ ପର୍ଯ୍ୟନ୍ତ ରେଳରାସ୍ତା ନ ଯିବା କମ୍ ବଡ଼ କ୍ଷୋଭର ବିଷୟ ନୁହେଁ । ରେଳରାସ୍ତାକୁ ଛାଡ଼ି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭଲ ପକ୍‍କା ସଡ଼କ ନାହିଁ। ଅବଶ୍ୟ ଦୁଇ ତିନିଗୋଟି ବଡ଼ ବଡ଼ ରାଜପଥ ଏବେ ଓଡ଼ିଶା ଦେଇ ଯିବାର ଯୋଜନା ଚାଲିଛି-। ସେଗୁଡ଼ିକ ହୋଇଗଲେ ସେଗୁଡ଼ିକ ସହ ଛୋଟ ଛୋଟ ଶାଖାପଥ ସଂଯୁକ୍ତ କରି ଓଡ଼ିଶାରେ ସଡ଼କ ପଥ କିଞ୍ଚିତ ବିକାଶ କରାଯାଇପାରିବ । ଓଡ଼ିଶାର ନଦୀଗୁଡ଼ିକ ଖରାଦିନେ ଶୁଖିଲା ରହୁଥିବାରୁ ବର୍ଷସାରା ଚଳିବାପାଇଁ ଜଳପଥଟିଏ ବି ନାହିଁ । ଓଡ଼ିଶାର ଦକ୍ଷିଣ ପୂର୍ବରେ ୨୫୦ ମାଇଲ ଧରି ସମୁଦ୍ରୋପକୂଳ ଥିଲେ ମଧ୍ୟ ଗୋଟିଏ ଭଲ ବନ୍ଦର ପ୍ରତିଷ୍ଠା କରାଯାଇନି । ଓଡ଼ିଶାର ଏହି ଅନୁନ୍ନତ ଯୋଗାଯୋଗ ପ୍ରତି ଦୃଷ୍ଟିଦେଲେ ସ୍ୱତଃ ମନରେ ଆସେ ଯେ, ଓଡ଼ିଶା ଏକ ଅବହେଳିତ ଦେଶ, କେନ୍ଦ୍ର ସରକାର ଓଡ଼ିଶାପ୍ରତି ସହାନୁଭୂତିପୂର୍ଣ୍ଣ ଦୃଷ୍ଟି କେବେ ଦେଇ ନାହାନ୍ତି ।’’

 

ଅରୁଣକୁମାରଙ୍କ ଏହିଭଳି ଉକ୍ତି ଶୁଣି ଡକ୍‍ଟର କ୍ରିପ୍‍ସ ଉଠି ହସି ହସି କହିଲେ, ‘‘ଅରୁଣ ବାବୁଙ୍କର ଏହି ଉକ୍ତିରୁ ଆମ୍ଭେମାନେ କିଛି ବୁଝିପାରୁନୁ । ତାଙ୍କର ଏହି ଉକ୍ତିରୁ ସ୍ପଷ୍ଟ ଜଣା ପଡ଼ୁଛି ଓ ସେ ବି ମଧ୍ୟ ଜୋର ଦେଇ କହୁଛନ୍ତି ଯେ, ଓଡ଼ିଶା କେନ୍ଦ୍ର ସରକାରଙ୍କ ଦ୍ୱାରା ଏ ପର୍ଯ୍ୟନ୍ତ ଅବହେଳିତ ହୋଇପଡ଼ିଛି । କିନ୍ତୁ ସେଭଳି ବକ୍ତବ୍ୟ ଆମର ଯୋଜନା ତିଆରିରେ ବିଶେଷ ସାହାଯ୍ୟକାରୀ ହେବନି । ଏଠାରେ ସେଭଳି ବକ୍ତବ୍ୟ ନ କରି ଭାରତ ପାର୍ଲିଆମେଣ୍ଟରେ କଲେ ହୁଏତ କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଅଧିକ ଦୃଷ୍ଟି ଦେଇପାରନ୍ତି । ଆମେ ବର୍ତ୍ତମାନ ଜାଣିବାକୁ ଚାହୁଁ, ନିକଟ ଭବିଷ୍ୟତରେ ଭାରତ ତଥା ଓଡ଼ିଶା ସରକାର ଏହି ପଥ ଓ ଯୋଗାଯୋଗର ଉନ୍ନତି ପାଇଁ କି କି ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ।’’

 

‘‘ଭାରତ ସରକାର କିମ୍ବା ଓଡ଼ିଶା ସରକାର ଏହି ପଥ ଓ ଯୋଗାଯୋଗପାଇଁ ବିଶେଷ କିଛି ଧ୍ୟାନ ଦେଉଥିବାର ପ୍ରମାଣ ମୁଁ ଏ ପର୍ଯ୍ୟନ୍ତ ପାଇନି, ଡକ୍‍ଟର କ୍ରିପ୍‍ସ । ତେଣୁ ମୁଁ ଏ ଦିଗରେ ଆପଣମାନଙ୍କୁ ବେଶି କିଛି ଖବର ଦେବାକୁ ଅକ୍ଷମ । ତେବେ ମୁଁ ଏତିକି କହିପାରେ ଯେ, ଓଡ଼ିଶାର ପୂର୍ବ ଉପକୂଳ ପାରଦ୍ୱୀପଠାରେ ଭାରତ ସରକାର ଏଇ ବଡ଼ ଧରଣର ବନ୍ଦର ପ୍ରତିଷ୍ଠା କରିବାକୁ ଇଚ୍ଛୁକ । ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ଓ ବାଲେଶ୍ୱର ଜିଲ୍ଲାର ଚାନ୍ଦବାଲି ବନ୍ଦରର କିଛି ଉନ୍ନତି ଘଟାଇ ଧାମରାଠାରେ ଏକ ମଧ୍ୟମ ଧରଣର ବନ୍ଦର ପ୍ରତିଷ୍ଠାପାଇଁ ଓଡ଼ିଶାର ଲୋକମାନେ କେନ୍ଦ୍ର ସରକାରଙ୍କଠାରେ ଦାବୀ ଜଣାଇଛନ୍ତି । କଟକ, ରାଉରକେଲା ଓ ବାଂଶପାଣୀ ଯାଜପୁର ମଧ୍ୟରେ ରେଳରାସ୍ତା କରିବାପାଇଁ ଓଡ଼ିଶାର ଲୋକମାନେ କେନ୍ଦ୍ର ସରକାରଙ୍କଠାରେ ବହୁବାର ଅଭିଯୋଗ ଜଣାଇ ସାରିଲେଣି । କୋରାପୁଟ ଓ ଜୟପୁର ସହର ଦ୍ୱୟକୁ ପୂର୍ବାଞ୍ଚଳ ରେଳ ଲାଇନ୍‍ ସହିତ ଯୋଗ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି । କେନ୍ଦୁଝର ଜିଲ୍ଲାର କେତେକ ଖଣିକୁ ଉତ୍ତର ଦିଗର ହାବଡ଼ା-ବୋମ୍ବେ ରେଳପଥ ସହିତ ସଂଯୁକ୍ତ କରିବା ପାଇଁ ଭାରତ ସରକାର ଇଚ୍ଛା ପ୍ରକାଶ କରିଛନ୍ତି । ପାରାଦ୍ୱୀପ ବନ୍ଦରକୁ କଟକ ଷ୍ଟେସନ ସହିତ ରେଳ ଯୋଗେ ସଂଯୁକ୍ତ କରାଯାଇପାରେ ।

 

ଅରୁଣଙ୍କର ବକ୍ତବ୍ୟ ଶୁଣି ମ୍ୟାକ୍‍ମିଲାନ୍ ଉଠି କହିଲେ, ‘‘ମୋ ମତରେ ଓଡ଼ିଶାରେ ବିଭିନ୍ନ ପ୍ରାକୃତିକ ସମ୍ପଦ ପୂରି ରହିଥିଲେ ମଧ୍ୟ ଏହି ରାସ୍ତା ଓ ଯୋଗାଯୋଗ ଅଭାବରୁ ସେଗୁଡ଼ିକର ଉପଯୁକ୍ତ ବିନିଯୋଗ ହୋଇପାରୁନି । ଏହି ପ୍ରଧାନ ଅସୁବିଧାଟି ପାଇଁ ରାଷ୍ଟ୍ରର ଓ ରାଷ୍ଟ୍ର ବାହାରର ଶିଳ୍ପପତିମାନେ ଓଡ଼ିଶାର ପ୍ରାକୃତିକ ସମ୍ପଦ ଆଡ଼କୁ ବିଶେଷ ଆକୃଷ୍ଟ ହେଉ ନାହାନ୍ତି । ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳକୁ ପକ୍‍କା ସଡ଼କ ଓ ରେଳରାସ୍ତା ନ ନେଲେ ଓଡ଼ିଶାର ଶିଳ୍ପ କାରଖାନା ଆଶାନୁରୂପ ଗଢ଼ିଉଠି ପାରିବିନି । ବର୍ତ୍ତମାନ ଓଡ଼ିଶାର ବହୁ ଅଞ୍ଚଳ ଯେପରି ଯୋଗାଯୋଗ ଅଭାବରୁ ପରସ୍ପରଠାରୁ ବିଚ୍ଛିନ୍ନ ହୋଇ ପଡ଼ିଛି, ସେଭଳି ପଡ଼ିରହିବା ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତର ପରିଚାୟକ ନୁହେଁ । ଓଡ଼ିଶାର କି ବଣ, କି ପାର୍ବତୀୟ ଅଞ୍ଚଳ, କି ପାଟ, ପ୍ରତ୍ୟେକ ଅଂଶରେ ରେଳରାସ୍ତା ଓ ପକ୍‍କା ସଡ଼କ ଜାଲି ବିଛାଇଲା ଭଳି ପଡ଼ିଯିବା ଉଚିତ୍ । ଏହାଦ୍ୱାରା ଗୋଟିଏ ସ୍ଥାନରୁ ପ୍ରାକୃତିକ ସମ୍ପଦ ଦରକାର ଅନୁଯାୟୀ ଅନ୍ୟ ସ୍ଥାନକୁ ନିଆଅଣା କରାଯାଇ ପାରିବ । ଓଡ଼ିଶାକୁ ଏକ ଶିଳ୍ପପ୍ରଧାନ ରାଷ୍ଟ୍ର କରିବାକୁ ହେଲେ ପାରାଦ୍ୱୀପକୁ ଲଗାଇ ଓଡ଼ିଶାରେ ଅନ୍ତତଃ ତିନିଗୋଟି ଭଲ ବନ୍ଦର ହେବା ବାଞ୍ଚନୀୟ ।’’

 

ସେ କିଛି ସମୟ ସମ୍ମୁଖରେ ପଡ଼ିଥିବା ମାନଚିତ୍ର ଓ କାଗଜ ପତ୍ରକୁ ଅନାଇ କହିଲେ, ‘‘ବାଲେଶ୍ୱର ଜିଲ୍ଲାର ଚାନ୍ଦବାଲି ଓ ଧାମରାଠାରେ ବନ୍ଦର କରାଯିବା ଏକାନ୍ତ ଦରକାର । ଚାନ୍ଦବାଲି ବର୍ତ୍ତମାନ ଏକ କ୍ଷୁଦ୍ର ବନ୍ଦର ଭାବରେ କାର୍ଯ୍ୟ କରୁଛି । ଏଠାରୁ କଲିକତାକୁ ଜାହାଜ ଯିବା ଆସିବାକରେ । ଏହି ବନ୍ଦରଟିକୁ ବଢ଼ାଇ ଦେଇ ଧାମରାଠାରେ ଆଉ ଏକ ବଡ଼ ବନ୍ଦର ପ୍ରତିଷ୍ଠା କରାଯିବା ଉଚିତ । ଏହା କଲେ ବଡ଼ ବଡ଼ ଜାହାଜ, ଯେଉଁଗୁଡ଼ିକ ଚାନ୍ଦବାଲି ପର୍ଯ୍ୟନ୍ତ ଆସି ପାରିବିନି, ସେଗୁଡ଼ିକ ଧାମରାଠାରୁ ମାଲପାତ୍ର ନେବା ଆଣିବା କରିବେ । ଧାମରାର ଅଭିବୃଦ୍ଧି ହେଲେ ଏହା କଲିକତାର ଗ୍ରେଟ୍ ଡାଇମଣ୍ଡ ହାର୍‍ବର ସହିତ ତୁଳନୀୟ ହେବ ।

 

ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରେ ମଧ୍ୟ ଏକ ବନ୍ଦର ପ୍ରତିଷ୍ଠିତ ହେବା ଉଚିତ । ଓଡ଼ିଶାର ପାରାଦ୍ୱୀପ, ଚାନ୍ଦବାଲି, ଧାମରା ଓ ଗୋପାଳପୁର ବନ୍ଦରଗୁଡ଼ିକୁ ରେଳ ଲାଇନଦ୍ୱାରା ଉପକୂଳସ୍ଥ ରେଳ ଲାଇନ ସହିତ ଯୋଗ କରିବା ବାଞ୍ଚନୀୟ ଓ ଉପକୂଳସ୍ଥ ଲାଇନ୍‍କୁ ଡବଲ ଲାଇନ୍‍ରେ ପରିଣତ କଲେ ଖୁବ୍ ଭଲ ହେବ । ମହାନଦୀ ଯୋଜନା କାର୍ଯ୍ୟକାରୀ ହେଲେ ଟିକରପଡ଼ା ଓ ନରାଜ ଦେଇ ସମ୍ବଲପୁରଠାରୁ କଟକ ପର୍ଯ୍ୟନ୍ତ ବର୍ଷସାରା ପାଇଁ ଯେଉଁ ବିରାଟ ଜଳପଥ ଖୋଲିଯିବ, ତାହା ଅଭ୍ୟନ୍ତରର ଶିଳ୍ପ ଉନ୍ନୟନରେ କମ୍ ସାହାଯ୍ୟ କରିବନି ।

 

ଓଡ଼ିଶାର ଏହି ରାସ୍ତା ଓ ଯୋଗାଯୋଗ ଉନ୍ନୟନପାଇଁ ପ୍ରଧାନତଃ ଦରକାର ଓଡ଼ିଶାର ବିଭିନ୍ନ ଛୋଟବଡ଼ ନଦୀ ଉପରେ ପୋଲ । ଓଡ଼ିଶାରେ ଏତେ ନଦୀ ଅଛି ଯେ, ସେ ସବୁ ଉପରେ ପୋଲ ନ କଲେ ରାଜ୍ୟରେ ରାସ୍ତା କରି ହେବନି । ପୋଲ ତିଆରି ପାଇଁ ଗ୍ରେନାଇଟ, ଇସ୍ପାତ, ସିମେଣ୍ଟ ଆଦି ଯେଉଁସବୁ କଞ୍ଚାମାଲ ଦରକାର, ଓଡ଼ିଶାରେ ସେଗୁଡ଼ିକ ଯଥେଷ୍ଟ ପରିମାଣରେ ଅଛି ବା ଉତ୍ପାଦନ କରିବାର ସୁବିଧା ଅଛି । ଓଡ଼ିଶାରେ ଯେପରି ସୁବିଧା ଅଛି, ମୋ ମତରେ ଭାରତର ସବୁ ପ୍ରଦେଶ ଅପେକ୍ଷା ଅଧିକ ରାସ୍ତା ଓଡ଼ିଶାରେ ତିଆରି କରିହେବ । ପ୍ରତ୍ୟେକ ନଦୀ ଉପରେ ସୁନ୍ଦର ସୁନ୍ଦର ପୋଲ କରିହେବ । ପ୍ରଧାନ ପ୍ରଧାନ ରାସ୍ତାଗୁଡ଼ିକ ଅକ୍ଳେଶରେ କଂକ୍ରିଟ୍ ଓ ପିଚ୍ କରିହେବ । ଆମେ ଅରୁଣ ବାବୁଙ୍କୁ ଅନୁରୋଧ କରୁଛୁଁ, ସେ ଓଡ଼ିଶାର ଲୋକଙ୍କୁ ଏ ଦିଗରେ ସଜାଗ କରନ୍ତୁ, କେନ୍ଦ୍ରସରକାରଙ୍କ ଉପରେ ଓଡ଼ିଶାବାସୀମାନେ ବିଭିନ୍ନ ପ୍ରକାର ଚାପ ପକାନ୍ତୁ, ଯେପରି କି ଭାରତ ସରକାର ଏହି ବିରାଟ ଅସୁବିଧାକୁ ଦୂର କରିବା ପାଇଁ ଚେଷ୍ଟା କରିବେ ।

 

‘‘କିନ୍ତୁ ଆପଣ ଯାହା କହୁଛନ୍ତି ଡକ୍ଟର ମ୍ୟାକମିଲାନ, ମୁଁ ସେଥିରେ ଏକମତ । ଓଡ଼ିଶା ସରକାର ଓ ଓଡ଼ିଶା ଅଧିବାସୀମାନେ ଏ ଦିଗରେ କେନ୍ଦ୍ର ସରକାରଙ୍କଠାରେ ଚାପ ନ ଦେଲେ କିଛି ହେବନି । ଆମ ଦେଶର ଅବସ୍ଥା ବର୍ତ୍ତମାନ ଯାହା ହୋଇଛି, କଣ କହିବି ଆପଣଙ୍କୁ । ଚାପ ଦେଲେ କି କେନ୍ଦ୍ର ପାର୍ଲିଆମେଣ୍ଟରେ ପାଟି କଲେ କିଛି ଲାଭ ନାହିଁ । ଆପଣ ଯଦି ଓଡ଼ିଶାରେ ହରତାଳ କରନ୍ତି, ଓଡ଼ିଶା ବନ୍ଦ ପାଳନ କରନ୍ତି, ସରକାରୀ ଦପ୍ତର, ରେଳ ଷ୍ଟେସନ, ସରକାରୀ ବସ୍ ଉପରେ ଚଢ଼ାଉ କରି ରେଳ ଗାଡ଼ି ଅଫିସ, ବସ ଆଦି ପୋଡନ୍ତି, ତେବେ ଯାଇ କେନ୍ଦ୍ର ସରକାରଙ୍କର ନିଦ ଭାଙ୍ଗିବ । ସେତେବେଳେ ଯାଇ ସେମାନେ କିଛି ଗୋଟିଏ କାମ କରିବା ପାଇଁ ବାହାରିବେ । ଏ ସବୁ କିଛି ନ କଲା ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗେନି ।’’

 

‘‘ଗୋଟିଏ ରାଜ୍ୟର ଦାବୀକୁ ଉପସ୍ଥାପିତ କରିବାପାଇଁ ଏଭଳି ଭଙ୍ଗାରୁଜା କାମ ତ ଗଣତନ୍ତ୍ରର ବିଚାର ନୁହେଁ । ଆପଣଙ୍କର ପରା ଗଣତନ୍ତ୍ର ରାଷ୍ଟ୍ର, ପୁଣି ସମାଜବାଦୀ ଗଣତନ୍ତ୍ର । ଗୋଟିଏ ଅଞ୍ଚଳର ଲୋକଙ୍କ ଦାବୀ କେନ୍ଦ୍ରଠାରେ ପହଞ୍ଚିବାରେ ଏତେ ବିଳମ୍ବ ହେବାର ତ କିଛି କାରଣ ନାହିଁ ।’’ ମ୍ୟାକମିଲାନ କହିଲେ ।

 

‘‘ଆମ ରାଜ୍ୟରେ ଦୁର୍ବଳ ନେତୃତ୍ୱହିଁ ଏଥିପାଇଁ ଦାୟୀ । ଭାରତ ପାର୍ଲିଆମେଣ୍ଟରେ ଅଦ୍ଭୁତ ବିଚାର । କୌଣସି ରାଜ୍ୟର ନ୍ୟାଯ୍ୟ ଦାବୀ ପ୍ରତି କାହାରି ସମ୍ମାନ ନାହିଁ । ଯେଉଁ ରାଜ୍ୟ ଯେତେ ସବଳ, ସେ ଭାରତ ସରକାରଙ୍କଠାରୁ ସେତେ ମାରିନେବାକୁ ଚେଷ୍ଟିତ । ଓଡ଼ିଶା ଅନଗ୍ରସର ରାଜ୍ୟ ହୋଇ ଥିବାରୁ ଓ ଏଠାରେ ସବଳ ନେତୃତ୍ୱ ନ ଥିବାରୁ ଏହାର ନ୍ୟାଯ୍ୟ ଦାବୀକୁ କେହି ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି । ଭାରତ ସ୍ୱାଧୀନ ହେବା ଦିନଠାରୁ ଓଡ଼ିଶାର ଲୋକେ ପାଟି କରି ଆସୁଛନ୍ତି । ଶୁଣୁଛି କିଏ ? ଧ୍ୱଂସମୂଳକ କାର୍ଯ୍ୟ ନ କଲା ପର୍ଯ୍ୟନ୍ତ କାହାରି ଆଖି ଏ ରାଜ୍ୟ ଆଡକୁ ପଡ଼ିବନି । ଆମ ଦେଶ ସ୍ୱାଧୀନ ହୋଇଛି ସିନା, ଲୋକେ ଯଦି ସେମାନଙ୍କର ସ୍ୱାର୍ଥପର ମନୋଭାବ ନ ଛାଡ଼ନ୍ତି ଓ ଯାହାର ଯାହା ଆବଶ୍ୟକ, ତା ନ ଦିଅନ୍ତି, ଅନୁନ୍ନତ ରାଜ୍ୟଗୁଡିକୁ ଅନୁନ୍ନତ ରଖି ଅନ୍ୟମାନେ ଉନ୍ନତ ହେବାକୁ ଚେଷ୍ଟା କରନ୍ତି, ତେବେ ନାନାପ୍ରକାର ଗୃହବିପ୍ଳବ, ରାଜ୍ୟବିପ୍ଳବ ଦେଖାଯିବା ସମ୍ଭାବନା । ହଣାକଟା ମରାମରି ହିଁ ସାରହେବ ପରିଶେଷରେ ।’’

 

‘‘ବଡ଼ବିଚିତ୍ର ରାଜ୍ୟ ଆପଣମାନଙ୍କର ?’’ ମେମ୍ବରମାନେ ଉପହାସ ଛଳରେ ହସି ଉଠିଲେ । ‘‘ଗଠନମୂଳକ କାର୍ଯ୍ୟ କରିବାକୁ ହେଲେ ଆଗ ଧ୍ୱଂସ ମୂଳକ କାର୍ଯ୍ୟ କରିବାକୁ ପଡ଼ିବ ? ଏ କି ରୀତି ? ଗୋଦଡ଼ା କୋଡ଼େ ଯେତିକି; ମାଡ଼େ ସେତିକି, ଏହା କ’ଣ ଆପଣମାନେ ଜାଣନ୍ତି ନି-? ତେଣୁ ଦେଶର ପ୍ରଗତି ହେବ କୁଆଡ଼ୁ ?’’ ଉପହାସପୂର୍ଣ୍ଣ ଗୁଣୁଗୁଣୁ ଶବ୍ଦରେ ମାର୍ବଲ ବକ୍ଷ ମୁଖରିତ ହୋଇଉଠିଲା ।

 

କିଛି ସମୟ ପରେ ଶିଳ୍ପ ବିଶେଷଜ୍ଞ ଡକ୍ଟର ମାନ୍‍ଲେ ଉଠି କହିଲେ ।

 

‘‘ଓଡ଼ିଶାର ଶ୍ରମିକ ଓ ଟେକ୍‍ନିସିଆନ୍ ସମ୍ବନ୍ଧରେ ଆମ୍ଭମାନଙ୍କୁ କିଛି ଖବର ଦେବାପାଇଁ ଆମେ ଅରୁଣ ବାବୁଙ୍କୁ ଅନୁରୋଧ କରିପାରୁଁ କି ?’’

 

‘‘ଓଡ଼ିଶାରେ ଶିଳ୍ପ ଉନ୍ନୟନ ପାଇଁ ଯେଉଁ ଶ୍ରମିକ ଦରକାର ହେବେ, ସେହି ଶ୍ରମିକର ଅଭାବ ଓଡ଼ିଶାରେ ନାହିଁ ।’’ ଅରୁଣବାବୁ କହିବାକୁ ଲାଗିଲେ, ‘‘ଆମ ରାଷ୍ଟ୍ରରେ ବେକାର ସମସ୍ୟା ଅତି ଉତ୍କଟ । ବନ୍ୟା, ଦୁର୍ଭିକ୍ଷର ଦାଉରୁ ଲକ୍ଷ ଲକ୍ଷ ଲୋକ ଗାଁଗଣ୍ଡା ଛାଡ଼ି ସୁଦୂର କଲିକତା, ଜାମସେଦପୁର, ରେଙ୍ଗୁନ, ବୋମ୍ବେ ଆଦି ଶିଳ୍ପାଞ୍ଚଳକୁ ଯାଇ ସାଧାରଣ ଶ୍ରମିକ ଭାବରେ କାମ କରନ୍ତି । ଆମ ଦେଶରେ ସେପରି କୌଣସି ଶିଳ୍ପ କାରଖାନା ନ ଥିବାରୁ ସେମାନେ ଦୂରଦୂରାନ୍ତକୁ ଯିବାକୁ ବାଧ୍ୟ ହୁଅନ୍ତି । ଯଦି ଆମ ଦେଶରେ ଶିଳ୍ପ ପ୍ରତିଷ୍ଠାନ ଗଢ଼ାଯାଇ ପାରନ୍ତା, ତେବେ ସେମାନେ ଅତି ଖୁସିରେ ଓଡ଼ିଶାରେ କାମ କରନ୍ତେ ।’’

 

‘‘ଆପଣମାନେ ଯେଉଁ ଟେକ୍‍ନିସିଆନ କଥା କହୁଛନ୍ତି, ଓଡ଼ିଶାରେ ବର୍ତ୍ତମାନ ତହିଁର ବିରାଟ ଅଭାବ ରହିଛି । ବିଜ୍ଞାନ ଶିକ୍ଷା, ଇଞ୍ଜିନିଅରିଂ ଶିକ୍ଷା ଓ ଟେକ୍‍ନୋଲଜି ଶିକ୍ଷାର ପ୍ରସାର ନ କଲେ, ଓଡ଼ିଶାର ଶିଳ୍ପ ଉନ୍ନୟନରେ ଏହା ଏକ ପ୍ରଧାନ ପ୍ରତିବନ୍ଧକ ହୋଇ ଠିଆ ହେବ ବୋଲି ଓଡ଼ିଶା ସରକାର ଏବେ ସେହି କଥା ଉପଲବ୍‍ଧି କରି ଦେଶର ବିଜ୍ଞାନ ତଥା ଇଞ୍ଜିନିୟରିଂ ଶିକ୍ଷାର ଅଭିବୃଦ୍ଧିରେ ଲାଗିପଡ଼ିଛନ୍ତି । ସରକାର ତଥା ଜନସାଧାରଣଙ୍କ ସହଯୋଗରେ ଓଡ଼ିଶାର ବଡ଼ ବଡ଼ ସବ୍‍ଡ଼ିଭିଜନରେ ବିଜ୍ଞାନ କଲେଜମାନ ଖୋଲାଯିବାର ଚେଷ୍ଟା ଚାଲିଲାଣି । ପ୍ରତ୍ୟେକ କଲେଜରୁ ଯେପରି ପ୍ରତିବର୍ଷ ବହୁ ବିଜ୍ଞାନ ଶିକ୍ଷା ପାଇଥିବା ଯୁବକ ଯୁବତୀ ବାହାରନ୍ତି, ସେଥିପ୍ରତି ନଜର ଦିଆଯାଉଛି ।

 

‘‘ଦେଶର ବିଭିନ୍ନ ସ୍ଥାନରେ ଇଞ୍ଜିନିଅରିଂ କଲେଜ ଓ ସ୍କୁଲ ବସା ଯାଇ ଇଞ୍ଜିନିଅର ଓ ଟେକ୍‍ନିସିଆନମାନଙ୍କ ସଂଖ୍ୟା ବୃଦ୍ଧିପାଇଁ ସରକାର ବଡ଼ ଉଦ୍‍ବିଗ୍ନ । ଓଡ଼ିଶାର ବିଭିନ୍ନ ସ୍ଥାନରେ ପଲିଟେକ୍‍ନିକ ସ୍କୁଲ ଓ ଟେକ୍‍ନିସିଆନ ଟ୍ରେନିଂ କେନ୍ଦ୍ର ଖୋଲି ଦେଶର ଏହି ବିରାଟ ଅଭାବକୁ ଦୂର କରିବାପାଇଁ ସରକାର ଦୃଢ଼ପ୍ରତିଜ୍ଞା । ଆପଣମାନେ ନିଶ୍ଚିନ୍ତ ହୁଅନ୍ତୁ । ଆଉ ପାଞ୍ଚବର୍ଷ ଭିତରେ ଓଡ଼ିଶାରେ କୌଣସି ଶିଳ୍ପ କାରଖାନା ପାଇଁ ଇଞ୍ଜିନିଅର ବା ଟେକ୍‍ନିସିଆନ୍‍ମାନଙ୍କର ଅଭାବ ରହିବନି ।’’

 

ଅରୁଣ ନିଜ ବକ୍ତବ୍ୟ ଶେଷ କରିଛନ୍ତି କି ନାହିଁ, ଶିଳ୍ପପତିଙ୍କ ବାରମିଙ୍ଗ୍‍ହାମ୍ ଲୁହା ଓ ଇସ୍ପାତ କାରଖାନାର ଜେନେରାଲ ମେନେଜର ମିଷ୍ଟର ସ୍ମିଥ୍ ଉଠି ଠିଆହୋଇ ଆରମ୍ଭ କଲେ,

 

‘‘ଯେ କୌଣସ ଶିଳ୍ପ କାରଖାନାର ଉତ୍କର୍ଷ ସାଧନ ପାଇଁ ସର୍ବପ୍ରଥମ ଲୋଡ଼ା ଶିଳ୍ପ ଗବେଷଣା । ଶିଳ୍ପ ଗବେଷଣା ନହେଲେ ଦେଶର ସବୁ କଞ୍ଚାମାଲକୁ ଉପଯୁକ୍ତ ଭାବରେ ବିନିଯୋଗ କରି ହେବନି । ଏହି ବିନିଯୋଗ କରିବାର ଉପଯୁକ୍ତ ପଥ ଦେଖାଇବ ଶିଳ୍ପ ଗବେଷଣା । ଦିନକୁଦିନ ଶିଳ୍ପଜାତ ଦ୍ରବ୍ୟ ବଜାରରେ କିପରି ଶସ୍ତା ଓ ଉତ୍କୃଷ୍ଣ ହେବ ଏବଂ ଅନ୍ୟାନ୍ୟ ଦେଶୀ, ବିଦେଶୀ ପ୍ରତିଯୋଗିତାକାରୀଙ୍କୁ ବଜାରରୁ କିପରି ହଟାଇ ପାରିବ, ସେଥିପାଇଁ ଏକାନ୍ତ ଲୋଡ଼ା ଶିଳ୍ପ ଗବେଷଣା । ଏଥି ନିମିତ୍ତ ପ୍ରତ୍ୟେକ ଶିଳ୍ପ କାରଖାନା ନିଜ ନିଜର ଗବେଷଣାନୁଷ୍ଠାନ ପ୍ରତିଷ୍ଠା କରିବା ଉଚିତ ଓ ସେମାନଙ୍କୁ ଉଚ୍ଚ ଶ୍ରେଣୀର ଗବେଷକ ଯୋଗାଇବା ଦେଶର ବଡ଼ ବଡ଼ କର୍ତ୍ତବ୍ୟ ଭିତରୁ ଗୋଟିଏ । ତେବେ ଏ ଦିଗରେ ଓଡ଼ିଶା କେତେଦୂର ସାହାଯ୍ୟ କରିପାରିବ, ଆମ୍ଭମାନଙ୍କର ଜାଣିବା ଉଚିତ ।’’

 

ମିଷ୍ଟର ସ୍ମିଥ୍ ତାଙ୍କ ବକ୍ତବ୍ୟ ଶେଷ କରିଛନ୍ତି କି ନାହିଁ, ଅରୁଣ ଉଠି କହିଲେ, ‘‘ବିଜ୍ଞାନରେ ଉଚ୍ଚତମ ଡିଗ୍ରୀ ହାସଲ କରିଥିବା ଓଡ଼ିଶାର ଯୁବକ ଯୁବତୀମାନେ ସେମାନଙ୍କ ଦିବ୍ୟଦୃଷ୍ଟି ବା ବୈଜ୍ଞାନିକ ବୁଦ୍ଧିମତ୍ତାରେ ଭାରତର କୌଣସି ପ୍ରଦେଶର ଯୁବକ ଯୁବତୀମାନଙ୍କଠାରୁ ହୀନ ନୁହନ୍ତି । ସୁବିଧା ପାଇଲେ ସେମାନେ ଆପଣମାନଙ୍କ ଦେଶ ସହିତ ମଧ୍ୟ ଟକ୍‍କର ଦେଇ ପାରନ୍ତି । ତେଣୁ ମୋର ବିଶ୍ୱାସ, ଆମର ଶିଳ୍ପ ଗବେଷଣା କେନ୍ଦ୍ରରେ ସେମାନେ ଖୁବ୍ କୃତିତ୍ୱର ସହିତ ନିଜ ଦକ୍ଷତା ଦେଖାଇ ପାରିବେ । ସେଥିପାଇଁ ଆପଣମାନେ ପ୍ରଥମରୁ ନିଶ୍ଚିନ୍ତ ରୁହନ୍ତୁ । ଦେଶର ପ୍ରାକୃତିକ ସମ୍ପଦକୁ ଯଥାର୍ଥ ବିନିଯୋଗ କରିବା ଦିଗରେ ଗବେଷଣା ଚଳାଇବାପାଇଁ କେନ୍ଦ୍ର ସରକାର ଓଡ଼ିଶାରେ ଏକ ଆଞ୍ଚଳିକ ଗବେଷଣାଗାର ପ୍ରତିଷ୍ଠା କରିବାକୁ ଚିନ୍ତା କରୁଛନ୍ତି ।

 

‘‘କୌଣସି ଦେଶର ଯାନ୍ତ୍ରିକ ଶିଳ୍ପରେ ଯେତେ ଉତ୍କର୍ଷ ସାଧିତ ହେଲେ ମଧ୍ୟ ପ୍ରତ୍ୟେକ ଦେଶ ପକ୍ଷରେ କୁଟୀରଶିଳ୍ପର ଆବଶ୍ୟକତା ଯେ କିଛି ନା କିଛି ଥାଏ, ଏହା କେହି ଅସ୍ୱୀକାର କରିବେନି ।’’ ବୈଜ୍ଞାନିକ ବାରକର ଉଠି କହିବାକୁ ଲାଗିଲେ, ‘‘ଯୁକ୍ତରାଷ୍ଟ୍ର, ଇଂଲଣ୍ଡ, ଫ୍ରାନସ,ଋଷିଆ ବିଶେଷତଃ ଜାପାନ ପ୍ରଭୃତି ଶିଳ୍ପପ୍ରଧାନ ଦେଶରେ କୁଟୀରଶିଳ୍ପର ପ୍ରଚଳନ ଯେ ନାହିଁ, ତା ନୁହେଁ । ପୃଥିବୀର ଅନ୍ୟାନ୍ୟ ଦେଶ ଅପେକ୍ଷା ଜାପାନରେ ଏହି କୁଟୀରଶିଳ୍ପର ପ୍ରସାର ସର୍ବାଧିକ । ପୁନଶ୍ଚ ଦେଶର ଚାରୁକଳା, କୃଷ୍ଟି, ସ୍ଥାପତ୍ୟ ଆଦିର ବିକାଶ ଓ ଚର୍ଚ୍ଚା ଏହି କୁଟୀରଶିଳ୍ପ ମାଧ୍ୟମରେହିଁ ସାଧାରଣତଃ ହୋଇଥାଏ । ଯାନ୍ତ୍ରିକ ଶିଳ୍ପର ସାହାଯ୍ୟ ଓ ସୁବିଧା ନେଇ କୁଟୀରଶିଳ୍ପ ଅଧିକ ଉନ୍ନତ ହୁଏ । ଓଡ଼ିଶାରେ ଯାନ୍ତ୍ରିକ ଶିଳ୍ପ ସଙ୍ଗେ ସଙ୍ଗେ କୁଟୀରଶିଳ୍ପର ପ୍ରସାର ମଧ୍ୟ ହେବା ଉଚିତ । ଏହାଦ୍ୱାରା ଦେଶର ହଜାର ହଜାର ବର୍ଷର ପୁରୁଷାନୁକ୍ରମିକ କଳାଚର୍ଚ୍ଚାର ବିକାଶ ଓ ଉନ୍ନତି ହୁଏ ଓ କାରିଗରର ସୁକ୍ଷ୍ମ ତୂଳି ବା ସୂଚୀମୁନରେ ଅତି ସୁନ୍ଦର ସୁନ୍ଦର ପଦାର୍ଥ ସୃଷ୍ଟିଲାଭ କରେ, ଯା'ର ଆଦର ଲୋକମାନଙ୍କ ଭିତରେ ହୁଏ ବେଶୀ । ଦ୍ୱିତୀୟତଃ ବହୁ ଲୋକଙ୍କୁ ଜୀବିକା ନିର୍ବାହର ସୁବିଧା ଦିଆଯାଏ ଏହି କୁଟୀରଶିଳ୍ପ ଜରିଆରେ । ତେବେ ଓଡ଼ିଶାରେ ଏ ଦିଗରେ କି କି ସୁବିଧା ଅଛି, ଆମ୍ଭମାନଙ୍କର ଜାଣିବା ସର୍ବାଦୌ ଦରକାର ।’’

 

ବୈଜ୍ଞାନିକ ବାରକରଙ୍କ ପ୍ରଶ୍ନ ଶୁଣି ଅରୁଣ ହସି ହସି କହିଲେ, ‘‘ଆପଣମାନେ ହୁଏତ ଜାଣିନାହାନ୍ତି, ମୋ ରାଜ୍ୟ ଓଡ଼ିଶାର ଅନ୍ୟତମ ନାମ ହେଉଛି ଉତ୍କଳ; ଅର୍ଥାତ୍ ଉତ୍କୃଷ୍ଟ କଳା ଯା’ର ଅଛି । ଓଡ଼ିଶାରେ ଚାରୁକଳା ଓ ସ୍ଥାପତ୍ୟର ଚର୍ଚ୍ଚା ବେଶି ଥିବାରୁ ଓ ବହୁ ଲୋକ ସେମାନଙ୍କ ବଂଶ ପରମ୍ପରା ଦୃଷ୍ଟିରୁ ପୁରୁଷାନୁକ୍ରମିକ ଭାବରେ ଏହି ଚର୍ଚ୍ଚା କରି ଆସୁଥିବାରୁ ଓଡ଼ିଶାରେ ସେ ସବୁର ଅଭାବ ହେବ ଆଶା କରିବା ଅନୁଚିତ । ଏହି ଚର୍ଚ୍ଚା ଓଡ଼ିଶାର ବିଭିନ୍ନ ସ୍ଥାନରେ କୁଟୀରଶିଳ୍ପ ଭାବରେ ପ୍ରଚଳିତ ଥିବାରୁ ଯାନ୍ତ୍ରିକ ଶିଳ୍ପର ପ୍ରସାର ସଙ୍ଗେ ସଙ୍ଗେ କୁଟୀରଶିଳ୍ପ ଯେ ଆହୁରି ଉନ୍ନତିଲାଭ କରିବ, ଏ ସମ୍ବନ୍ଧରେ ଆପଣମାନେ ନିଶ୍ଚିନ୍ତ ହେବା ଉଚିତ ।’’

 

ଏହି ସମୟରେ ଶିଳ୍ପପତି ମାଇକେଲସନ ଉଠି କହିଲେ, ‘‘ଅରୁଣ ଯାହା କହୁଛନ୍ତି, ତାହା ବାସ୍ତବିକ ଠିକ୍ । ମୁଁ ୧୯୩୭ ମସିହାରେ ଓଡ଼ିଶା ଯିବାର ସୌଭାଗ୍ୟ ଅର୍ଜ୍ଜନ କରିଥିଲି । ଓଡ଼ିଶାର କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ ବାସ୍ତବିକ କଳ୍ପନାତୀତ । ସେଠାରେ କୁଟୀରଶିଳ୍ପ ଭାବରେ ଯେଉଁ ଅସାଧାରଣ କଳା ଚର୍ଚ୍ଚା ଚାଲିଛି, ତାହା ବର୍ଣ୍ଣନାତୀତ । ଓଡ଼ିଶାରେ ଉତ୍ପାଦିତ ସେ ସବୁ ପଦାର୍ଥ ଆମ ଏଠାରେ ବି ବେଶ୍ ଲୋକପ୍ରିୟ ହୋଇପାରିଛି । ଆପଣମାନେ ମୋ ଘରେ ଓଡ଼ିଶାର ସେହି ଶ୍ରେଷ୍ଠ ଚାରୁକଳାର ନାନା ନିଦର୍ଶନ ପାଇପାରିବେ ।’’

 

ଶିଳ୍ପପତିଙ୍କ ଅର୍ଥ ପରାମର୍ଶଦାତା ଡକ୍ଟର ପିଅରସନ ଉଠି ବିଶେଷ ଚିନ୍ତାର ସହିତ ଆରମ୍ଭ କଲେ, ‘‘ଶିଳ୍ପ ଉନ୍ନୟନ ପାଇଁ ପ୍ରଧାନତଃ ଲୋଡ଼ା ବଜାର । ଶିଳ୍ପଜାତ ଦ୍ରବ୍ୟର ଯଦି ଉପଯୁକ୍ତ ବଜାର ନଥାଏ, ତେବେ ସେଗୁଡ଼ିକ ଯଥାର୍ଥ ଭାବରେ ବିକ୍ରୟ ହୋଇପାରେନି, ଫଳରେ ଶିଳ୍ପ କାରଖାନାର ଅଶେଷ କ୍ଷତି ଘଟେ । ତେଣୁ ଓଡ଼ିଶା ଓ ଓଡ଼ିଶା ବାହାରେ ବିଭିନ୍ନ ଶିଳ୍ପଜାତ ଦ୍ରବ୍ୟର ବଜାର କିପରି, ତାହା ଅରୁଣବାବୁ ଆମ୍ଭମାନଙ୍କୁ ଜଣାଇବେ କି ?’’

 

‘‘ଓଡ଼ିଶାରେ ଯେଉଁ ସବୁ ଶିଳ୍ପଜାତ ପଦାର୍ଥ ଉତ୍ପାଦିତ ହେବ ସେଗୁଡ଼ିକର ପ୍ରଧାନ ବଜାର ହେବ ଭାରତର ଅନ୍ୟାନ୍ୟ ପ୍ରଦେଶ ଓ ପାକିସ୍ଥାନ, ସିଂହଳ, ବର୍ମ୍ମା, ଶ୍ୟାମ, ସୁଦୁର ଓ ମଧ୍ୟପ୍ରାଚ୍ୟ ପ୍ରଭୁତିର ଦେଶ ସମୂହ । ଏହି ଦେଶଗୁଡ଼ିକ ବିଜ୍ଞାନରେ ବିଶେଷ ଉନ୍ନତ ନ ଥିବାରୁ ଓଡ଼ିଶାରୁ ନାନା ଶିଳ୍ପଜାତ ଦ୍ରବ୍ୟର ଅବାଧ ବିକ୍ରି ଏହିସବୁ ଦେଶରେ ଚାଲିବ । ଆମ ପ୍ରଦେଶ ନିକଟରେ ଭାରତର ପ୍ରଧାନ ବାଣିଜ୍ୟ ପେଣ୍ଠସ୍ଥଳୀ କଲିକତା ନଗରୀ ଥିବାରୁ ଆମର ଶିଳ୍ପଜାତ ପଦାର୍ଥର ବିକ୍ରୟରେ କିଛି ଅସୁବିଧା ହେବନି ବୋଲି ଆଶା ଏତଦ୍‍ବ୍ୟତୀତ ଧୀରେ ଧୀରେ ଓଡ଼ିଶାର ଲୋକଙ୍କର ଅର୍ଥନୈତିକ ଦୁର୍ଗତି ଦୁର ହେଲେ ସେମାନଙ୍କ କ୍ରୟ କ୍ଷମତା ମଧ୍ୟ ବଢ଼ିଯିବ, ଫଳରେ ଓଡ଼ିଶାରେ ସେଗୁଡ଼ିକ ମଧ୍ୟ ବହୁଳ ପରିମାଣରେ ବିକ୍ରୀ ହେବ ।’’

 

ଅରୁଣକୁମାରଙ୍କର ବିଶେଷଜ୍ଞମାନଙ୍କ ସହିତ ଖୁବ୍ ଦକ୍ଷତାର ସହିତ ଆଲୋଚନା ଦେଖି ଶିଳ୍ପସମ୍ରାଟ ମାଇକେଲସନ ଅତି ଖୁସି ହୋଇଗଲେ । ସେ ଆଲୋଚନାରେ ଭାଗ ନେଇ କହିଲେ, ‘‘ଯୁବକ ଅରୁଣଙ୍କର ଆପଣମାନଙ୍କ ସହିତ ଆଲୋଚନା ମୋ ମନକୁ ବେଶ୍ ପାଇଛି । ଅପଣମାନଙ୍କର ଆଉ ଯେଉଁ ଯେଉଁ ବିଷୟ ଜାଣିବା ଦରକାର, ତାହା ପରେ ଅରୁଣଙ୍କ ପାଖରୁ ନେଇ ପାରନ୍ତି । ଏହି ଆଲୋଚନାରୁ ଯୁବକ ଅରୁଣଙ୍କର ଶିଳ୍ପ ପ୍ରତିଷ୍ଠା ଦିଗରେ ଅଗାଧ ଦିବ୍ୟଦୃଷ୍ଟି ଥିଲା ଭଳି ମୋର ମନେ ହେଉଛି । ମୁଁ ଆଶା କରୁଛି, ଭବିଷ୍ୟତରେ ସେ ଜଣେ ଦକ୍ଷ ଶିଳ୍ପପତି ହୋଇ ବାହାରିବେ । ଶିଳ୍ପ ପରିଚାଳନାରେ ଦକ୍ଷତା ନ ଥାଇ ମଧ୍ୟ ଆଜି ସେ ଯେପରି ଭାବରେ ଆପଣମାନଙ୍କ ପ୍ରଶ୍ନର ଯଥାଯଥ ଉତ୍ତର ଦେଲେ, ତାହା ମୋତେ କମ୍ ବିସ୍ମୟ କରିନି । ତେବେ ଏହି ଆଲୋଚନା ଶେଷ କରିବା ପୂର୍ବରୁ ମୁଁ ଅରୁଣଙ୍କୁ ଅନୁରୋଧ କରୁଛି, ଓଡ଼ିଶାରେ ଏପର୍ଯ୍ୟନ୍ତ କି କି ଶିଳ୍ପ କାରଖାନା ପ୍ରତିଷ୍ଠିତ ହେଲାଣି, ତହିଁର ଏକ ସଂକ୍ଷିପ୍ତ ବିବରଣୀ ଏଠାରେ ଦିଅନ୍ତୁ ।’’

 

ଶିଳ୍ପପତି ଯେତେବେଳେ ସମସ୍ତଙ୍କ ସମ୍ମୁଖରେ ଅରୁଣଙ୍କର ପ୍ରଶଂସା କରୁଥିଲେ, ସେହି ଆଲୋଚନା କକ୍ଷରେ ଯଦି କିଏ ସବୁଠାରୁ ଅଧିକ ଖୁସି ହୋଇଥାଏ, ତେବେ ସେ ହେଉଛି ତାଙ୍କର ଏକମାତ୍ର ଦୁଲାଳୀ ଆଭା । ପିତା ଅରୁଣଙ୍କୁ ପ୍ରଶଂସା କରୁଥିଲାବେଳେ ଆଭା କଲମରେ ଅରୁଣଙ୍କୁ ଖୁଞ୍ଚିଦେଇ ପିତାଙ୍କ କଥା ଆଡ଼କୁ ଅରୁଣଙ୍କର ଦୃଷ୍ଟି ବାରମ୍ବାର ଆକର୍ଷଣ କରୁଥିଲା ।

 

ଶିଳ୍ପପତିଙ୍କ ପ୍ରଶ୍ନର ଉତ୍ତର ଦେବାପାଇଁ ସଂପୃକ୍ତ ବିଷୟ ଥିବା ଫାଇଲ ଖୋଜୁଁ ଖୋଜୁଁ ବଡ଼ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ ଅରୁଣ । ସେ ଫାଇଲଟାକୁ ଖୋଜିବାପାଇଁ ଆଭାକୁ ଇଙ୍ଗିତ ଦେଇ ନିଜେ ଖୋଜିବାକୁ ଲାଗିଲେ । ଆଭା ନ ଖୋଜି, ଅନ୍ୟ ଆଡ଼କୁ ଅନାଇ ବସିରହିଲା । ଫାଇଲ ନ ପାଇ ଅରୁଣ ବିରକ୍ତ ହୋଇ ଫୁସଫୁସ ହୋଇ କହିଲେ, ‘‘କ’ଣ, ଖେଳ ଲାଗିଛି ଆଭା ? ମୋତେ ଅପଦସ୍ଥ କରିବା କ’ଣ ତୁମର ଇଚ୍ଛା ?’’

 

‘‘ତୁମେ ଯେଉଁ ପ୍ରଶଂସା ପାଉଛ, ‘‘ସେଥିରୁ କ’ଣ ମୋତେ ଭାଗ ଦେଉଛ ଯେ ମୁଁ ତୁମପାଇଁ ଲାଗିପଡ଼ି ଫାଇଲ ଖୋଜିବି ? ପ୍ରଶଂସା ନେଲାବେଳକୁ ଆଗ, ଆଉ ଅପଦସ୍ଥ ହେବାକୁ ଏତେ ପଶ୍ଚାତ୍‍ପଦ କାହିଁକି ?’’

 

‘‘ମୋ ରାଣ ଆଭା, ଟିକିଏ ଭଲା ଖୋଜ ମୋପାଇଁ । ତୁମ ବାପା ଓ ଅନ୍ୟମାନେ ସେଠି ବସି କ'ଣ ଭାବୁଥିବେ କୁହ ତ ?’’

 

‘‘ମୁଁ ସେଥିପାଇଁ କ’ଣ କରିବି ଅରୁଣ ’’

 

‘‘ମୋ ରାଣ ଆଭା, ମୋ ରାଣ ।’’

 

‘‘ଆଲୋଚନା ପରେ ମୁଁ ଯା କହିବି, ସେଥିରେ ରାଜି ହେବ ତ କୁହ, ମୁଁ ତୁମ ଫାଇଲ ଖୋଜି ଦେବି ।’’

 

‘‘ହେଉ ବାବା ହେଉ, ମୁଁ ରାଜି ହେବି ।’’

 

‘‘ପ୍ରତିଜ୍ଞା କରୁଛ ।’’

 

‘‘ହଁ, ହଁ, ପ୍ରତିଜ୍ଞା କରୁଛି । ଏବେ ଖୋଜ ଭଲା ।’’

 

‘‘ହେଉ, ନିଅ ତୁମ ଫାଇଲ । ଏଇଠି ଥିଲା ପାଉ ନଥିଲ ?’’ ଏତକ କହି ଆଭା ଫାଇଲଟାକୁ ଅରୁଣଙ୍କ ହାତକୁ ବଢ଼ାଇଦେଲା ।

 

ଅରୁଣ ତରତରରେ ଫାଇଲଟାକୁ ଖୋଲି କହିବାକୁ ଆରମ୍ଭ କଲେ :-

 

‘‘ଓଡ଼ିଶାରେ ସାମାନ୍ୟ କେଇଗୋଟି ଶିଳ୍ପ କାରଖାନା ଛଡ଼ା ବେଶି କିଛି ଶିଳ୍ପ କାରଖାନା ଏ ପର୍ଯ୍ୟନ୍ତ ପ୍ରତିଷ୍ଠିତ ହୋଇପାରିନି । ସେଥି ମଧ୍ୟରେ ଏକ ପ୍ରଧାନ ଶିଳ୍ପ କାରଖାନା ହେଉଛି ସମ୍ବଲପୁରର ବ୍ରଜରାଜନଗରଠାରେ ବିରଳା କୋମ୍ପାନୀ ଦ୍ୱାରା ପ୍ରତିଷ୍ଠିତ ଓରିଏଣ୍ଟ କାଗଜ କଳ । ଏହା ବର୍ତ୍ତମାନ କାଗଜ, ପିଚବୋର୍ଡ ଓ ଅନ୍ୟାନ୍ୟ କେତେ ପ୍ରକାର କାଗଜ ତିଆରି କରୁଛି। ଏଠାରେ କାଗଜ ତିଆରି ହୁଏ ସାଧାରଣତଃ ବାଉଁଶରୁ । ୧୯୪୫ ମସିହାରେ ଏଠାକାର କାଗଜ ଉତ୍ପାଦନ ଥିଲା ଦିନକୁ ପ୍ରାୟ ଶହେ ଟନ୍ । କାରଖାନାର ମାଲିକମାନେ ମଧ୍ୟ ଏଠାରେ ଗୋଟିଏ ପେନ୍‍ସିଲ କାରଖାନା ବସାଇଥିଲେ । ପେନ୍‍ସିଲ ତିଆରି ପାଇଁ ପ୍ରଧାନ କଞ୍ଚାମାଲ ଗ୍ରାଫାଇଟ ଓଡ଼ିଶାରେ ମିଳୁଥିଲେହେଁ ଏହା ଓଡ଼ିଶାରେ ଶୋଧିତ ହେଉନଥିବାରୁ ଓରିଏଣ୍ଟ କାଗଜ କଳ କଲିକତାରୁ ଗ୍ରାଫାଇଟ ଆଣି କାମରେ ଲଗାଉଥିଲା । ପେନ୍‍ସିଲ ତିଆରି ପାଇଁ ଯେଉଁ ନରମ କାଠ ଓ ନରମ ମାଟି ଦରକାର, ତାହା ଯଥାକ୍ରମେ ବେଲୁଚିସ୍ଥାନ ଓ ମହୀଶୁରରୁ ଆସୁଥିଲା । କିନ୍ତୁ ଏହି ପେନ୍‍ସିଲ କାରଖାନା ବିଶେଷ ଲାଭଜନକ ନ ହେବାରୁ ଏହା ଉଠାଇ ଦିଆଗଲାଣି । ଏତଦ୍‍ବ୍ୟତୀତ କୋମ୍ପାନୀର କର୍ମକର୍ତ୍ତାମାନେ ଏହି କାଗଜକଳ ନିକଟରେ ଗୋଟିଏ କୃତ୍ରିମ ସିଲ୍‍କ କାରଖାନା ବସାଇବା ପାଇଁ ଏକ ସମୟରେ ମନସ୍ଥ କରିଥିଲେ । ତେବେ ସେମାନେ ଏ ଦିଗରେ କେତେଦୂର ଆଗେଇଛନ୍ତି, ଜଣା ଯାଇନି । ଯେତେଦୂର ସମ୍ଭବ, ସେମାନେ ଏ ଦିଗରେ କିଛି କରି ନାହାନ୍ତି ସେଠାରେ ।’’

 

‘‘ତା ତଳକୁ ହେଉଛି କଟକ ସହର ନିକଟବର୍ତ୍ତୀ ଚଉଦୁଆରଠାରେ ଥିବା ଏକ ସୁତା ଓ ଲୁଗା କଳ । ଏହା ଓଡ଼ିଶା ଟେକ୍‍ସଟାଇଲସ୍ ନାମରେ ପରିଚିତ । ଏହା ଓଡ଼ିଶା ବାହାରୁ ତୁଳା ଆମଦାନୀ କରି ସେହି ତୁଳାରୁ ସୂତା ଓ ଲୁଗା ତିଆରି କରେ । ଆମ ଦେଶରେ ଯେଉଁ କପା ଉତ୍ପାଦିତ ହୁଏ, ତାହା ଆମର ଚାହିଦା ଅନୁସାରେ କିଛି ନୁହେଁ । ତେଣୁ ଏହି କାରଖାନା ପାଇଁ ଆମକୁ ବାହାରୁ ଯଥେଷ୍ଟ କପା ଆମଦାନୀ କରିବାକୁ ପଡ଼େ । ଏଠାରେ ଯାହା ସୂତା ଓ ଲୁଗା ଆମଦାନୀ ହୁଏ, ତାହା ସମୁଦ୍ରକୁ ଶଙ୍ଖେ ପଣାପରି ଓ ଓଡ଼ିଶାର ବିରାଟ ଚାହିଦା ଦୃଷ୍ଟିରୁ କିଛି ନୁହେଁ-। ତେଣୁ ଆମକୁ ମଧ୍ୟ ବାହାରୁ ଯଥେଷ୍ଟ ପରିମାଣରେ ସୂତା ଓ ଲୁଗା ଆମଦାନୀ କରିବାକୁ ପଡ଼େ ।’’

 

‘‘ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରଠାରେ ଡାଲମିଆ କୋମ୍ପାନୀ ଗୋଟିଏ ସିମେଣ୍ଟ କାରଖାନା ବସାଇଛନ୍ତି । ଏହି କାରଖାନାର ଅତି ନିକଟରେ ସିମେଣ୍ଟ ପାଇଁ ଦରକାର ହେଉଥିବା ଯାବତୀୟ କଞ୍ଚାମାଲ ଯଥେଷ୍ଟ ପରିମାଣରେ ମିଳୁଥିବାରୁ ଓ ଏହା ରେଳଷ୍ଟେସନ ପାଖରେ ଅବସ୍ଥିତ ଥିବାରୁ ସିମେଣ୍ଟ ଉତ୍ପାଦନ ପାଇଁ ଏହା ଏକ ପ୍ରକୃଷ୍ଟ ସ୍ଥାନ ।’’

 

‘‘କଟକ ଜିଲ୍ଲାର ବାରଙ୍ଗଠାରେ ଓଡ଼ିଶାର ଏକମାତ୍ର କାଚ କାରଖାନା 'ଶ୍ରୀ ଦୁର୍ଗା କାଚ କାରଖାନା' ଅବସ୍ଥିତ । ଏହି କାରଖାନାଟି ଭାରତର ବଡ଼ ବଡ଼ କାଚ କାରଖାନା ତୁଳନାରେ ଛୋଟ ଓ ଏଠାରେ ଉତ୍ପାଦନ ମଧ୍ୟ କମ୍ । ନାନା ଅସୁବିଧା ହେତୁ ବିଦେଶୀ କାଚଭଳି ଏଠାରେ ଖୁବ୍ ଉନ୍ନତ ଧରଣର କାଚ ଦ୍ରବ୍ୟ ତିଆରି ହୋଇପାରିନି, ତେବେ ନିକଟ ଭବିଷ୍ୟତରେ ହେବ ବୋଲି ଆଶା । ବାରଙ୍ଗଠାରେ କାଚ କାରଖାନା ସହିତ ଲଗାଇ କାରଖାନାର ମାଲିକମାନେ ଗୋଟିଏ ଚିନାମାଟି ବାସନ କାରଖାନା ବସାଇ ଚା କପ୍, ପିଆଲା, ଥାଳିଆ ଆଦି ତିଆରି କରୁଛନ୍ତି । ଏବେ ଉଭୟ କାଚ ଓ ଚିନାମାଟି କାରଖାନାର ସଂପ୍ରସାରଣ ପାଇଁ ମିଲ୍ ମାଲିକମାନେ ଲାଗି ପଡ଼ିଛନ୍ତି ।’’

 

‘‘ମୟୁରଭଞ୍ଜ ଜିଲ୍ଲାର ବହଳଦାଠାରେ ବିଖ୍ୟାତ କାଚ କୋମ୍ପାନୀ ସିଗ୍‍କଲ୍ ଗୋଟିଏ କାଚ କାରଖାନା ପ୍ରତିଷ୍ଠା କରି ଉନ୍ନତ ଧରଣର ବୈଜ୍ଞାନିକ ଯନ୍ତ୍ରପାତି ପାଇଁ କାଚ ତିଆରି କରୁଥିଲେ । କିନ୍ତୁ ସେହି କାରଖାନାଟି ଏବେ ବନ୍ଦ ହୋଇଯାଇଛି ।’’

 

‘‘କିଛିବର୍ଷ ତଳେ ଓଡ଼ିଶାରେ ଛୋଟ ବଡ଼ ତିନୋଟି ଚିନି କାରଖାନା ଥିଲା । ସେଥିରୁ ଗୋଟିଏ ହେଉଛି ବାଙ୍କୀର ଚର୍ଚ୍ଚିକା ଚିନି କାରଖାନା, ଅନ୍ୟଟି ରାୟଗଡ଼ାର ଜୟପୁର ଚିନି କାରଖାନା ଓ ତୃତୀୟଟି ଗଞ୍ଜାମର ଆସିକା ଚିନି କାରଖାନା । ଏହି ତିନୋଟି ମଧ୍ୟରୁ ରାୟଗଡ଼ାର ଚିନିକାରଖାନା ବ୍ୟତୀତ ଅନ୍ୟ ଦୁଇଟି ଚିନି ଉତ୍ପାଦନ କରିବା ଅବସ୍ଥାରେ ନାହାନ୍ତି । ରାୟଗଡ଼ାରେ ବାର୍ଷିକ ଚିନି ଉତ୍ପାଦନ ସେତେ ବେଶି ହୋଇ ନ ଥିବାରୁ ଓଡ଼ିଶାର ଚାହିଦା ଦୃଷ୍ଟିରୁ ଏହା କିଛି ନୁହେଁ-।’’

 

‘‘ଓଡ଼ିଶାରେ ସାବୁନ ତିଆରି ପାଇଁ ସେପରି କୌଣସି ବଡ଼ କାରଖାନା ନାହିଁ । ବଲାଙ୍ଗିର ଜିଲ୍ଲାର ଖଡ଼ିଆଳ ରୋଡ୍ ଷ୍ଟେସନଠାରେ ଅବସ୍ଥିତ ହାରୁ ସାବୁନ୍ କାରଖାନା ଓଡ଼ିଶାର ଏକମାତ୍ର ସାବୁନ୍ କାରଖାନା । ଏଠାରେ ଦିନକୁ ହାରାହାରି ୪୦/୫୦ ମହଣ ସାବୁନ୍ ତିଆରି ହୁଏ । ଏହି କାରଖାନା ଓଡ଼ିଶାରେ ଅବସ୍ଥିତ ଥାଇ ସୁଦ୍ଧା କୋଚିନରୁ ନଡ଼ିଆ ତେଲ, ମାନ୍ଦ୍ରାଜରୁ ବାଦାମ ତେଲ ଆଣି ସାବୁନ ତିଆରିରେ ଲଗାଏ । ଏହି କାରଖାନାର ପଛ ପାଖରେ ବାଦାମ ଚାଷପାଇଁ ଯଥେଷ୍ଟ ପଡ଼ିଆ ଜମି ପଡ଼ି ରହିଥିଲେ ମଧ୍ୟ, ସେଠାରେ ବାଦାମ ଚାଷ ନ କରାଇ ବାଦାମ ତେଲ ଅନ୍ୟ ପ୍ରଦେଶରୁ ଆମଦାନୀ କରିବା କମବଡ଼ କ୍ଷୋଭର ବିଷୟ ନୁହେଁ ?’’

 

‘‘ଓଡ଼ିଶାରେ ଗୋଟିଏ ଭେଜିଟେବୁଲ ଘିଅ କାରଖାନା ଗଞ୍ଜାମର ଛତ୍ରପୁରଠାରେ ଥିଲା-। ଏହାର ଉତ୍ପାଦନ ଭାରତର ଅନ୍ୟାନ୍ୟ ଭେଜିଟେବୁଲ ଘିଅ କାରଖାନାର ଉତ୍ପାଦନ ତୁଳନାରେ କମ୍ । ବର୍ତ୍ତମାନ ଏହାର ଅବସ୍ଥା କଅଣ ଜଣାଯାଇନି । ସମ୍ଭବତଃ ଏହା ବନ୍ଦ ହୋଇଗଲାଣି ।’’

 

‘‘ଓଡ଼ିଶାରେ ଯଥେଷ୍ଟ ଉତ୍କୃଷ୍ଟ ଧରଣର ଗ୍ରାଫାଇଟ୍ ଥିବାସ୍ଥଳେ ଓଡ଼ିଶାର ବଲାଙ୍ଗୀର ପାଟଣା ଜିଲ୍ଲାସ୍ଥ ଟିଟିଲାଗଡ଼ ଠାରେ ଗୋଟିଏ ମାତ୍ର ଗ୍ରାଫାଇଟ୍ କାରଖାନା ଅବସ୍ଥିତ । ଭାରତର ଦୁଇଗୋଟି ଗ୍ରାଫାଇଟ୍ କାରଖାନା ଭିତରୁ ଏହା ପୁଣି ଗୋଟିଏ । ତେବେ ଏହାର ଉତ୍ପାଦନ ସେତେ ଉତ୍ସାହଜନକ ନୁହେଁ ।’’

 

Unknown

‘‘ଏଁ ସବୁକୁ ଛାଡ଼ି ଓଡ଼ିଶାର କଟକ, ବାଲୁଗାଁ ଓ କୁଜଙ୍ଗଠାରେ ବରଫକଳ, ଗଂଜାମ ଜିଲ୍ଲାର ହୁମା, ନୌପଡ଼ା, ସୁମାଣ୍ଡି, ବାଲେଶ୍ୱର ଜିଲ୍ଲାର ଇଞ୍ଚୁଡ଼ି ଓ ତାଳପଦାଠାରେ ଲୁଣ ତିଆରି କେନ୍ଦ୍ର, ପୂର୍ବ ଉପକୂଳର ବିଭିନ୍ନ ରେଳଷ୍ଟେସନଠାରେ ବହୁ ତେଲ ଓ ଚାଉଳ କଳ ଦେଖାଯାଏ । ଏହାହିଁ ହେଲା ଓଡ଼ିଶାର ବିଭିନ୍ନ ଶିଳ୍ପ କାରଖାନା । ଭାରତ ସରକାରଙ୍କ ଦ୍ୱାରା ବର୍ତ୍ତମାନ ଯେଉଁ ଲୁହା କାରଖାନା ବସିବାର ଯୋଜନା ଚାଲିଛି, ତାହା ଓଡ଼ିଶାରେ ବସିବ କି ଆଉ କେଉଁଠି ବସିବ ଠିକ୍‍ ହୋଇନି । ଯେତେଦୂର ସମ୍ଭବ ଓଡ଼ିଶାର ରାଉରକେଲା ଠାରେ ଏହା ବସିବାର ଆଶା ଦେଖାଯାଉଛି । ଏତଦ୍‍ବ୍ୟତୀତ ହୀରାକୁଦ ଜଳଭଣ୍ଡାରରୁ ବିଦ୍ୟୁତ୍‍ ଶକ୍ତିର ଉତ୍ପାଦନ ଆରମ୍ଭ ହେଲେ ସମ୍ବଲପୁରଠାରେ ଗୋଟିଏ ଆଲୁମିନିୟମ୍‍ କାରଖାନା, କେନ୍ଦୁଝର ଜିଲ୍ଲାର ଜୋଡ଼ାଠାରେ ଗୋଟିଏ ଫେରୋ ମାଙ୍ଗାନିଜ କାରଖାନା ଓ ସମ୍ବଲପୁର ଜିଲ୍ଲାର ବେଲପାହାଡ଼ଠାରେ ଗୋଟିଏ ଅଗ୍ନିଜିତ୍ ଇଟା ତିଆରି କାରଖାନା ବସିବାର ଅଛି । କଟକ ସହର ନିକଟବର୍ତ୍ତୀ ଚଉଦୁଆରଠାରେ ଓ କୋରାପୁଟ ଜିଲ୍ଲାର ରାୟଗଡ଼ାଠାରେ ଗୋଟିଏ ଗୋଟିଏ କାଗଜକଳ ବସିବାର ଯୋଜନା ଚାଲିଛି-।’’

 

(ଚାରି)

 

ଅରୁଣଙ୍କର କୋଠରୀ ଭିତରକୁ ତରତର ହୋଇ ପଶିଆସିଲା ଆଭା । ଅରୁଣଙ୍କୁ ରୁମ୍ ଭିତରେ ଟେବୁଲ ଉପରେ ମୁଣ୍ଡଦେଇ ବସିବାର ଦେଖି ସେ ହଠାତ୍ ଚମକିପଡ଼ିଲା । ତାଙ୍କର ଦେହ କିଛି ଖରାପ ହେଲା କି କଅଣ ଜାଣିବାପାଇଁ ସେ ନିକଟକୁ ଦୌଡ଼ିଯାଇ ମୁଣ୍ଡରେ ହାତ ବୁଲାଇ ଆଣି ଥରଥର ଗଳାରେ ଡାକିଲା,

 

‘‘ଅରୁଣ, ତୁମେ ଆଜି ଏଭଳି ଭାବରେ–’’

 

ଆଭାକୁ ନିକଟରେ ଦେଖି ଅରୁଣଙ୍କର କୋହ ଦ୍ଵିଗୁଣ ବଢ଼ିଗଲା । ସେ ହଠାତ୍‍ ଟେବୁଲ ଉପରୁ ମୁଣ୍ଡ ଉଠାଇ ଆଭା କୋଳରେ ମୁଣ୍ଡରଖି କଇଁ କଇଁ କାନ୍ଦିବାକୁ ଲାଗିଲେ ।

 

‘‘ମୋର ସବୁ ସରି ଯାଇଛି ଆଭା, ସବୁ ସରି ଯାଇଛି । ମୁଁ ସବୁକିଛି ହରାଇଛି ।’’

 

ଅରୁଣଙ୍କର କ’ଣ ହେଲା ବୁଝି ନପାରି ସେ ଅରୁଣଙ୍କୁ କୋଳରେ ଜାକିଧରି ଟେବୁଲ ଉପରେ ଅଧା ଖୋଲାହୋଇ ପଡ଼ିଥିବା ତାର ବାର୍ତ୍ତାଟିକୁ ନେଇ ପଢ଼ିବାକୁ ଲାଗିଲା । ଅରୁଣଙ୍କ ପିତାଙ୍କର ଅକାଳ ମୃତ୍ୟୁ ଖବର ପଢ଼ି ତା’ର ମୁଣ୍ଡ ଘୁରାଇଗଲା । ପିତାଙ୍କ ମୃତ୍ୟୁରେ ଅରୁଣଙ୍କୁ ସେ କିପରି ପ୍ରବୋଧନା ଦେବ, ଭାବି ଠିକ୍ କରିପାରିଲାନି । ଧୀରେ ଧୀରେ ସେ ଅରୁଣଙ୍କର ପିଠିରେ ହାତ ବୁଲାଇ ପ୍ରବୋଧନା ଦେବା ଛଳରେ କହିଲା, ‘‘ତୁମେ ଏତେ ଅଧୀର ହେଲେ କ'ଣ ଚଳିବ ଅରୁଣ ? ତୁମେ ପିଲାଙ୍କଭଳି କାନ୍ଦିଲେ, ତୁମ ବାପା କଅଣ ଆରପାରିରୁ ଫେରି ଆସିବେ ? ତୁମେ ଯୁବକ, ତୁମେ ଧୈର୍ଯ୍ୟଚ୍ୟୁତ ହେବା ଉଚିତ ନୁହେଁ ।’’

 

କହୁଁ କହୁଁ ଆଭାର ଚକ୍ଷୁ ଛଳ ଛଳ ହୋଇଗଲା । ତାର ମଧ୍ୟ ବାକ୍‍ରୋଧ ହୋଇଆସିଲା-। ଅରୁଣକୁ ସେ ଆଉ କି ପ୍ରବୋଧନା ଦେବ ଭାବି ଠିକ୍‍କରି ପାରିଲାନି ।

 

ଅରୁଣଙ୍କୁ ନେଇ ଖଟ ଉପରେ ଶୁଆଇ ଦେଇ ଆଭା ପାଖରେ ବସି ରହିଲା । କିଛି ସମୟ ଶୋଇ ରହିବା ପରେ ଅରୁଣ କହିଲେ, ‘‘ବାପା ମୋତେ ଏପରି ଭାବରେ ଛାଡ଼ି ଚାଲିଯିବେ ବୋଲି ମୁଁ କେବେ ଆଶା କରି ନ ଥିଲି, ଆଭା ! ଓଡ଼ିଶାକୁ ଏକ ଶିଳ୍ପ ସମୃଦ୍ଧିପୂର୍ଣ୍ଣ ରାଷ୍ଟ୍ରରେ ପରିଣତ କରିବାପାଇଁ ମୁଁ ଯେଉଁ ସ୍ୱପ୍ନ ଦେଖି ଆସୁଥିଲି, ସେହି ସ୍ୱପ୍ନ ବି ପିତାଙ୍କ ସହିତ ବିଦାୟ ନେଲା । ଆଉ ମୁଁ କେଉଁ ସାହସରେ ଓଡ଼ିଶାକୁ ଫେରିଯାଇ ଓଡ଼ିଶାର ଦୁଃଖ ଦୁର୍ଦ୍ଦଶା ଦୂର କରିପାରିବି ?’’

 

‘‘ତୁମେ ବଡ଼ ନୈରାଶ୍ୟବାଦୀ ହୋଇପଡ଼ୁଛ ଅରୁଣ । ଅନୁନ୍ନତ ଦେଶକୁ ଉନ୍ନତ କରାଇବାପାଇଁ ଯେଉଁ ବିରାଟ ଧୈର୍ଯ୍ୟ ଦରକାର, ତାହା ତୁମେ ଏତେ ଶୀଘ୍ର ହରାଇ ବସୁଛ ? ଏଭଳି ମୁହୂର୍ତ୍ତରେ ତୁମେ ମନେ ପକାଅ, ଲେନିନ୍ ପ୍ରଭୃତି ସୋଭିୟେଟ୍ ନେତାମାନଙ୍କ ଅମର ବାଣୀ-। ସେମାନେ ଯେତେବେଳେ ଅନୁନ୍ନତ ରୁଷ ଦେଶକୁ ଉନ୍ନତି ପଥରେ ଆଗେଇ ନେବାକୁ ବସିଥିଲେ, କେତେ ବାଧାବିଘ୍ନ ଦଣ୍ଡାୟମାନ ହୋଇନଥଲା ସେମାନଙ୍କ ପଥରେ ? ସେମାନେ ତୁମ ଭଳି ନୈରାଶ୍ୟବାଦୀ ହୋଇଥିଲେ, ରୁଷ ଦେଶ କ'ଣ କେବେ ଉନ୍ନତି ପଥରେ ଆଗେଇ ପାରିଥାନ୍ତା ? ତୁମେ ତ ନିଜେ ସେ ଦିନ ରୁଷ ଦେଶର ଅପୂର୍ବ ଉନ୍ନତି ଦେଖି ସେ ଦେଶର ପ୍ରଶଂସାରେ ପାଗଳ ହୋଇ ଯାଇଥିଲ ? ତୁମେ ଏତେ କଥା ଜାଣି ଶୁଣି ସେ ଗୁଡ଼ିକୁ ଭୁଲି ଧୈର୍ଯ୍ୟଚ୍ୟୁତ ହୋଇ ପଡ଼ୁଛ କିପରି, ଅରୁଣ ?’’ କିଛି ସମୟ ରହିଯାଇ ‘‘ମୁଁ ଆଜି ଆସିଥିଲି ତୁମକୁ ଡାକିବା ପାଇଁ । ବାପା ତୁମକୁ କାହିଁକି ଡକାଇ ପଠାଇଛନ୍ତି । ତୁମେ ମୋ ସହିତ ଚାଲ । ତୁମକୁ ଏ ଦୁଃସମୟରେ ଏକା ଛାଡ଼ି ମୁଁ ଯାଇ ପାରିବିନି, ଅରୁଣ ।’’

 

ବିଛଣାରୁ ଉଠି ଆଭା ପଛେ ପଛେ ମନ୍ତ୍ରମୁଗ୍‍ଧ ଭଳି ଚାଲିଲେ ଅରୁଣ କୁମାର । ପିତାଙ୍କ ଶୋକରେ ଅରୁଣଙ୍କର ମୁଖମଣ୍ଡଳ କଳା ପଡ଼ିଯାଇଥାଏ । ଅରୁଣଙ୍କ ଦୁଃଖରେ ସମବେଦନା ପ୍ରକାଶ କରି ଆଭାର ଗୋରା ତକ ତକ ମୁହଁ ବି ଶୁଖିଲା ପଡ଼ିଯାଇଥାଏ ।

 

ଦୁଇଜଣ ରୁମରୁ ବାହାରିଯିବାବେଳେ ଅଲକ୍ଷ୍ୟରେ ଥାଇ ଲକ୍ଷ୍ୟ କରୁଥିଲେ ଅରୁଣଙ୍କର ବନ୍ଧୁ ହାଜରା ଓ ପ୍ରସାଦ । ଡାକ୍ତର ହାଜରା ପ୍ରସାଦକୁ ଅନାଇ କହିଲା, ‘‘ଦେଖ, ଦେଖରେ ପ୍ରସାଦ, ତେଣେ ବାପା ମାରିକି ପଡ଼ିଛି, ଏଣେ ପୁଅ ବିଲାତି ଟୋକୀ ସାଙ୍ଗରେ କେମିତି ହାୱା ଖାଉଛି ।’’

 

‘‘ତୋର ସବୁବେଳେ ସେହିଭଳି କଥା ହାଜରା । ପର ଦୁଃଖରେ ଦୁଃଖୀ ହେବା କେବେ ଶିଖିଲୁନି ରେ ତୁ ?’’

 

‘‘ଇଏ ଛତୁଖିଆ ମୋତେ ଶିଖାଇବ ପର ଦୁଃଖରେ କିପରି ଦୁଃଖୀ ହୁଅନ୍ତି ।’’ ହାଜ୍‍ରା ରାଗିଯାଇ କହିଲା ।

 

‘‘ଆବେ ହାଜ୍‍ରା, ତୁ ମୋତେ ସବୁବେଳେ କହୁଛୁ, ଛତୁଖିଆ ଛତୁଖିଆ । ଦେଖ୍ ଭଲ ଦଶା ଅଛି ତ ମୋତେ ଆଉ ଦିନେ ଏପରି କହିବୁନି । ଆଉଦିନେ ଯେବେ କହୁ, ତେବେ ଦେଖ୍, ତୋ ଗର୍ଦ୍ଦନ ଉଡ଼ାଇଦେବି । ସେହିଦିନ ଜାଣିବୁ ବିହାରୀ ଟୋକା କ'ଣ କରିପାରେ । ଦେଖୁଛ ବିଚରା ଅରୁଣର ବାପା ମରିଯାଇଛି । ତୁ କ’ଣ କହୁଛୁ; ନା ଟୋକା ଏଣେ ବିଲାତି ଟୋକୀ ସଙ୍ଗରେ ହାୱା ଖାଉଛି । ଏଭଳି ଈର୍ଷାପର କଥା କହିଲେ, ତୋତେ ମିଳେ କଅଣ ରେ ? କ'ଣ ଭାବିଛୁ, ଏପରି କଥା କହିଲେ, ଆଭା ଅରୁଣକୁ ଛାଡ଼ି ତୋ ପାଖକୁ ହାତରେ ବରଣମାଳା ଧରି ଦୌଡ଼ି ଆସିବ ? ହଇରେ, ବେହିଆ ଆଉ କ’ଣ ଗଛରେ ଫଳନ୍ତି ?’’

 

‘‘ହଉ, ଥାଉ, ଥାଉ, ତୋର ସମବେଦନା । କ’ଣ ଅରୁଣ ପାଖରୁ କିଛି ଭାଗ ପାଇବୁ କିରେ ? ଅରୁଣ କେବେ ଯଦି ଆଭାକୁ ବିଭା ହୁଏ, ତେବେ ତୁ ଆଭା ପାଖରୁ ଯଦି ଜୋତା ନ ଖାଇଛୁ, ତେବେ ମୋ ନାଁ ଶିବେନ୍ଦ୍ର ହାଜ୍‍ରା ନୁହେଁ । ହୁଁ ଶଳା ଏଠି ଭଲଲୋକି ଦେଖାଉଛି ।’’

 

‘‘ବେଶ୍, ବେଶ ରଖ ତୋ ବାହାଦୁରୀ । ଆଉ କେଉଁଠି ଦେଖାଇବୁ ରଖିଥା । ଦୁନିଆରେ ଯେତେ ଛୋଟଲୋକୀ ପଣିଆ ଅଛି, ସବୁ ତୋରି ପାଖରେ । ଆରେ, ଆଭା ଅରୁଣକୁ ଭଲ ପାଇଲେ କେତେ ନ ପାଇଲେ କେତେ ? ଆମର ଯାଏ କେତେ ଆସେ କେତେ ହୋ ? ଆମ ବାପ ମା ଆମକୁ ଏତେଦୂର ପଠାଇଛନ୍ତି, ଆମେ କିପରି ଡିଗ୍ରୀ ହାସଲ କରି ଘରକୁ ଫେରି ଗଲେ ଯାଏ । କିଏ କାହା ସହିତ ବୁଲିଲା, କି ପ୍ରେମ କଲା, ଆମର ଯାଏ କେତେ, ଆସେ କେତେ ?’’

 

‘‘ଥାଉ, ଥାଉ, ଆଉ ସାଧୁଗିରି ଦେଖାନା ରେ ଦେଖାନା । ଆରେ, ପାଠ ପଢ଼ିବାକୁ ତ ବିଲାତ ଆସିଛୁ, ତେବେ ସେଦିନ ସେ ବିଲାତି ଟୋକୀ ସୁଷାନ୍ ପଛେ ପଛେ ଗୋଡ଼ାଉଥିଲୁ କାହିଁକି ? ତାକୁ ଗୋଟିଏ ମୁଦି କିଣି ଉପହାର ଦେଉଥିଲୁ କିଆଁ ? କ'ଣ ପ୍ରେମଭାଣ୍ଡ ଉଛୁଳି ପଡ଼ୁଥିଲା କିରେ ? ପୁଣି ଶଳା ସେଦିନ ଗୋଟିଏ ନାଇଲନ ଶାଢ଼ୀ କିଣି ତାକୁ ଉପହାର ଦେଇ ଶାଢ଼ୀ ପିନ୍ଧା ଶିଖାଉଥିଲୁ କାହିଁକି ? କ'ଣ ଶଳା ଦେଶରେ ବିହାରୀ ଟୋକୀ ପସନ୍ଦ ହେଉ ନାହାନ୍ତି କିରେ ? ଏଠୁଁ କ'ଣ ଗୋଟିଏ ସଙ୍ଗରେ ନେଇ ପଳାଇବୁ ନା କ'ଣ ? ଥାଉ, ଥାଉ, ତୋ ସାଧୁପଣିଆ, ସମସ୍ତଙ୍କୁ ଜଣା ଅଛି ।’’

 

‘‘ହେଲେ ଆଉ ତୋ ପରି ନୁହେଁ । ଦିନାକେତେ ଶଳା ତ ଘୁରି ବୁଲିଲୁ ମାର୍ଗାରେଟ୍ ସଙ୍ଗରେ । ତାକୁ କେତେ କାନଫୁଲ, କେତେ ବ୍ଲାଉଜ୍ ଯେ ଉପହାର ଦେଲୁ ତା’ର ସୀମା ନାହିଁ । କିଛିଦିନ ପରେ ମନ ଛାଡ଼ିଗଲା ତାଠୁଁ । ପୁଣି ଆଖି ପଡ଼ିଲା କ୍ଲାରା ଉପରେ । ୟାକୁ ଲୁଚାଇ ତା’ପାଖରେ, ତାକୁ ଲୁଚାଇ ୟା’ ପାଖରେ ଦିନାକେତେ ଚଳିଲୁ । ସେଦିନ ହାଇଡ୍ ପାର୍କରେ ଧରିଲା ମାର୍ଗାରେଟ୍, ଯେତେବେଳେ ଶଳା ତୁ କ୍ଲାରା ସଙ୍ଗରେ ଏକୁଟିଆ ପ୍ରେମାଳାପ ଚଳାଇଥିଲୁ । ହଇରେ, ତୋ ଗାଲ ଦିଇଟାକୁ ପରା ସେ ଟୋକୀ ସିଝାଇ ଦେଇଗଲା ତା’ ଚଟି ମାଡ଼ରେ । ସେ ମାଡ଼ କ’ଣ ପୁରାପୁରି ଭୁଲିଗଲୁଣି ଏ ଭିତରେ ? ଏବେ ଏଣିକି ସେ ଦୁହିଁଙ୍କୁ ଛାଡ଼ି ଆଖି ପକାଇଛୁ ଆଭା ଉପରେ । ଆଭାକୁ କ'ଣ ସେ ଟୋକୀଙ୍କ ଭଳି ଛତରୀ କରି ପାଇଲୁ କିରେ, ତୋ ପଛେ ପଛେ ସେ ଗୋଡ଼ାଇଯିବ ? କିଛି ଦିନ ହେଲା ଚଟିଫଟି ଖାଇନୁ ବୋଧେ, ଗାଲ କୁଣ୍ଡାଇ ହେଉଛି । ଏଥର ଆଭା ପାଖକୁ ଯା, ଦିପଟ୍‍କା ଖାଇ ଆସିବୁ ।’’

 

‘‘ଆରେ ଶଳା ତେଲିଆ । ବେଶ୍ ତେଲ ଲଗାଉଛୁ ତ ସେ ଦୁହିଁଙ୍କୁ ? ହେଉ ଭଲ ଭାବରେ ତେଲ ଲଗା । ଶଳା ତୋ ଜାତି ପରା ତେଲିଆ । ତୁ କେଉଠୁଁ ଭଲ ହେବୁ ?’’

 

‘‘କ'ଣ ମୁଁ ତେଲିଆ ? ତୁ ଶଳା ଭାରି ଭଲ ? ଆରେ ଶଳା ନିମକ୍ ହାରାମ୍ । ଆଭା ଆଉ ଅରୁଣ ତୋର କି ଉପକାର କରି ନାହାନ୍ତିରେ ? ଶଳା ସେ ଦିନ ତିନି ତିନିଟା ଛତରୀ ଟୋକୀଙ୍କୁ ଧରି ମଦ ପିଇ ଟେମସ୍ ନଦୀ ବକ୍ଷରେ ନୌକା ବିହାର କରୁଥିଲୁ । ସତେ ଯେମିତି ଶଳା ଆକବର ବାଦଶାହାଙ୍କ ପୁଅ ଜାହାଙ୍ଗୀର ବାଦଶାହା । କାହା କୋଳରେ ମୁଣ୍ଡ ଦେଇ, କାହା କାନ୍ଧରେ ହାତ ପକାଇ, କାହା ଅଣ୍ଟାକୁ ଭିଡ଼ିଧରି ଶଳା ମଉଜ୍ କରୁଥିଲୁ । ଶଳା ଲାଜ ସରମ ସବୁ ତ ଛାଡ଼ିଲୁ । କି ବୀଭତ୍ସ ଦୃଶ୍ୟ ସେଦିନ ? ଅଧା ଲଙ୍ଗଳା ଛତରୀ ଟୋକୀଙ୍କୁ କେଉଁଠୁ ଆଣିଥିଲୁ କେଜାଣି ? ଲଣ୍ଡନ ଉଇକ୍‍ଲି କାଗଜରେ ସେ ଯେଉଁ ଖବର ବାହାରିଲା, ଭାରତୀୟ ଛାତ୍ରଙ୍କ ସମ୍ମାନ କେତେ ଉପରକୁ ଟେକି ହୋଇଗଲା ଦେଖି ପାରିଥିବୁ ? ଅଧା ଲଙ୍ଗଳା ତିନି ତିନିଟା ଝିଅଙ୍କ ସହିତ ମଦ ଖାଇ ମାତାଲ ହୋଇ ଗଡ଼ୁଥିଲୁ । କି ବୀଭତ୍ସ ସେ ଫଟୋ । ଭାରତୀୟଙ୍କ ମୁଣ୍ଡ ତଳକୁ ହୋଇଗଲା । ସେ ଝିଅ ତିନିଟା ପୁଣି ତୋର ଟଙ୍କା, ଘଡି, ପେନ, ଜୋତା, ପେଣ୍ଟ, ସାର୍ଟ ସବୁ କିଛି ନେଇଯାଇ ନଈ କୂଳରେ ଲଙ୍ଗଳା କରି ଗଡ଼ାଇ ଦେଇଗଲେ । କି ଲଜ୍ଜାର କଥା ? ଆଭା, ଅରୁଣ ଥିଲେ ବୋଲି ସିନା ତୋତେ ଆଣି ହଷ୍ଟେଲରେ ଛାଡ଼ିଲେ । ନୋହିଲେ ଶଳା–’’

 

‘‘ନ ହେଲେ ମୁଁ ଯେପରି ସେଠି ଗଡ଼ି ମରି ଯାଇଥାନ୍ତି ? ଆଭା, ଅରୁଣ ଯେମିତ ଭାରି ଦୟାଳୁ, ବଡ଼ କଥାଟାଏ କରି ପକାଇଲେ । ଆଉ ଏତେ ତ କରୁଥିଲେ, ଲଣ୍ଡନ ଉଇକ୍‍ଲି ଖବରକାଗଜ ସମ୍ବାଦଦାତାକୁ ଆଉ ଟିକିଏ ଅନୁରୋଧ କରି ପାରିଲେନି ସେ ଖବରଟା କି ଫଟୋଟିକୁ ନ ଛାପିବା ପାଇଁ । ସେ ଯେତେବେଳେ ଫଟୋ ଉଠାଇ ନେଉଥିଲା, ୟାଙ୍କୁ ଭାରି ଖୁସି ଲାଗୁଥିଲା ନୁହେଁ ? ମନା କଲେନି ସେ ଦୁହେଁ ।’’

 

‘‘ଆରେ ଶଳା ଦେଖ୍ ୟା ବୁଦ୍ଧି । ଶଳା, ଯେତେ ନିଉଛୁଣା କାମ ସବୁ କରିବୁ । ଖବର କାଗଜବାଲା ଯଦି ଖବର ଛାପିଲେ, ଶଳା ଦୋଷ ହେଲା ଅରୁଣ ଆଉ ଆଭାର । ତୁ ଶଳା ଏଠି ଯାବତୀୟ ଖରାପ କାମ କରିବୁ, ଭାରତୀୟ ଛାତ୍ରଙ୍କ ନାଁ ବଦନାମ କରିବୁ, ଖବରକାଗଜରେ ବାହାରିଲେ ଶଳା ଓଲଟି ଗାଳିଦେବୁ । ଆରେ ଶଳା ଖବର କାଗଜକୁ ଯଦି ଏତେ ଡର ତେବେ ସେଭଳି ନିଉଛୁଣା କାମ କରୁଥିଲୁ କାହିଁକି ? ଶଳା ସବୁ ଭାରତୀୟ ଛାତ୍ରଙ୍କ ମୁଣ୍ଡ ତଳକୁ କରିଦେଲୁ-। ତୋତେ ଶଳା ବିଲାତରେ ରହିବାକୁ କେମିତି ଅନୁମତି ମିଳୁଛି, ମୁଁ ଆଶ୍ଚର୍ଯ୍ୟ ହେଉଛି । ତୋ ଭଳିଆ ଛତରା ଲୋକଙ୍କୁ ବିଲାତରୁ ନିକାଲିବା ଦରକାର ।’’

 

‘‘ଆରେ ଶଳା ବିହାରୀ, ଭାରି ବଢ଼ି ବଢ଼ିକି କ’ଣ କହିଲୁଣିରେ । ଶଳା ଛତୁଖିଆ, ମୋଟା ବୁଦ୍ଧିଆ, ମୋତେ କ’ଣ ପାଠ ପଢ଼ାଇବୁ କିରେ ? ମୋତେ ଚିହ୍ନିଛୁଟି ? ଏଠି ଶଳା ତୋ ଗାଲ ଦିଟାକୁ ସେକି ଦେଲେ କେହି ହୁତ୍ ବୋଲି କହିବେନି ।’’

 

‘‘ଆ, ସେକି ଦେବୁ ? ନାଁ ଶଳା ହାଜରା, ଫୁଙ୍କି ଦେଲେ ଉଡ଼ିଯିବୁ । ଛୋଟ ମୁହଁରେ ଶଳା ଏତେ ବଡ଼ କଥା । ଏ ବିହାରୀ ଟୋକାକୁ ଶଳା ଚିହ୍ନିନୁ କିରେ ? ସେ ଦିନ ଟେମସ୍ ନଦୀ କୂଳରୁ ତୋତେ ଅରୁଣ ଆଉ ଆଭା ଗୋଟାଇ ଆଣିଲେ । ମୁଁ ଥିଲେ ଶଳାକୁ ନଈକୁ ପେଲି ଦେଇଥାନ୍ତି । ଶଳା କେଉଁ ଦିନଠୁ ଏ ଦୁନିଆରୁ ଯାଇସାରନ୍ତୁଣି ।’’

 

‘‘କି ଚର୍ଚ୍ଚା ଲାଗିଛି କିରେ ପ୍ରସାଦ । କହୁଁ କହୁଁ ରୁମ ଭିତରକୁ ପଶି ଆସିଲା ମୂର୍ତ୍ତି । ତମେ ଦି ଜଣ କ’ଣ ମାଡ଼ ମରାମରି ହେବା ଉପରେ । କିରେ କଥା କ’ଣ କି ? କ’ଣ ହେଲା ତୁମ ଦୁହିଙ୍କର । ଉଭୟଙ୍କୁ ମୁହଁ ଏତେ ଫଣ ଫଣ କାହିଁକି ମ ? ଆରେ ବେଳେ ବେଳେ ତ ଭାରି ସାଙ୍ଗ ହୋଇଯାଅ, ଯେମିତିକି ଦି ଜଣଙ୍କ ଭିତରେ ପାଣି ଗଳେ ନାହିଁ । ବର୍ତ୍ତମାନ ଏଭଳି ଫାଙ୍କ ଫାଙ୍କ କାହିଁକି ?’’

 

‘‘ଏ ଶଳା ନିମକ ହାରାମ ସହିତ କଥା କହିବା ଉଚିତ ନୁହେଁ ଶଳା ସବୁବେଳେ ଅନ୍ୟମାନଙ୍କ ନାଁରେ ଚୁଗୁଲି କରୁଛି । ନିଜେ ତ ସବୁ ପାପର ଖଣି । ଦେଖ, ୟାଙ୍କର ଯୁକ୍ତି, ଇଏ ତା କଲା, ସିଏ ୟା କଲା ।’’ ଏତକ କହି ତମ ତମ ହୋଇ ହାଜରା କୋଠରୀରୁ ପ୍ରସାଦ ବାହାରିଗଲା, ମୂର୍ତ୍ତି କ'ଣ ପଚାରୁଛି ସେ ଆଡ଼କୁ ଦୃଷ୍ଟି ନ ଦେଇ ।

 

‘‘କିରେ, ହାଜରା, ପ୍ରସାଦ କ'ଣ ଏମିତି ତମ ତମ ହୋଇ ବାହାରି ଗଲା । ତମ ଦୁହିଁଙ୍କ ଭିତରେ କ’ଣ ହେଲା କିରେ ?’’

 

ଆରେ ୟାର୍, ଛାଡ଼୍‍ ସେ କଥା । ସିଏ ଶଳା ଛତୁଖିଆ ବିହାରୀ କଥାରେ କ’ଣ ଅଛି । ଶଳା ଏମିତି ନିପଟ ମୋଫସଲିଆ, ମୋଟା ବୁଦ୍ଧିଆ । ଲଣ୍ଡନକୁ ଆସି ବିଲାତ ନାଁ ଇଜ୍ଜତ ସବୁ ନଷ୍ଟ କରି ଦେଲାଣି । ଇଏ ଶଳାକୁ କିଏ ବିଲାତ ପଠାଉଥିଲା କେଜାଣି ? କ’ଣ ୟାର୍ ଆଜି କୁଆଡ଼େ ଆସିବା ହେଲା ?

 

‘‘ଆରେ ହସପିଟାଲରୁ ମେରିଆ ତୋ ଠାକୁ ଖବର ଦେଇଥିଲା । ତୁ ଆଜି ସନ୍ଧ୍ୟାରେ ତା ସହିତ ଦେଖାକରିବୁ ।’’

 

‘‘ଆଁ, ମେରିଆ ସହିତ ? କ’ଣ କିରେ ?’’

 

(ପାଞ୍ଚ)

 

ଅରୁଣଙ୍କର ଲଣ୍ଡନ ଛାଡ଼ିବା ଦିନ । ଶିଳ୍ପପତିଙ୍କ ଅନୁରୋଧରେ ତାଙ୍କୁ ଯୁକ୍ତରାଷ୍ଟ୍ର ଯିବାକୁ ପଡ଼ିବ । ଓଡ଼ିଶାରେ ଶିଳ୍ପ କାରଖାନା ଖୋଲିବା ପୂର୍ବରୁ ଇଂଲଣ୍ଡ ଓ ଯୁକ୍ତରାଷ୍ଟ୍ରର ବଡ଼ ବଡ଼ ଶିଳ୍ପ କାରଖାନା ବୁଲି ଅଭିଜ୍ଞତା ଅର୍ଜ୍ଜନ କରିବା ତାଙ୍କର ଏକାନ୍ତ ଦରକାର । ଉପରଓଳି ଦିନ ଦୁଇଟାରେ ତାଙ୍କୁ ଲଣ୍ଡନ ଛାଡ଼ିବାକୁ ପଡ଼ିବ ଯୁକ୍ତରାଷ୍ଟ୍ର ଅଭିମୁଖେ । ସକାଳୁ ସକାଳୁ ଆଭା ଆସି ହଷ୍ଟେଲରେ ହାଜର । ଇଚ୍ଛା, ଅରୁଣଙ୍କୁ ତାଙ୍କ ଘରକୁ ଘେନିଯିବ, ସେଠାରୁ ଅରୁଣ ଯାତ୍ରା ଆରମ୍ଭ କରିବେ ବନ୍ଦର ଅଭିମୁଖେ ।

ଆଭା ଅରୁଣଙ୍କର କୋଠରୀ ଭିତରକୁ ପଶି ଆସି ଦେଖିଲା, କୋଠରୀ ଖୋଲା ପଡ଼ିଛି-। ଅରୁଣଙ୍କୁ ଏତେ ସକାଳୁ କୋଠରୀରେ ନ ଦେଖି ସେ ମନେ ମନେ କେତେ କଅଣ ଭାବିଗଲା । ଅରୁଣ ଆଉ କାହା କୋଠରୀକୁ ଯାଇଛନ୍ତି କି କଅଣ ଖୋଜି ଖୋଜି ଆସି ପହଂଚିଗଲା ହଜାରାଙ୍କ କୋଠରୀରେ । ଆଭାକୁ ନିଜ କୋଠରୀ ଭିତରକୁ ପଶି ଆସିବାର ଦେଖି ହାଜରାର ବିସ୍ମୟର ସୀମା ରହିଲାନି ।

ଆଭା ପଶି ଆସି ପଚାରିଲା, ‘‘କ୍ଷମା କରିବେ ଡାକ୍ତର ହାଜ୍‍ରା, ଅରୁଣବାବୁ କ'ଣ ଆପଣଙ୍କ କୋଠରୀକୁ ଆସିଛନ୍ତି ?’’

‘‘ଅରୁଣ ?’’ ମୁଖରେ କୁତ୍ରିମ ବିସ୍ମୟ ଫୁଟାଇ ପଚାରିଲା ହାଜ୍‍ରା, ‘‘ଅରୁଣକୁ ତ ମୁଁ ସକାଳୁ ଏପର୍ଯ୍ୟନ୍ତ ଦେଖିନି ମିସ୍ ମାଇକେଲ୍‍ସନ୍ । ଅରୁଣ ବୋଧହୁଏ କାଲି ରାତିରୁ ହଷ୍ଟେଲକୁ ଆସିନି ।’’

‘‘ଆଁ କାଲି ରାତିରୁ ? ମାନେ ?’’ ଆହୁରି ଆଶ୍ଚର୍ଯ୍ୟ ହୋଇ ଆଭା ପଚାରିଲା ।

 

‘‘ହଁ, ଆଜ୍ଞା, କାଲି ରାତିରୁ ।’’

 

‘‘ଅସମ୍ଭବ । କାଲି ରାତି ଦଶଟା ପର୍ଯ୍ୟନ୍ତ ସେ ତ ଆମ ଘରେ ଥିଲେ ।’’

 

‘‘ହଁ, ଆଜ୍ଞା, ଆପଣଙ୍କ ଘରୁ ଆସି–’’

 

‘‘ଆମ ଘରୁ ଆସି ?’’

 

‘‘ଆପଣଙ୍କ ଘରୁ ଆସି କାଲି ରାତିରେ ଅରୁଣ ପାର୍କ ଲେନ୍‍ର ସେହି ତାଙ୍କରି ଘରକୁ ।’’

 

‘‘ଆଁ, ତାଙ୍କରି ଘରକୁ ? କ'ଣ କହୁଛନ୍ତି ଆପଣ ? କା’ ଘରକୁ ?’’

 

‘‘ଯେଉଁଠାକୁ ସେ ବରାବର ଯାଏ ।’’

 

‘‘ବରାବର ଯାଏ ?’’ ଆପଣ କଅଣ କହୁଛନ୍ତି ଡାକ୍ତର ହାଜ୍‍ରା ମୁଁ ବୁଝି ପାରୁନି । ଆପଣଙ୍କ ମୁଣ୍ଡ ଠିକ୍ ଅଛି ତ ?

 

‘‘ମୋ ମୁଣ୍ଡ କାହିଁକି ଠିକ ନ ରହିବ, ଆଜ୍ଞା ? ଆପଣ ସିନା ଅରୁଣ ଉପରେ ଅଗାଧ ବିଶ୍ୱାସ ରଖି ତା' ପାଇଁ ପାଗଳ ହୋଇପଡ଼ିଛନ୍ତି । ହେଲେ ସେ ଆପଣଙ୍କ ଭଳି କେତେଜଣଙ୍କୁ ଯେ ନିରାଶ କରି ଚାଲିଆସିଛି, ତା’ର ହିସାବ ତ ଆପଣ ରଖି ନାହାନ୍ତି ?’’

 

‘‘ଡାକ୍ତର ହାଜ୍‍ରା, ସାବଧାନ ।’’ ରାଗରେ ତମତମ ହୋଇ କହିଗଲା ଆଭା । ‘‘ଆପଣ କାହା ନାମରେ, ଆଉ କାହା ଆଗରେ କ’ଣ କହୁଛନ୍ତି ଜାଣିଛନ୍ତି ତ ? ଦରକାର ପଡ଼ିଲେ ପ୍ରଣାମ କରିବାକୁ ପଶ୍ଚାଦ୍‍ପଦ ହେବେ ନାହିଁ ତ ?’’

 

‘‘ପ୍ରମାଣ କରିବାକୁ ମୁଁ ସର୍ବଦା ପ୍ରସ୍ତୁତ ଅଛି, ମିସ୍ ମାଇକେଲ୍‍ସନ୍ । ଆପଣ ଧୈର୍ଯ୍ୟରଖି ଶୁଣିପାରିଲେ ହୁଏ ।’’

 

ହାଜ୍‍ରା କଥାରେ ବଡ଼ ବିଚଳିତ ହୋଇ ପଡ଼ିଲା ଆଭା । ସେ ରାଗରେ ତମ୍ ତମ୍ ହୋଇ ରୁମ ଭିତରୁ ବାହାରି ହଷ୍ଟେଲ ଗେଟ୍ ଆଡ଼କୁ ଚାଲିଲା ।

 

ନିଜର କୃତକାର୍ଯ୍ୟତାରେ ଆନନ୍ଦିତ ହୋଇ ହାଜ୍‍ରା ଦୌଡ଼ିଗଲା ପ୍ରସାଦ ରୁମ୍‍କୁ । ପ୍ରସାଦକୁ ନିଜର କୃତିତ୍ୱ ଦେଖାଇବା ପାଇଁ ତାକୁ ତା’ ରୁମ୍ ଭିତରୁ ଟାଣି ଟାଣି ଦୁଆର ପାଖକୁ ଆଣି କହିଲା, ‘‘ସେଠି କିଏ ଯାଉଛି ଦେଖୁଛୁରେ ଛତୁଖିଆ ।’’

 

‘‘ଫେର୍ କହିଲୁ ଛତୁଖିଆ ।’’

 

‘‘ହେଉ ହେଉ ଭୁଲ୍ ହୋଇଗଲା ଭାଇ, ଆଉ କହିବିନି । ସେଠି କିଏ ଯାଉଛି କହିଲୁ ?’’

 

‘‘ହଁରେ ହାଜରା, ସେ କିଏ ? ଆଭା କିରେ ? ଏ ଆଡ଼କୁ ନ ଆସି ସେ ଆଡ଼କୁ କାହିଁକି-? ଅରୁଣ ରୁମ୍ ପରା ଏ ଆଡ଼େ ?’’

 

‘‘ଆଉ ଅରୁଣ ରୁମ୍ ଅଛି ? ଏଥର ଟୋକୀକୁ ଏମିତି ପାଠ ପଢ଼ାଇ ଦେଇଛି ଯେ ସେ ଆଉ ଅରୁଣର ମୁହଁ କେବେ ଭୁଲରେ ବି ଚାହିଁବନି । ଦେବୀ ଆସିଥିଲେ ଯେଉଁବାଟେ, ଚାଲିଗଲେ ଠିକ୍ ସେହିବାଟେ, ଇଂରାଜୀରେ ଯାହାକୁ କହନ୍ତି–ଏବାଉଟ୍ ଠର୍ଣ୍ଣ ।’’

 

‘‘ଭାରୀ ବାହାଦୁରୀ କାମଟା କରିଛୁରେ ହାଜରା । ଘରଭଙ୍ଗା ଛତରା । ଅରୁଣ ନାଁରେ କେତେ କଅଣ ମିଛକଥା କହି ଝିଅଟାର ମନକୁ ବିଲକୁଲ ବିଗାଡ଼ି ଦେଇଥିବୁ । ଏତକ କହି ପ୍ରସାଦ ଦୌଡ଼ିଲା ଆଭା ନିକଟକୁ ।’’

 

ସେତେବେଳକୁ ଆଭା ହଷ୍ଟେଲ ଫାଟକଠାରେ ନିଜ କାରରେ ବସି ସେଠୁ ଚାଲିଗଲାଣି-

 

ଆଭାକୁ ଫେରାଇ ଆଣି ନପାରି ପ୍ରସାଦ ପଶି ଆସିଲା ହାଜରା ରୁମ୍‍କୁ । ରୁମ୍‍ରୁ ହାଜରା ସେତେବେଳକୁ କେଉଁଆଡ଼େ ପଳାଇ ଗଲାଣି ।

 

ପ୍ରସାଦ ମନେ ମନେ କହି ଚାଲିଥାଏ–

 

‘‘ଶଳା ଛତରା ହାଜରା । ଆଜି ଶଳାକୁ ଦି’ଟା ଦେଇଥାନ୍ତି, ଯଦି ଏଠି ଥାଆନ୍ତା । ଶଳା ଘରଭଙ୍ଗାର କାମ ହେଲା ୟା ନାଁ ତା ନାଁରେ କହିବା । ଶଳା ଅରୁଣ ଓ ଆଭାର ମିଶାମିଶିକୁ ମୋତେ ସହି ପାରୁନି । ଅରୁଣ ନାଁରେ ଆଭାକୁ ଯାହା କହିଥିବ, ତାହାର ଶଏଗୁଣ ଖରାପ ୟେ ଶଳା ନିଜେ । ତାର ଭାଗବତ ଯଦି ବର୍ତ୍ତମାନ ଫିଟେଇବି ନା, ଶଳା ଦ୍ୱାଦଶ ଖଣ୍ଡ ଭାଗବତର ଆକାର ଏହା ଆଗରେ କିଛି ହେବନି ।’’

 

‘‘କାହା ଭାଗବତ ଫିଟାଉଛୁକିରେ ପ୍ରସାଦ ?’’ କହି କହି ରୁମ୍ ଭିତରକୁ ପଶି ଆସିଲେ ଅରୁଣ । ତୋର ଭାରି ‘‘ଆଜିକାଲି ଖାଲି ଭାଗବତ ଫିଟାଫିଟି ଚାଲିଛି ? ତୋ ଦୟାରୁ ଆଉ ଏ ଇଂରେଜ ଲୋକଗୁଡ଼ାକ ହିନ୍ଦୁ ନ ହୋଇ ରହିପାରିବେ ନି ଦେଖୁଛି ? କଥାଟା କଅଣ କିରେ ପ୍ରସାଦ-?’’

 

ଅରୁଣଙ୍କୁ ଦେଖି ବଡ଼ ଅପ୍ରସ୍ତୁତ ହୋଇପଡ଼ିଲା ପ୍ରସାଦ ।

 

‘‘କ'ଣ କହିବି ତୋତେ ଅରୁଣ’’ ଅରୁଣକୁ ଅନାଇ ପ୍ରସାଦ କହିଲା ‘‘ଛତରା ହାଜରା ତମ ଦି’ଜଣଙ୍କ ଶିରି ମୋଟେ ଦେଖିପାରୁନି । ତା ନାଁରେ ତ ପଚାଶ ବଦନାମ, ସେ ପୁଣି ତୋ ବଦ୍‍ନାମ କରୁଛି ଆଭା ଆଗରେ ।’’

 

‘‘ଆଁ ମୋ ବଦ୍‍ନାମ ? ଆଭା ଆଗରେ ? ଆରେ କ୍ଷତି କଅଣ ହେଲା ?’’

 

‘‘ଆଁ କ୍ଷତି କଣ ହେଲା ? ଇଏ ତ ଆଚ୍ଛା ବୁଝିଲାବାଲା ? ଆରେ ତୋ ନାଁରେ ସେ ମିଛଟାରେ ଆଭା ଆଗରେ ବଦ୍‍ନାମ କରିଯାଉଥିବ, ଆଉ ମୁଁ ସେଗୁଡ଼ାକ ଶୁଣି ଯାଉଥିବି ? ଆଉ ତୁ ପୁଣି କହିବୁ କ୍ଷତି କଣ ହେଲା ?’’

 

‘‘ମୁଁ କିପରି ଲୋକ, ଆଭା କ'ଣ ଏ ପର୍ଯ୍ୟନ୍ତ ଜାଣିନି ? ଯିଏ ଯାହା କହିଦେବ, ସିଏ ତାହା ବିଶ୍ୱାସ କରିଯିବ । ଆଭା ଯଦି ହାଜରାର କଥାରେ ବିଚଳିତ ହୋଇପଡ଼ିଥାଏ, ତେବେ ଆଭାକୁ ମୁଁ ନିର୍ବୋଧ ଛଡ଼ା ଆଉ କିଛି କହିବିନି ପ୍ରସାଦ ।’’

 

‘‘ଆରେ, ସେ ଯେଉଁ କଥା କହୁଛି ତାକୁ ପରା ତୁ କାନରେ ଶୁଣି ପାରିବୁନି । ଏତେ ଡାହା ମିଛ, ଶଳାଟାର ପାଟି ପାରାଲିସିସ ହୋଇଯାଉନାହିଁ କେମିତି ? ତାହା କାନରେ ଶୁଣିଲେ କେଉଁ ଝିଅ ଧୈର୍ଯ୍ୟ ଧରି ରହି ପାରିବ କହିଲୁ ? ଯେତେ ଯା ହେଲେ ଆଭା ତ ଜଣେ ନାରୀ । ନାରୀର ହୃଦୟକୁ ତୁ କ’ଣ ଜାଣିନୁ ? ବଡ଼ ଦରଦୀ ଗଳାରେ କହିଲା ପ୍ରସାଦ ।’’

 

X X X

 

ହାଇଡ଼ପାର୍କଠାରୁ ଅଦୂରରେ ପାର୍କ ଲେନ୍‍ରେ ଆଭା ନିଜ ମର୍ସିଡ଼ିସ ବେଞ୍ଜ ଗାଡ଼ିଟିକୁ ପାର୍କ କରିଦେଇ ଗାଡ଼ି ଭିତରେ ବସି ରହିଲା । ଗାଡ଼ିର ପଛସିଟ୍‍ର ପାର୍ଶ୍ୱକାଚ ଈଷତ୍ କୃଷ୍ଣବର୍ଣ୍ଣ କରାଯାଇଥିବାରୁ ଏହା ଭିତରେ କେହି ବସିଥିଲେ ସହଜରେ ଜାଣି ହୁଏନି । କିଛି ଦୂରରେ ଭଡ଼ା ଟେକ୍‍ସିର ଷ୍ଟାଣ୍ଡ । ହାଇଡ଼ପାର୍କର ଓରେଟରସ କର୍ଣ୍ଣରଠାରୁ ବେଶି ଦୂର ନୁହେଁ ।

 

ଆଭା ସେଦିନ ନିଜେ ଗାଡ଼ି ଚଳାଉଥାଏ । ଡ୍ରାଇଭରକୁ ଜାଣିଶୁଣି ସାଙ୍ଗରେ ଆଣି ନଥାଏ ।

 

ପାର୍କଲେନର ଘର ଗୁଡ଼ିକର କୁଖ୍ୟାତି ଲଣ୍ଡନରେ ବେଶି । ପ୍ରଥମତଃ ଏହା ଲଣ୍ଡନର କୁଖ୍ୟାତ ହାଇଡ଼ ପାର୍କକୁ ଲାଗି ରହିଛି । ବହୁ ପ୍ରକାର ଅସାମାଜିକ କାର୍ଯ୍ୟର କେନ୍ଦ୍ରସ୍ଥଳୀ ହେଉଛି ଏହି ଲେନଟି ।

 

ଆଭାର ଦୃଷ୍ଟି ନିବଦ୍ଧ ଥାଏ ସେହି କୁଖ୍ୟାତ ଲେନଟି ଆଢ଼େ । କିଛି ସମୟ ଧରି ଅପେକ୍ଷା କରିବା ପରେ ଏହି ଲେନର ଏକ ଘରୁ ବାହାରିଲେ ଅରୁଣ । ତାଙ୍କ ସହିତ ଆଧୁନିକ ଧରଣରେ ସଜ୍ଜିତା ଜନୈକ ଷୋଡ଼ଶୀ ଯୁବତୀ । ସେ ଦୁହେଁ କଥାବାର୍ତ୍ତା ହୋଇ ହାଇଡ଼୍‍ ପାର୍କରେ ପଶିଲେ ।

 

ଅରୁଣଙ୍କୁ ଆଉ ଜଣେ ଯୁବତୀ ସହିତ ଯିବା ଦେଖି ଆଭାର ଲୋମମୂଳ ଶିହରି ଉଠିଲା-। ମନେ ମନେ ଭାବି ଚାଲିଲା । ଏ ତ ନିଶ୍ଚୟ ଅରୁଣ । ଅରୁଣ ଏ ପାର୍କଲେନରେ କାହିଁକି ? ଡାକ୍ତର ହାଜରା ଯାହା କହିଥିଲେ ତାହା କ'ଣ ସତ ? ଅରୁଣ କ’ଣ ତା’ହେଲେ ଏହି ପାର୍କଲେନ ସହିତ- । ଆଉ ଭାବି ପାରିଲାନି ଆଭା । ତା ମୁଣ୍ଡର ସବୁ କିଛି ଯେମିତି ଗୋଳମାଳ ହୋଇଗଲା । ଅରୁଣ ଯେ ଏତେ ନୀଚ ସ୍ତରକୁ ଖସି ଯାଇପାରେ ଭାବି ପାରିଲାନି ଆଭା ।

 

ଏହିଭଳି ଭାବୁ ଭାବୁ କେତେବେଳେ ଯେ ଗାଡ଼ିରୁ ବାହାରି ଆଭା ସେମାନଙ୍କର ପାଶ୍ଚାଦ୍ଧାବନ କଲାଣି, ସେ ଆଡ଼କୁ, ତା’ର ଖିଆଲ ନାହିଁ । କିଛି ସମୟ ପରେ ସେ ହଠାତ୍ ପ୍ରକୃତିସ୍ଥ ହୋଇ ଭାବିଲା ‘‘ଆରେ ସେ କରୁଛି କ’ଣ ? ସେମାନଙ୍କ ପଶ୍ଚାଦନୁଗମନ କରିବା କ’ଣ ତାର ଉଚିତ ? ଅରୁଣ ଯଦି ଦେଖେ, ତବେ ସେ କ'ଣ ଭାବିବ ସତେ !’’

 

ପରମୁହୂର୍ତ୍ତରେ ପୁଣି ମନକୁ ଆସିଲା । ଅରୁଣ ଉପରେ ଦୃଷ୍ଟି ରଖିବା ତାର ଏକାନ୍ତ ଦରକାର । ଅରୁଣକୁ ସେ ଯଦି ନିଜ ଜୀବନର ସଙ୍ଗୀରୁପେ ବାଛିବାକୁ ଠିକ୍ କରିବ, ତେବେ ତା’ ସମ୍ବନ୍ଧରେ ତା’ର ପୁଙ୍ଖାନୁପୁଙ୍ଖ ଜାଣିବା କ'ଣ ଦରକାର ନୁହେଁ ?

 

ଏହିଭଳି ଭାବି ଭାବି ସେମାନଙ୍କ ପଶ୍ଚାଦନୁଗମନ କରୁ କରୁ ଅରୁଣ ଆଉ ଯୁବତୀଟି କେଉଁଆଡ଼େ ଅନ୍ତର୍ହିତ ହୋଇଗଲେ ଜାଣି ପାରିଲାନି ଆଭା । ହାଇଡ଼ ପାର୍କଭିତରେ କିଛିଦୂର ଯାଇ ସେ ଅନୁଭବ କଲା ଯେ ଅରୁଣ ଆଉ ସେ ଯୁବତୀଟି ହାଇଡ଼ ପାର୍କ ଅଞ୍ଚଳରେ ଥିବା ବଣବୁଦା ଭିତରେ କେଉଁଆଡ଼େ ଅନ୍ତର୍ହିତ ହୋଇଗଲେ ।

 

ବର୍ତ୍ତମାନ ସେ କ'ଣ କରିବ ଚିନ୍ତା କରିବାକୁ ଲାଗିଲା । ହାଇଡ଼ ପାର୍କର ସେହି ଅଞ୍ଚଳରେ ବୁଲିବା ନିରାପଦ ନୁହେଁ । ତାକୁ ଯଦି ତାର କେହି ପରିଚିତ ଲୋକ ଦେଖନ୍ତି, ତେବେ ତାକୁ କେତେ ଖରାପ ଭାବିବେ ସତେ ! ଅରୁଣ ଯେ ପାର୍କଲେନର ସେହି ଯୁବତୀ ସହିତ ଏହି ହାଇଡ଼ପାର୍କର ବୃକ୍ଷଲତା ଆଢ଼ୁଆଳରେ ରହିଗଲେ, ଆଭାର ସେଥିରେ ଆଉ ସନ୍ଦେହ ରହିଲାନି । ତାକୁ ସେଠାରେ କେହି କାଳେ ଦେଖି ପକାଇବେ, ସେହି ଭୟରେ ସେ ନିଜ କାର୍‍ଠାରୁ ଫେରି ଆସି ସନ୍ଧ୍ୟା ପୂର୍ବରୁ ପାର୍କଲେନ ପରିତ୍ୟାଗ କଲା ।

 

X X X

 

‘‘ମିସ ମାଇକେଲସନ, ଅରୁଣବାବୁ ଆସିଛନ୍ତି । ଆପଣଙ୍କୁ ଅପେକ୍ଷା କରିଛନ୍ତି ଡ୍ରଇଂ ରୁମ୍‍ରେ ।’’ ଆଭାର ପ୍ରଧାନ ପରିଚାରିକା କେଥେରିନ୍ ଶୋଇବା କକ୍ଷ ଭିତରକୁ ପଶିଆସି ଖବର ଦେଲା । ଆଭା ସେତେବେଳକୁ ନିଜ ଦୁଗ୍‍ଧଫେନନିଭ ଶଯ୍ୟା ଉପରେ ଶୋଇ ଗତ ଦିନର ଘଟଣାବଳୀ କଥା ଭାବି ଚାଲିଥାଏ । ଅରୁଣ ଯେ ତାକୁ ପରିତ୍ୟାଗ କରି ଏକ କୁଖ୍ୟାତ ଲେନ୍‍ର ସନ୍ଦେହଜନକ ଚରିତ୍ରର ଏକ ଯୁବତୀକୁ ବାଛିନେବ, ଏହା ତାହାର ଧାରଣାର ବାହାରେ ।

 

ଆଭାକୁ ନୀରବ ଦେଖି କେଥେରିନ ପୁଣି କହିଲା; ‘‘ଅରୁଣବାବୁ ଆପଣଙ୍କୁ ଅପେକ୍ଷା କରିଛନ୍ତି, ମିସ ମାଇକେଲସନ୍ ।’’

 

ତା’ର ଭାବନାର ଖିଆ ଛିଡ଼ିଗଲା । ଅରୁଣ ନାଁ ଶୁଣି ବିରକ୍ତିବ୍ୟଞ୍ଜକ ସ୍ୱରରେ କହିଲା, ‘‘ମନା କରି ଦେ କେଥେରିନ୍, ମୁଁ ତାଙ୍କୁ ସାକ୍ଷାତ କରିପାରିବିନି । ଯଦି ବେଶୀ ଜିଦ କରନ୍ତି କହିବୁ, ମୋ ଦେହ ଭଲନାହିଁ । ଦେଖ୍, ସେ ଯେମିତି ଏଠାକୁ ନ ଆସନ୍ତି, ସେଥିପ୍ରତି କଡ଼ା ଦୃଷ୍ଟି ଦେଇଥିବୁ-।’’

 

ଏତକ କହି ବିଛଣାରୁ ଉଠିଯାଇ ଆଭା ଫୋନ୍ ଧରିଲା । ସେଣ୍ଟଜେମସ ହଷ୍ଟେଲ । ହାଜରା ବାବୁଙ୍କୁ ଫୋନ ପାଖକୁ ଡାକି ଦେବା ପାଇଁ କହିଦେଇ ଫୋନ ଧରି ରହିଲା ।

 

କିଛି ସମୟ ପରେ ଆରପଟରୁ ଡାକ୍ତର ହାଜରା ଫୋନ ଧରିଲେ । ‘‘ହଁ, ହଁ, ମୁଁ ଡାକ୍ତର ହାଜରା, କିଏ ମିସ ମାଇକେଲସନ କହୁଛନ୍ତି ?’’

 

‘‘ହଁ ହଁ; ମୁଁ ଆଭା । ଆପଣ ଯାହା କହୁଥିଲେ ଡାକ୍ତର ହାଜରା, ତାହା ବାସ୍ତବିକ୍ ଠିକ୍ ।’’

 

‘‘ଆଜ୍ଞା, ମୁଁ ମିଛ କାହିଁକି କହିବି ? ଅରୁଣଟା ପରା ମୋର ସାଙ୍ଗ । ତା ନାଁରେ ମିଛ କହିବାକୁ ମୋ ଜିଭ ଲେଉଟିବ ତି ? ଖାଲି ଅରୁଣ ସହିତ ଆପଣଙ୍କ ସମ୍ପର୍କ ଥିବାରୁ ଆପଣକୁ ଏ କଥାର ଟିକିଏ ଆଭାସ ଦେବା ମୋର କର୍ତ୍ତବ୍ୟ ବୋଲି ଅନୁଭବ କଲି । ଆପଣ ଏଥିରେ ସଂପୃକ୍ତ ନ ଥିଲେ ମୋର ପ୍ରକାଶ କରିବାର କିଛି ଆବଶ୍ୟକତା ନଥିଲା ।’’

 

‘‘ଆପଣ ମୋର ଅଶେଷ ଉପକାର କରିଛନ୍ତି ଅରୁଣବାବୁ, ଆପଣଙ୍କର ଋଣ ମୁଁ ଜୀବନରେ ଶୁଝି ପାରିବିନି ।’’

 

‘‘ଆପଣ ଅରୁଣକୁ ସେ ଝିଅଟି ସହିତ ଦେଖିଲେ ନା କଅଣ ?’’

 

‘‘ହଁ, ମୁଁ ଗତକାଲି ସେଥିପାଇଁ ପାର୍କଲେନ ଆଡ଼କୁ ଯାଇଥିଲି । ମୁଁ ଗଲାବେଳକୁ ସେମାନେ ଗୋଟିଏ ଘରୁ ବାହାରି ପାର୍କଲେନ ଦେଇ ହାଇଡ଼୍‍ ପାର୍କ ଆଡ଼କୁ ଗଲେ । ସେ ଝିଅଟିର ବୟସ ବେଶି ହେବନି; କୋଡ଼ିଏ ବାଇଶି ଭିତରେ । ସାଜସଜ୍ଜା, ଆଡମ୍ବର ବେଶ୍ ଆଧୁନିକ ରୀତିରେ ।’’

 

‘‘ଆପଣ ଠିକ୍ ଲକ୍ଷ୍ୟ କରିଛନ୍ତି ମିସ ମାଇକେଲସନ୍ । ମୁଁ ତ ଉଭୟଙ୍କୁ ବହୁବାର ହାଇଡ଼୍‍ ପାର୍କରେ ବୁଲିବାର ଦେଖିଛି । ଅରୁଣ ସହିତ ଆପଣଙ୍କର ଆଉ ବୋଧହୁଏ ସାକ୍ଷାତ ହୋଇନି ମିସ୍ ମାଇକେଲସନ୍ ?’’

 

‘‘ନା, ଅରୁଣ ଆଜି ଆମ ଘରକୁ ଆସିଥିଲା । ମୁଁ ତାକୁ ସାକ୍ଷାତ ନ ଦେଇ ଫେରାଇ ଦେଇଛି ।’’

 

ଆପଣ ଠିକ୍‍ କରିଛନ୍ତି । ସେଭଳି ସନ୍ଦେହଜନକ ଚରିତ୍ରବିଶିଷ୍ଟ ଲୋକଙ୍କ ସହିତ ଆପଣଙ୍କ ଭଳି ସମ୍ଭ୍ରାନ୍ତବଂଶଜାମାନେ ସଂପର୍କ ରଖିବା ମୋଟେ ଉଚିତ ନୁହେଁ ।

 

X X X

 

‘‘ଆରେ ପ୍ରସାଦ, ଶଳାଟା କ’ଣ ମୋ’ ଉପରେ ରାଗିଯାଇଛୁ ନା କଅଣ ? ମୋଟେ କ’ଣ ଶଳା ତୋ’ ପାଦ ମୋ’ ରୁମ୍‍ଆଡ଼େ ପଡ଼ୁ ନି ।’’

 

ପ୍ରସାଦକୁ ଦେଖି ରୁମ୍ ଭିତରୁ ପାଟି କରି ଉଠିଲା ହାଜରା ।

 

ହାଜରା ରୁମ୍ ପାଖ ଦେଇ ଚାଲିଯାଉଥିଲା ପ୍ରସାଦ । ହାଜରା କଥାକୁ ଶୁଣି ନ ଶୁଣିଲା ଭଳି ଚାଲିଗଲା ସେ ।

 

ପ୍ରସାଦଠାରୁ କୌଣସି ପ୍ରତ୍ୟୁତ୍ତର ନ ପାଇ ରୁମ୍‍ରୁ ବାହାରି ‘ପ୍ରସାଦ ପ୍ରସାଦ’ ଡାକି ପଛେ ପଛେ ଦୌଡ଼ିଲା ହାଜରା । ପ୍ରସାଦ ତା’ ରୁମ୍ ଭିତରକୁ ପଶିଯିବା ପୂର୍ବରୁ ସେ ଯାଇ ପ୍ରସାଦ ଖଟଉପରେ ବସିପଡ଼ିଲା ।

 

‘‘ଆରେ ଭାଇ, ମୋ’ଉପରେ ରାଗିଚୁ ନା କଅଣ ? ଆଭା, ଅରୁଣ ତ ସାଙ୍ଗ ହେଲେ । ଆମେ ଦି'ଜଣ ଶୁଖିଲାଟାରେ କଜିଆ କରି ଲାଭ କଅଣ କହିଲୁ ଭାଇ ?’’

 

ପ୍ରସାଦ ହାଜରାକୁ କିଛି ନ କହି ଝରକା ଆଡ଼କୁ ଅନାଇ ସେଭଳି ବସି ରହିଲା ।

 

‘‘ଭାଇ, ମୋର ଦୋଷ ହୋଇଛି, ଆଉ ସେମିତି କିଛି କରିବିନି ।’’ ଏତକ କହି ହାଜରା ପ୍ରସାଦର ହାତ ଧରିପକାଇଲା ।

 

‘‘ତୁ ଏକନମ୍ବର ଚୁଗୁଲିଆ । ତୋ’ ସହିତ ସାଙ୍ଗ ନ ହେବା ଭଲ । ତୋ’ ସହିତ ସାଙ୍ଗ ହେଲେ ମନରେ ନାନା ଅଶାନ୍ତି । ପ୍ରତିଦିନ ୟା’ ନାଁରେ ତା’ ନାଁରେ କେତେ ଚୁଗୁଲି ମଣିଷ ଶୁଣିବ-? ଏହି କେତେ ଦିନ ହେଲା ତୋ ସହିତ ସମ୍ପର୍କ ତୁଟାଇ ମୁଁ ବେଶ ଆରାମରେ ଅଛି ।’’

 

‘‘ମୋ ସହିତ ସମ୍ପର୍କ ତୁଟାଇ ଅରୁଣ ସହିତ ବନ୍ଧୁତା ବାନ୍ଧିଥିବୁ । ସେ ବିଚାରର ତ ଆଭା ଯାଇଛି । ଆଉ ତୋ ସହିତ ସାଙ୍ଗ ବାନ୍ଧିବ ନାହିଁ ତ ଆଉ କାହା ସହିତ ବାନ୍ଧିବ ?’’

 

‘‘ଆଁ, ଆଭା ଯାଇଛି ! କ'ଣ କହୁଛୁ ତୁ ? ଆଭା ସହିତ ଅରୁଣର ସମ୍ପର୍କ କ'ଣ ଭାଙ୍ଗିଯାଇଛି ? କାହିଁ, ଅରୁଣ ମୁହଁରୁ ତ ସେମିତି କିଛି ଜଣା ପଡ଼ୁନି ? ସେ ତ ବେଶ୍ ଆରାମରେ ଅଛି ।’’

 

‘‘ବେଟା ଆରାମରେ ଅଛି । ଆଉ ବେଟା ଆଭା ମୁହଁ ଦେଖିବ କି ?’’

 

‘‘ଆଁ, ଏମିତି କଥା ?’’ ଏତକ କହିସାରିଛି କି ନାହିଁ ଅରୁଣ ରୁମ୍ ଆଡ଼େ ଦୌଡ଼ିଲା ପ୍ରସାଦ ।

 

ପ୍ରସାଦ ପଛେ ପଛେ ରୁମ୍‍ରୁ ବାହାରିଆସି ହାଜରା ନିଜ ରୁମ୍ ଆଡ଼କୁ ଯାଉଁ ଯାଉଁ ମନକୁ ମନ କହୁଥାଏ, ‘‘ମୋ ଔଷଧ ବେଶ୍‍ କାଟୁ କରିଛି ଉଭୟଙ୍କୁ । ଆଭା ମୁହଁ ଆଉ ଏଥର ଦେଖିପାରିବ ନି ବେଟା । ଏଥର ଆଭାଠାକୁ ଗଲେ ବେଟା ଚଟି ଉପହାର ଛଡ଼ା ଆଉ କିଛି ପାଇବ ନାହିଁ ।’’

 

X X X

 

‘‘ହାଏ, ଆଭା, ତୁମେ ଏଠି ? କେମିତି ଅଛ ? ଅନେକ ଦିନ ହେବ ତୁମ ସହିତ ଦେଖା ହୋଇନି । ଯାହା ହେଉ, ଆଜି ହଠାତ୍ ଏଠି ଦେଖା ହୋଇଗଲା ।’’ ପିକାଡ଼େଲି ସାରକସର ଏକ ଡିପାର୍ଟମେଣ୍ଟାଲ୍ ଷ୍ଟୋରରୁ ବାହାରୁ ବାହାରୁ ଇମ୍‍ପେରିୟାଲ କଲେଜର ସହକାରୀ ଅଧ୍ୟାପକ ଡକ୍ଟର ଚେଷ୍ଟାରଟନ ଆଭାକୁ ଦେଖି ଅଟକିଯାଇ ପଚାରିଲେ ।

 

‘‘ସାର୍, ଆପଣ ଏଠି ! ଅନେକ ଦିନ ପରେ ଦେଖା ।’’

 

‘‘ହଁ, ତୁମ ବାପା କେମିତି ଅଛନ୍ତି ? ଅନେକ ଦିନ ହେବ ତାଙ୍କ ସହିତ ମୋର ଦେଖା ହୋଇ ନି । ତୁମ ଘରଆଡ଼କୁ କେତେବେଳେ ଗଲେ ତୁମ ବାପାଙ୍କ ସହିତ ସାକ୍ଷାତ ହେବ ।’’

 

‘‘ସାର୍, ଆପଣଙ୍କୁ ସର୍ବଦା ସ୍ୱାଗତ କରି ଆମ ଦୁଆର ତ ସବୁବେଳେ ଖୋଲା । ସାର୍ ଆପଣ ପରା ଭିଜିଟିଂ ପ୍ରୋଫେସର ହୋଇ ଜର୍ମ୍ମାନୀ ଯାଇଥିଲେ । କେବେ ଫେରିଲେ ?’’

 

‘‘ହଁ, ଯାଇଥିଲି ସତ, ଫେରିଲିଣି କେଉଁଠି ? ଏହା ଭିତରେ ମୋର ଯେତେସବୁ ଦୁର୍ଭାଗ୍ୟ ସେସବୁ ଏକାଠି ହୋଇ ମୋ ସହିତ ତୁମୁଳ ଯୁଦ୍ଧ ଲଗାଇଦେଇଛନ୍ତି ।’’

 

‘‘ସାର୍ ଆପଣଙ୍କର କ’ଣ ହେଲା, ମୁଁ ତ କିଛି ଜାଣି ନାହିଁ ।’’

 

"ତୁମେମାନେ ଆଉ ଜାଣିବ କେମିତି ? ତମେମାନେ ତ ଆଉ ବର୍ତ୍ତମାନ ଛାତ୍ର ନୁହଁ । କଲେଜକୁ ଆସିବା ବା ଦରକାର କଅଣ ? କଲେଜ ସିନା ଆସୁଥିଲେ ମୋ ଦୁଃଖର କାହାଣୀ ଜାଣନ୍ତ !’’

 

‘‘ଆପଣ ନିଶ୍ଚୟ ବଡ଼ ଅସୁବିଧାରେ ପଡ଼ିଛନ୍ତି ସାର୍ ।’’

 

‘‘ସେ କଥା ଆଉ କହିବାକୁ ଅଛି ଆଭା ! ତୁମେ ତ ଜଣ ଆମ ପରିବାର କଥା । ଆମ ପରିବାର ହେଲା ମୁଁ, ମୋ ସାନ ଭଉଣୀ ଶିଳା ଓ ମା ! ମୁଁ ଜର୍ମାନୀ ଚାଲିଯିବା ପରେ ମୋ ଭଉଣୀ ଶିଳାଠାରୁ ଚିଠି ପାଇଲି, ମା ଭୟାନକ ଭାବରେ ବେମାର । ସଙ୍ଗେ ସଙ୍ଗେ ମା’ଙ୍କୁ ଦେଖିବାକୁ ଲଣ୍ଡନ ଫେରିଆସିଲି । ଆସି ଦେଖେ, ମା’ ଅସମ୍ଭବ ଭାବରେ ଅସୁସ୍ଥ । ଚିକିତ୍ସା କରିବାକୁ କେହି ନାହିଁ, ଏକାଟିଆ ମୋ ଭଉଣୀ ଶିଳା । ଡାକ୍ତରଖାନାକୁ ନେଇ ପରୀକ୍ଷା କରାଇଲି । ଲଙ୍ଗସ୍ କେନ୍‍ସର । ଡାକ୍ତରଙ୍କ କଥା ଶୁଣି ମୋ ହଂସା ଉଡ଼ିଗଲା । ଡାକ୍ତର ଆଶ୍ୱାସନା ଦେଇଥାନ୍ତି, ରୋଗ ଆରମ୍ଭ ଅବସ୍ଥାରେ ଅଛି, ଚିକିତ୍ସା କଲେ ଭଲ ହୋଇଯିବ । ତେବେ ଚିକିତ୍ସା ଲାଗିବ ବହୁଦିନ । ତୁମେ ତ ଜଣ ଫୁସ୍ଫୁସ୍ କର୍କଟ ରୋଗକୁ ଭଲ କରିବା କେତେ ସମୟସାପେକ୍ଷ ! ଡାକ୍ତରଙ୍କ ପରାମର୍ଶରେ ରହି ଚିକିତ୍ସା କରିହେବ । ଭୟ ପାଇବାର କିଛି ନାହିଁ । ମୁଁ ତ ରହିଲି ଜର୍ମାନୀରେ । ମା’ଙ୍କ ଚିକିତ୍ସା କରିବ କିଏ ? ମୋତେ ବାଧ୍ୟହୋଇ ଭିଜିଟିଂ ପ୍ରୋଫେସରସିପ୍ ଛାଡ଼ିବାକୁ ପଡ଼ିବ । ନ ଛାଡ଼ିଲେ ନ ହୁଏ । ଏକ ଶିଳା ପକ୍ଷରେ ମା’ଙ୍କ ଚିକିତ୍ସା କରାଇବା ଅସମ୍ଭବ ।’’

 

‘‘ସାର, ଆପଣ ମୋତେ ଟିକିଏ ଖବର ଦେଲେନି ! ମୁଁ ତ ଆପଣଙ୍କୁ ସାହାଯ୍ୟ କରିପାରିଥାନ୍ତି । ଆପଣଙ୍କ ମା ଯିଏ, ସେ କ'ଣ ମୋ ମା ନୁହଁନ୍ତି ?’’

 

ହସିଲେ ଡାକ୍ତର ଚେଷ୍ଟରଟନ୍ । ତୁମର ଏହିଭଳି ସାହାଯ୍ୟ ମନୋଭାବ ପାଇଁ ଧନ୍ୟବାଦ ଆଭା । ଯାହାହେଉ, ମୋର ଏହି ଦୁର୍ଦ୍ଦିନ ବେଳେ ମୋତେ ଅକାତରରେ ସାହାଯ୍ୟ କଲେ ତୁମ ବନ୍ଧୁ ଅରୁଣ । ମୁଁ ଯେଉଁଦିନ ଜର୍ମ୍ମାନୀରେ ମୋ ଭିଜିଟିଂ ପ୍ରୋଫେସରସିପକୁ ପରିତ୍ୟାଗ କରିବା ପାଇଁ ଚିଠି ଲେଖିବାକୁ ଯାଉଥିଲି, ସେ ଦିନ ମୋତେ ଆସି ବାରଣ କଲା ଅରୁଣ । କହିଲା ‘‘ସାର୍, ଆପଣ ଭିଜିଟିଂ ପ୍ରୋଫେସରସିପ୍ ପରିତ୍ୟାଗ କରନ୍ତୁନି । ଆଉ ଦୁଇମାସ ପରେ ତ ତାହା ସଂପୂର୍ଣ୍ଣ ହୋଇଯିବ । ଆମେ ଏତିକି ଦିନ କ'ଣ ଆପଣଙ୍କ ଅନୁପସ୍ଥିତିରେ ଚଳାଇ ନେଇ ପାରିବୁନି-? ଆପଣ ନିଶ୍ଚିନ୍ତରେ ଜର୍ମ୍ମାନୀ ଫେରିଯାନ୍ତୁ । ଆପଣଙ୍କର ମା’ଙ୍କର ଚିକିତ୍ସା ଦାୟିତ୍ୱ ମୁଁ ଆଉ ଶିଳା ନେବୁଁ । ବାସ୍ତବିକ ଅରୁଣର ସାହାଯ୍ୟରେ ହିଁ ମୋ ମାଙ୍କର ସ୍ୱାସ୍ଥ୍ୟ ଭଲଆଡ଼କୁ ଆସିଛି । ତୁମେ ଯା କୁହ ଆଭା, ଅରୁଣଠାରେ ମୁଁ ଚିର ଋଣୀ ।’’

 

ଏହି ସମୟରେ ଷ୍ଟୋର ଭିତରୁ ଗୁଡ଼ାଏ ଜିନିଷ ହାତରେ ଧରି ଆସି ଶିଳା ଡକ୍ଟର ଚେଷ୍ଟରଟନ୍‍ଙ୍କ ପାଖରେ ଛିଡ଼ା ହେଲା । ‘‘ଭାଇ, ଆମର ତ ସବୁ କିଣା ହୋଇଗଲା । ଏଥର ଘରକୁ ଯିବା । ଅରୁଣବାବୁଙ୍କର କଲେଜରେ କ'ଣ ଏକ ଜରୁରୀ କାମ ଅଛି । ସେ କଲେଜ ଯିବାପାଇଁ ବ୍ୟସ୍ତ ହେଉଥିବେ ।

 

ଶିଳାକୁ ଦେଖି ହଠାତ୍ ଚମକି ପଡ଼ିଲା ଆଭା । ଏ ତ ସେହି ଝିଅ । ସେଦିନ ପାର୍କ ଲେନରୁ ବାହାରି ହାଇଡ଼ ପାର୍କ ଆଡ଼େ ଅରୁଣ ସହିତ ଯାଉଥିଲା । ମୁଁ ଏହାକୁ ଦେଖି କେତେ କ’ଣ ଭାବି ଯାଇଥିଲି ସତେ ? ଛି, ଛି,କେତେବଡ଼ ଭୁଲ ମୋର । ଭୁଲ ପାଇଁ ଆଭାର ମନ ଭିତର ଘନ ଘନ ଉଦ୍‍ବେଳିତ ହେବାକୁ ଲାଗିଲା ।

 

‘‘ହଁ, ହଁ, ଚାଲ ଯିବା ।’’ କହୁଁ କହୁଁ ଆଭାକୁ ଲକ୍ଷ୍ୟ କରି ଶିଳାକୁ କହିଲେ ଡକ୍ଟର ‘‘ଚେଷ୍ଟରଟନ, ଆରେ ଶିଳା, ତୁ ଏହାଙ୍କୁ ଚିହ୍ନିନୁ ବୋଧହୁଏ ? ଏ ମୋର ଛାତ୍ରୀ ଆଭା ମାଇକେଲସନ୍‍ । ତୁ ଲଣ୍ଡନର ବିଶିଷ୍ଟ କୋଟିପତି ସାର୍‍ ଜେମ୍‍ସ ମାଇକେଲସନ୍‍ଙ୍କ ନାଁ ନିଶ୍ଚୟ ଶୁଣିଥିବୁ ? ଏ ହେଉଛନ୍ତି ତାଙ୍କର ଏକମାତ୍ର ଝିଅ । ଏ ମଧ୍ୟ ଅରୁଣର ସହପାଠିନୀ ଓ ବନ୍ଧୁ ।’’

 

‘‘ଆଁ, ଆପଣ ଆଭା ମାଇକେଲସନ୍ ?’’ ଶିଳା ନମସ୍କାର ଜଣାଇଲା । ‘‘ଆପଣଙ୍କୁ ଭେଟି ମୁଁ ଖୁବ୍ ଖୁସି ହେଲି ଭଉଣୀ । ଅରୁଣବାବୁଙ୍କ ମୁହଁରୁ ସବୁବେଳେ ଆପଣଙ୍କ ପ୍ରଶଂସା ଶୁଣେ-। ଯା କୁହ ଭଉଣୀ, ଆମେ ଭାଇ ଭଉଣୀ ଦୁହେଁ ଅରୁଣବାବୁଙ୍କଠାରେ ଚିର ଋଣୀ ।’’

 

‘‘ସାର୍, ଆପଣ ତ ରସେଲ ସ୍କୋୟାରଠାରେ ବ୍ରୋବୋର୍ଣ୍ଣ ରୋଡ଼ରେ ରହୁଥିଲେ । ବର୍ତ୍ତମାନ ସେହିଠି ଅଛନ୍ତି ତ ! ଆପଣଙ୍କୁ ଡାକ୍ତରଖାନା ତାହେଲେ ଖୁବ୍ ନିକଟ ହେଉଥିବ ?’’

 

‘‘ନାଇଁ ଆଭା, ମୋର ସେ ଘରଟି ମା’ଙ୍କ ଚିକିତ୍ସା ପାଇଁ ଉପଯୁକ୍ତ ନୁହେଁ ବୋଲି ଡାକ୍ତରମାନଙ୍କ ପରାମର୍ଶରେ ଛାଡ଼ିଦେଇ ଗୋଟିଏ ଭଲ ଘର ପାର୍କ ଲେନ୍‍ରେ ନେଲି । ଏହି ଘରଟି ବେଶ୍‍ ପ୍ରଶସ୍ତ ଓ ଖୋଲା । ମୋ ମା ବର୍ତ୍ତମାନ ସେହି ଘରେ ରହି ଚିକିତ୍ସତ ହେଉଛନ୍ତି ।’’

 

‘‘ହେଉ, ଆଭା, ଥାଅ, ଆମର ଡେରି ହୋଇଯାଉଛି । ତେଣେ ଅରୁଣ ଆମକୁ ଚାହିଁ ବସିଥିବ । ଆମେ ଗଲେ ସେ ତା କାମରେ ଯିବ । ପରେ କେବେ ଦେଖା ହେବ ।’’

 

ଏତକ କହି ଭାଇ ଭଉଣୀ ଦ୍ୱୟ ଆଭାଠାରୁ ବିଦାୟ ନେଇ ଆଖି ସାମନାରୁ ଅନ୍ତର୍ହିତ ହୋଇଗଲେ ।

 

ନିଜେ କେଡ଼େ ବଡ଼ ଭୁଲ କରିବସିଛି ଭାବି ଭାବି ଥଳକୂଳ ପାଇଲାନି ଆଭା । ଅରୁଣ ପ୍ରତି ସେ କେଡ଼େ ଅବିଚାର କରିଛି ସତେ । ଯେ ନିଜର ସୁଖ ସ୍ଵାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଇ ଅନ୍ୟର ସେବାରେ ଲାଗିଛି, ତାକୁ କେତେ କ’ଣ ଖରାପ ଭାବି କେତେ ପାପ ନ କରିଛି ସେ । ଅରୁଣକୁ ପୁଣି ନିଜ ଘରେ ସାକ୍ଷାତ ନ ଦେଇ ଘୃଣାରେ ଫେରାଇ ଦେଇଛି । ମନ ହେଉଥାଏ ସେ ଅରୁଣଙ୍କଠାକୁ, ଦୌଡ଼ିଯାଇ ତାଙ୍କ ଗୋଡ଼ତଳେ ପଡି ତାଙ୍କଠାରୁ କ୍ଷମା ମାଗନ୍ତାକି ?

 

X X X

 

ସାଉଦାମ୍ପଟ୍‍ନ୍ ବନ୍ଦରରୁ ନିଉୟର୍କ ଅଭିମୁଖେ ଜାହାଜ ଛାଡ଼ିବାକୁ ଆଉ ଅଧଘଣ୍ଟାଏ ବାକି ଥାଏ । କୁଇନମେରୀ ଜାହାଜର ଏକ ସୁସଜ୍ଜିତ କେବିନ୍ ଭିତରେ ବସିଥାନ୍ତି ଆଭା ଆଉ ଅରୁଣ, ଅରୁଣଙ୍କ ଦେହକୁ ଦେହ ଲଗାଇ ବସିଥାଏ ଆଭା । ଝରକା ଦେଇ ବହି ଆସୁଥାଏ ଆଟଲାଣ୍ଟିକ ମହାସାଗରର ହିମ-ଶିକରସିକ୍ତ ମୃଦୁ ସମୀରଣ । ସେହି ପବନରେ ଆଭାର ଚୁର୍ଣ୍ଣ କୁନ୍ତଳ ହୋଇପଡ଼ୁଥାଏ ସ୍ରସ୍ତ ବିସ୍ରସ୍ତ । କ’ଣ ଭାବୁ ଭାବୁ ହଠାତ୍ ଆଭାର କୋହ ଉଠିଲା । ସେ ଅରୁଣକୁ କୁଣ୍ଡାଇ ପକାଇ କାନ୍ଦିଉଠିଲା ।

 

‘‘ମୁଁ ତୁମକୁ ଛାଡ଼ି ରହିପାରିବିନି ଅରୁଣ । ତୁମର ଅନୁପସ୍ଥିତିରେ ମୁଁ ପାଗଳ ହୋଇଯିବି-।’’

 

ଆଭାକୁ ନିଜ କୋଳକୁ ଆଉଜାଇ ଆଣି ରୁମାଲରେ ତା’ର ଲୁହ ପୋଛିଦେଲେ ଅରୁଣ । ମୁଖରେ ଦୁଃଖ ମିଶା ହସ ଫୁଟାଇ ଆଭାର ଓଠକୁ ଧରି କହିଲେ,

 

‘‘ଛି, ଆଭା ତୁମେ ପିଲାଙ୍କଭଳି ହେଲେ ଲୋକେ କଅଣ କହିବେ କୁହତ ? ମୁଁ ତ ଆଉ ଚିରଦିନପାଇଁ ବିଲାତରୁ ଚାଲିଯାଉନି ଯେ ତୁମେ ଏତେ ବ୍ୟସ୍ତ ହୋଇପଡ଼ୁଛ ମୋପାଇଁ । ତୁମ ବାପାଙ୍କ ସାହାଯ୍ୟ, ସହାନୁଭୂତିକୁ ମୁଁ ଜୀବନରେ କେବେ ଭୁଲି ପାରିବିନି ଆଭା । ମୋତେ ବିଭିନ୍ନ ଭାବରେ ସାହାଯ୍ୟ କରିବାପାଇଁ ଓ ମୋ ରାଜ୍ୟ ଓଡ଼ିଶାକୁ ଉନ୍ନତ କରିବାପାଇଁ ସେ ଯେପରି ଭାବରେ ଉଦ୍‍ବିଗ୍ନ, ତାହା ମୋଠାରେ ଚିରଦିନ ପାଇଁ ଅବିସ୍ମରଣୀୟ ହୋଇ ରହିଥିବ । ତୁମର ସ୍ନେହ, ତୁମର ପ୍ରେମ, ତୁମର ଭଲ ପାଇବାକୁ କ’ଣ ମୁଁ କେବେ ଭୁଲିପାରେ । ତୁମେ ଇଂରେଜ ତରୁଣୀ, ଧନୀର ଦୁଲାଳୀ । ତୁମଠାରୁ ପ୍ରେମ, ସୌହାର୍ଦ୍ୟ ଲାଭକରିବା ମୋ ପକ୍ଷରେ ଦେବାଶୀର୍ବାଦ ଛଡ଼ା ଆଉ କିଛି ନୁହେଁ ଆଭା । ମୁଁ ସାରା ଦୁନିଆକୁ ଭୁଲିପାରେ କିନ୍ତୁ ତୁମକୁ ନୁହେଁ-।’’

 

ଥର ଥର ଗଳାରେ ଆଭା କହିଲା, ‘‘ଦେଖ ଅରୁଣ, ତୁମେ ଯେପରି ଶୀଘ୍ର ବିଲାତକୁ ଫେରିଆସେ, ସେହି ମୋର ତୁମଠାରେ ଏକମାତ୍ର ମିନତି । ତୁମେ ଆସିବାରେ ଡେରିକଲେ ମୁଁ ତୁମଠାକୁ ପଳାଇଯିବି ।’’

 

‘‘ଆଁ, ମୋଠାକୁ ପଳାଇଯିବ ? ମୁଁ ଯଦି ତୁମକୁ ଆଉ ନ ଛାଡ଼େ ?’’

 

‘‘ପୋଷା ଚଢ଼େଇ ଯେ ଆବଦ୍ଧ ହେବାକୁ ଭୟ କରେନି ଅରୁଣ ! ତୁମଠାରେ ଚିରଦିନ ବନ୍ଦିହେବା ଜୀବନର ସବୁଠାରୁ ସୁଖମୟ ଓ ଆନନ୍ଦ ଦାୟକ ଅଭିଳାଷ ହେବ, ମୋର ଖାଲି ନୁହେଁ, ଯେ କୌଣସି ତରୁଣୀର ।’’

 

କଟାକ୍ଷର ସହିତ ଏହି କଥା କେଇପଦ କହିଲାବେଳେ ଆଭା ପୁରାପୁରି ଆବଦ୍ଧ ଥାଏ ଅରୁଣଙ୍କର କୋଳ ଭିତରେ । ଆଭାର ଲୋଭନୀୟ ଉନ୍ନତ ବକ୍ଷ ଅତି ଅସ୍ୱାଭାବିକ ଭାବରେ ଭିଡ଼ିହୋଇ ଆସିଥାଏ ଅରୁଣଙ୍କର ସୁପ୍ରଶସ୍ତ ବକ୍ଷ ସହିତ । ଆଭାର ଏହି କଥା କେଇପଦରେ ଅରୁଣ ଆହୁରି ଜୋର୍‍ରେ ଭିଡ଼ିଧରିଲା ଆଭାର କୁସୁମ-କୋମଳ ଅଙ୍ଗଲତାକୁ । ଚାହୁଁ ଚାହୁଁ ତାଙ୍କର ଥରିଲା ଥରିଲା ଓଠ ନଇଁଆସିଲା ତଳକୁ ଆଭାର କପୋଳ ସହିତ ମିଳନ ପାଇଁ । ଅରୁଣ ଆଭାକୁ ନିଜ କୋଳରେ ଆହୁରି ଜୋର୍‍ରେ ଭିଡ଼ିଧରି ତା’ର ଆରକ୍ତ ଅଧର ଉପରେ ଆଙ୍କିଦେଲେ ଶତ ଚୁମ୍ବନର ଅସରନ୍ତି ରକ୍ତିମ ଦାଗ । କିଛି ସମୟ ପାଇଁ ଆଭାର କପୋଳ ହୋଇପଡ଼ିଲା ସତେ ଯେମିତି କ୍ଷତବିକ୍ଷତ । ଅରୁଣଙ୍କର ଚୁମ୍ବନ ଭିତରେ ଅଭର ଦୁର୍ବଳ ହୃଦୟ ହୋଇଉଠିଥିଲା ଆହୁରି ଅସ୍ଥିର ଓ ଆବେଗମୟ । ଆଭା ଚାହୁଥିଲା ଆହୁରି ନିର୍ଜ୍ଜନ, ଆହୁରି ନିଶ୍ଚଳ ପରିବେଷ୍ଟନୀ ।

 

ହଠାତ୍ ଜାହାଜର ବନ୍ଦର ଛାଡ଼ିବା ଗର୍ଜ୍ଜନରେ ଆଭା ଓ ଅରୁଣ ପ୍ରକୃତିସ୍ଥ ହୋଇପଡ଼ିଲେ-। ଜାହାଜରୁ ଓହ୍ଲାଇଯିବା ସମୟ ହୋଇଗଲା ଭାବି ଅରୁଣ ଆଭାକୁ ନିଜ କୋଳରୁ ମୁକ୍ତ କରିଦେଲେ-। ଆଭା ଥରିଲା ଥରିଲା ଓଠରେ ଉଠି ଠିଆହେଲା ଫେରି ଯିବାପାଇଁ । ଆଭାର ସେହି ପ୍ରତ୍ୟାବର୍ତ୍ତନରେ ଅରୁଣଙ୍କର ଆଖି ଛଳଛଳ ହୋଇଆସିଲା । ଆଭା ଅରୁଣଙ୍କର ଆଖିରେ ଲୁହ ଦେଖି ଆହୁରି ଅଧୀର ହୋଇପଡ଼ିଲା । ସେ ଚାଲିଯାଉଥିଲା, ହଠାତ୍ ଫେରିଆସି ଅରୁଣଙ୍କୁ କୁଣ୍ଢାଇପକାଇ ପୁଣି କଇଁକଇଁ ହୋଇ କାନ୍ଦିବାକୁ ଲାଗିଲା । ଅରୁଣ ଆଭାକୁ କୋଳରେ ଜାବୁଡ଼ି ଧରି ନିଜେ ମଧ୍ୟ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲେ । ଦୁଇ ଜଣଙ୍କର କ୍ରନ୍ଦନରେ ସେମାନଙ୍କର ବିଚ୍ଛେଦବାର୍ତ୍ତା ରୁପାୟିତ ହେଲା କୁଇନ୍ ମେରୀର ସେହି ନିର୍ଜ୍ଜନ କେବିନ୍ ଭିତରେ ।

 

(ସାତ)

 

ଅରୁଣକୁମାର ଯେଉଁ ଜାହାଜରେ ଆମେରିକା ଯାଉଥିଲେ, ଠିକ୍ ସେହି ଜାହାଜରେ ଆଉ ଜଣେ ଭାରତୀୟ ଛାତ୍ର ଶ୍ରୀ ରମେଶଚନ୍ଦ୍ର ଭଟ୍ଟାଚାର୍ଯ୍ୟ ଆମେରିକା ଅଭିମୁଖେ ଯାଉଥିଲେ ଧାତୁ ନିଷ୍କାସନ ବିଜ୍ଞାନରେ ଉଚ୍ଚ ଶିକ୍ଷା ଲାଭ କରିବାପାଇଁ । ଡେକ୍ ଉପରେ ଉଭୟଙ୍କର ସାକ୍ଷାତ ହୋଇ ଆଳାପ ହେଉଁ ହେଉଁ ଭାରତରେ ନୂଆ ହୋଇ ବସୁଥିବା ଲୁହାକାରଖାନା କଥା ପଡ଼ିଲା । ରମେଶ ପାଖରୁ ସେ ଶୁଣିବାକୁ ପାଇଲେ ଯେ ଭାରତ ସରକାର ଓଡ଼ିଶାର ରାଉରକେଲାଠାରେ ଲୁହା କାରଖାନା ବସାଇବା ପାଇଁ ସିଦ୍ଧାନ୍ତ ଗ୍ରହଣ କରିସାରିଛନ୍ତି । ଦୁଇ ଦିନତଳେ ଭାରତର ବଡ଼ ବଡ଼ ଖବରକାଗଜରେ ଭାରତ ସରକାରଙ୍କର ସେହି ସିଦ୍ଧାନ୍ତ ପ୍ରକାଶ ପାଇଯିବାଦ୍ୱାରା ସାରା ଭାରତରେ ଚହଳ ପଡ଼ିଯାଇଛି । ବିହାର, ମଧ୍ୟପ୍ରଦେଶ, ଓଡ଼ିଶା ଓ ପଶ୍ଚିମବଙ୍ଗ ପ୍ରତ୍ୟେକ ଏହି ଲୁହା କାରଖାନାପାଇଁ ପ୍ରତିଯୋଗୀ ଥିଲାବେଳେ ଓଡ଼ିଶା ସପକ୍ଷରେ ଭାରତ ସରକାରଙ୍କର ସିଦ୍ଧାନ୍ତ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତର କମ୍ ସୂଚନା ଦେଉନି । ଛାତ୍ରଟିଠାରୁ ଭାରତ ସରକାରଙ୍କର ଏହି ସିଦ୍ଧାନ୍ତ ଶୁଣି ଆନନ୍ଦରେ ଏକ ରକମର ପାଗଳ ହୋଇପଡ଼ିଲେ ଅରୁଣକୁମାର । ଛାତ୍ରଟି ପାଖରୁ ସେ ଯେତେବେଳେ ଆହୁରି ଶୁଣିବାକୁ ପାଇଲେ ଯେ ଛାତ୍ରଟି କଲିକତାରୁ ବିଲାତ ଅଭିମୁଖେ ଉଡ଼ାଜାହାଜରେ ଆସୁଥିଲାବେଳେ ସେହି ଖବର ବାହାରିଥିବା କାଗଜ ଖଣ୍ଡିଏ କିଣିଆଣିଛି, ସେତେବେଳେ ଅରୁଣଙ୍କର ଆନନ୍ଦର ସୀମା ଆଉ ରହିଲାନି । ତରତର ହୋଇ ତାଙ୍କଠାରୁ ସେହି ଖବରକାଗଜଟି ଆଣି ସେ ପଢ଼ିବାକୁ ଲାଗିଲେ । ଖବରକାଗଜର ପ୍ରଥମ ପୃଷ୍ଠାରେ ଲେଖାଥିଲା–

 

‘‘ଓଡ଼ିଶାର ରାଉରକେଲାଠାରେ ଲୁହା କାରଖାନା ବସାଇବା ପାଇଁ ଭାରତ ସରକାରଙ୍କ ସିଦ୍ଧାନ୍ତ ।’’

 

ସେ ଏହି ଖବରଟି ପଢ଼ିବା ସଙ୍ଗେ ସଙ୍ଗେ ବିଲାତର ଶିଳ୍ପପତି ସାର୍ ମାଇକେଲସନ୍‍ଙ୍କର ଆଶ୍ୱାସନାବାଣୀ ମନେ ପଡ଼ିଗଲା । ଶିଳ୍ପପତିଙ୍କ କଥାଗୁଡ଼ାକ ତାଙ୍କ କାନ ପାଖରେ ବାରମ୍ବାର ପ୍ରତିଧ୍ୱନିତ ହେବାକୁ ଲାଗିଲା ।

 

‘‘ତୁମେ ବ୍ୟସ୍ତ ହୁଅନି ଅରୁଣ, ଭାରତ ସରକାର ଏଥର ଯେଉଁଠି ଲୁହା କାରଖାନା ବସାନ୍ତୁ ପଛକେ ନିକଟ ଭବିଷ୍ୟତରେ ଓଡ଼ିଶାରେ ଯେ ଅତି କମ୍‍ରେ ଛଅଗୋଟି ପ୍ରଥମ ଶ୍ରେଣୀ ଲୌହ ଓ ଇସ୍ପାତ କାରଖାନା ପ୍ରତିଷ୍ଠିତ ହେବ, ଏଥିରେ ମୋର ତିଳେମାତ୍ର ସନ୍ଦେହ ନାହିଁ । ତେବେ ଭାରତ ସରକାରଙ୍କର ବିଶେଷଜ୍ଞମାନଙ୍କର ଏହି ରିପୋର୍ଟରୁ ମୋର ଯାହା ମନେ ହେଉଛି, ଭାରତ ସରକାର ଓଡ଼ିଶାରେ ଏହି କାରଖାନାଟି ନିଶ୍ଚୟ ବସାଇବେ । ଜର୍ମ୍ମାନ୍ ବିଶେଷଜ୍ଞମାନଙ୍କର ଏହି କେତୋଟି ଧାଡ଼ିରୁ ତୁମର କ'ଣ ସେଇଆ ମନେ ହେଉନି ?’’

 

ଅରୁଣ ତରତର ହୋଇ ପଢ଼ିବାକୁ ଲାଗିଲେ କେଉଁ କେଉଁ କାରଣ ଯୋଗୁଁ ଭାରତ ସରକାର ରାଉରକେଲାଠାରେ ଏହି କାରଖାନାକୁ ବସାଇବାକୁ ନିଷ୍ପତ୍ତି କଲେ ଓ ରାଉରକେଲାର ଏହି କାରଖାନା ପାଇଁ କି କି ସୁବିଧା ଅଛି ।

 

X X X

 

ଯୁକ୍ତରାଷ୍ଟ୍ରର ବିଭିନ୍ନ ଶିଳ୍ପାଞ୍ଚଳ ବୁଲି ଅରୁଣକୁମାର ଯେତେବେଳେ ନିଉୟର୍କରେ ନିଜ ହୋଟେଲ ଏମ୍‍ବାସେଡ଼ର୍‍କୁ ଫେରିଆସିଲେ, ହୋଟେଲର ଲେଡ଼ି ଆସିଷ୍ଟାଣ୍ଟ ମିସ ସୁଷାନ୍ ଅରୁଣଙ୍କ ନାମରେ ଆସିଥିବା ଖଣ୍ଡିଏ ଚିଠି ଆଣି ଦେଇଗଲେ । ଚିଠିଟି ଆସିଥିଲା ଆଭା ନିକଟରୁ ତରତର ହୋଇ ସେ ଚିଠିଟି ଖୋଲି ପଢ଼ିବାକୁ ଲାଗିଲେ ।

 

ଲଣ୍ଡନ

୫ । ୧୨ । ୫୫

 

‘‘ପ୍ରିୟ ଅରୁଣ,

ତୁମଠାରୁ ଗତ ଦୁଇ ଦିନ ଧରି କୌଣସି ଚଠିପତ୍ର ନ ପାଇ ଯେଭଳି ମନ କଷ୍ଟରେ ଅଛି, ତାହା ଭଗବାନଙ୍କୁ ହିଁ ଜଣା । ଯିବାବେଳେ ଏତେ ଅନୁରୋଧ ସତ୍ତ୍ୱେ ତୁମେ ଚିଠି ଦେବାରେ ଏଭଳି ଭାବରେ ହେଳା କରିବ ବୋଲି ମୁଁ କେବେ ଆଶା କରି ନ ଥିଲି । ପିତାଙ୍କ ଶିଳ୍ପ-ପରାମର୍ଶଦାତା ଓ ବିଶେଷଜ୍ଞ ବୋର୍ଡ଼ ସେମାନଙ୍କ ରିପୋର୍ଟ ଓ ଯୋଜନା ଇତିମଧ୍ୟରେ ବାପାଙ୍କୁ ଦେଇସାରିଲେଣି । ସେଥିରେ ସେମାନେ ମତ ଦେଇଛନ୍ତି ଯେ ଓଡ଼ିଶାର ପ୍ରାକୃତିକ ସଂପଦ ଦୃଷ୍ଟିରୁ ଏହା ଦିନେ ନା ଦିନେ କେବେଳ ଭାରତର କାହିଁକି ସାରା ପୃଥିବୀର ଶ୍ରେଷ୍ଠତମ ଶିଳ୍ପ ଅଞ୍ଚଳ ଭାବରେ ପ୍ରସିଦ୍ଧି ଲାଭ କରିବ । ଯୁକ୍ତରାଷ୍ଟ୍ର, ଇଂଲଣ୍ଡ, ଜର୍ମ୍ମାନୀ ଏପରି କି ସୋଭିଏଟ୍ ରୁଷର କୌଣସି ଶିଳ୍ପ ଅଞ୍ଚଳ ଏହା ସମ୍ମୁଖରେ ଠିଆହେବାକୁ ସାହସ କରିପାରିବ ନି ।

ହଁ, ଆଉ ଗୋଟିଏ କଥା, ଓଡ଼ିଶାରେ ସେହିସବୁ ଶିଳ୍ପ କାରଖାନା ପ୍ରତିଷ୍ଠିତ ହେଲେ ଓଡ଼ିଶା ଲୋକଙ୍କର ଜୀବନ ଧାରଣ ମାନ କେତେ ବଢ଼ିଯିବ ଜାଣ ? ସେମାନଙ୍କର ସାଧାରଣ ଆୟ ପୃଥିବୀର ସବୁଠାରୁ ଧନୀ ରାଷ୍ଟ୍ର ଆମେରିକା ଲୋକଙ୍କର ଆୟର ପ୍ରାୟ ଦୁଇଗୁଣା ହୋଇଯିବ ବୋଲି ଅଟକଳ କରାଯାଇଛି । ତା’ ଯଦି ହୁଏ, ତେବେ ଓଡ଼ିଶାରେ ଖାଲି ବହିବନି ଘିଅ ମହୁର ଅସରନ୍ତି ସ୍ରୋତ, ସାରା ପୃଥିବୀରେ ଓଡ଼ିଶା ପରିଚିତ ହେବ ଏକ ଭାଗ୍ୟବାନ୍ ରାଜ୍ୟ ଭାବରେ । ଏହି ଯୋଜନା କାର୍ଯ୍ୟକାରୀ ହେଲେ ଓଡ଼ିଶାକୁ ତୁମ କହିବାଭଳି ଆଉ କେହି କହିବେନି କୁଲି-ମଜୁରିଆର ଦେଶ, ଏହାକୁ ଲୋକେ କହିବେ ‘‘ସୁନାର ଓଡ଼ିଶା’’ । ତେବେ ଭାରତର ସେହି କ୍ଷୁଦ୍ର ରାଜ୍ୟଟିର ସର୍ବାଙ୍ଗୀନ ଉନ୍ନତି କରା ନ ଗଲେ ସେମାନଙ୍କ ଯୋଜନା କେବଳ କଳ୍ପନାର ସୌଧ ହୋଇ ରହିଯିବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

ସେମାନଙ୍କ ଯୋଜନା ଦେଖି ବାପା ବଡ଼ ମୁଗ୍‍ଧ ହୋଇପଡ଼ିଛନ୍ତି । ସେ ମୋତେ ଦିନେ କହୁଁ କହୁଁ କହିପକାଇଲେ ଯେ ଭାରତ ସରକାର ଯଦି ତାଙ୍କୁ ଅନୁମତି ଦିଅନ୍ତେ, ତେବେ ସେ ଭାରତର ସେହି କ୍ଷୁଦ୍ର ରାଜ୍ୟଟିକୁ ଏପରି ଏକ ବିରାଟ ଶିଳ୍ପାଞ୍ଚଳରେ ପରିଣତ କରିଦିଅନ୍ତେ ଯେ ସାରା ପୃଥିବୀ ଦେଖନ୍ତା ଓଡ଼ିଶାର ପ୍ରାକୃତିକ ସଂପଦ କିପରି ଅସୀମ ଓ ତା’ର ଅଧିବାସୀମାନେ କିପରି ଭାଗ୍ୟବାନ୍ । ସେ ତୁମ ଭିତରେ କି ଅପୂର୍ବ ମଣିର ସନ୍ଧାନ ପାଇଛନ୍ତି କେଜାଣି, ସେ କହନ୍ତି ତୁମଦ୍ୱାରା ଓଡ଼ିଶାର ଏହି ଶିଳ୍ପସମୃଦ୍ଧି ସମ୍ଭବପର ହେବ । ତୁମ ଭିତରେ ସେ ଯେଉଁ ଅପୂର୍ବ ପ୍ରତିଭାର ସନ୍ଧାନ ପାଇଛନ୍ତି, ତାଙ୍କ ମତରେ ତୁମେ ସେହି ପ୍ରତିଭାବଳରେ କେବଳ ଓଡ଼ିଶାର କାହିଁକି, ଭାରତ ତଥା ପୃଥିବୀର ମୁଖ ଦିନେ ନା ଦିନେ ଉଜ୍ଜ୍ୱଳ କରିପାରିବ ।

 

ତୁମେ ଆହୁରି ଶୁଣି ଖୁସି ହେବ ଅରୁଣ, ବାପା ତୁମ ହାତରେ ଆଉ କ'ଣ ଏକ ବିରାଟ ଦାୟିତ୍ୱ ସମର୍ପିଦେବାକୁ ମନସ୍ଥ କରିସାରିଛନ୍ତି । ସେ କିଛି ଦିନତଳେ ସେ ସଂପର୍କରେ ମୋ ମତ ଲୋଡ଼ିଥିଲେ । ମୁଁ ଯାହା ମତ ଦେଇଥିବି ତୁମେ ତ ଜାଣ । ବାପା ଇଂଲଣ୍ଡର ପୁଞ୍ଜିପତିମାନଙ୍କ ଭଳି ରକ୍ଷଣଶୀଳ ନୁହନ୍ତି, ତେଣୁ ତାଙ୍କ ପକ୍ଷରେ ଏଭଳି ଏକ ନିଷ୍ପତ୍ତି ନେବା କିଛି ବିଚିତ୍ର ନୁହେଁ । ବାପା ହେଉଛନ୍ତି ପ୍ରତିଭାର ପୂଜକ, ଦେଶ, ଜାତି ବା ବ୍ୟକ୍ତିର ପୂଜକ ନୁହନ୍ତି ।

 

ଆଶା କରେ ଅରୁଣ, ତୁମେ ଯୁକ୍ତରାଷ୍ଟ୍ରରେ ବେଶ୍ ଭଲରେ ଥିବ । ତେବେ ତୁମେ ଇଂଲଣ୍ଡକୁ କେବେ ଫେରୁଛ ଶୁଣେ ? ଯୁକ୍ତରାଷ୍ଟ୍ରରେ ତୁମ ମନ ପୁରାପୁରି ଲାଖିଯାଇ ନାହିଁ ତ ? ପତ୍ର ପାଇ ଅତି ଶୀଘ୍ର ପତ୍ର ଦେବ । ତୁମ ପତ୍ରକୁ ଅନାଇ ରହିଲି । ଇତି।

 

ତୁମର

ଅତି ସ୍ନେହର

ଆଭା

 

ଗାଡ଼ି ପୋଲିସ ଷ୍ଟେସନ ସମ୍ମୁଖରେ ପହଞ୍ଚିବାକ୍ଷଣି ହଠାତ୍ ଆଭାର ଚିନ୍ତାର ଖିଅ ଛିଡ଼ିଗଲା । ସେ ସଙ୍ଗେ ସଙ୍ଗେ ପ୍ରକୃତିସ୍ଥ ହୋଇ ନିଜର ଅବସ୍ଥିତି କେଉଁଠି ନିର୍ଣ୍ଣୟ କରିବାକୁ ଚେଷ୍ଟା କଲା । ଅରୁଣ ଯୁକ୍ତରାଷ୍ଟ୍ରର ପୋଲିସଦ୍ୱାରା ଆରେଷ୍ଟ୍ ହେବାପରେ ସେ ପୋଲିସ ଷ୍ଟେସନକୁ ଆସିଛି ବୋଲି ଯେତେବେଳେ ଉପଲବ୍‍ଧି କଲା ସେ ତରତର ହୋଇ କାର୍‍ରୁ ଓହ୍ଲାଇ ପୋଲିସ ଷ୍ଟେସନ ଭିତରକୁ ପଶିଲା । ପୋଲିସ ଅଫିସରଙ୍କ ସାମ୍ନାରେ ଅରୁଣଙ୍କୁ ବସିରହିଥିବାର ଦେଖି ତା’ର କୋହ ରହିଲା ନି ।

 

ଆଭା ଯାଇ ପୋଲିସ ଅଫିସରଙ୍କ ସାମ୍ନାରେ ପହଞ୍ଚିଛି କି ନାହିଁ, ହଠାତ୍ ପୋଲିସ ଅଫିସରଙ୍କ ସାମନା ଟେଲିଫୋନ୍ ବାଜିଉଠିଲା । ପୋଲିସ ଅଫିସର ଫୋନ୍ ଧରିଲେ ।

 

‘‘ହଁ ହଁ, ମୁଁ ଫିଫ୍‍ଥ ଏଭିନିଉ ପୋଲିସ ଷ୍ଟେସନରୁ କହୁଛି । ଆପଣ-ଆପଣ,-ଆଁ, ରବର୍ଟ ରକେଫେଲର, ନମସ୍କାର ଆଜ୍ଞା । ହଁ, ହଁ, ଅରୁଣବାବୁଙ୍କୁ ଆରେଷ୍ଟ କରାହୋଇଛି । ସେ ବର୍ତ୍ତମାନ ମୋ’ ସାମନାରେ ବସିଛନ୍ତି ।’’

 

ହଁ ଆଜ୍ଞା, ତାଙ୍କ ନାଁରେ ୱାରେଣ୍ଟ ବାହାରିଛି । ତାଙ୍କ ନାଁରେ ଯେଉଁ ଚାର୍ଜ, ମୁଁ ଭଲଭାବରେ ଅନୁଧ୍ୟାନ କରିନି । ତେବେ ବର୍ତ୍ତମାନ ଅନୁଧ୍ୟାନ କରିବାକୁ ଚେଷ୍ଟା କରୁଛି ।

 

‘‘ଆଁ, ଆପଣ ଆସିବେ ? ହେଉ ଆସନ୍ତୁ !’’

 

X X X

 

‘‘ନାଇଁ ଆଜ୍ଞା, କ୍ଷମା କରିବେ । ଅରୁଣବାବୁଙ୍କୁ ଜାମିନ୍‍ରେ ଛାଡ଼ିହେବନି । ଏଟର୍ଣ୍ଣି ଜେନେରେଲ୍‍ଙ୍କ କଡ଼ା ତାଗିଦ୍ । ତାଙ୍କ ବିରୁଦ୍ଧରେ ଚାର୍ଜଗୁଡ଼ିକ ଦେଖନ୍ତୁ । ଖୁବ୍ ସିରିୟସ । ଆମର ଏଫ୍. ବି.ଆଇ.ର ରିପୋର୍ଟ ହେଉଛି, ସେ ଜଣେ ପକ୍‍କା କମ୍ୟୁନିଷ୍ଟ । ବହୁ ଦିନ ତଳେ ଭାରତରେ ଥିଲାବେଳେ କମ୍ୟୁନିଷ୍ଟଦଳ ସହିତ ତାଙ୍କର ସିଧାସଳଖ ଯୋଗାଯୋଗ ଥିଲା । ଯୁକ୍ତରାଷ୍ଟ୍ରରେ ତାଙ୍କ ଉପସ୍ଥିତି ଦେଶ ପାଇଁ ବିପଦ । ସେ ପୃଥିବୀର ଧନତାନ୍ତ୍ରିକ ସଂସ୍ଥାକୁ ଭାଙ୍ଗିବା ଷଡ଼ଯନ୍ତ୍ରରେ ଆମେରିକା ଆସିଛନ୍ତି । ତାଙ୍କୁ ଦିନେ ଦୁଇ ଦିନ ଭିତରେ ମେକ୍‍ଆର୍ଥିଙ୍କ କମିସନ ଆଗରେ ବିଚାରର ସମ୍ମୁଖୀନ ହେବାକୁ ପଡ଼ିବ । ସେ ଯଦି ସେଥିରୁ ନିର୍ଦ୍ଦୋଷରେ ଖଲାସ ହୁଅନ୍ତି, ତେବେ ତାଙ୍କୁ ଖଲାସ କରିଦେବାରେ ଆମର ଆପତ୍ତି ନାହିଁ ।’’

 

ନିଉୟର୍କର ବିରାଟ ଧନକୁବେର ରବର୍ଟ ରକେଫେଲର୍ ପୋଲିସ ଅଫିସରଙ୍କ ମନ୍ତବ୍ୟ ଶୁଣି ମନକଷ୍ଟରେ ଫେରିଗଲେ। ଫେରୁ ଫେରୁ ଆଭାକୁ ଅନାଇଁ କହିଲେ, ‘‘ମୁଁ ଏ କଥା ତୁମ ବାପାଙ୍କୁ ଜଣାଇଦେଉଛି ଆଭା । ତୁମେ ବ୍ୟସ୍ତ ହୁଅନି । ମୁଁ ବର୍ତ୍ତମାନ ଅରୁଣଙ୍କ ବିଚାର ପାଇଁ ଓକିଲଙ୍କ ସହିତ ପରାମର୍ଶ କରିବାକୁ ଯାଉଛି । ସେ ଯେପରି ନିର୍ଦ୍ଦୋଷରେ ଖଲାସ ହୁଅନ୍ତି, ସେ ଦାୟିତ୍ୱ ମୋର । ତୁମେ କ’ଣ ବର୍ତ୍ତମାନ ମୋ’ ସହିତ ଆସିବ ?’’

 

ଆଭା ଅନନ୍ୟୋପାୟ ହୋଇ ପିତାଙ୍କର ବନ୍ଧୁ ମାର୍କିନ ଧନକୁବେର ରବର୍ଟ ରାକେଫେଲର୍‍ଙ୍କ ସହିତ ପୋଲିସ ଷ୍ଟେସନରୁ ବାହାରିଗଲେ ।

Image